Unknown

 

 

 

 

 

 

 

 

 

 

 

ପ୍ରବନ୍ଧ ଯୁଗେ ଯୁଗେ

ଅଧ୍ୟାପକ ମହେଶ୍ଵର ଦାସ

 

ସୂଚିପତ୍ର

 

୧.

ନାରାୟଣାନନ୍ଦ ଅବଧୂତ ସ୍ଵାମୀ

ରୁଦ୍ର ସୁନାନିଧି

୨.

ଦିବ୍ୟସିଂହ ଦେବ

ମାଦଳା ପାଞ୍ଜି

୩.

ରାଧାନାଥ ରାୟ

ବୋଝ ବୋହିବା

୪.

ମଧୁସୂଦନ ରାଓ

ଆତ୍ମପ୍ରତ୍ୟୟ

୫.

ନୀଳମଣି ବିଦ୍ୟାରତ୍ନ

ପାପର ପ୍ରାୟଶ୍ଚିତ୍ତ

୬.

କୃଷ୍ଣପ୍ରସାଦ ଚୌଧୁରୀ

ସମାଲୋଚନା

୭.

ବିଶ୍ଵନାଥ କର

ପୁରାତନ

୮.

ଗୋପାଳ ଚନ୍ଦ୍ର ପ୍ରହରାଜ

ଶ୍ରୀଛାମୁ

୯.

ଶଶିଭୂଷଣ ରାୟ

କପିଳାସରେ ପ୍ରଭାତ

୧୦.

ଗୋପବନ୍ଧୁ ଦାସ

ଓଡ଼ିଆର ଜାତୀୟତା

୧୧.

ପଣ୍ଡିତ ଗୋଦାବରୀଶ ମିଶ୍ର

ବାମନ ହାତ ଓ ଆକାଶର ଚନ୍ଦ୍ର

୧୨.

ରତ୍ନାକର ପତି

ନୈତିକ ଋଣ

୧୩.

ଡକ୍ଟର ବ୍ରଜବିହାରୀ ମହାନ୍ତି

ଯୁବକ ଓ ଜଗତ

୧୪.

କାଳନ୍ଦୀ ଚରଣ ପାଣିଗ୍ରାହୀ

କହି ପୁଚ୍ଛି ଜାଣେ ଯେ

୧୫.

ଗୋପୀନାଥ ମହାନ୍ତି

ମନ୍ଦିର ବଞ୍ଚାଅ

୧୬.

ବାମା ଚରଣ ମିତ୍ର

ଫୈୟାଜ ଖାଁ

୧୭.

ଚିତ୍ତରଞ୍ଜନ ଦାସ

ଦଶହରାର ଚିଠି

 

ସମ୍ପାଦନା ସମ୍ପର୍କରେ

 

ଆଖି ଆଗରେ ଏତେଗୁଡ଼ାଏ ପ୍ରବନ୍ଧ ସଂକଳନ ଥିଲାବେଳେ ମୁଁ ଅନୁଭବ କରୁଥିଲି ଭାବ ଥାଇ ଅଭାବ ରହିଛି । ସେଥିପାଇଁ ନିଜ ଭିତରେ ଗୁମୁରି ଉଠୁଥିବା ବୋଧପାଇଁ ଯତ୍‌କିଞ୍ଚିତ୍ ଶ୍ରମ କରି ‘ପ୍ରବନ୍ଧ ଯୁଗେ ଯୁଗେ’ ସମ୍ପାଦନା କଲି । ଆଶା, ଏହା ସେଇମାନଙ୍କ ଭିତରେ ଗୋଟିଏ ହେଇ ନୂଆ ଆଲୋକ ବିଛେଇ ଦେଉ ।

 

‘ପ୍ରବନ୍ଧ ଯୁଗେ ଯୁଗେ’ରେ ମୁଁ ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶ ଦିଗଟିକୁ ଦେଖାଇବାକୁ ଚେଷ୍ଟା କରିଛି । ସେଇ ଚେଷ୍ଟାର ପ୍ରଚ୍ଛନ୍ନରେ ପ୍ରବନ୍ଧ ସାହିତ୍ୟକୁ ସମୃଦ୍ଧ କରୁଥିବା କେତୋଟି ପ୍ରବନ୍ଧକୁ ସମ୍ପାଦନାର ପରିସରଭୁକ୍ତ କରିଛି । ସାମ୍ପ୍ରତିକ କାଳର ଓଡ଼ିଆ ପ୍ରବନ୍ଧ ଅର୍ଥନୀତି, ରାଜନୀତି, ବାଣିଜ୍ୟ, ମନସ୍ତତ୍ତ୍ଵ ପ୍ରାଣୀବିଜ୍ଞାନ ଉଦ୍ଭିଦ ବିଜ୍ଞାନ ନୃତତ୍ତ୍ଵ ପ୍ରଭୃତି ବହୁ ବିଷୟକୁ ଆଧାର କରି ପୁଷ୍କଳ ହେବାରେ ଲାଗିଛି । ସ୍ଥୂଳତଃ ମଣିଷର ଚିନ୍ତା-ଚେତନା, ବୁଦ୍ଧି ଓ ଯୁକ୍ତିବୋଧ କିମ୍ବା ସଂସ୍କୃତି ସଚେତନତା, ପ୍ରକୃତି ପ୍ରାଣତା, ସମାଜ ଓ ଜୀବନ ସମ୍ପର୍କିତ ବିଚାର ଧାରା ଯେଉଁଠି ସାହିତ୍ୟର ଲହଡ଼ି ଭାଙ୍ଗିଛି ସେଇଠି ମୁଁ ଅଟକିଛି ଏବଂ ସେଗୁଡ଼ିକୁ ଗୋଟେଇ ଆଣିଛି, କିନ୍ତୁ ଆଉ ଯେତେ, ତାହା ମୋପାଇଁ ଅଲୋଡ଼ା ବୋଲି ଦୂରେଇ ଦେଇନାହିଁ । ତେଣୁ ଏଥିରେ ଓଡ଼ିଆ ଗଦ୍ୟସାହିତ୍ୟର ଆଦିକାଳର ସାର୍ଥକ ସୃଷ୍ଟି ଠାରୁ ଆରମ୍ଭ କରି ଅଦ୍ୟାବଧି ଲିଖିତ ପ୍ରବନ୍ଧାବଳୀର ସ୍ମରଣୀୟ ପଦଚିହ୍ନ ସଂରକ୍ଷଣ କରିବାକୁ ପ୍ରଯତ୍ନ କରିଛି । ଏହି ପ୍ରବନ୍ଧଗୁଡ଼ିକୁ ସମ୍ପାଦନା କରିବା ଅବସରରେ ମୁଁ ଓଡ଼ିଆ ଗଦ୍ୟସାହିତ୍ୟର ବିକାଶ ଦିଗଟିକୁ ଦେଖାଇବାରେ ଯତ୍ନଶୀଳ ହୋଇଛି; ସେଇ ଲକ୍ଷ୍ୟରେ ସମୟାନୁସାରେ ପ୍ରାବନ୍ଧିକଙ୍କୁ ସ୍ଥାନ ଦେଇଛି । ତା’ରି ଭିତରୁ ଓଡ଼ିଆ ଗଦ୍ୟ ସାହିତ୍ୟ, ପ୍ରବନ୍ଧ ସାହିତ୍ୟର ରୂପରେଖ ଉଜ୍ଜ୍ଵଳି ଉଠିବ ଏହାହିଁ ମୋର ବିଶ୍ଵାସ ।

 

ଏଥିରେ ସନ୍ନିବେଶିତ ପ୍ରବନ୍ଧଗୁଡ଼ିକ ମଧ୍ୟରେ ନାରାୟଣାନନ୍ଦ ଅବଧୂତ ସ୍ଵାମୀଙ୍କ ‘ରୁଦ୍ର ସୁଧାନିଧି’ରୁ ଗୃହୀତ ଗଦ୍ୟାଂଶରେ ଗଦ୍ୟର ପ୍ରଥମରୂପ ଆଖିଆଗକୁ ଆସେ । ବିଷୟବସ୍ତୁରେ ସୃଷ୍ଟିସର୍ଜନାର ତତ୍ତ୍ଵ ସମ୍ପର୍କରେ ପାଠକ ଅବହିତ ହୁଏ । ମାଦଳା ପାଞ୍ଜିରୁ ଗଦ୍ୟସାହିତ୍ୟର ବିକାଶ ସହିତ ଓଡ଼ିଶାର ଶାସନ ଏବଂ ଓଡ଼ିଆ ସଂସ୍କୃତିର ଅବିନାଶୀ ଆତ୍ମା ସ୍ଵୟଂ ଜଗନ୍ନାଥଙ୍କୁ ଚିହ୍ନିହୁଏ । ରାଧାନାଥ ରାୟଙ୍କ ‘ବୋଝ ବୋହିବା’ରୁ ପ୍ରବନ୍ଧ ସାହିତ୍ୟର ବିକଚ ବିକାଶ ଲକ୍ଷ୍ୟ କରିବା ସଙ୍ଗେ ସଙ୍ଗେ ଜୀବନ ବଞ୍ଚାଇବା କ୍ଷେତ୍ରରେ ବିବେକର ଦଂଶନ ଯେ କେତେଦୂର ବରଣୀୟ ତାହା ପ୍ରତିପାଦିତ ହୋଇଛି । ମଧୁସୂଦନ ରାଓଙ୍କ ଶବ୍ଦ ପାଣ୍ଡିତ୍ୟପୂର୍ଣ୍ଣ ଗଦ୍ୟ ଶୈଳୀର ସ୍ଵାକ୍ଷର ବହନ କରି “ଆତ୍ମପ୍ରତ୍ୟୟ” ପାଠକ ନିକଟରେ ଜୀବନରେ ଆଧ୍ୟାତ୍ମିକ ଚେତନାର ବଳିଷ୍ଠ ପ୍ରଭାବଟିକୁ ଉଦ୍‍ଘାଟିତ କରିଛି ।

 

ନୀଳମଣି ବିଦ୍ୟାରତ୍ନଙ୍କ ‘ପାପର ପ୍ରାୟଶ୍ଚିତ୍ତ’ ପ୍ରବନ୍ଧରେ ପାପର ଦୁରନ୍ତ ପ୍ରଭାବରୁ ମୁକ୍ତ ହୋଇ ସୁସ୍ଥ ଓ ମାର୍ଜିତ ସମାଜ ଗଠନ କରିବାର ଅନୁପ୍ରେରଣା ଅନୁଭୂତ ହୁଏ । କୃଷ୍ଣପ୍ରସାଦ ଚୌଧୁରୀଙ୍କ ‘ସମାଲୋଚନା’ ପ୍ରବନ୍ଧଟି ମଣିଷର ସୂକ୍ଷ୍ମ ବିଚାରଶୀଳତା ଉପରେ ଆଧାରିତ । ଶୈଶବାବସ୍ଥାରୁ ମନୁଷ୍ୟ ସମାଲୋଚନାର ପକ୍ଷପାତୀ ହୋଇଥିଲେ ସୁଦ୍ଧା ସମାଲୋଚନା ସର୍ବଦା ନିରପେକ୍ଷ ହୋଇ ଗୁଣାତ୍ମକ ମୂଲ୍ୟାୟନ କରେ ତାହାହିଁ ଏଥିରେ ସୂଚିତ ।

 

ବିଶ୍ଵନାଥ କର “ପୁରାତନ”ରେ ପ୍ରାଚୀନ ପ୍ରତି ଐକାନ୍ତିକ ନିଷ୍ଠାର ପରିଚୟ ଦେଇ ନିଜ ସଂସ୍କୃତି ଓ ଜାତିର ଉଜ୍ଜ୍ଵଳ ଭବିଷ୍ୟତ୍‍ର ଉତ୍ତରଣ କଳ୍ପନା କରିଛନ୍ତି । ଗୋପାଳଚନ୍ଦ୍ର ପ୍ରହରାଜ ରମ୍ୟରଚନା “ଶ୍ରୀଛାମୁ”ରେ ସମାଜର ଦୋଷ ଦୁର୍ବଳତା ପ୍ରତିଫଳିତ ହୋଇଛି । ଏଥିରୁ ଫକୀରମୋହନଙ୍କ ସମାଜ ସଂସ୍କାର ମନୋବୃତ୍ତିର ପରିଚୟ ମିଳିଲେ ମଧ୍ୟ ପ୍ରହରାଜଙ୍କ ଗଦ୍ୟଶୈଳୀ ରମ୍ୟରଚନାର ଆଦ୍ୟସୂଚନା ଦେଇ ସ୍ଵକୀୟ ମହିମାରେ ମଣ୍ଡିତ, ଏକଥା ଅନସ୍ଵୀକାର୍ଯ୍ୟ-। ଗଦ୍ୟ ସାହିତ୍ୟର ମଉଡ଼ମଣି ଶଶିଭୂଷଣ ରାୟଙ୍କ ‘କପିଳାସରେ ପ୍ରଭାତ’ ପ୍ରକୃତି ବର୍ଣ୍ଣନାମୂଳକ ଏକ ଅନବଦ୍ୟ ସାହିତ୍ୟକୃତୀ । ଭାଷାର ଓଜସ୍ଵିନୀତା ଓ ସୁଷମ ଶବ୍ଦବିନ୍ୟାସରେ ଏହା ଅତୁଳନୀୟ-। ପ୍ରକୃତି ସହିତ ମାନବ ଜୀବନର ଚିରନ୍ତନ ସମ୍ବନ୍ଧ ଫୁଟାଇ ସାହିତ୍ୟ ଏଇଠି ସୌରଭାନ୍ଵିତା-। ଉତ୍କଳମଣି ଗୋପବନ୍ଧୁଙ୍କ ‘ଓଡ଼ିଆର ଜାତୀୟତା’ ଜାତି ପ୍ରୀତିର ସ୍ଫୁଲିଙ୍ଗ ଘେନି ବର୍ଣ୍ଣାଢ଼୍ୟ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ‘ବାମନ ହାତ ଓ ଆକାଶର ଚନ୍ଦ୍ର’ରେ ଏକ ଯଶସ୍ଵୀ କବି, ଗାଳ୍ପିକ, ନାଟ୍ୟକାର ତଥା ରାଜନୈତିକ ନେତାର ଜୀବନୀ ମଧ୍ୟରେ ସାହିତ୍ୟର ଉଚ୍ଛ୍ଵସିତ ଭାବ ଲକ୍ଷିତ ହେଉଛି-। ରତ୍ନାକର ପତିଙ୍କ ‘ନୈତିକ ଋଣ’ରେ ସାମାଜିକ ଜୀବନକୁ ସୁସଂହତ ଓ ସୁମହତ୍ କରିବା ପଛରେ କେତୋଟି ନିଶ୍ଚିତ କର୍ତ୍ତବ୍ୟବୋଧକୁ ପ୍ରାବନ୍ଧିକ ଏଠାରେ ସ୍ଵୀକାର କରିଛନ୍ତି । ଡକ୍ଟର ବ୍ରଜବିହାରୀ ମହାନ୍ତିଙ୍କ ‘ଯୁବକ ଓ ଜଗତ’ରେ ଜଗତର ବୈଚିତ୍ର୍ୟ, ଜୀବନର ଭଙ୍ଗିମା ଫୁଟାଇବାରେ ଯୌବନର କି ଅନନ୍ତ ପ୍ରେରଣା ନିହିତ, ତାହାର ଯୁକ୍ତିସମର୍ଥିତ ରୂପାୟନ ଘଟିଛି । କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ‘କହି ପୁଚ୍ଛି ଜାଣେ ଯେ’ରେ ସମାଜର ଦୋଷ ଦୁର୍ବଳତା, ଜାତି ପ୍ରୀତି, ସଂସ୍କୃତି ପ୍ରେମ ଓ ସାମାଜିକ ବିଚାର ଧାରାର ମୂଲ୍ୟାଙ୍କନ କରାଯାଇଛି । ଗୋପୀନାଥ ମହାନ୍ତିଙ୍କର ‘ମନ୍ଦିର ବଞ୍ଚାଅ’ ଓଡ଼ିଶାର ଶିଳ୍ପକଳା ଓ କଳାକ୍ଷେତ୍ର ‘କୋଣାର୍କ’ ଉପରେ ଆଧାରିତ ଏକ ସାର୍ଥକ ସୃଷ୍ଟି । ଏଥିରେ ଲେଖକ ପ୍ରାଚୀନ କୀର୍ତ୍ତି ଓ ପ୍ରାଚୀନ ସଂସ୍କୃତି ପ୍ରତି ସଚେତନ ହୋଇ ସେଗୁଡ଼ିକର ରକ୍ଷଣାବେକ୍ଷଣ କ୍ଷେତ୍ରରେ ଆମର ଉଦାସୀନତାକୁ ଚେତେଇ ଦେଇଛନ୍ତି । ତାଙ୍କର ବଳିଷ୍ଠ ଯୁକ୍ତି ଓ ବୁଦ୍ଧିଦୀପ୍ତ ପରାମର୍ଶ ଜାତିର ସଂସ୍କୃତି ଓ ପରମ୍ପରାକୁ ଚିରନ୍ତନ କରି ତୋଳିବାଲାଗି ଏକାନ୍ତ ଅପରିହାର୍ଯ୍ୟ ମନେହୁଏ । ତାଙ୍କର ଖେଦହିଁ ଜାତୀୟଅଭିମାନରୂପେ ଏଥିରେ ପ୍ରକଟିତ ହୋଇଛି ।

 

ବାମାଚରଣ ମିତ୍ରଙ୍କ ଫୈୟାଜ୍ ଖାଁ ଏକ ଜୀବନୀ ମୂଳକ ପ୍ରବନ୍ଧ । ପ୍ରସିଦ୍ଧ ସଙ୍ଗୀତ ଗାୟକ ଫୈୟାଜ୍ ଖାଁଙ୍କ ଜୀବନର କେତୋଟି ଘଟନା ସହିତ ପରିଚିତ କରାଇବା ସଙ୍ଗେ ସଙ୍ଗେ ସାହିତ୍ୟର ଏକ ଉନ୍ନତ ବିଭାବ ହିସାବରେ ସଙ୍ଗୀତର ଚିରନ୍ତନୀ ପ୍ରଭାବ କଥା ଲେଖକ ଏଠାରେ ଉଲ୍ଲେଖ କରିଛନ୍ତି । ସଙ୍ଗୀତ ସାହିତ୍ୟର ଲାଳିତ୍ୟ ପ୍ରାଣରେ ଅପୂର୍ବ ଝଙ୍କାର ସୃଷ୍ଟିକରି ଚିରଞ୍ଜିବୀ ହୋଇଥାଏ ତାହାହିଁ ଏଥିରେ ପ୍ରତିପାଦିତ । ବାମାଚରଣ ମିତ୍ରଙ୍କ ଏହି ରମ୍ୟରଚନା ‘ଫୈୟାଜ୍ ଖାଁ’ରେ ଭାଷା ଓ ଶବ୍ଦ ପ୍ରୟୋଗ ଶୈଳୀ ଏକାନ୍ତ ଉଚ୍ଚକୋଟୀର । ତାଙ୍କର ପ୍ରକାଶଭଙ୍ଗୀ ପାଇଁ ସେ ଅନନ୍ୟ ସମ୍ମାନରେ ଅଧିଷ୍ଠିତ । ଶେଷୋକ୍ତ ପ୍ରବନ୍ଧ ‘ଦଶହରାର ଚିଠି’ ଚିତ୍ତରଞ୍ଜନ ଦାସଙ୍କର ସାହିତ୍ୟ ତତ୍ତ୍ଵ ସମ୍ବଳିତ ଏକ ଅନବଦ୍ୟ ସୃଷ୍ଟି । ସାହିତ୍ୟ ସୃଷ୍ଟି ନିମିତ୍ତ ଉପଲବ୍‍ଧ ପ୍ରେରଣାର ଅନ୍ତଃପ୍ରକୃତିକୁ ସେ ନିବିଡ଼ ଭାବରେ ନିରୀକ୍ଷଣ କରିଛନ୍ତି । ମାନବବାଦୀ ଉଚ୍ଚଚିନ୍ତାର ଅମୃତ ଅକ୍ଷର ହେଉଛି ତାଙ୍କ ସାହିତ୍ୟ । ଜଣେ ଉଚ୍ଚମାନସମ୍ପନ୍ନ ପ୍ରାବନ୍ଧିକରୂପେ ସେ ଏକାଳରେ ସ୍ଵସମ୍ମାନରେ ଅଧିଷ୍ଠିତ ।

 

ବର୍ତ୍ତମାନ ଯେଉଁମାନଙ୍କ ପ୍ରବନ୍ଧକୁ ନେଇ ଏ ସମ୍ପାଦନାଟି ସମୃଦ୍ଧ ତାଙ୍କୁ ମୁଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ।

 

ଏବେ, ଏଇ ‘ପ୍ରବନ୍ଧ ଯୁଗେ ଯୁଗେ’ ଯେଉଁମାନଙ୍କ ଅନନ୍ତ ପ୍ରେରଣା ଯୋଗୁଁ ଆଲୋକ ଦେଖିଲା ସେଥିପାଇଁ ସର୍ବାଗ୍ରେ ପୂଜ୍ୟ ଡକ୍ଟର କ୍ଷେତ୍ରବାସୀ ନାୟକଙ୍କ ନିକଟରେ ମୁଁ ଚିରକୃତଜ୍ଞ । ଅଧ୍ୟାପକ ବ୍ରହ୍ମାନନ୍ଦ ସିଂହ, ଅଧ୍ୟାପିକା ଲାବଣ୍ୟ ନାୟକ ଓ ପ୍ରାଧ୍ୟାପକ ରାଜେନ୍ଦ୍ର ପ୍ରସାଦ ଦାସଙ୍କ ସୁଚିନ୍ତିତ ପରାମର୍ଶ ସମ୍ପାଦନାଟିକୁ ସର୍ବାଙ୍ଗ ସୁନ୍ଦର ଓ ବଳିଷ୍ଠ କରାଇବାରେ ମୋତେ ସାହାଯ୍ୟ କରିଥିବାରୁ ମୁଁ ସେମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ।

 

ଶେଷରେ ପ୍ରକାଶକ ବନ୍ଧୁ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଦାସ ଓ ପ୍ରଚ୍ଛଦପଟ ଶିଳ୍ପୀ ଶ୍ରୀ ସୀତାକାନ୍ତ ମହାପାତ୍ରଙ୍କ ନିକଟରେ କୃତଜ୍ଞ ରହିଲି । ଇତି ।

 

ବ୍ରହ୍ମପୁର

ବିନୀତ

ଜନ୍ମାଷ୍ଟମୀ

ମହେଶ୍ଵର ଦାସ

ତା ୫ । ୯ । ୭୭ ସୋମବାର

 

Image

 

ରୁଦ୍ର ସୁଧାନିଧି

ନାରାୟଣାନନ୍ଦ ଅବଧୂତ ସ୍ଵାମୀ

 

ଜଗତ ବୋଲି କି ବସ୍ତୁ । କେମନ୍ତ ଦିଶଇ ତାହା କହ । ଯୋଗୀ ବୋଇଲା ହେ ବତ୍ସ । ତଳେ ପୃଥିବୀ ବୋଲି ସ୍ଥୂଳ, କଠିନ ଗନ୍ଧ ପୀତବର୍ଣ୍ଣ ହୋଇ ବଡ଼ ବିସ୍ତାରେକ ହୋଇ ସ୍ଥଳେକ ଦିଶଇ-। କୁମର ବୋଇଲା ତଳ କିସ । ଯୋଗୀ ବୋଇଲା ଉପରେ ଜାଣିଲେ ତଳ ଜାଣିମାନା-। ତୋତେ ଏତେକେ ତଳ ଉପର ନାହିଁ । ହାଦେ ପ୍ରାଣ ପବନକୁ ଶଙ୍ଖିନୀ ମାର୍ଗେ ଲାଇଁ ଆକୁଞ୍ଚନ କଲେ ସେ ଯେଉଁଆଡ଼କୁ ଚାଳଇ ତାହାକୁ ଊର୍ଦ୍ଧ୍ଵ ବୋଲି । ଏବେ ତୋର ବଚନ ଜାତ ହେଉଅଛି ଯେଉଁ ଭାଗୁ ସେ ମଧ୍ୟ ଅଟଇ । ଅପାନ ପବନ ଯେଉଁଆଡ଼କୁ ପେଲିଅଛି ସେ ହାଦେ ଅଧ ଅଟଇ-। ଏମନ୍ତ ହୋଇ ପୃଥ୍ଵୀ ସ୍ଥଳୀ ଅଛି । ଏ ପୃଥ୍ଵୀକି ମେଖଳାକାର ହୋଇ ସମୁଦ୍ର ବେଢ଼ିଅଛି । ଏ ବଡ଼ ବିଚିତ୍ର ଅଟଇ । ଫେନ ବୁଦ୍‌ବୁଦ୍ ବୀଚି ଆବର୍ତ୍ତ ଜଡ଼ ଗମ୍ଭୀର ଅନେକ ବିସ୍ତାର । ଏମନ୍ତ ହୋଇ ନୀଳଉତ୍ପଳନଳର ବସ୍ତୁ ଏକ ପ୍ରକାଶ କରୁଥାଇ । ଉପରେ ସୂର୍ଯ୍ୟ ହୋଇ ବୋଲି ବସ୍ତୁ ଏକ ପ୍ରକାଶ କରୁଥାଇ । ତାରାମାନେ ଗଜମୁକ୍ତା ପଟଳ ପ୍ରାୟେକ ହୋଇ ଦିଶୁଥାଇ । ରାତ୍ର ଦିବସ ମାସ କାଳଋତୁ ଗଣନା ହେଉଥାଇ । ଏଥି ମଧ୍ୟେ ପବନ ଅନେକ ସଞ୍ଚରୁଥାଇ । ଅନ୍ତରିକ୍ଷ ମଣ୍ଡଳ ବଡ଼ ବିସ୍ତାର । ଏମନ୍ତ ଅଧିଷ୍ଠାତ୍ରୀ ଜଗତରେ ଅନେକ ମୂର୍ତ୍ତି ହୋଇ । ଏକ ପଦ । ଦ୍ଵିପଦ । ଚତୁଷ୍ପଦ-। ଅଷ୍ଟପଦ । ବହୁ ପଦ ହୋଇ କୀଟପତଙ୍ଗ ସ୍ଥାବରଜଙ୍ଗମ ମନୁଷ୍ୟ ରାକ୍ଷସ ଗନ୍ଧର୍ବ କିନ୍ନର ପକ୍ଷୀ ମଧ୍ୟ କରି ଅନେକ ଜନ୍ତୁମାନେ ଉଦେ ହେଉଥାନ୍ତି । ବୃଷ୍ଟି ହୋଇ କୌତୁକେ । ଜଳଧାରାମାନେ କେଉଁ ସମୟରେଟି ବରଷୁ ଥାଇ । ବିଜୁଳି ବୋଲି ଜ୍ୟୋତିଃ ଏକ । ସେ କାହିଁ ଥାଇ ନ ଜାଣି-। ପରମ ଶୂନ୍ୟରୁ (୧) ଝଟଝଟ (୨) ମାରୁଥାଇ । ଗର୍ଜନମାନ ଆକାଶରେ (୩) ଶୁଭୁଥାଇ । ପଥରସ୍ଵରୂପେ ପରମ ଶୂନ୍ୟରୁ ପଡ଼ୁଥାଇ । ଏ ଗଗନ ମଣ୍ଡଳ ଗୋଟି (୧) ବଡ଼ ବିଚିତ୍ରେକ । ହାଦେ ଶୀତ ପୀତ ହରିତ ଲୋହିତ ଧୂମ ପାଣ୍ଡୁର ହୋଇ ନାନାବର୍ଣ୍ଣ ଧରୁଥାଇ । ଏମନ୍ତ ଜଗତ ଧାରଣାରେ ଆମ୍ଭେ ଜୀବମାନେ ଅଛୁ । ଆମ୍ଭଙ୍କୁ କେବଳ ଥୋକାଏ ବେଳ (୨) ଜାଗ୍ରତ ହୋଇ (୩) ଅବସ୍ଥା ଏକ ହୋଇ । ଥୋକାଏକ ବେଳ ସ୍ଵପ୍ନ ହୋଇ (୪) ପ୍ରକାଶ ହୋଇ । ଏଥି ସୂକ୍ଷ୍ମ ଶରୀରଘେନି ଏହି କଥାମାନ ବିଚିତ୍ର କରି ଦେଖୁଥାଇ । ତହିଁ ସୁସୁପ୍ତ (୫) ବୋଲି ଅବସ୍ଥାଏ ହୋଇ । ସେହି ଅଜ୍ଞାନ ଅବସ୍ଥା ତହିଁ କିଛିହିଁ ନ ଜାଣି । ଏମନ୍ତ ଶରୀରେ ହୋଇ ଗ୍ରହଣ କରିଥାଇ ।

Image

 

ମାଦଳା ପାଞ୍ଜି

ଦିବ୍ୟସିଂହ ଦେବ

 

ଏଥିଉତ୍ତାରେ ଏହାଙ୍କ ପୁଅ ଦିବ୍ୟସିଂହ ରାଏ ଗୋସାଇଁ ରାଜା ହୋଇଲେ । ବିଛା ୨୩ ଦିନେ ଦିଆନ ପରମାନନ୍ଦ ପଟ୍ଟନାୟକଙ୍କ ପୁଅ ରାମଚନ୍ଦ୍ର ପଟ୍ଟନାୟକ ଯାଇ ଦିବ୍ୟସିଂହ ରାଏ ଗୋସାଇଁଙ୍କି ବରପଦା ଗଡ଼ରୁ ଆଣି ରଥିପୁର କଟକେ ବିଜେ କରାଇ ରାତ୍ର ୫ ଖୁରି ଠାରେ ଅଭିଷେକ ହୋଇ ଦେବାର୍ଚ୍ଚନ କଲେ । କଟକ ବୁଲି ଶ୍ରୀ ନଅରେ ବିଜେ କଲେ । ଏ ଦିନୁ ଅ ୨ ଙ୍କ ହୋଇଲା । ଏ ମହାରାଜାଙ୍କ ଅ୨ଙ୍କ ଋଷଭ ୧୮ ଦିନ ମୋଗଲ ଗୋଳରେ ଏଦିନ ପଳାଉଣି ନିମନ୍ତେ ରାତ୍ର ତିନିପ୍ରହରଠାରେ ପରମେଶ୍ଵରେ ଚତୁଦ୍ଧା ମୂରତି ପହଣ୍ଡି ବିଜେ କଲେ । ଭିତର ବେଢ଼ାରେ ବିମ୍ବଳାଇଙ୍କ ପଛଆଡ଼ ବେଢ଼ାରେ ବିଜେ କଲେ । ଦକ୍ଷିଣ ଘରୁ ଦେବତାମାନେ ପୋକଲ ବା (କୋକିଲ) ଗଡ଼କୁ ବିଜେ କଲେ । ଏ ଦିନ ପାହାନ୍ତି ଅବକାଶେ ଦୁଇ ପ୍ରହର ଧୂପ ବଢ଼ିଲା ଉତ୍ତାରୁ ବଡ଼ଠାକୁରଙ୍କ ବାଡ଼ରୁ ଆଜ୍ଞାମାନ ହୋଇଲେ । ଏ ଦୁଇ ମାଳୀ ଘଣ୍ଟ ଛଡ଼ା ନୋହି, ଚନ୍ଦନପୁର ନଅରକୁ ବିଜେକଲେ । ବୃଷଭ ୧୯ ଦିନେ ହରଣ ଏକାଦଶୀ ଦିନ ପାତିମା ଆଉରଙ୍ଗ ଶାହାଙ୍କ ନବାବ ଏକରାମ ଖାଁ ଏହାଙ୍କଠାରୁ ଅଇଲା । ଏହା ଭାଇ- ମରମସ୍ତ ଖାଁ ଜମାଉଲା ଏ ସଙ୍ଗତେ ଇମାମ୍ ବୋଲି ଅସୁଆର ୫୦ ଗୋଟା ଘେନି ରାଜା ଦିବ୍ୟସିଂହ ଦେବାରୁ ଲାଗି ହୋଇଥାଇ ସିଂହଦ୍ଵାର ଗୁମୁଟି ଭାଙ୍ଗିଲେ । ଭୋଗମଣ୍ଡପରୁ ଚକ୍ର ନେଲେ । କାଠର ଜଗନ୍ନାଥ ପ୍ରତିମାକୁ ମୋଗଲ ନେଲେ । ଦେଉଳ ସିଂହାସନ ଉପରକୁ ନବାବ ଭାଇ ଗଲା, ଦେଉଳ ସିଂହଦ୍ଵାର ଦକ୍ଷିଣଦ୍ଵାର ବିଜେ କରିଥିଲେ । ବେଳ ଦ୍ଵିପ୍ରହର ସରିକି ନବାବ ଭାଇ ଜମାଇଲା ମଧ୍ୟ ଗଦାଧର ରାଏଙ୍କ ଉଆସେ କଲେ । ରାଜା ଜଜନ୍ନାଥ ବିଦ୍ୟାଧର ମହାପାତ୍ରଙ୍କ ଉଆସେ ବିଜେ କରିଥିଲେ । ସମସ୍ତେ ବେଳବୁଡ଼ ସରିକି ଚନ୍ଦନପୁର ଗଲେ । ଏ ଦିନୁ ଚନ୍ଦନଯାତ୍ରା ନୋହିଲେ ଏ ଦିନୁ ରୁକ୍ମିଣୀ ହରଣ ନୋହିଲେ । ଏକାଦଶୀ ମହାଦୀପ ନୋହିଲେ ବିଭା ଜାତ ନୋହିଲେ, ଋଷଭ ଦି୩୧ନ ଭିତର ବେଢ଼ାରେ ଉତ୍ତର ବାଡ଼େ ଜନମ ଚକଡ଼ାରେ କାଠି ସିଂହାସନରେ ଦେବସ୍ନାନ ଯାତ୍ରା ହୋଇଲେ । ଧୂପମାନଙ୍କରେ ଘଣ୍ଟା ନ ବାଜିଲା ଗୁଣ୍ଡିଚାଯାତ୍ରା ଭୋଗ ମଣ୍ଡପରେ ହୋଇଲେ-। ଅ୯ଙ୍କ ତୁଳା ଦି୭୦ନ ଶନିବାରେ ବଡ଼ ବତାସ କଲା । ବଡ଼ଦେଉଳ ଉପରୁ ନୀଳଚକ୍ର ଭାଙ୍ଗି ଭଣ୍ଡ ଗଣପତିଙ୍କ ଆଗେ ତଳେ ପଡ଼ିଲା । ସବୁ ଦେଉଳମାନରୁ ପଥର ଚକ୍ରମାନ ପଡ଼ିଲା । ଦୁଇ ବେଢ଼ାରୁ କାଙ୍ଗୁଲାମାନ ପଡ଼ିଲା, ବଟ ଗଛରୁ ଡାଳମାନ ଭାଙ୍ଗିଲା, ସବୁ ଲୋକମାନଙ୍କ ଘର ଦ୍ଵାର ଭାଙ୍ଗିଲା-। ଗାଈ, ମଇଁଷି ଅନେକ ମଲେ । ମଣିଷ ମଲେ ଅ୧୦ଙ୍କରେ ମହରଗ କଲା । ଧାନ ଭରଣ କା ୨୫ ହାଣ ହୋଇଲା । ମଣିଷ ମାଂସ ମଣିଷ ଖାଇଲା । ଅ୨୪ଙ୍କେ ନବାବ ସୁଜା ଖାଁ ସଙ୍ଗେ ଗୋଳ କରି ଲଢ଼ାଇ କଲେ । ଅ୨୫ଙ୍କ କନ୍ୟା ଦି୧୦ନ କୃଷ୍ଣ ଏକାଦଶୀ ଗୁରୁବାର ଏ ମହାରାଜାଙ୍କ ଆଜ୍ଞା ପ୍ରମାଣେ ଗ୧୮ଡ଼ ଖଣ୍ଡାଇତଙ୍କୁ ଘେନାଇ ଅରାରାମ ପିତାମହ ? ଆସି ବଡ଼ଦେଉଳ ସିଂହଦ୍ଵାର ଫିଟାଇଦେଲା । ପଥର ବାହି ମୁହଁ ଭାଙ୍ଗି ପକାଇଲା, ଏ ଦିନ ପୁରୁଷୋତ୍ତମ ବଲ୍ଲଭ ଅବକାଶ ବେଶ ଚଢ଼ିଲା ଉତ୍ତାରୁ ପରମେଶ୍ଵରଙ୍କ ଆଡ଼ୁ ଆଜ୍ଞାମାନ ହୋଇଲେ, ଏ ଦିନ ସଞ୍ଜଧୂପରେ ଘଣ୍ଟ ବାଜିଲା, ବଡ଼ଦେଉଳ ଉପରେ ମହାଦୀପ ଜଳିଲା, ଏ ଅଙ୍କେ ଶ୍ରୀଗୁଣ୍ଡିଚାଯାତ୍ରା ହୋଇଲେ, ଅ୩୩ଙ୍କ କୁମ୍ଭ ଦି୪ନେ ପାତ୍ର ପରମାନନ୍ଦ ପଟ୍ଟନାୟକଙ୍କ ପୁଅ ଧରମୁ ହରିଚନ୍ଦନ ମହାପାତ୍ରଙ୍କ ଅଧିଷ୍ଠାନେ ବଡ଼ଦେଉଳ ଉପରେ ନୂଆ ହୋଇ ଗଢ଼ା ହୋଇ ବସିଲା ନୀଳଚକ୍ର ଏକଗୋଟା-। ଅ୩୪ଙ୍କ ମେଷ ଦି୩୧ନେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରେ ଉତ୍ତର ପାରୁଶେ ବଡ଼ ସନ୍ଥ ଦାସଙ୍କ ମଠ ନଅରେ ଆବାହନ ହୋଇଲାକୁ ଏ ରାଜାଭୋଗ କଲେ ବ ୭୨ ର୍ଷ ମା ୫ ଦି୧୧ନ ।

 

୩ୟ ପାଞ୍ଜିମତେ:–ବ୩୨ର୍ଷ ଶତାବ୍ଦ ୧୬୩୭ ପର୍ଯ୍ୟନ୍ତ । ଏ ରାଜା ଖର୍ହିକଟା ମଣ୍ଡପ କଲେ । ଜଗନ୍ନାଥ ରାଉତରାଏ ମହାପାତ୍ରେ ରୋଷୁ ଆଡ଼ୁ ଚୂନମଣ୍ଡପ କଲେ । ଗୋବିନ୍ଦ ତଳୁଛୋ କ୍ଷେତ୍ରପାଳଙ୍କ ଦେଉଳ ମଣ୍ଡପ କଲେ, ବିମ୍ବଳାକ୍ଷୀଙ୍କ ପାଖମଣ୍ଡପ କଲେ । ଦକ୍ଷିଣ ଘର ମଦନଗୋପାଳ ଦେବଙ୍କ ପାଭାଗ କଲେ । ତରଳା ଖଣ୍ଡାଇତ ସରସ୍ଵତୀଙ୍କ ମୋହନ କଲେ । ରାଜେନ୍ଦ୍ର ମହାଶୟ ରୋଷ ଆଡ଼ରେ ଭେଟମଣ୍ଡପ କଲେ । ଖୋଜା ବେନୁ ଛୋଟରାଏ ସ୍ନାନ ମଣ୍ଡପ ଦକ୍ଷିଣେ ଚାହାଣି ମଣ୍ଡପ କଲେ । ଏ ରାଜାଙ୍କ ଦିନରେ ମୋଗଲ ଆସି କଟକ ଅମଳ କଲେ ଏହିଠାରେ ମୋଗଲବନ୍ଦି ହେଲା । ରାଜା ରାଜଜୋଡ଼ା ଅମଳ କଲେ ।

Image

 

ବୋଝ ବୋହିବା

ରାଧାନାଥ ରାୟ

 

ତୁମ୍ଭେ ଦିନେ ଘୋଡ଼ା ଚଢ଼ି ବୁଲିବାକୁ ବାହାରିଲ । ତୁମର ଘୋଡ଼ା ଅତି ଉତ୍ତମ ଘୋଡ଼ା, କାମ ଭଲ କରେ, ମାତ୍ର ସେ ଦିନ ସେ ସେପରି ଚାଲୁନାହିଁ । ପାହାରେ ଚାବୁକ ଦେଲେ ସେ ଯେମନ୍ତ ବେଗରେ ଦୌଡ଼ଇ, ଆଜି ଦଶପାହାର ଦେଲଣି, ତଥାଚ ସେ ଭଲ ଚାଲୁନାହିଁ । ତାହାର ଦୋଷ ନାହିଁ, ତୁମ୍ଭେ ପାଞ୍ଚୁଅଛ ଯେ, ସବୁଦିନ ଯେ କାମ କରେ; ଆଜି ତ ସେହି କାମ କରୁଅଛି, ତେବେ କାହିଁକି ଭଲ ଚାଲୁନାହିଁ ? ମାତ୍ର ବାସ୍ତବ ତାହାନୁହେଁ । ଅନ୍ୟଦିନ ଠାରୁ ଆଜି ତା’ ଉପରେ ଗୁରୁତର ବୋଝ ଦିଆ ହୋଇଅଛି । ଗାଡ଼ି ଅଖରେ ତୁମ୍ଭର ଚାକରମାନେ ତେଲ ଦେଇନାହାନ୍ତି । ଯେବେ ଦେଇଥିବେ ଦେବାପରି ଦେଇନାହାନ୍ତି । ତେଣୁ ଘୋଡ଼ାର ବୋଝ ଦୁଇଗୁଣ ହୋଇଅଛି, ତୁମ୍ଭେ ଅନୁସନ୍ଧାନଦ୍ଵାରା ଏହା ଭଲରୂପେ ଜାଣିଲ । ଘରକୁ ଲେଉଟି ଯାଇ ଚାକରମାନଙ୍କୁ ତିରସ୍କାର କଲ ।

 

ତୁମ୍ଭର ଘୋଡ଼ାକୁ ଯେମନ୍ତ ଅସୁବିଧା ହୋଇଥିଲା, ମହୀରେ ଅନେକ ଲୋକ ସେହିପରି ଅସୁବିଧାର ଅଧୀନ ଅଟନ୍ତି । କାହାର ଶାରୀରିକ ଅସୁବିଧା, କାହାର ମାନସିକ ଅସୁବିଧା କାହାର ଅବା ଅବସ୍ଥାଗତ ଅସୁବିଧା । ଏହି ଅବସ୍ଥାଗତ ଅସୁବିଧାମାନ ସେମାନଙ୍କର କାର୍ଯ୍ୟକ୍ଷେତ୍ରରେ ମହତ ପ୍ରତିବନ୍ଧକ ହୁଅନ୍ତି । ଅସୁବିଧା ନଥିଲେ ସେମାନେ ଯେତେ କାର୍ଯ୍ୟ କରିଥାନ୍ତେ; ସେହି ଅସୁବିଧାହେତୁରୁ ସେମାନେ ସେତେ କରିପାରୁ ନାହାନ୍ତି । ଏହି ଅସୁବିଧା ଅନ୍ୟ ଲୋକେ ଦେଖନ୍ତି ନାହିଁ । ଯେ କରେ ସେ ଦେଖେ, ଅନ୍ୟ ଲୋକ ନ ବୁଝି ତାହାର କାର୍ଯ୍ୟକୁ ନିନ୍ଦା କରନ୍ତି । ତା’ ହାତ ଜଖମ ହୋଇଯାଇଅଛି, ଅଥଚ ସେ କାମ କରୁଅଛି । ତୁମ୍ଭେ ତ ଜଖମ ଦେଖିଲ ନାହିଁ । କାମ ଦେଖି ବିରକ୍ତ ହେଲ । ତା’ ଦୁଇଗୋଡ଼ ଦଉଡ଼ିରେ ରୁଦ୍ଧ । ସେ ପାରୁପର୍ଯ୍ୟନ୍ତ ଦଉଡ଼ୁ ଅଛି । ଦଉଡ଼ି ପ୍ରତି ତୁମର ଦୃଷ୍ଟି ନାହିଁ, ତୁମ୍ଭେ କେବଳ ତାହାର ଦଉଡ଼ିବା ଦେଖି ହସିଲ । ବାସ୍ତବ ସେମାନେ ଯାହା କରନ୍ତି, ଅସୁବିଧାର ଅଧୀନ ହୋଇ କରନ୍ତି । ଗୋଟିଏ ଭଲ ଘୋଡ଼ା ଯେମନ୍ତ ନ ଦଉଡ଼ିପାରିଲା ଗଧ ତା’ଠାରୁ ଭଲ ଦୌଡ଼ିଲା । ତୁମ୍ଭେ ଗଧକୁ ପ୍ରଶଂସା କଲ, ଘୋଡ଼ାର ଦୁଃଖ ବୁଝିଲ ନାହିଁ । ଘୋଡ଼ାର ବୋଝ ଅଧିକତର, ସେ ଯେତେ ନେଇ ନ ପାରିବ, ତହିଁରୁ ଅଧିକ ।

 

ଲୋକେ ଏହିପରି ବଳର ଅତିରିକ୍ତ ବୋଝ ଘେନି ସଂସାର କ୍ଷେତ୍ରରେ ଦଉଡ଼ନ୍ତି । ପାରୁପର୍ଯ୍ୟନ୍ତେ କ୍ଳେଶ ସ୍ଵୀକାର କରନ୍ତି । ତୁନି ହୋଇ ଆପଣା କାର୍ଯ୍ୟ ଆପେ କରୁଥାନ୍ତି, ଆପଣା ଦୁଃଖ କାହାରିଠାରେ ପ୍ରକାଶ କରନ୍ତି ନାହିଁ । ଏପରି ମଧ୍ୟ କେତେ ଲୋକ ଅଛନ୍ତି ଯେ, ସେମାନଙ୍କୁ ଆଦୌ ସୁବିଧା ଘଟେନାହିଁ । ତାହାତ କେହି ବୁଝିବେ ନାହିଁ । କାମ କରିପାରିଲେ ନାହିଁ ବୋଲି ହସିବେ । ଗୋଟିଏ ଘୋଡ଼ାର ଗୋଡ଼ ଗଛରେ ବନ୍ଧା ହୋଇଅଛି । ଜଣେ ସେଠାରେ ଛିଡ଼ା ହୋଇ ସେ ଦୌଡ଼ୁନାହିଁ ବୋଲି ଚାବୁକ ମାରୁଛି । ତୁମ୍ଭେ ଦେଖି ହସିଲ । ଦୁଃଖିତ ମଧ୍ୟ ହେଲ, ତୁମ୍ଭେ ତ ସେହିପରି କରିଥାଅ, ଲୋକଙ୍କର ଅସୁବିଧାତ ବୁଝିବ ନାହିଁ, କେବଳ କାର୍ଯ୍ୟ ଦେଖି ହସିବ । ଭଲ ଦୌଡ଼ା ତେଣିକି ଥାଉ ସେ ଘୋଡ଼ା ଚାଲିତ ପାରିବ ନାହିଁ, ଅସୁବିଧାର ଅଧୀନ ହୋଇ କାର୍ଯ୍ୟ କରିବା କଷ୍ଟକର । ସୁବିଧା ଆଦୌ ନ ଘଟିବା ଆହୁରି କଷ୍ଟକର । ବଳର ଅତିରିକ୍ତ ବୋଝ ନେବାର କଷ୍ଟକର । ଗଛରେ ଗୋଡ଼ ବନ୍ଧାଥିବାର ଆହୁରି କଷ୍ଟକର । ହ୍ରସ୍ଵଦୃଷ୍ଟ ଓ ଅନ୍ଧର ଯେ ପ୍ରଭେଦ ଏ ଦୁହିଁଙ୍କର ସେହି ପ୍ରଭେଦ । କେହି କେହି ସଂସାର କ୍ଷେତ୍ରରେ କଷ୍ଟରେ ବିଚରଣ କରନ୍ତି । କେହି ଅବା ବିଚରଣ କରିବାକୁ ଆଦୌ ସମର୍ଥ ନୁହନ୍ତି । ସ୍ଥୂଳରେ ଏହା କହିଲେ ହେଲା ଯେ, କେହି ବଳର ଅତିରିକ୍ତ ବୋଝ ବହନ୍ତି, କାହାରି ଅବା ବୋଝ ମୁଣ୍ଡାଇବାକୁ ମୂଳୁ କ୍ଷମତା ନାହିଁ ।

 

ତୁମ୍ଭେ ସଂସାରକ୍ଷେତ୍ରରେ ଅକ୍ଳେଶରେ ବିଚରଣ କରୁଅଛ, ଆପଣା କାର୍ଯ୍ୟ ଉତ୍ତମରୂପେ କରି ଯଶୋଭାଜନ ହେଉଅଛ । ଯେମାନେ ସବୁ ବିଷୟରେ ଅଗ୍ରଗଣ୍ୟ ଅଟନ୍ତି ସେମାନଙ୍କ ଦଳରେ ଭୁକ୍ତ ହୋଇଅଛ । ଯେମାନେ ତୁମ୍ଭ ପଛରେ ପଡ଼ିଅଛନ୍ତି, ସେମାନଙ୍କର ଗୋଡ଼ ଭାଙ୍ଗି ଯାଇଅଛି; ଆଉ ଉଠିବାକୁ ସାମର୍ଥ୍ୟ ନାହିଁ । ସେମାନଙ୍କ ପ୍ରତି ଦୟାବହି ସେମାନଙ୍କର ଦୁଃଖବୁଝ । ଦେଖ, ତୁମ୍ଭ ପଛରେ ଜଣେ ଆସୁଛି, ତାହାର ବୋଝ ବଳର ଅତିରିକ୍ତ–ଅଧକୋଶ ପଛକୁ ପଡ଼ିଛି । ତାକୁ ଟିକିଏ ଦୟାକର । ଆହୁରି ଦୂରକୁ ଚାହିଁ ଦେଖ, ସେହି ଲୋକଟି ମୂଳୁ ଆସିପାରୁନାହିଁ । ପଚିଶ ମହଣ ବୋଝର ଗୋଟିଏ ପଥରରେ ତା’ ଗୋଡ଼ ବନ୍ଧା ହୋଇଛି । ସେ ପାରୁପର୍ଯ୍ୟନ୍ତ ଟାଣୁଛି, ପଥର ହଲିବାକୁ ନାହିଁ । ସେ ଥକିଲା, ଅସାଧ୍ୟ ଟାଣି ତୁନି ହୋଇ ବସିଲା, ତୁମ୍ଭେତ ବିବେଚକ ଅଟ । ସେମାନଙ୍କ ପରି ତୁମ୍ଭର ଦଶା ହୋଇଥିଲେ ହୁଏତ ତୁମ୍ଭର ଗୋଡ଼ ଭାଙ୍ଗିଯାଇଥାନ୍ତା, ହୁଏତ ତୁମ୍ଭେ ମୂଳୁ ଆସିପାରିନଥାନ୍ତ । ତୁମ୍ଭେ ତୁମ୍ଭର ଛିଦ୍ର ଜାଣ । ସେହି ଛିଦ୍ରରେ ସୁଲକ୍ଷିତ ଅଥବା ଲକ୍ଷ୍ୟହୀନ ଗୋଟିଏ କାଣ୍ଡ ଭେଟିଥିଲେ ତୁମ୍ଭେ ବହୁଦିନ ପୂର୍ବରୁ ଧରାଶାୟୀ ହୋଇଥାନ୍ତ । ତୁମ୍ଭେ ସଂସାର କ୍ଷେତ୍ରରେ ଅନେକ ଉନ୍ନତି କଲଣି, ଅନେକ ଦୂର ଆସିଲଣି, ଲକ୍ଷ୍ୟର ନିକଟବର୍ତ୍ତୀ ହେଲଣି । ମାତ୍ର ତୁମ୍ଭେ ବେଶ୍ ଜାଣ ଯେ, ଯେଉଁ ବୋଝ ତୁମ୍ଭେ ମୁଣ୍ଡେଇଛ ସେଥିରୁ ଦୁଇମହଣ ଅଧିକ ହୋଇଥିଲେ ତୁମ୍ଭେ କେବେ ଏତେଦୂର ଯାଏଁ ଆସିନଥାନ୍ତ, ହୁଏତ ମୂଳୁ ଉଠିପାରନ୍ତ ନାହିଁ । ତୁମ୍ଭର ହୃଦୟ ଅତି ମୃଦୁ ଶରୀର ଅତି କ୍ଷୀଣ, ଯେବେ ଦୁର୍ଭାଗ୍ୟ କ୍ରମେ ତୁମ୍ଭେ ସୈନିକ ଦଳରେ ନାମଲେଖାଇ କୌଣସି ଯୁଦ୍ଧକୁ ଯାଇଥାନ୍ତ, ସେ ଯୁଦ୍ଧରୁ ଫେରିନଥାନ୍ତ । ତୁମ୍ଭେ ଧାର୍ମିକ ବୋଲି ପ୍ରତିଷ୍ଠିତ ହୋଇଅଛ । ମାତ୍ର ଅବିବେକ ଲୋକେ ଯେମାନଙ୍କୁ ପାପୀ ବୋଲି ଘୃଣା କରନ୍ତି ସେମାନଙ୍କ ପରି ପ୍ରଲୋଭନରେ ପଡ଼ିଥିଲେ ତୁମ୍ଭର କି ଦଶା ହୋଇଥାନ୍ତା ! ତୁମ୍ଭର ମନ ତୁମକୁ କହିଦେଉଥିବ । ସୌଭାଗ୍ୟ କ୍ରମେ ପ୍ରଲୋଭନରେ ତୁମ୍ଭେ ପଡ଼ିନାହଁ । ତୁମ୍ଭ ଚରିତ୍ର ଅକଳଙ୍କିତ ଅଛି । ମାତ୍ର ଏହା ବୋଲି ପାପୀଙ୍କି ଘୃଣା କରିବନାହିଁଟି । ବହୁ ଭିତରେ ହେଉ, ଅଳ୍ପରେ ହେଉ ତୁମ୍ଭଙ୍କୁ ସ୍ଵୟଂ ସେହି ଘୃଣାର ଅଂଶୀ ହେବାକୁ ହେବ ଏହା ନିଷ୍ଠା ଜାଣିଥିବ ।

 

ସଂସାରଯାତ୍ରୀମାନଙ୍କୁ ଅନେକ ପ୍ରକାର ବୋଝ ମୁଣ୍ଡାଇବାକୁ ହୁଏ । ସେହି ପ୍ରତିବନ୍ଧକମାନେ ପଦେପଦେ ବିଘ୍ନ ଘଟାନ୍ତି । ସେହି ପ୍ରତିବନ୍ଧକମାନଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ, ଅନ୍ତର ଓ ବାହ୍ୟ । ଆପଣା ମନ ଅଥବା ଶରୀର ଯୋଗୁଁ ଯେଉଁ ଯେଉଁ ପ୍ରତିବନ୍ଧକ ଜାତ ହୁଏ ସେ ଆନ୍ତର ଅଟେ । ବାହ୍ୟ ଅବସ୍ଥା ଯୋଗୁଁ ଯେଉଁ ପ୍ରତିବନ୍ଧକ ଘଟେ ସେ ବାହ୍ୟ ପ୍ରତିବନ୍ଧକ । ଏପରି ଲୋକ ତୁମ୍ଭେ ଦେଖିଥିବ ଯେ, ସେ ପ୍ରଥମେ ନିତାନ୍ତ ନୀଚ ଅବସ୍ଥାରେ ଥିଲେ, ଆପଣା ଯତ୍ନ ଓ ଅଧ୍ୟବସାୟଦ୍ଵାରା ଅନେକ ଉନ୍ନତି ସାଧନ କରିଅଛନ୍ତି ମାତ୍ର ଯେତେ ସାଧି ପାରିଥାନ୍ତେ ତାହା ହୋଇନାହିଁ, ତାଙ୍କର ନିର୍ବୋଧ ପତ୍ନୀ ତାଙ୍କର ଅନ୍ତରାୟ ହେଲେ । ତୁମେ ଦେଖିଥିବ ଯେ କେହି କେହି ଲୋକ ବାସ୍ତବ ଅତ୍ୟନ୍ତ ସତ୍‌ପ୍ରକୃତିକ, ମାତ୍ର ସଂସର୍ଗ ଦୋଷରୁ ଆନ ପ୍ରକାର ହୋଇଅଛନ୍ତି । ଅନେକ ଲୋକଙ୍କର ପ୍ରକୃତି ଦରିଦ୍ରତା ଯୋଗୁଁ କଟୁ ହୋଇଯାଇ ଅଛି, ଶକ୍ତି ହ୍ରାସ ହୋଇଯାଉଅଛି । ପ୍ରତିକ୍ଷଣ ସେମାନଙ୍କୁ ସଂସାର ଚିନ୍ତା ଲାଗିଲା । ଏହି ଦୁଇଅଣାରେ କେତେଦିନ ଚଳିପାରିବ ? ଏହା କରୁକରୁ ସେମାନଙ୍କ ଦିନ ଗଲା । ଉଦରଜ୍ଵାଳା ସେମାନଙ୍କୁ ନିତି ଅସ୍ଥିର କଲା । ପ୍ରକୃତି କାହୁଁ ଭଲ ହେବ ? ମୁଦିର ଚାଉଳ କଉଡ଼ି କେମିତି ଦେବି, ପିଲାର ଖଣ୍ଡିଏ ଲୁଗା କେମିତି ହେବ, ଏହି ଭାବନା ଯେବେ ତୁମର ରାତିଦିନ ହେଲା, ତୁମ୍ଭର ରଚନା ଅକ୍ତି ଚରିତାର୍ଥ କରିବାକୁ ଅବସର କାହିଁ ? ହଁ ଏପରି ଜଣେଜଣେ ଲୋକ ଅଛନ୍ତି ଯେ ସେମାନେ ସହସ୍ର ଅସୁବିଧା ଅବା ପ୍ରତିବନ୍ଧକ ଥାଉଥାଉ ବଡ଼ବଡ଼ କାର୍ଯ୍ୟ କରିପାରନ୍ତି । ମାତ୍ର ଏପରି ଲୋକ ଲକ୍ଷରେ ଜଣେ । ପନ୍ଦରପଣି ଲୋକେ ପବନ ଦୁଆର ନହେଲେ କିଛି କରିପାରନ୍ତି ନାହିଁ । କେହି କେହି ପ୍ରତିବନ୍ଧକ ଥାଇ ବଡ଼ବଡ଼ କାର୍ଯ୍ୟ ସାଧି ଅଛନ୍ତି ସତ୍ୟ, ମାତ୍ର ସେହି ପ୍ରତିବନ୍ଧକ ନଥିଲେ ସେମାନେ ଆହୁରି ବଡ଼ କାର୍ଯ୍ୟ ସାଧି ପାରିଥାନ୍ତେ । କାଳିଦାସ ଯେଉଁ ପୁସ୍ତକମାନ ରଖିଯାଇଛନ୍ତି ସେ ଗୋଟିଏ ଗୋଟିଏ ମହତ୍ କୀର୍ତ୍ତି । ମାତ୍ର କାଳିଦାସ ଯେବେ ଦରିଦ୍ର ହୋଇନଥାନ୍ତେ ତାହାହେଲେ ଆହୁରି ବଡ଼ବଡ଼ କୀର୍ତ୍ତି ରଖି ଯାଇଥାନ୍ତେ । ସେହି ଦରିଦ୍ରତା ତାଙ୍କର ଅଧିକ ଦୁଇମହଣ ହେଲା । ଏଗୁଡ଼ିକ ବାହ୍ୟ ପ୍ରତିବନ୍ଧକ । ଆନ୍ତର ପ୍ରତିବନ୍ଧକ ଆହୁରି କଷ୍ଟକର; ଆନ୍ତର ପ୍ରତିବନ୍ଧକ ଅତିକ୍ରମ କରିବା କଠିନ–ପ୍ରାୟ ଅସାଧ୍ୟ । ଚପଳ ସ୍ଵଭାବ କାହାର ପ୍ରତିବନ୍ଧକ, ଅକାରଣ ଭୀରୁତା କାହାର ପ୍ରତିବନ୍ଧକ-। ଈର୍ଷା କାହାର ପ୍ରତିବନ୍ଧକ । କାହାରି କାହାରି ସ୍ଵଭାବ ଏମନ୍ତ ଯେ ପରନିନ୍ଦା, ପରାପବାଦ, ମିଥ୍ୟା କହିବାର ତାଙ୍କର ଅତ୍ୟନ୍ତ ପ୍ରବୃତ୍ତି । କେହି କେହି ଏପରି ଅଛନ୍ତି ଯେ, ସେମାନେ ଆପଣା ଅବସ୍ଥା ପ୍ରତି ନିତାନ୍ତ ଅସନ୍ତୁଷ୍ଟ, ରାତିଦିନ ବିଳାପ କରୁଅଛନ୍ତି । କେହି ଅବା ଆପଣା ଗୁଣର ଗୌରବ କରିବାପାଇଁ ଅତ୍ୟନ୍ତ ବ୍ୟଗ୍ର, କେହି ଅବା ସାମାନ୍ୟ ଜ୍ଞାନଶୂନ୍ୟ, କେହି ଅବା ଅନ୍ୟ ଲୋକ ତାଙ୍କର ଅମୁକେଇ କଥା ଦେଖି କ’ଣ କହିଥିବେ, ଏଇ ଚିନ୍ତାରେ ରାତିଦିନ ବ୍ୟସ୍ତ । ଏହିପରି ଆନ୍ତର ପ୍ରତିବନ୍ଧକ ଅନେକ ଅଛି, ଶାରୀରିକ ଅବସ୍ଥା ଯୋଗୁଁ ମଧ୍ୟ ଅନେକ ଆନ୍ତର ପ୍ରତିବନ୍ଧକ ଜାତହୁଏ-। କେତେଲୋକ ଅତ୍ୟନ୍ତ ପରିଶ୍ରମୀ, ରାତିଦିନ ପରିଶ୍ରମ କରିବାକୁ ସେମାନଙ୍କର ଏକାନ୍ତ ଇଚ୍ଛା ମାତ୍ର ତାହା ଶରୀର କରିଦେବ ନାହିଁ । ଏହିରୂପେ ସମସ୍ତଙ୍କୁ ଏକ ପ୍ରକାର ବୋଝ ବହିବାକୁ ହୁଏ । ଏହି ବୋଝ ଯେ କେବଳ ଅନିଷ୍ଟକର ହେତୁ ଏହା କିଏ କହିବ ? ହୁଏତ ଏ ବୋଝ ଆମ୍ଭମାନଙ୍କର ପ୍ରୟୋଜନୀୟ ଅଟେ । ବାସ୍ତବ ପ୍ରୟୋଜନୀୟ ଅଟେ । ବଡ଼ବଡ଼ ଲୋକେ ଏହା ବହି ଅଛନ୍ତି-। ଜଣେ ଭକ୍ତ ଏହିପରି ବୋଝ ବହି ରାତିଦିନ କଷ୍ଟ ପାଉଥିଲେ । ତାଙ୍କର ଇଷ୍ଟଦେବତା ସଙ୍ଗେ ଭେଟ ହେଲାରୁ କହିଲେ “ପ୍ରଭୁ ! ଏ ବୋଝ ଉତ୍ତାରି ନିଅ, ଆଉ ବହିପାରିବି ନାହିଁ” । ଦେବତା ଉତ୍ତର କଲେ “ନା, ସେ ବୋଝ ଉତ୍ତାରି ଦେଲେ ତୁମ୍ଭର ଅନିଷ୍ଟ ହେବ-। ସେ ବୋଝ ତୁମ୍ଭର ଆବଶ୍ୟକ-। ବୋଝ ଉତ୍ତାରି ଦେବି ନାହିଁ, ବରଂ ତୁମ୍ଭର ପିଠିକୁ ଶକ୍ତ କରିଦେବି” । ଏପରି ଭକ୍ତଙ୍କୁ ତ ଏପରି ଉତ୍ତର ହେଲା, ଆମ୍ଭମାନଙ୍କର ତ କଥା ନାହିଁ, ଆମ୍ଭମାନଙ୍କର ବହିବାର ଆବଶ୍ୟକ ।

 

“ବୁଝିଲେ, ଯାହା କରିଛନ୍ତି, ଆଚ୍ଛା କରିଛନ୍ତି” । ଆମ୍ଭେମାନେ ସଚରାଚର ଏପରି ମନ୍ତବ୍ୟ ବ୍ୟକ୍ତ କରିଥାଉ । ଏହାର ଅର୍ଥ ସମସ୍ତେ ଜାଣନ୍ତି । ଏହାର ଅର୍ଥ ଏହି ଯେ, ଯେଉଁ ସବୁ ପ୍ରତିବନ୍ଧକ ତାଙ୍କର କାର୍ଯ୍ୟରେ ବିଘ୍ନ ଘଟାଉଥିଲେ, ସେ ପ୍ରତିବନ୍ଧକମାନଙ୍କୁ ବୁଝିଲେ ସେ ଯାହା କରିଛନ୍ତି ଆଚ୍ଛା କରିଛନ୍ତି । ଅନେକ କାର୍ଯ୍ୟ ଯାହା ସ୍ଵତଃ ଭଲ ବୋଲିବେ ନାହିଁ ତାହାର ପ୍ରତିବନ୍ଧକ ବୁଝି ତାହାକୁ ଅପେକ୍ଷାକୃତ ଭଲ ବୋଲିବେ । କେତେ ବ୍ୟକ୍ତି ଏହି ରୀତିରେ ପ୍ରଶଂସା ନେବା ନିମନ୍ତେ ବ୍ୟଗ୍ର ହୁଅନ୍ତି । ବୋଝ ଉପରେ ଆପଣା ଇଚ୍ଛା ନିମନ୍ତେ ଆହୁରି ବୋଝ ନଦନ୍ତି । ଦକ୍ଷିଣ ହାତରେ ସ୍ଵାକ୍ଷର କରିବାର କିଛି ଆଶ୍ଚର୍ଯ୍ୟ ନୁହେଁ ବାମ ହାତରେ ସ୍ଵାକ୍ଷର କରନ୍ତି । ଲୋକେ ଆଶ୍ଚର୍ଯ୍ୟାନ୍ଵିତ ହେବେ । ଗୋଡ଼ରେ ସ୍ଵାକ୍ଷର କଲେ ଲୋକେ ଆହୁରି ପ୍ରଶଂସା କରିବେ । ଏ କଥା ମନରେ ରଖିବା ଉଚିତ ଯେ, ଯେଉଁ ପ୍ରତିବନ୍ଧକମାନ ଅପରିହାର୍ଯ୍ୟ, ଏପରି ପ୍ରତିବନ୍ଧକ ଅତିକ୍ରମ କରି କେହି ଯେବେ କୌଣସି କାର୍ଯ୍ୟ ସାଧିଲା, ସେହିପରି ସ୍ଥଳରେ ତାହାର ପ୍ରତିବନ୍ଧକ ବୁଝି ତାହାର ପ୍ରଶଂସା କରିବା ଉଚିତ । ମାତ୍ର ସେମାନେ ଇଚ୍ଛାପୂର୍ବକ ପ୍ରତିବନ୍ଧକ ସଂଗ୍ରହ କରି ଯଶ ଲାଭ ନିମନ୍ତେ ସେହି ପ୍ରତିବନ୍ଧକ ଅତିକ୍ରମ କରନ୍ତି, ଏପରି ଲୋକଙ୍କୁ ପ୍ରଶଂସା କରିବାର ଉଚିତ ନୁହେଁ । ଏପରି ଲୋକମାନେ କେବଳ ଆତ୍ମଗରିମା ଚରିତାର୍ଥ କରିବା ନିମନ୍ତେ ଇଚ୍ଛାପୂର୍ବକ ପ୍ରତିବନ୍ଧକ ଲୋଡ଼ନ୍ତି । ଜଣେ ବଢ଼େଇ କାମ ଜାଣେ ନାହିଁ, କମାର କାମ ଜାଣେ ନାହିଁ, ଘର ଛାଇ ଜାଣେ ନାହିଁ ମାତ୍ର ସେ କାହାରି ସାହାଯ୍ୟ ନ ନେଇ ଆପଣା ହାତରେ ଗୋଟିଏ ଘର ପ୍ରସ୍ତୁତ କଲା-। କମାର ବଢ଼େଇଙ୍କର ସାହାଯ୍ୟର ମୂଲ୍ୟ ଦେବା ନିମନ୍ତେ ତାହାର ସଙ୍ଗତି ଅଛି । ତଥାଚ ସେ ଯଶ ଲାଭ କରିବା ଆଶାରେ ସବୁ କାମ ଆପଣା ହାତରେ କଲା, ଏପରି ଘର କେବେ ଭଲ ହୋଇ ନପାରେ । ମାତ୍ର ଅସୁବିଧାମାନ ବୁଝିଲେ ତାହାକୁ ଭଲ ଘର ବୁଝିବାକୁ ହେବ । ଲୋକେ ସେହି ଘରର ଅନେକ ପ୍ରଶଂସା କଲେ । ସେହି ଘର ପାଖରେ ଥିବା ସହସ୍ରାଂଶରେ ଭଲ ଆଉ ଗୋଟିଏ ଘରକୁ କେହି ଚାହିଁଲେ ନାହିଁ । ହେତୁ କି, ସେ ଘର ରୀତିମତ ପ୍ରସ୍ତୁତ ହୋଇଥିଲା । ସମସ୍ତେ ସେହି କୁତ୍ସିତ ଘରକୁ ପ୍ରଶଂସା କଲେ । ମାତ୍ର ଏପରି ସ୍ଥଳରେ ଏପରି ଘରକୁ ଅଥବା ଏପରି ଘରର ନିର୍ମାତାକୁ କେଭେ ପ୍ରଶଂସା କରିବା ଉଚିତ ନୁହେଁ । ଅସୁବିଧା ବୁଝିଲେ ଘର ପ୍ରଶଂସନୀୟ ସତ୍ୟ, ମାତ୍ର ସେହି ଅସୁବିଧା ତାହାର ଲୋଡ଼ି ଆଣିବା ଅସୁବିଧା । ସେହି ଅସୁବିଧାମାନ ସେ ଇଚ୍ଛାପୂର୍ବକ ସ୍ଵୀକାର କରିଥିଲା, କେହି କହି ନଥିଲେ । ବୋଝ ଉପରେ ବୋଝ ସେ ଆପେ ନଦିଲା–ବିନା ପ୍ରୟୋଜନରେ ନଦିଲା । ତା’ର ପ୍ରଶଂସା ନେବାର କୌଣସି ଅଧିକାର ନାହିଁ । ମାତ୍ର ଏହା ବୋଲି ରବିନସନ୍ କ୍ରୁସୋ ନିର୍ଜନ ଦ୍ୱୀପରେ ଆପଣାର ଘର ଆପଣା ହାତରେ ବନେଇ ଥିଲେ ସେ ଘର ପ୍ରଶଂସାର ଯୋଗ୍ୟ । ଜଣେ ଦରିଦ୍ର ଆପଣା ଲୁଗା ଚିରିଗଲେ ଆପେ ସେ ତା’ର ସିଲାଇ କରେ-। ଦରଜିକୁ କଉଡ଼ିଦେବ ଏପରି ସଙ୍ଗତି ନାହିଁ । ତାହାର ଲୁଗା ମୂଳୁ ସିଲେଇ ନ ହେବାଠାରୁ ତାହାର ହାତରେ ମନ୍ଦ ସିଲେଇ ଭଲ । ଏପରି ଅବସ୍ଥାରେ ପ୍ରଶଂସା କରିବା ଉଚିତ ।

 

ପଶୁ ବୋଝ ବୋହିବାରେ, ମନୁଷ୍ୟ ବୋଝ ବୋହିବାରେ ଅନେକ ପ୍ରଭେଦ ଅଛି । ଗୋଟିଏ ବଳଦ ଯେତେ ନେଇପାରିବ, ସେଥିରୁ ଅଧିକ ବୋଝ ତା’ ଉପରେ ନଦା ହୋଇଥିବାର ଦେଖିଲେ ତୁମ୍ଭର ଦୁଃଖ ହେବ, ବଳଦ ପ୍ରତି ତୁମ୍ଭର ଦୟା ହେବ । ମାତ୍ର ମନୁଷ୍ୟର ବୋଝ ଦେଖି ଦୟା ହେବାର ତେଣିକି ଥାଉ ଆହୁରି ଚଳମାଡ଼େ । କେହି କେହି ଲୋକ ନିର୍ବୋଧତା ଏବଂ ଅନର୍ଥକ ସନ୍ଦେହ ପ୍ରବଣତାର ବୋଝ ବହନ୍ତି । ମାତ୍ର ସେ ବୋଝ ଦେଖି କାହାର ଦୟା ଜାତ ହୁଏନାହିଁ । ବରଂ ସେ ବୋଝ ଉପରେ ଆହୁରି ପାହାରେ ପିଟିବାକୁ ଇଚ୍ଛା ହୁଏ । ଅନ୍ଧ, ଖଞ୍ଜ, ବ୍ୟାଧିଗ୍ରସ୍ତ ଲୋକଙ୍କୁ ଦେଖିଲେ ଦୟାହୁଏ । ମାତ୍ର ସେମାନଙ୍କଠାରୁ ଅଧିକତର ଶୋଚନୀୟ ଦଶାଗ୍ରସ୍ତ ଲୋକଙ୍କପ୍ରତି ଆମ୍ଭେମାନେ ବିରକ୍ତ ହେଉ । ଜଣେ ଚପଳ ସ୍ଵଭାବ ଲୋକ ଅଳ୍ପ କଥାରେ କ୍ରୁଦ୍ଧ ହୋଇ ଉଠିଲା । ଜଣେ ଅତ୍ୟନ୍ତ ଭୀରୁ ଯେଉଁଠାରେ ପ୍ରବଞ୍ଚନା କରିବାର ପ୍ରୟୋଜନ ନାହିଁ, ଏମନ୍ତ ସ୍ଥଳରେ ପ୍ରବଞ୍ଚନା ଅବଲମ୍ବନ କଲା । ଜଣକର ପରନିନ୍ଦା କରିବାକୁ ଅତ୍ୟନ୍ତ ଆଗ୍ରହ ଦେଖିଲ । କାହାକୁ ଅବା ଏପରି ଦେଖିଲ ଯେ ସେ ଆପଣା ଦୁଃଖ ଆପଣା ବିପଦ ରାତିଦିନ କହି ହେଉଥାଏ । ଏସବୁ ଦେଖି ତୁମ୍ଭେ ବିରକ୍ତ ହୁଅ । ଏସବୁ ସହି ହୁଏନାହିଁ, ଏହି ବିରକ୍ତିର ଗୋଟିଏ ଭଲ କାରଣ ଅଛି । ଶରୀରଠାରୁ ମନ ଅପେକ୍ଷାକୃତ ଆୟତ୍ତ ହୋଇପାରେ । ଅନ୍ଧର ଚକ୍ଷୁ କେଭେ ଭଲ ହେବ ନାହିଁ । ମାତ୍ର ନିର୍ବୋଧ ଲୋକ ଉପାୟରେ କିଞ୍ଚିତ୍ ପରିମାଣରେ ସୁବୋଧ ହୋଇ ପାରନ୍ତି । ତଥାଚ ଏମନ୍ତ ସ୍ଥଳ ଅନେକ ଅଛି ଯେ ବିରକ୍ତ ନ ହୋଇ ଦୟା କରିବାର ଉଚିତ । ଜଣକର ପ୍ରକୃତି ଅତି ମନ୍ଦ, ତୁମେ ଦେଖିଲ । ତୁମ୍ଭେ କେବଳ ତାହାର ସେହି ପ୍ରକୃତିଟି ଦେଖି ବିରକ୍ତ ହେଲ, ମାତ୍ର କି ହେତୁରୁ ତାହାର ପ୍ରକୃତି ସେପରି ହେଲା କିପରି ଅବସ୍ଥାରେ ସେ ପଡ଼ିଥିଲା ତାହାତ ଜାଣିଲ ନାହିଁ । ସବୁକଥା ଜାଣିଥିଲେ ତୁମ୍ଭେ ପ୍ରାୟ ବିରକ୍ତ ହୁଅନ୍ତ ନାହିଁ । ଜଣକୁ ତୁମ୍ଭେ ବହୁକାଳ ପୂର୍ବରେ ଅତ୍ୟନ୍ତ ସୁଶୀଳ ଓ ମୃଦୁସ୍ଵଭାବ ଦେଖିଥିଲ । ବର୍ତ୍ତମାନ ତାହାକୁ ଉଗ୍ର ଓ ରୁକ୍ଷ ଦେଖିଲ । ସେ ସମ୍ପ୍ରତ୍ତି ଏପରି ଉଗ୍ର ଓ ରୁକ୍ଷ କାହିଁକି ହେଲା ମୂଳକଥା ଏହି, ସେ ଦୁଃଖରେ ପଡ଼ିଗଲା । ଯେମାନଙ୍କୁ ବିଶ୍ଵାସ କରୁଥିଲା ସେମାନେ ତା’ ଠାରେ ବିଶ୍ଵାସଘାତକତା କଲେ । ଯେମାନଙ୍କଠାରୁ ସ୍ନେହ ଆଶା କରିଥିଲା ସେମାନେ ତାହାର ଦୁଃଖବେଳେ କେହି ପାଖ ପଶିଲେ ନାହିଁ । ସଂସାର ନିତାନ୍ତ ଅସାର ବୋଧ ହେଲା । ଦୁଇ ଚାରିଜଣ ମନୁଷ୍ୟ ପ୍ରତି ଅଶ୍ରଦ୍ଧା ଜାତ ହୋଇ ସେହି ଅଶ୍ରଦ୍ଧା କ୍ରମେ କ୍ରମେ ସମସ୍ତ ମନୁଷ୍ୟ ଜାତିକି ବ୍ୟାପିଲା । ଅତି ହିଂସ୍ର ପ୍ରାଣୀକି ଆମ୍ଭେମାନେ ଘୃଣା କରୁ । ମାତ୍ର ସେମାନଙ୍କର ମଧ୍ୟ ସମ୍ପୂର୍ଣ୍ଣ ଦୋଷ ନାହିଁ । ସେମାନଙ୍କର ଚାରା ନାହିଁ, ସେମାନଙ୍କର କ୍ଷୁଧା ଅତି ପ୍ରବଳ, ସହି ପାରନ୍ତି ନାହିଁ । ପାରୁପର୍ଯ୍ୟନ୍ତ ପେଟ ପୂରାଇବାର ଚେଷ୍ଟା କରନ୍ତି । ଖାଦ୍ୟାଭାବରେ ମନୁଷ୍ୟମାନେ ସହଜରେ ସେମାନଙ୍କଠାରୁ ଅଧିକତର ହିଂସ୍ରକ ହୋଇ ଉଠନ୍ତି । ବାସ୍ତବ ଯେ ଲୋକ ଯେତେ ଦୁଷ୍ଟ, ସେ ସେହି ପରିମାଣରେ ଦୟାର ଯୋଗ୍ୟ ଅଟେ । ଅନେକ ଲୋକେ, ଯେମାନେ କି ବର୍ତ୍ତମାନ ପାପ ପଙ୍କରେ ଗଭୀର ମଗ୍ନ ହୋଇ ଅଛନ୍ତି, ଯେତେବେଳେ ସେମାନେ ନିରୀହ ଥିଲେ, ସେମାନଙ୍କର ଭାବୀ ପାପର ସମଗ୍ର ମୂର୍ତ୍ତି ସେମାନେ ଯେବେ ଦେଖିଥାନ୍ତେ, ସେମାନଙ୍କର ଭାବୀ କାର୍ଯ୍ୟର ଫଳ ଯେବେ ସେମାନେ ତର୍କଣା କରିପାରିଥାନ୍ତେ, କଦାଚ ଏପରି ପାପରେ ଲିପ୍ତ ହୋଇନଥାନ୍ତେ, ମାତ୍ର ପାପ ହ୍ରଦର କୂଳରେ ଗଡ଼ନ୍ତି ତର୍କଣା କରିବାର କଠିନ । ହୁଏତ ସେମାନେ ସମଧରାତଳ ଜାଣି ଗଡ଼ନ୍ତି ଉପରେ ଚାଲୁଥିଲେ । କ୍ରମଶଃ ସେମାନେ ତଳକୁ ଯାଉଅଛନ୍ତି, ସେ ଜ୍ଞାନ ତାଙ୍କର ନଥିଲା । ଭ୍ରମରେ ଅନେକ ଦୂରକୁ ଯାଇ ପଛକୁ ଜାଣିଲେ । ମାତ୍ର ସେତେବେଳେ ଆଉ କାର୍ଯ୍ୟକାରୀ ହେଲାନାହିଁ । ଆଉ ଫେରିବାକୁ ସାମର୍ଥ୍ୟ ନଥିଲା । ଅନେକ ଲୋକ ଏପରି ମଧ୍ୟ ଅଛନ୍ତି ଯେ ଭଲ କାର୍ଯ୍ୟ କରିବାକୁ ସେମାନେ ଆଦୌ ସୁବିଧା ପାଇନାହାନ୍ତି । ଅନେକ ଲୋକ ବାଧ୍ୟହୋଇ ପିଲାକାଳରୁ ମନ୍ଦକାର୍ଯ୍ୟରେ ବ୍ରତୀ ଅଛନ୍ତି । ଏପରି ହେବାର ଅତ୍ୟନ୍ତ ଦୁଃଖର ବିଷୟ, ସନ୍ଦେହ ନାହିଁ । ମାତ୍ର କି ହେତୁ ଏପରି ହେଉଅଛି, ତାହା କିଏ କହିବ ? ସଂସାରରେ ଅନେକ ପ୍ରକାର ଅନିଷ୍ଟ ହେଉଅଛି, ମାତ୍ର କେହି ଜଣେ ତ ସେହି ଅନିଷ୍ଟର ହେତୁ ନୁହନ୍ତି । ଆମ୍ଭମାନଙ୍କର ଗ୍ରାମ ଓ ନଗରମାନ ଅତ୍ୟନ୍ତ ଅପରିଷ୍କୃତ । ମାତ୍ର ଏ ଜଣକର ଦୋଷ ନୁହେଁ, ସମସ୍ତଙ୍କର ଦୋଷ । ସମସ୍ତେ ଏଥିନିମନ୍ତେ ଦାୟୀ ।

 

ଭଗ୍ନମନସ୍କତା ଜୀବନର ଗୋଟିଏ ମହତ୍ ବୋଝ । ପୂର୍ବକାଳରେ ଏ ବୋଝ ଅନେକ ଲୋକ ବହୁ ନଥିଲେ । ବର୍ତ୍ତମାନ ଅନେକ ଲୋକଙ୍କୁ ବହିବାକୁ ହୁଏ । ଯେମାନେ ଶିକ୍ଷିତ ଅଟନ୍ତି, ଯେମାନେ ଶାରୀରିକ ଶ୍ରମଠାରୁ ମାନସିକ ଶ୍ରମରେ ଅଧିକ ରତ; ସେମାନେ ବହୁତରେ ହେଉ ବା ଅଳ୍ପରେ ହେଉ ଏ ବୋଝ ବହନ୍ତି । ସେମାନଙ୍କ ମନ ପ୍ରାୟ ସବୁବେଳେ ଏକପ୍ରକାର ଅନ୍ଧକାରରେ ଆଚ୍ଛନ୍ନ ଥାଏ । ଥରେଥରେ ଏପରି ବିକାର ଉପସ୍ଥିତ ହୁଏ ଯେ କିଛି ଭଲଲାଗେ ନାହିଁ । ସଂସାର ଅସାର, ଜୀବନ ବିଡ଼ମ୍ବନା ବୋଧହୁଏ; ନାନାପ୍ରକାର ବିଭୀଷିକା ହୃଦୟରେ ନୃତ୍ୟ କରୁଥାନ୍ତି । ଏପରି ମନରଭାବ କବିର କଳ୍ପନା ଉଦ୍ଦୀପିତ କରେ–ଏହା ସତ୍ୟ, ମାତ୍ର ଏହା ବ୍ୟତୀତ ଏହାର ଆଉ କୌଣସି ଉପକାରିତା ନାହିଁ । କାର୍ଯ୍ୟକ୍ଷେତ୍ରରେ ଏପରି ଭାବ ଗୋଟିଏ ମହତ୍ ପ୍ରତିବନ୍ଧକ । ମନ ଭଲ ନଥିଲେ କାର୍ଯ୍ୟରେ ମନ କାହୁଁ ଲାଗିବ ? ଏପରି ଭାବର ଅଧୀନ ହୋଇ ଲୋକେ ଯେ କାର୍ଯ୍ୟ ନ କରନ୍ତି ଏହା ନୁହେଁ । ମାତ୍ର କଳ କରି କାର୍ଯ୍ୟ କରନ୍ତି ଉତ୍ସାହ ନଥାଏ । ବାସ୍ତବରେ ଅପ୍ରଫୁଲ୍ଲତା ଗୋଟିଏ ମହତ ବିଡ଼ମ୍ବନା । ସଂସାରର ପଦେପଦେ ବିଘ୍ନ, ପଦେପଦେ ବିରକ୍ତ ହେବାର ସହସ୍ର କାରଣ ଅଛି । ମନ ଦୃଢ଼ ଓ ପ୍ରଫୁଲ୍ଲ ନ ହେଲେ ନିଭିବାର କଠିନ ।

Image

 

ଆତ୍ମପ୍ରତ୍ୟୟ

ମଧୁସୂଦନ ରାଓ

 

ଶାସ୍ତ୍ରାଧ୍ୟାୟନଦ୍ଵାରା ଅନ୍ୟର ଚିନ୍ତା ଗୃହୀତ ଓ ଆୟତ୍ତୀକୃତ ହୁଏ, କିନ୍ତୁ ତଦ୍ଦ୍ୱାରା ସତ୍ୟ ସଙ୍ଗରେ ଆତ୍ମାର ସାକ୍ଷାତ ଯୋଗ ଘଟେ ନାହିଁ । ପର୍ଯ୍ୟବେକ୍ଷକର ପରୀକ୍ଷାଦ୍ଵାରା ବହିଃ ପ୍ରକାଶିତ ଓ ଇନ୍ଦ୍ରିୟବୋଧ ଜଗତର ତଥ୍ୟ ନିରୂପିତ ହୁଏ, କିନ୍ତୁ ତଦ୍ଦ୍ୱାରା ଇନ୍ଦ୍ରିୟ ସତ୍ୟର ଉପଲବ୍‍ଧି ହୁଏନାହିଁ । ଯୁକ୍ତି ଓ ବୁଦ୍ଧିଦ୍ଵାରା ସ୍ଥୂଳ ବା ବିଶେଷ ଦୃଷ୍ଟାନ୍ତର ଅନୁସରଣରେ ବ୍ୟାପକ ସିଦ୍ଧାନ୍ତର ଉପଲବ୍‍ଧି ହୁଏ, କିନ୍ତୁ ତା’ର ମୂଳ ସତ୍ୟ ବା ମୂଳ କାରଣର ପ୍ରତୀତି ଜନ୍ମେ ନାହିଁ । ବୁଦ୍ଧିର ଅନ୍ତର୍ଦୃଷ୍ଟିଦ୍ଵାରା ମାନସିକ ଜ୍ଞାନ ପରିପୁଷ୍ଟ ହୁଏ, ବୁଦ୍ଧି ସ୍ଥୂଳଜ୍ଞାନ ଲାଗି ଉପଯୋଗୀ, କିନ୍ତୁ ତଦ୍ଦ୍ଵାରା ଅନ୍ତରତମ ପରମ ସତ୍ୟ ଲାଭ ହୁଅଇ ନାହିଁ । ବୁଦ୍ଧିର ଏହି ସମସ୍ତ ଜଟିଳ କ୍ରିୟା ପରମ୍ପରାଦ୍ଵାରା କିମ୍ବା ପ୍ରାଣାୟୋମାଖ୍ୟ ରେଚକ-ପୂରକ-କୁମ୍ଭକ କ୍ରିୟା ସମନ୍ଵିତ ନିଃଶ୍ଵାସ ବ୍ୟାୟାମାଦି କୃତ୍ରିମ ସାଧନାଦ୍ଵାରା କେହି ପରମ ସତ୍ୟକୁ ଲଭିନାହାନ୍ତି ଏବଂ ଲଭିପାରିବେ ନାହିଁ । ତେବେ କି ପରମ ସତ୍ୟର ଜ୍ଞାନ ମନୁଷ୍ୟର ଅଗମ୍ୟ ଅଲଭ୍ୟ ଓ ସାଧନାତୀତ ବୋଲି ପରିବର୍ଜନୀୟ ? ନା, ଏପରି ସିଦ୍ଧାନ୍ତ କୌଣସି କୌଣସି ପଣ୍ଡିତମାନଙ୍କ ଦ୍ଵାରା ବାରମ୍ବାର ମନୁଷ୍ୟ ସମାଜରେ ଉପସ୍ଥାପିତ ହୋଇଥିଲେହେଁ ସେଥିରେ ମନୁଷ୍ୟର ଆତ୍ମା କଦାପି ମାନି ନାହିଁ ଏବଂ କଦାପି ମାନିବ ନାହିଁ, କାରଣ ମନୁଷ୍ୟର ଆତ୍ମା ସହଜରେ ପରମ ସତ୍ୟ ନିମିତ୍ତ ବ୍ୟାକୁଳ ଏବଂ ସେ ସହଜରେ ବିଶ୍ଵାସ କରେ ଯେ ପରମ ସତ୍ୟ ଆତ୍ମା ମଧ୍ୟରେ ଅନ୍ତରତମ ପରମାତ୍ମାରୂପେ ନିଗୂଢ଼ ଭାବରେ ରହିଅଛନ୍ତି । ପ୍ରଜ୍ଞା ବା ଆତ୍ମପ୍ରତ୍ୟୟର ଏହି ମୂଳତତ୍ତ୍ଵକୁ ଦେଶେ ଦେଶେ ଯୁଗେଯୁଗେ ମାନବ ଶ୍ରେଷ୍ଠ ମହାପୁରୁଷମାନେ ନାନା ଅମୃତମୟ ବାକ୍ୟଦ୍ଵାରା ବ୍ୟକ୍ତ କରିଅଛନ୍ତି । ପ୍ରାଚୀନ ବୈଦିକ କାଳର ପୂଜ୍ୟପାଦ ଋଷିପ୍ରବର କହି ଅଛନ୍ତି “ନାୟମାତ୍ମା ପ୍ରବଚନେନ ଲଭ୍ୟଃ, ନମେଧୟା ନ ବହୁନା ସୂତେନ,’ ଯମେବୈଷ ବୃଣୁତେ ତେନ ଲଭ୍ୟଃ, ତସ୍ୟୈଷ ଓ ଆତ୍ମା ବୃଣୁତେ ତନୁଂସ୍ଵାଂ’ (ମେଧାଦ୍ଵାରା ଉତ୍ତମ ବଚନଦ୍ଵାରା ଅଥବା ଶାସ୍ତ୍ର ଶ୍ରବଣଦ୍ଵାରା ଏହି ପରମାତ୍ମା ଲଭ୍ୟ ହୁଅନ୍ତି । ଯେଉଁ ସାଧକ ଏହାକୁ ପ୍ରାର୍ଥନା କରେ ସେହି ଲାଭ କରେ । ପରମାତ୍ମା ତାହା ନିକଟରେ ଆପଣାକୁ ପ୍ରକାଶ କରନ୍ତି) ପୁଣି ବନ୍ଦନୀୟ ବ୍ରହ୍ମନନ୍ଦନ ବ୍ରହ୍ମର୍ଷି କହି ଅଛନ୍ତି–ଖୋଜ, ପାଇବ । ମାଗ, ମିଳିବ । ଦ୍ଵାରରେ ହାତ ମାର, ଦ୍ଵାର ଫିଟିବ । ବାସ୍ତବରେ ରକ୍ତମାଂସମୟ ଶରୀରହିଁ ମନର ଜଡ଼ତା, ବହିର୍ମୁଖ ଇନ୍ଦ୍ରିୟମାନଙ୍କର ପ୍ରଲୋଭନମୟ ଉତ୍ତେଜନା, କ୍ଷୁଦ୍ର ସଂକୀର୍ଣ୍ଣ ବୁଦ୍ଧିର ଅହମିକା ପୂର୍ଣ୍ଣ ନୀଚ ରିପୁମାନଙ୍କର ଜ୍ଞାନବରକ ତାମସିକ ଘୋର ସଂସାର କେଳାହକ, ଏ ସମସ୍ତବାରେ ଅତିକ୍ରମ କରି ଅନୁକୂଳ ସ୍ଥାନ ଏବଂ ଅନୁକୂଳ କାଳରେ ଆତ୍ମାର ନୀରବ ନିଭୃତ କନ୍ଦର ମଧ୍ୟରେ ଧ୍ୟାନସ୍ଥ ହୋଇ ବ୍ୟାକୁଳଭାବରେ ଅନ୍ତରତମ ପରମାତ୍ମାଙ୍କର ଅନ୍ଵେଷଣ କଲେ, ସେହି ସର୍ବମୂଳାଧାର ‘ଗହ୍ଵରେଷ୍ଠ’ ପରମାତ୍ମା ତାହାଙ୍କର ଅମୂର୍ତ୍ତ ଅମୃତମୟ ପ୍ରକାଶଦ୍ଵାରା ଜୀବାତ୍ମାର ସକଳ ସଂଶୟ ଛିନ୍ନ କରିବେ । ଏହି ବ୍ୟାକୁଳ ପ୍ରାର୍ଥନା–ପରିପୂର୍ଣ୍ଣ ଐକାନ୍ତିକ ଧ୍ୟାନଦ୍ଵାରା ଏହି ପବିତ୍ର ଆଧ୍ୟାତ୍ମ ଯୋଗଦ୍ଵାରା ମାନବ-ତନୟ ପରମାତ୍ମାଙ୍କୁ ଜାଣି ନିଜର ବ୍ରହ୍ମତନୟତ୍ତ୍ଵ ଅନୁଭବ କରେ । ଏହି ଅମୃତ ଅନୁଭବର ପୁଣ୍ୟ ମହିମା ହୃଦୟଙ୍ଗମ କରି ଶ୍ରୀମଦ୍‌ଭାଗବତକାର ଗ୍ରନ୍ଥାରମ୍ଭରେ ଲେଖିଅଛନ୍ତି । “ସତ୍ୟ ପରଂଧୀମହି” ।

ପରମସତ୍ୟ ପରମାତ୍ମା ଜୀବାତ୍ମା ଧ୍ୟାନଲଭ୍ୟ, କିନ୍ତୁ ପରମାତ୍ମା ଅଛନ୍ତି, ଆତ୍ମାର ଏହି ବିଶ୍ଵାସ ଅତିରେକେ ଧ୍ୟାନ ଅସମ୍ଭବ । ବ୍ରହ୍ମବାଦୀମାନେ କହନ୍ତି ଯେ ପରମାତ୍ମା ଅଛନ୍ତି । ଏହି ସହଜ ବିଶ୍ଵାସ ସମସ୍ତଙ୍କ ଆତ୍ମାରେ ନିହିତ ଓ ଅନୁପ୍ରବିଷ୍ଟ ରହିଅଛି ଏହି ସହଜ ବିଶ୍ଵାସକୁ ସେମାନେ ଆତ୍ମପ୍ରତ୍ୟୟ ନାମରେ ଅଭିହିତ କରିଅଛନ୍ତି, ଯଥା “ଏକାତ୍ମପ୍ରତ୍ୟୟ ସାରଂ ଶାନ୍ତଂ ଶିବଂ ଅଦ୍ଵୈତଂ । " ଆମ୍ଭେମାନେ ଏହି ଆତ୍ମପ୍ରତ୍ୟୟଙ୍କୁ ଆତ୍ମର ପରମ ସମ୍ପଦ ବୋଲି ବିଶ୍ଵାସ କରୁ ।

“ଅସ୍ତୀତି ବ୍ରବତୋଽନ୍ୟତ୍ର କଥଂ ତଦୂପଲ୍ୟତେ ।” (ଯେ କହନ୍ତି ଯେ ବ୍ରହ୍ମଅଛନ୍ତି ତଭିନ୍ନ ଅନ୍ୟଦ୍ଵାରା ସେ କି ଉପଲବ୍‍ଧି ହେବେ ?) ଇତିପୂର୍ବେ ଯାହା ଉଲ୍ଲିଖିତ ହେଲା ତଦ୍ଦ୍ଵାରା ସୂଚିତ ହୋଇଅଛି ଯେ ବହିଃ ବିଷୟର ଉପଲବ୍‍ଧି ଇନ୍ଦ୍ରିୟବୋଧ ଘଟିତ, ଭିନ୍ନଭିନ୍ନ ଭୌତିକ ଓ ମାନସିକ ବିଷୟର ସମ୍ବନ୍ଧ ନିର୍ଣ୍ଣୟ ବୁଦ୍ଧିଘଟିତ ଏବଂ ଆତ୍ମା ଓ ପରମାତ୍ମାର ଉପଲବ୍‍ଧି ଓ ସମ୍ବନ୍ଧଜ୍ଞାନ ପ୍ରଜ୍ଞା ବା ଆତ୍ମପ୍ରତ୍ୟୟ ଘଟିତ । ଆଧ୍ୟାତ୍ମତତ୍ତ୍ଵ ଅର୍ଥାତ୍ ଆତ୍ମା ଓ ପରମାତ୍ମାର ତତ୍ତ୍ଵ, ଇନ୍ଦ୍ରିୟବୋଧ ବା ବୁଦ୍ଧିର ସମ୍ପତ୍ତି ନୁହେଁ, ତାହା ଆତ୍ମପ୍ରତ୍ୟୟ ବା ପ୍ରଜ୍ଞାର ନିଜସ୍ୱ ! ଯେଉଁମାନେ ଆତ୍ମପ୍ରତ୍ୟୟ ଅସ୍ଵୀକାର କରନ୍ତି, ସେମାନେ ତର୍କଦ୍ଵାରା ସେହି ଆଧ୍ୟାତ୍ମ ତତ୍ତ୍ଵ କାହିଁ ପାଇବେ ? ଆତ୍ମବାନ ବ୍ୟକ୍ତି ନିକଟରେ ଆତ୍ମା ଏକ ଆତ୍ମାର ପ୍ରମାଣ, ଲୋଚନଶାଳୀ ଲୋକ ନିକଟରେ ଆଲୋକ ଏକା ଆଲୋକର ପ୍ରମାଣ, ଅନ୍ୟ ପ୍ରମାଣ ଏକାବେଳକେ ଅସମ୍ଭବ । ଏ ସ୍ଥଳରେ ଶ୍ରୀମହନ୍ମହର୍ଷି ଦେବେନ୍ଦ୍ରନାଥ ଠାକୁର ମହୋଦୟ ଆତ୍ମପ୍ରତ୍ୟୟ ସମ୍ବନ୍ଧରେ ଯେଉଁ ସୁନ୍ଦର କଥାଗୁଡ଼ିକ କହିଅଛନ୍ତି ତାହା ନିମ୍ନରେ ଉଦ୍ଧାର ନକରି ରହିପାରିଲି ନାହିଁ ।

“ଆମ୍ଭେମାନେ ଆପଣା ଆପଣାକୁ ଅପୂର୍ଣ୍ଣ ଓ ପରତନ୍ତ୍ର ବୋଲି ଯେ ବିଶ୍ଵାସ କରୁଅଛୁ; ସେଥିରେ ଏହି ବିଶ୍ଵାସ ଅନ୍ତର୍ଭୁତ ଅଛି ଯେ ଗୋଟିଏ ପୂର୍ଣ୍ଣ ସ୍ଵତନ୍ତ୍ର ପଦାର୍ଥ ଅଛନ୍ତି ଯେହେତୁ ଯଦି ପୂର୍ଣ୍ଣ ଓ ସ୍ଵତନ୍ତ୍ର ପଦାର୍ଥ ନ ଥାନ୍ତି, ତେବେ ଆମ୍ଭମାନଙ୍କୁ ଅପୂର୍ଣ୍ଣ ଓ ପରତନ୍ତ୍ର ବୋଲି ବିଶ୍ଵାସ କରିବାର କୌଣସି ଭୂମି ନାହିଁ । ପରତନ୍ତ୍ର ଓ ଅପୂର୍ଣ୍ଣ ପଦାର୍ଥର ଅସ୍ତିତ୍ଵଦ୍ଵାରା ଗୋଟିଏ ସ୍ଵତନ୍ତ୍ର ଓ ପୂର୍ଣ୍ଣ ପଦାର୍ଥର ଅସ୍ତିତ୍ଵ ବୁଝାଯାଏ । ଏହି ବିଶ୍ଵାସ ସ୍ଵତଃ ସିଦ୍ଧ, ଯେହେତୁ ଏହା ପରୀକ୍ଷା ସାପେକ୍ଷ ନୁହେଁ । ସମସ୍ତଙ୍କ ଆତ୍ମାରେ ସ୍ଵାଭାବିକ ଆତ୍ମପ୍ରତ୍ୟୟ ଅଛି ଯେ ପରତନ୍ତ୍ର ଓ ସମ୍ପୂର୍ଣ୍ଣ ପଦାର୍ଥର ସ୍ରଷ୍ଟା ଓ ଆଶ୍ରୟ ଏକ ସ୍ଵତନ୍ତ୍ର ଓ ପୂର୍ଣ୍ଣ ପୁରୁଷ ଅଛନ୍ତି, ଯେହେତୁ ଯେତେବେଳେ ଆମ୍ଭମାନଙ୍କର ନିର୍ମଳ ଜ୍ଞାନରେ ସତ୍ୟସୁନ୍ଦର ମଙ୍ଗଳପୁରୁଷ ପ୍ରକାଶ ପାନ୍ତି, ତେତେବେଳେ ଆତ୍ମପ୍ରତ୍ୟୟ ତାହାଙ୍କ ଅସ୍ତିତ୍ଵରେ ବିଶ୍ଵାସ ସ୍ଥାପନ କରେ । ଏହି ଆତ୍ମପ୍ରତ୍ୟୟ ପ୍ରତି ସଂଶୟ କଲେ ଏକାବେଳକେ ମୁକ୍ତିର ମୂଳଚ୍ଛେଦନ କରାଯାଏ ଏବଂ ମହାଭ୍ରମରେ ଭ୍ରାନ୍ତ ହେବାକୁ ହୁଏ । ତାହାହେଲେ ନିଜ ଅସ୍ତିତ୍ଵରେ, ବାହ୍ୟବସ୍ତୁର ଅସ୍ତିତ୍ଵରେ କାର୍ଯ୍ୟକାରଣର ଅସ୍ତିତ୍ଵରେ ସଂଶୟ ଜନ୍ମ ବୁଦ୍ଧି ଏକାବେଳକେ ବିନାଶପ୍ରାପ୍ତ ହୁଏ । ଯେ ଆତ୍ମପ୍ରତ୍ୟୟ ଉପରେ ନିର୍ଭର ନ କରନ୍ତି ସେ କଦାଚ ଜ୍ଞାନଗୋଚର ନିତ୍ୟ ସତ୍ୟମଙ୍ଗଳସ୍ୱରୂପ ସର୍ବବ୍ୟାପୀ ସର୍ବାଶ୍ରୟ ସର୍ବଶକ୍ତିମାନ ପୂର୍ଣ୍ଣପୁରୁଷଙ୍କୁ ନିଃସଂଶୟରୂପେ ବିଶ୍ଵାସ କରିପାରନ୍ତି ନାହିଁ । ପ୍ରତି ତର୍କ ତରଙ୍ଗରେ ସେ ଅସ୍ଥିର ହୁଅନ୍ତି ଏବଂ ବିଶ୍ଵର ସହବାସଜନିତ ସୁନିର୍ମଳ ଶାନ୍ତି ସେ କଦାପି ଲାଭ କରି ପାରନ୍ତି ନାହିଁ । ଆତ୍ମପ୍ରତ୍ୟୟ ଉପରେ ନିର୍ଭର କରି ଯେଉଁ ବ୍ୟକ୍ତି କହନ୍ତି ଯେ ସେ ଅଛନ୍ତି, ତଦ୍‌ଭିନ୍ନ ଅନ୍ୟ ବ୍ୟକ୍ତିଦ୍ଵାରା ସେ କେତେବେଳେ ଉପଲବ୍‍ଧି ହୁଅନ୍ତି ନାହିଁ-।”

ବର୍ତ୍ତମାନ ପ୍ରଜ୍ଞା ବା ଆତ୍ମପ୍ରତ୍ୟୟର ଲକ୍ଷଣ କ’ଣ ଦେଖାଯାଉ । ପ୍ରଜ୍ଞାର ପ୍ରଥମ ଲକ୍ଷଣ ଏହି ଯେ ତାହା ସାର୍ବଭୌମିକ, ଅର୍ଥାତ୍ ପ୍ରଜ୍ଞା ଜଣକର ଆତ୍ମାରେ ଯାହା ପ୍ରକାଶ କରେ, ବିକୃତ ଆତ୍ମା ବ୍ୟତୀତ ତାହା ସମସ୍ତେ ଅକୁଣ୍ଠିତ ଭାବରେ ଆପଣାର ନିଜସ୍ୱ ବୋଲି ସ୍ଵୀକାର କରନ୍ତି । ପ୍ରଜ୍ଞାର ଦ୍ଵିତୀୟ ଲକ୍ଷଣ ଏହି ଯେ ତାହାର ତତ୍ତ୍ଵଗୁଡ଼ିକ ଏପରି ଯେ ଅନ୍ୟଥା ବା ଅନ୍ୟରୂପ ହେବାର ସମ୍ଭାବନା ନାହିଁ । ଏହି ଅବଶ୍ୟମ୍ଭାବିତା ବା ଅନତିକ୍ରମଣୀୟତା ମୂଳ ସତ୍ୟର ପ୍ରଭାବରୁ ଘଟିଅଛି । ପ୍ରଜ୍ଞା କେବଳ ମୂଳ ସତ୍ୟକୁ ଆଶ୍ରୟ କରି ରହିଅଛି । ସୁତରାଂ ତାହାର ତତ୍ତ୍ଵଗୁଡ଼ିକ ନିଃସଂଶୟ, ଅବ୍ୟର୍ଥ ଏବଂ ଅବଶ୍ୟମ୍ଭାବୀ । ଅମୁକ ଋଷି କହିଛନ୍ତି ବା ଅମୁକ ଶାସ୍ତ୍ରରେ ଲେଖାଅଛି ବୋଲି ଯେ ପ୍ରଜ୍ଞାତତ୍ତ୍ଵଗୁଡ଼ିକ ଗ୍ରହଣୀୟ ତାହା ନୁହେଁ, ମୂଳ ସତ୍ୟ ବଳଦ୍ଵାରା ସେଗୁଡ଼ିକ ଧ୍ରୁବସଂଶୟ ରହିତ ବା ନିର୍ବିକଳ୍ପ ।

Image

 

ପାପର ପ୍ରାୟଶ୍ଚିତ

ନୀଳମଣି ବିଦ୍ୟାରତ୍ନ

 

ପାପପୁଣ୍ୟ ବୋଧ ସ୍ଵାଭାବିକ ଓ ସାର୍ବଜନୀନ । ଏହା ହେଲେ ସୁଦ୍ଧା ପାପ ଓ ପୁଣ୍ୟର ସ୍ୱରୂପ ସମ୍ବନ୍ଧରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଚିରବିବାଦ ଲାଗିଅଛି । ହିନ୍ଦୁମାନେ ଗୋହତ୍ୟାକୁ ପାପ ମନେକରନ୍ତି କିନ୍ତୁ ମୁସଲମାନମାନେ ପୁଣ୍ୟାର୍ଜନ ସକାଶେ ଅବଲୀଳା କ୍ରମେ ଗୋ ବଧ କରିଥାନ୍ତି । ଫଳତଃ ଜଣେ ଯାହାକୁ ପୁଣ୍ୟକାର୍ଯ୍ୟ ମନେ କରୁଅଛି, ଅନ୍ୟ ଜଣର ବିବେଚନାରେ ତାହା ପାପ । କେତେକ କାର୍ଯ୍ୟର ଫଳାଫଳ ସମ୍ବନ୍ଧରେ ଏହିପରି ମତଭେଦ ଥିଲେ ସୁଦ୍ଧା ସର୍ବ ସମ୍ପ୍ରଦାୟସମ୍ମତ କେତେଗୁଡ଼ିଏ ପାପ ଓ ପୁଣ୍ୟକାର୍ଯ୍ୟ ଅଛି । ଦୟା, ପରୋପକାର ଇନ୍ଦ୍ରିୟ ସଂଯମ ପ୍ରଭୃତି ପୁଣ୍ୟକାର୍ଯ୍ୟ ମଧ୍ୟରେ ଓ ନିଷ୍ଠୁରତା, ପରୋପକାର, ବ୍ୟଭିଚାର ପ୍ରଭୃତି ପାପ କାର୍ଯ୍ୟ ମଧ୍ୟରେ ପରିଗଣିତ । ସୁତରାଂ ପାପ ଓ ପୁଣ୍ୟର ସ୍ୱରୂପ ସମ୍ବନ୍ଧୀୟ ଆଲୋଚନାରୁ କ୍ଷାନ୍ତ ହୋଇ ପାପର ପ୍ରକୃତ ପ୍ରାୟଶ୍ଚିତ୍ତ କ’ଣ ଏ ବିଷୟରେ କିଞ୍ଚିତ୍ ଆଲୋଚନା କରିବା ସକାଶେ ପ୍ରବୃତ୍ତ ହେଉଅଛୁ ।

 

‘ପ୍ରାୟଶ୍ଚିତ୍ତ’ ଶବ୍ଦର ଅର୍ଥ “ଯାହା ମନକୁ ନିର୍ମଳ କରେ” । ‘ପ୍ରାୟଶ୍ଚିତ୍ତ’ର ଇଂରାଜୀ ପ୍ରତିଶବ୍ଦ Atonement, ଏହି ଶବ୍ଦର ବ୍ୟାକାର୍ଥ ଏହି ଯେ At one-ment ଏକୀଭୂତ ହେବା, ଅର୍ଥାତ୍ ପାପଲିପ୍ତ ହୋଇ ପବିତ୍ରସ୍ୱରୂପ ପରମେଶ୍ଵରଙ୍କଠାରୁ ବିଚ୍ୟୁତ ହୋଇ ଦୂରରେ ପଡ଼ିଥିଲି–ବିଚ୍ଛିନ୍ନ ହୋଇଥିଲି, ପୁନଶ୍ଚ ମିଳିତ ହେଲି, ପ୍ରାୟଶ୍ଚିତ୍ତ ସେହି ଦୂରତ୍ଵ ବିନାଶ କରି ଏକୀଭୂତ ବା ମିଳିତ କରିଦେଲା । ପ୍ରାୟଶ୍ଚିତ୍ତ ଶବ୍ଦର ସ୍ଥୂଳ ଅର୍ଥ ଏହି ଯେ ସେ ଈଶ୍ଵରଙ୍କ ସହିତ ପୁନଃ ମିଳନ ସ୍ଥାପନ କରିଦିଏ । ଖ୍ରୀଷ୍ଟିଆନ୍ ଧର୍ମଶାସ୍ତ୍ର ବାଇବେଲରେ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟ ଧର୍ମଶାସ୍ତ୍ରମାନଙ୍କରେ ଲିଖିତ ଅଛି ଯେ “ପବିତ୍ର ଚିତ୍ତ ବ୍ୟକ୍ତିମାନେ ଧନ୍ୟ, ଯେହେତୁ ସେମାନେ ଈଶ୍ଵରଙ୍କର ଦର୍ଶନଲାଭ କରିବେ,–ଈଶ୍ଵରଙ୍କ ସହିତ ମିଳିତ ହେବେ ।” କଥା ପ୍ରକୃତ, ଚିତ୍ତବୁଦ୍ଧି ନ ହେଲେ ଈଶ୍ଵର ଦର୍ଶନ–ଈଶ୍ଵରଲାଭ ଅସମ୍ଭବ, ସମସ୍ତ ଦେଶର ସକଳ ସମ୍ପ୍ରଦାୟର ଧାର୍ମିକମାନେ ଏକଥା ଏକବାକ୍ୟରେ ସ୍ଵୀକାର କରନ୍ତି । ସୁତରାଂ ପ୍ରାୟଶ୍ଚିତ୍ତର କାର୍ଯ୍ୟକାରିତା ବିଷୟରେ ସନ୍ଦେହ କରିବାର କିଛିମାତ୍ର କାରଣ ନାହିଁ । ବର୍ତ୍ତମାନ ଜିଜ୍ଞାସା, ପାପର ପ୍ରକୃତ ପ୍ରାୟଶ୍ଚିତ୍ତ କ’ଣ ?

 

“ପାପର ପ୍ରକୃତ ପ୍ରାୟଶ୍ଚିତ୍ତ କ’ଣ” ଏହା ନୂତନ ପ୍ରଶ୍ନ ନୁହେଁ । ସକଳ ଦେଶର, ସକଳ ସମୟର ଏବଂ ସକଳ ସମ୍ପ୍ରଦାୟର ମୁମୁକ୍ଷୁମାନେ ପ୍ରଶ୍ନ କରିଅଛନ୍ତି–“ପାପମୁକ୍ତ ହେବାର ପ୍ରକୃତ ଉପାୟ କ’ଣ ? ପ୍ରକୃତ ପ୍ରାୟଶ୍ଚିତ୍ତ କ’ଣ ?” ଏହାର ସଦୁତ୍ତର ଲାଭ ସକାଶେ ସମସ୍ତେ ବ୍ୟାକୁଳ, ପାପବୋଧ ଯାହାର ଯେତେ ପ୍ରବଳ, ଉତ୍ତର ଲାଭର ବ୍ୟାକୁଳତା ତାହାର ସେତେ ବେଶି । ଆମ୍ଭେମାନେ ପାପର କୀଟ, ଆମ୍ଭମାନଙ୍କର ପାପବୋଧ ନାହିଁ କହିଲେ ଚଳେ, ତଥାପି ଆମ୍ଭମାନଙ୍କ ପାପକଳୁଷିତ ମନରେ ସମୟ ସମୟରେ ସେହି ପ୍ରଶ୍ନର ଉଦୟ ହୋଇଥାଏ ଏବଂ ସମଧର୍ମାକ୍ରାନ୍ତ ଅନ୍ୟାନ୍ୟଙ୍କ ମୁଖରୁ ସେହି ପ୍ରକାରର ପ୍ରଶ୍ନ ଶୁଣିବାକୁ ପାଉ । ସୁତରାଂ ଏହି ସାର୍ବଜନୀନ ପ୍ରଶ୍ନର ସଦୁତ୍ତର ଲାଭ ସକାଶେ କିଞ୍ଚିତ୍ ଆଲୋଚନା, ଅନୁସନ୍ଧାନ କରି ଦେଖିବା ଅଯୌକ୍ତିକ ନୁହେଁ, ବରଂ ତାହା ମାନବର ଅବଶ୍ୟ କର୍ତ୍ତବ୍ୟ ।

 

ପ୍ରାୟ ସକଳ ସମ୍ପ୍ରଦାୟର ଲୋକମାନଙ୍କ ମତରେ ପାପପୁଣ୍ୟର ଦଣ୍ଡ ଓ ତିରସ୍କାର ଭୋଗ କରିବା ସକାଶେ ସ୍ଵର୍ଗ ଓ ନରକ ନାମକ ବିଶେଷ ନିର୍ଦ୍ଦିଷ୍ଟ ସ୍ଥାନ ଅଛି । ସୁତରାଂ ସେମାନଙ୍କ ମତାନୁସାରେ ଯେ ପୁଣ୍ୟ କାର୍ଯ୍ୟ କଲା ସେ ସ୍ଵର୍ଗରେ ବାସ କରି ଅନନ୍ତ ସୁଖ ଭୋଗ କରିବ, ଯେ ପାପକାର୍ଯ୍ୟ କଲା ସେ ନରକରେ ବାସ କରି ଅନନ୍ତ ଯନ୍ତ୍ରଣା ଭୋଗ କରିବ । ଲୋକମାନଙ୍କର ସ୍ଵର୍ଗ-ନରକ-ସଂକ୍ରାନ୍ତ ଏହି ବିଶ୍ଵାସ କେତେଦୂର ସତ୍ୟପୂର୍ଣ୍ଣ–ଅଭ୍ରାନ୍ତ ବର୍ତ୍ତମାନ ଆଲୋଚନା କରିବା ପ୍ରୟୋଜନ ନାହିଁ । ସେମାନଙ୍କର ଉଲ୍ଲିଖିତ ବିଶ୍ଵାସ ଅଭ୍ରାନ୍ତ ବୋଲି ସ୍ଵୀକାର କଲେ ସୁଦ୍ଧା ମୁମୁକ୍ଷୁମାନଙ୍କର ଉପରୋକ୍ତ ପ୍ରଶ୍ନ ଅଗ୍ରାହ୍ୟ କରାଯାଇ ନ ପାରେ । ଯେଉଁମାନେ ପାପ କଲେ–ଅଥଚ ପାପମୁକ୍ତ ହେବାର ଚେଷ୍ଟା କଲେନାହିଁ, ସେମାନେ ନରକରେ ନିପତିତ ହେବେ, ହେଉନ୍ତୁ କିନ୍ତୁ ଯେଉଁମାନେ କଳୁଷିତ ଚିତ୍ତକୁ ପବିତ୍ର କରିବା ସକାଶେ,–ନିର୍ମଳାତ୍ମା ହେବା ସକାଶେ,–ପାପର ପ୍ରକୃତ ପ୍ରାୟଶ୍ଚିତ୍ତ, କରିବା ସକାଶେ ଆକାଂକ୍ଷିତ, ସେମାନଙ୍କର ଆକାଂକ୍ଷା ଅବଶ୍ୟ ପୂର୍ଣ୍ଣ ହେବ । ପୂର୍ଣ୍ଣ ହେବ ବୋଲି ପ୍ରଶ୍ନ କରୁଅଛୁ ଏହି ଆକାଂକ୍ଷା ପୂର୍ତ୍ତିର ଉପାୟ କ’ଣ ?

 

କେହି କେହି କହିପାରନ୍ତି “ପାପକାର୍ଯ୍ୟ କଲେ ତନ୍ନିମିତ୍ତ ଗୁରୁତର ଶାସ୍ତି ଅବଶ୍ୟ ଭୋଗ କରିବାକୁ ହେବ । ଏତଦ୍‍ବ୍ୟତୀତ ପାପମୁକ୍ତ ହେବାର କିଛି ମାତ୍ର ଉପାୟ ନାହିଁ ।” କିନ୍ତୁ ସେମାନଙ୍କର ଏ କଥାରେ ଆମ୍ଭମାନଙ୍କର ମନ ମାନିବ ନାହିଁ । ସ୍ଵୀକାର କଲୁ ପାପ କଲେ ଗୁରୁତର ଶାସ୍ତି ଭୋଗ କରିବାକୁ ହେବ, ନରକରେ ନିପତିତ ହେବାକୁ ହେବ, କିନ୍ତୁ

 

“ଦଣ୍ଡିବା ଶକ୍ତି ଯାର ଥାଇ,

ସେ ପୁଣି କ୍ଷମା ଆରଚଇ ।”

 

ଏହି ନୀତିବାକ୍ୟ ଅସ୍ଵୀକାର କରିପାରିବୁ ନାହିଁ । ଇହଲୋକରେ ମାନବମାନେ ଦୂଷ୍ୟକାର୍ଯ୍ୟ କରି ସ୍ଵାର୍ଥାନ୍ଧମାନବ ନିକଟରେ କ୍ଷମାଲାଭ କରୁଥିବା ସ୍ଥଳେ, ପାପୀ ଦୟାମୟ ପରମପିତାଙ୍କ ନିକଟରେ ପ୍ରାର୍ଥୀହୋଇ କ୍ଷମାଲାଭ କରିପାରିବ ନାହିଁ–ପାପମୁକ୍ତ ହୋଇପାରିବନାହିଁ ଏହା ନିତାନ୍ତ ଅଯୌକ୍ତିକ ଓ ଅଶ୍ରଦ୍ଧେୟ କଥା । ଯଦ୍ୟପି ସେମାନଙ୍କର କଥା ସତ୍ୟରୂପେ ଗ୍ରହଣ କରାଯାଏ ତେବେ ସ୍ଵୀକାର କରିବାକୁ ହେବ ଈଶ୍ଵରଙ୍କର ‘ପତିତପାବନ’ ନାମ ଧାରଣ ନିରର୍ଥକ, କିନ୍ତୁ ଆମ୍ଭେମାନେ ପ୍ରକୃତିରାଜ୍ୟରେ କ୍ଷମାର ସତସହସ୍ର ଦୃଷ୍ଟାନ୍ତ ଦର୍ଶନ କରୁଥିବା ସ୍ଥଳେ ସେମାନଙ୍କ ସହିତ ଏକମତ ହୋଇ ନ ପାରୁ । ପାପର ଶାସ୍ତି ଭୋଗ ବ୍ୟତୀତ ପାପମୁକ୍ତିର ଯେ କିଛି ପ୍ରକୃଷ୍ଟ ଉପାୟ ଅଛି ଏ ବିଷୟରେ ଆମ୍ଭମାନଙ୍କର କିଞ୍ଚିତ୍ ମାତ୍ର ସନ୍ଦେହ ନାହିଁ । ତେବେ ସେ ଉପାୟ କ’ଣ-? ସେ ଉପାୟ ଆଉ କିଛି ନୁହେଁ–ପାପର ଏକମାତ୍ର ପ୍ରକୃତ ପ୍ରାୟଶ୍ଚିତ୍ତ ଅନୁତାପ-। ଏହା ଆମ୍ଭମାନଙ୍କର ମନଗଢ଼ା କଥା ନୁହେଁ, ମହର୍ଷି ମନୁ କହିଯାଇ ଅଛନ୍ତି–

 

‘‘କୃତ୍ଵା ପାପ ହି ସନ୍ତପ୍ୟ ତସ୍ମାତ୍ ପାପାତ୍ ପ୍ରମୁଚ୍ୟତେ ।

ନୈବଂ କୁର୍ଯ୍ୟାଂ ପୃନତିର ନିବୃତ୍ତ୍ୟା ପୂୟତେତୁ ସଃ ।”

 

ଏହାର ଅର୍ଥ ଏହି ଯେ “ପାପ କରି ତନ୍ନିମିତ୍ତ ସନ୍ତାପ କଲେ ସେହି ପାପରୁ ସେ ମୁକ୍ତି ହୁଏ । ଏପରି କର୍ମ ଆଉ କରିବ ନାହିଁ ଏହି ପ୍ରତିଜ୍ଞା କରି ତହିଁରୁ ନିବୃତ୍ତ ହେଲେ ସେ ପବିତ୍ର ହୁଏ ।” ଆମ୍ଭମାନଙ୍କ ବିବେଚନାରେ ମହର୍ଷି ମନୁଙ୍କର ଏହି ପ୍ରାୟଶ୍ଚିତ୍ତ ଅବସ୍ଥା ଅତୀବ ସତ୍ୟପୂର୍ଣ୍ଣ ଏବଂ ସକଳଦେଶୀୟ ସକଳ ସମ୍ପ୍ରଦାୟର ମୁମୁକ୍ଷୁମାନଙ୍କ ମୁକ୍ତିଲାଭ ପକ୍ଷରେ ଅବ୍ୟର୍ଥ ମହୌଷଧିସ୍ଵରୂପ ।

 

“ପାପର ପ୍ରକୃତ ପ୍ରାୟଶ୍ଚିତ୍ତ ଅନୁତାପ ।” ଅନେକେ ଏହି ସିଦ୍ଧାନ୍ତ ଅସ୍ଵୀକାର କରନ୍ତି । ସେମାନେ କହନ୍ତି “ଅନୁତାପ ଯେବେ ପାପ ମୁକ୍ତିର ଉପାୟ ତେବେ ଆମ୍ଭମାନଙ୍କର ପାପ କାର୍ଯ୍ୟରୁ ବିରତ ହେବାର ପ୍ରୟୋଜନ ନାହିଁ । ପାପାଚରଣ ପରେ ଥରେ ଥରେ ଅନୁତାପ କଲେ ହେଲା ।” ଯେଉଁମାନେ ଅନୁତାପକୁ ସହଜବୋଧ କରନ୍ତି ସେମାନଙ୍କ ନିକଟରେ ଉପରୋକ୍ତ ଆପତ୍ତି ଯୁକ୍ତିଯୁକ୍ତ ଏବଂ ସାରବାନ୍ ବିବେଚିତ ହୋଇପାରେ କିନ୍ତୁ ଯେଉଁମାନେ ଅନୁତାପକୁ ଚିହ୍ନି ଅଛନ୍ତି ତହିଁର ଭୀଷଣତା, ତୀବ୍ରତା ଉପଲବ୍‍ଧି କରିଅଛନ୍ତି, ସେମାନଙ୍କ ନିକଟରେ ଉପରୋକ୍ତ ଆପତ୍ତିର ମୂଲ୍ୟ ଏକ କଡ଼ାରୁ ନ୍ୟୂନ । ସେପରି ବ୍ୟକ୍ତିଙ୍କ ନିକଟରେ ସେହି ଆପତ୍ତି ଯେ ନିତାନ୍ତ ଅସାର ବିବେଚିତ ହେବ ଏହା କହିବା ବାହୁଲ୍ୟ ମାତ୍ର । ବାସ୍ତବରେ ଅନୁତାପର ପ୍ରଭାବ ସାମାନ୍ୟ ନୁହେଁ, ଅନୁତାପ-ଜନିତ ଯନ୍ତ୍ରଣା ସହସ୍ର ବୃଶ୍ଚିକ ଦଂଶନ ଜନିତ ଯନ୍ତ୍ରଣା ବଳି ଭୟଙ୍କର । ମହାତ୍ମାମାନଙ୍କର ଜୀବନ ପ୍ରତି ଦୃଷ୍ଟି ନିକ୍ଷେପ କଲେ ଏଥିରେ ସତ୍ୟତା ସମ୍ବନ୍ଧରେ ଶତସହସ୍ର ଦୃଷ୍ଟାନ୍ତ ମିଳିପାରିବ । ଯେ ଲୋକ ଥରେ ସେହି ଅବ୍ୟକ୍ତ ଯନ୍ତ୍ରଣା ଭୋଗ କରିଅଛି ତା’ର ପାପପ୍ରବୃତ୍ତିର ପୁନରୁଦ୍ରେକ ହେବା ଅସମ୍ଭବ କଥା ।

 

ବର୍ତ୍ତମାନ କେହି କେହି କହିପାରନ୍ତି, “ଯେବେ ପାପର ପ୍ରକୃତ ପ୍ରାୟଶ୍ଚିତ୍ତ ଅନୁତାପ, ଏବଂ ଅନୁତାପର ଯନ୍ତ୍ରଣା ଅତି ଭୟାନକ, ପୁଣି ସେହି ଯନ୍ତ୍ରଣା ଚିରସ୍ଥାୟୀ ତେବେ ଦୃଶତା ପ୍ରାୟଶ୍ଚିତ୍ତର ପ୍ରୟୋଜନ ନାହିଁ । ‘ନରକ’ ନାମକ ଦୁଃଖଭୋଗର ସ୍ଥାନ ବିଶେଷ ଅଛି କି ନା ତହିଁର ସ୍ଥିରତା ନାହିଁ, ଥିଲେ ପାପର ଦଣ୍ଡ ଭୋଗ କରିବୁ, ନଥିଲେ ନିଷ୍କୃତି ଲାଭ କରିବୁ କିନ୍ତୁ ଆପାତତଃ ଅନିଶ୍ଚିତ ନରକ ଯନ୍ତ୍ରଣାର ଭୟରେ ପାପର ପ୍ରାୟଶ୍ଚିତ୍ତ କରିବାକୁ ଯାଇ ଚିରଜୀବନ ଅନନ୍ତ ଯନ୍ତ୍ରଣା ଭୋଗ କରିବା କେବେହେଁ ଉଚିତ ନୁହେଁ । ଯେଉଁମାନେ ଅନୁତାପ ଜନିତ ଭୀଷଣ ଯନ୍ତ୍ରଣା ଭୟରେ କାତର ହୋଇ ମୂର୍ଖଙ୍କ ପରି ଅସାର ଆପତ୍ତି ଉତ୍‍ଥାପନ କରନ୍ତି ସେମାନଙ୍କର ସ୍ଥିରଭାବରେ ବିବେଚନା କରିବା ଉଚିତ ଯେ ମାନବ ଜୀବନର ଉଦ୍ଦେଶ୍ୟ କି ? ଏକମାତ୍ର ଉଦ୍ଦେଶ୍ୟ, ପରମପିତାଙ୍କର ଆଜ୍ଞାପାଳନ–ତାଙ୍କର ପ୍ରିୟକାର୍ଯ୍ୟ ସାଧନ । ଉପକାରୀ ବ୍ୟକ୍ତି ନିକଟରେ କୃତଜ୍ଞ ରହିବା ଯେ ଉଚିତ ଏହା ସର୍ବବାଦୀସମ୍ମତ ସତ୍ୟକଥା । ଏଥିରେ ଅନ୍ୟଥାଚରଣ କଲେ ମାନବ କୃତଘ୍ନତା ଦୋଷରେ ଲିପ୍ତ ହୁଏ । ଯେଉଁ ପରମପିତା ସଯତ୍ନରେ ଆମ୍ଭମାନଙ୍କୁ ରକ୍ଷା କରୁଅଛନ୍ତି, ଯେ ଆମ୍ଭମାନଙ୍କର ପୀଡ଼ା ନିବାରଣ ନିମନ୍ତେ ଔଷଧ, ତୃଷା ନିବାରଣ ନିମନ୍ତେ ଜଳ, ଶୀତ ନିବାରଣ ନିମନ୍ତେ ଉତ୍ତାପ, କ୍ଷୁଧା ନିବାରଣ ନିମନ୍ତେ ଅନ୍ନ ସୃଷ୍ଟି କରିଅଛନ୍ତି ତାଙ୍କ ନିକଟରେ ଅକୃତଜ୍ଞ ହେବା, ତାଙ୍କର ଅପ୍ରିୟ କାର୍ଯ୍ୟ କରିବା କି ଆମ୍ଭମାନଙ୍କର ଉଚିତ କାର୍ଯ୍ୟ ? କଦାପି ନୁହେଁ, କିନ୍ତୁ ଆମ୍ଭେମାନେ ବିବେକକୁ ସ୍ଵାର୍ଥ ନିକଟରେ ବଳିଦେଇ ଆପାତ ମଧୁର ବିଷୟାନୁରାଗରେ ମୁଗ୍ଧ ହୋଇ ପରମପିତାଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରି କର୍ତ୍ତବ୍ୟଭ୍ରଷ୍ଟ ହେଉଅଛୁ । ଅହୋ ! ଆମ୍ଭେମାନେ କି ବିଷଭ୍ରମରେ ପତିତ ହୋଇଅଛୁ । ଆମ୍ଭେମାନେ ଯେବେ ପାପ ପ୍ରତି ଘୃଣା ପ୍ରଦର୍ଶନ ନ କରୁ–ପାପମୁକ୍ତ ହେବାର ଚେଷ୍ଟା ନକରୁ, ତେବେ ଆମ୍ଭମାନଙ୍କର ଜୀବନଧାରଣ ବୃଥା, ଆମ୍ଭେମାନେ ପାପର ପ୍ରଲୋଭନରେ ମୁଗ୍ଧ ହୋଇ ଯାହାକୁ ପ୍ରକୃତ ସୁଖ ମନେ କରିଅଛୁ ତାହା ପ୍ରକୃତ ସୁଖନୁହେଁ-। ପ୍ରକୃତ ସୁଖର ଦ୍ଵାର ପାପୀମାନଙ୍କ ସକାଶେ ଚିରରୁଦ୍ଧ । ପ୍ରକୃତ ସୁଖଲାଭ ସକାଶେ, ପଶୁତ୍ଵ ପରିବର୍ତ୍ତେ ଦେବତ୍ଵ ଲାଭ ସକାଶେ, ଉପକାରୀ ନିକଟରେ କୃତଜ୍ଞ ରହିବା ଅବଶ୍ୟ କର୍ତ୍ତବ୍ୟଥିବା ଜ୍ଞାନରେ ପାପପଥ ପରିତ୍ୟାଗ କରି ପୁଣ୍ୟମାର୍ଗରେ ଅଗ୍ରସର ହେବା ପ୍ରତ୍ୟେକ ବ୍ୟକ୍ତିର ଏକାନ୍ତ କର୍ତ୍ତବ୍ୟ । କିନ୍ତୁ ପାପର ଭୀଷଣତା ଉପଲବ୍‍ଧି କରି ନ ପାରିଲେ ପୁଣ୍ୟମାର୍ଗରେ ଅଗ୍ରସର ହେବାର ଅନ୍ୟ ଉପାୟ ନାହିଁ । କିନ୍ତୁ ପାପର ଭୀଷଣତା ଉପଲବ୍‍ଧି ସକାଶେ ପାପ ପ୍ରତି ଘୃଣା ଉଦ୍ରେକ କରଣାର୍ଥେ ଏବଂ ପାପବୋଧର ପ୍ରବଳତା ନିମନ୍ତେ ଆମ୍ଭମାନଙ୍କୁ ଆତ୍ମଦୋଷଦର୍ଶୀ ହେବାକୁ ହେବ–ଅତୀତ ପାପରାଶି ସ୍ମରଣ କରି ତନ୍ନିମିତ୍ତ ଅନୁତପ୍ତ ହେବାକୁ ହେବ । ଏକଥା ସତ୍ୟ ଯେ ପାପବୋଧର ପ୍ରବଳତା ସଙ୍ଗେ ସଙ୍ଗେ ଅନୁତାପର ତୀବ୍ରତା ବୃଦ୍ଧି ଲାଭ କରିବ । ଏହା ବୋଲି ପ୍ରାୟଶ୍ଚିତ୍ତରୁ କ୍ଷାନ୍ତ ହେବା ଉଚିତ ନୁହେଁ । ପୂର୍ବ ପାପ ସ୍ମରଣ କଲେ ତନ୍ନିମିତ୍ତ ସଂତପ୍ତ ହେଲେ କେବଳ କଷ୍ଟଭୋଗ ହେବ, କିଛି ମାତ୍ର ଆନନ୍ଦ ଲାଭ ହେବନାହିଁ ଏହା ଭ୍ରମ ବିଶ୍ଵାସ । ପାପ ସ୍ମରଣ କଲେ ଯେପରି ଅନିର୍ବଚନୀୟ କଷ୍ଟ ହୁଏ ପାପକୁ ଚିହ୍ନିପାରି ତହିଁରୁ ବିରତ ହୋଇଥିବାର ସ୍ମରଣ କଲେ ତତୋଽଧିକ ଆନନ୍ଦ ଲାଭ ହୁଏ । ପରିଶେଷରେ ସେହି ଆନନ୍ଦ କଷ୍ଟକୁ ବିନାଶ କରି ସ୍ଵୟଂ କ୍ରମଶଃ ଉନ୍ନତ, ବର୍ଦ୍ଧିତ ଏବଂ ଘନୀଭୂତ ହୁଏ । ତେତେବେଳେ ମାନବାତ୍ମା ଦୁଃଖ କ୍ଳେଶର ଅସ୍ତିତ୍ଵ ବିସ୍ତୃତ ହୋଇ ଆନନ୍ଦ ସାଗରରେ ମଗ୍ନ ହୁଏ । ଅତଏବ ଅନୁତାପ ଜନିତ କଷ୍ଟ ଭୟରେ ଅମୃତୋପମ ଆନନ୍ଦ ଭୋଗରୁ ବଞ୍ଚିତ ହେବା ବିଧେୟ ନୁହେଁ ।

 

ଉପସଂହାରରେ ନିବେଦନ କରୁଅଛୁ ଯେ ଯେଉଁମାନେ ମାନବଜୀବନ ସଫଳ କରିବା, ଦେବଦୁର୍ଲଭ ଅଖଣ୍ଡ ଆନନ୍ଦ ଉପଭୋଗ କରିବାର ଇଚ୍ଛା କରନ୍ତି, ସେମାନେ ପରର ଗୁଣ, ନିଜର ଦୋଷ ଅନ୍ଵେଷଣ କାର୍ଯ୍ୟରେ ଦତ୍ତମନା ହେଉନ୍ତୁ–ନିଜ ନିଜର ଅନୁଷ୍ଠିତ ଅତୀତ ପାପରାଶି ସ୍ମରଣ କରି ଲଜ୍ଜିତ ଏବଂ ଅନୁତପ୍ତ ହେଉନ୍ତୁ, ପାପକୁ ଭୀଷଣ ବିଷଧର କରି ଜ୍ଞାନ କରି ପାପାଚରଣରୁ ନିବୃତ୍ତ ହେଉନ୍ତୁ, ତାହାହେଲେ ସେମାନେ ପ୍ରକୃତ ସୁଖ ଶାନ୍ତି ଲାଭ କରି ପରିଶେଷରେ ପରମପିତାଙ୍କ ଅମୃତମୟ କ୍ରୋଡ଼ରେ ଆଶ୍ରୟ ଲାଭ କରିପାରିବେ ।

Image

 

ସମାଲୋଚନା

କୃଷ୍ଣପ୍ରସାଦ ଚୌଧୁରୀ

 

ମନୁଷ୍ୟ ଯାହା ଦେଖେ ବା ଶୁଣେ ତାହାକୁ ଠିକ୍ ସେହିପରି ଗ୍ରହଣ କରିବାକୁ ରାଜି ହୁଏନାହିଁ । ସେ ପ୍ରଥମେ ତହିଁର ଦୋଷ–ଗୁଣ ବିଚାର କରି ଦେଖେ, ପରେ ତାହାର ଯାହା ଗ୍ରହଣୀୟ କେବଳ ତାହା ଗ୍ରହଣ କରେ । ମନୁଷ୍ୟର ଏହି ପ୍ରବୃତ୍ତିକୁ ଆମ୍ଭେମାନେ ତାହାର ସମାଲୋଚନା-ପ୍ରବୃତ୍ତି ଆଖ୍ୟା ଦେଇପାରୁ ।

 

କୌଣସି ବିଷୟର ସମାଲୋଚନା କରିବା ବଡ଼ ସହଜବ୍ୟାପାର ନୁହେଁ । ସର୍ବପ୍ରଥମେ, ଯେଉଁ ବିଷୟରେ ସମାଲୋଚନା କରିବାକୁ ହେବ ସେ ବିଷୟରେ ସମାଲୋଚକର ଅଗାଧ ପାଣ୍ଡିତ୍ୟ ଏବଂ ବିଷୟ-ଜ୍ଞାନ ଥିବା ଆବଶ୍ୟକ, ନଚେତ କୌଣସି ବିଷୟକୁ ସମାଲୋଚନା କରିବାକୁ ଚେଷ୍ଟା କରିବା ବିଡ଼ମ୍ବନା ମାତ୍ର । ମୁଁ ଇଂରାଜୀ ସମାଜ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅନଭିଜ୍ଞ ବା ଅଳ୍ପ ଅଭିଜ୍ଞ, କିନ୍ତୁ ମୁଁ, ଉକ୍ତ ସମାଜ ସମ୍ବନ୍ଧରେ ଦୀର୍ଘ ସମାଲୋଚନା କରିବାକୁ ପ୍ରୟାସୀ ! ମୁଁ ବାତୁଳ ନୁହେଁ ତ ଆଉ କ’ଣ ? ବିଷୟଟିକୁ ଚତୁର୍ଦ୍ଦିଗରୁ ସମ୍ୟକରୂପେ ଦେଖିବାର ଶକ୍ତି ନଥିଲେ ତାହାର ସମାଲୋଚନାରେ ପ୍ରବୃତ୍ତ ହେବା ନିତାନ୍ତ ଅବିବେକର କାର୍ଯ୍ୟ ।

 

ସମାଲୋଚକର ଆସନ ଅତି ପବିତ୍ର ଓ ଅତି ଉଚ୍ଚରେ ଅବସ୍ଥିତ । ସେଠାରେ ଆତ୍ମପର ବା ଭେଦାଭେଦ ଜ୍ଞାନ ନାହିଁ । ସମସ୍ତେ ସମାନ । କାହାର ଭ୍ରୂଭଙ୍ଗି ବା ମଧୁର ବଚନରେ ତାହାଙ୍କର ବିଚଳିତ ହେବା ବାଞ୍ଛନୀୟ ନୁହେଁ । ତାହାଙ୍କୁ ଭୀଷ୍ମ ପରି ଦୃଢ଼ପ୍ରତିଜ୍ଞ ହୋଇ ଅଚଳ ଅଟଳ ଭାବରେ ଆପଣାର ସ୍ଵର୍ଗୀୟ ରତ୍ନସିଂହାସନରେ ଅଧିଷ୍ଠିତ ଥାଇ ତୁଳାଦଣ୍ଡରେ ବିଚାର କାର୍ଯ୍ୟ ନିଷ୍ପନ୍ନ କରିବାକୁ ହେବ । ତିଳେମାତ୍ର ଏଣେତେଣେ ହେଲେ ଚଳିବ ନାହିଁ । ନିରପେକ୍ଷତା ସମାଲୋଚକର ଏକମାତ୍ର ମୂଳମନ୍ତ୍ର ହେବା ଆବଶ୍ୟକ । ଚକ୍ଷୁଲଜ୍ଜା ପରିତ୍ୟାଗ କରିନପାରିଲେ ସମାଲୋଚକର ଉଚ୍ଚ ଆସନରେ ବସିବାକୁ ପ୍ରୟାସୀ ହେବା ଘୋର ବିଡ଼ମ୍ବନାର କାର୍ଯ୍ୟ । ତୋଷାମଦ, କାକୁତି ମିନତି, ଉପରୋଧ ଅନୁରୋଧ ପ୍ରଭୃତି ସମାଲୋଚକର ଘୋର ଶତ୍ରୁ ସେମାନଙ୍କୁ ନିରନ୍ତର ଦୂରରୁ ଜୁହାର କରିବା ବିଧେୟ । ନଚେତ ନିରପେକ୍ଷ ସମାଲୋଚନା ଏକାବେଳକେ ଅସମ୍ଭବ ।

 

ସଭ୍ୟତାର ବୃଦ୍ଧି ସଙ୍ଗେ ସଙ୍ଗେ ମନୁଷ୍ୟର ସମାଲୋଚନା ପ୍ରବୃତ୍ତି ବୃଦ୍ଧି ଲଭୁଅଛି । କେବଳ ବୃଦ୍ଧି ଲଭୁଅଛି ତାହା ନୁହେଁ । ମନୁଷ୍ୟ ଦିନକୁଦିନ କ୍ଷୁଦ୍ର କ୍ଷୁଦ୍ର ବିଷୟ ପରିତ୍ୟାଗ କରି ଉଚ୍ଚ ଉଚ୍ଚ ଓ ମାନବ ସମାଜର ମଙ୍ଗଳଜନକ ବିଷୟମାନଙ୍କର ସମାଲୋଚନାରେ ପ୍ରବୃତ୍ତ ହେବାକୁ ଶିକ୍ଷା କରୁଅଛି । ମାନବ ସଭ୍ୟତାର ଇତିହାସ ପାଠକଲେ ଏହି ଉକ୍ତିଟି ସୁସ୍ପଷ୍ଟ ବୁଝାଯିବ । ସଭ୍ୟତାର ପ୍ରଥମ ସ୍ତରରେ ମନୁଷ୍ୟ କ୍ଷୁଦ୍ର ଓ ନୀଚ ବିଷୟମାନଙ୍କର ଆଲୋଚନାରେ ପ୍ରବୃତ୍ତ ଥାଏ । ମାତ୍ର ଯେତେ ସେ ସଭ୍ୟତାର ଆଲୋକକୁ ଆନୀତ ହୁଏ–ମାନବ ଜୀବନର ଉଚ୍ଚାକାଂକ୍ଷାମାନ ଯେତେ ତାହାର ପ୍ରାଣରେ ଜାଗରୂକ ହୁଏ–ସେ ସେତେ ଉପରକୁ ଉଠିବାକୁ ଚେଷ୍ଟା କରେ । ଇଉରୋପୀୟ ଜାତିମାନଙ୍କର ଏହି ମାର୍ଜିତ ସମାଲୋଚନା ପ୍ରବୃତ୍ତି ପାଶ୍ଚାତ୍ୟ ସାହିତ୍ୟକୁ କେତେ ଉଚ୍ଚସ୍ତରରେ ଅବସ୍ଥାପିତ କରିଅଛି ତାହା ସେମାନଙ୍କର ସାହିତ୍ୟ ଆଲୋଚନା କଲେ ଜଣାଯିବ । ପ୍ରତ୍ୟେକ ବିଷୟରେ ସମାଲୋଚନା–ସମାଲୋଚନା ବ୍ୟତୀତ କୌଣସି ବିଷୟ ଗ୍ରହଣୀୟ ବା ଅନୁମୋଦନୀୟ ନୁହେଁ, କି ସମାଜ, କି ଧର୍ମ, କି ରାଜନୀତି କି ବାଣିଜ୍ୟ ବ୍ୟବସାୟ, କି କ୍ରୀଡ଼ାକୌତୁକ ପ୍ରତ୍ୟେକ ବିଭାଗରେହିଁ ସମାଲୋଚନା । ନିର୍ବିଚାରରେ କୌଣସି ମତ ବା ନୀତି ସମାଜ ମଧ୍ୟରେ ତିଷ୍ଠିପାରେ ନାହିଁ । ଅନୁକ୍ଷଣ କେବଳ ଅସାରରେ ବର୍ଜନ ଓ ସାର ପଦାର୍ଥର ପରିଗ୍ରହଣ କାର୍ଯ୍ୟ ଚାଲିଅଛି । ଆମ୍ଭମାନଙ୍କ ଦେଶର ଯେ ଏତେ ଦୁରବସ୍ଥା ତାହାର କାରଣ ଆଉ କିଛିନୁହେଁ–କେବଳ ଆମ୍ଭମାନଙ୍କ ପ୍ରାଣରେ ସମାଲୋଚନା ସ୍ପୃହାର ଅଭାବ-ଭଲ-ମନ୍ଦ ମଙ୍ଗଳ ଅମଙ୍ଗଳ ବିଚାର ସ୍ପୃହାର ଅଭାବ ।

 

ଅତି ଶୈଶବାବସ୍ଥାରୁହିଁ ମନୁଷ୍ୟ ସମାଲୋଚନାର ପକ୍ଷପାତୀ । ଏଉଟା ନେବି, ସେଇଟା ନେବି ନାହିଁ, ଏହା ଖାଇବି, ତାହା ଖାଇବି ନାହିଁ, ଏହା କରିବି ତାହା କରିବି ନାହିଁ ପ୍ରଭୃତି ଶିଶୁମାନଙ୍କର ଇତ୍ୟାକାର ସମାଲୋଚନା ଶୁଣିଲେ ହାସ୍ୟ ସମ୍ବରଣ କରି ହୁଏନାହିଁ । ପୁଣି ଆମ୍ଭମାନଙ୍କ ଦେଶର ଅନ୍ତଃପୁର ନିବଦ୍ଧା, ଅଜ୍ଞାନାନ୍ଧକାରମଗ୍ନା ସ୍ତ୍ରୀଲୋକମାନଙ୍କର ନାନା ବିଷୟକ ସମାଲୋଚନା ଶୁଣିଲେ ସମାଲୋଚନାବୃତ୍ତି ମନୁଷ୍ୟର କେତେ ପ୍ରବଳ ତାହା ସହଜରେ ଉପଲବ୍‍ଧି ହୁଏ । ସଭ୍ୟସମାଜରେ ଏହି ସମାଲୋଚନା କାର୍ଯ୍ୟ ନାନା ଉପାୟରେ ସାଧିତ ହୁଏ । ତନ୍ମଧ୍ୟରୁ ପ୍ରଧାନ କେତୋଟି ଆମ୍ଭେମାନେ ଏଠାରେ ବିବୃତ କରିବୁ ।

 

ସମାଲୋଚନାର ପ୍ରଥମ ଉପାୟ ସଭାସମିତି, ଦ୍ଵିତୀୟ ଉପାୟ ବକ୍ତୃତା, ତୃତୀୟ ସମ୍ବାଦପତ୍ର ଏବଂ ଚତୁର୍ଥ ପୁସ୍ତକାଦି । ଆମ୍ଭେମାନେ କ୍ରମେ କ୍ରମେ ସେମାନଙ୍କର ଉପଦେୟତା ପ୍ରତିପନ୍ନ କରିବାକୁ ଚେଷ୍ଟା କରିବୁ ।

 

ସଭାସମିତିଦ୍ଵାରା ସମାଜର ଅଶେଷ କଲ୍ୟାଣ ସଂସାଧିତ ହୁଏ । ସାମାଜିକ ରୀତିନୀତି, ଆଚାର ବ୍ୟବହାର, ଧର୍ମ, ରାଜନୀତି, ସାହିତ୍ୟ ପ୍ରଭୃତି ସକଳ ପ୍ରକାର ବିଷୟ ସଭାସମିତିମାନଙ୍କରେ ଆଲୋଚିତ ହୋଇଥାଏ ଏବଂ ସେହି ଆଲୋଚନାରେ ଯାହା ସର୍ବବାଦୀସମ୍ମତ କ୍ରମେ ଅନୁମୋଦିତ ହୁଏ ତାହା ଗ୍ରହଣ କଲେ ଉତ୍ତରୋତ୍ତର ସମାଜର ମଙ୍ଗଳ ସାଧିତ ହେଉଥାଏ । କୌଣସି କୁରୀତି ବା କୁସଂସ୍କାର ସମାଜରେ ପ୍ରାବଲ୍ୟ ଲାଭ କଲେ ସଭ୍ୟଦେଶୀୟ ଲୋକେ ସମାଜବଦ୍ଧ ହୋଇ ଉପଯୁକ୍ତ ଆଲୋଚନା ଉତ୍ତାରେ ତାହାର ଉଚ୍ଛେଦ ସାଧନ କରି ତତ୍‌ପରିବର୍ତ୍ତରେ ସୁନୀତି ଓ ସୁସଂସ୍କାର ପ୍ରବର୍ତ୍ତନ କରନ୍ତି । ତଦ୍ଦ୍ଵାରା ଲୋକଶିକ୍ଷାର ମଧ୍ୟ ଯେ ପ୍ରଭୂତ ସହାୟତା କରାହୁଏ, ତାହା ବୋଲିବା ବାହୁଲ୍ୟ ।

 

ସୁବକ୍ତାମାନେ ଆପଣା ଆପଣାର ଓଜସ୍ଵିନୀ ବକ୍ତୃତାଦ୍ଵାରା ଅସଂଖ୍ୟ ଶ୍ରୋତୃମଣ୍ଡଳିର ହୃଦୟରେ ଅଗ୍ନି ଜାଳି ଦିଅନ୍ତି । ସେମାନେ ଆପଣା ଆପଣାର ବକ୍ତୃତାର ବିଷୟମାନଙ୍କୁ ଏ ପ୍ରକାର ନୈପୁଣ୍ୟ ସହକାରେ ସରଳ ଅଥଚ ତେଜୋମୟ ଭାଷାରେ ବିଶ୍ଳେଷଣ କରି ବୁଝାଇ ଦିଅନ୍ତି ଯେ ଶ୍ରୋତୃମଣ୍ଡଳି ସେମାନଙ୍କର ପ୍ରତିପାଦିତ ମତ ଗ୍ରହଣ ନ କରି ରହିପାରନ୍ତି ନାହିଁ । ପୁଣି ଏହି ବକ୍ତୃତାଦିଦ୍ଵାରା ଯେତେ ଅଧିକ ଫଳ ଲାଭ ହୁଏ ଏମନ୍ତ ଆଉ କୌଣସି ଉପାୟଦ୍ଵାରା ଲାଭ ହୁଏନାହିଁ । ଅଧିକନ୍ତୁ ଅଶିକ୍ଷିତ ବା ଅଳ୍ପଶିକ୍ଷିତ ଲୋକମାନଙ୍କର ଏତଦ୍ଦ୍ଵାରା ପ୍ରଭୂତ ଉନ୍ନତି ସାଧିତ ହୁଏ । ପାଶ୍ଚାତ୍ୟଦେଶମାନଙ୍କରେ ଅଶିକ୍ଷିତ ଲୋକମାନଙ୍କୁ ଏକତ୍ର କରି ସେମାନଙ୍କ ସମ୍ମୁଖରେ ନାନା ବିଷୟ ସମାଲୋଚନା କରି ଦେଖାଇ ଦେବାର ରୀତି ପ୍ରଚଳିତ ଅଛି ।

 

ସମାଲୋଚନା ସମ୍ବାଦପତ୍ରର ପ୍ରଧାନ ଅଙ୍ଗ । ସମାଲୋଚନା ବ୍ୟତୀତ ସମ୍ବାଦପତ୍ର ଅସମ୍ପୂର୍ଣ୍ଣ । ସମାଜ, ନୀତି, ଧର୍ମ ପ୍ରଭୃତି ସକଳ ବିଷୟର ସମାଲୋଚନାରେ ସମ୍ବାଦପତ୍ରର ତୁଲ୍ୟ ଅଧିକାର ଅଛି, ସମାଜରେ ସନୀତିର ପ୍ରଚଳନ ସଧର୍ମସ୍ଥାପନ ସମ୍ବାଦପତ୍ରର ପ୍ରଧାନ କାର୍ଯ୍ୟ । ଯେଉଁ ସମ୍ବାଦପତ୍ର ତାହା କରେନାହିଁ ତାହା ଆଦୌ ତନ୍ନାମର ଯୋଗ୍ୟ ନୁହେଁ । ସଭ୍ୟ ଦେଶମାନଙ୍କରେ ପ୍ରତିଦିନ, ପ୍ରତି ସପ୍ତାହ, ପ୍ରତିପକ୍ଷ, ପ୍ରତି ମାସରେ ନିୟମିତରୂପେ ରାଶି ରାଶି ସମ୍ବାଦପତ୍ରିକାମାନ ପ୍ରଚାରିତ ହୋଇ ନିରନ୍ତର ସମାଲୋଚନା କାର୍ଯ୍ୟରେ ପ୍ରବୃତ୍ତ ଅଛନ୍ତି । ସମସ୍ତ ପ୍ରକାର ସମ୍ବାଦପତ୍ରମାନଙ୍କ ମଧ୍ୟରେ ମାସିକ ତ୍ରୈମାସିକ ପ୍ରଭୃତି ପତ୍ରିକାମାନଙ୍କରେ ସମାଲୋଚନା କାର୍ଯ୍ୟ ସୁଚାରୁରୂପେ ନିର୍ବାହିତ ହୁଏ । ସ୍ଥାନ ଓ ସମୟରେ ଆଧିକ୍ୟ ହେତୁ ଚିନ୍ତାଶୀଳ ଲେଖକମାନେ ଗବେଷଣା ପୂର୍ଣ୍ଣ ସମାଲୋଚନମାନ ଲେଖି ଉକ୍ତ ପତ୍ରିକାମାନଙ୍କରେ ପ୍ରକାଶ କରନ୍ତି ଏବଂ ସେହିସବୁ ସମାଲୋଚନା ପାଠ କରି ଲୋକେ ଉପକୃତ ହୁଅନ୍ତି । ଏ ସମ୍ବନ୍ଧରେ ଅଧିକ ବୁଝାଇବା ନିଷ୍ପ୍ରୟୋଜନ । ଇଂରାଜୀ ଶିକ୍ଷା ବିସ୍ତାର ସଙ୍ଗେ ସଙ୍ଗେ ଆମ୍ଭମାନଙ୍କ ଦେଶର ଲୋକେ ସମ୍ବାଦପତ୍ରର ଉପଯୋଗିତା ଉପଲବ୍‍ଧି କରିପାରୁ ଅଛନ୍ତି । ଆମ୍ଭମାନଙ୍କ ଦେଶରେ ପ୍ରଥମଶ୍ରେଣୀର ସମ୍ବାଦପତ୍ରର ସଂଖ୍ୟା ଯେତେ ବୃଦ୍ଧି ହେବ, ଆମ୍ଭମାନଙ୍କର ତେତେ ମଙ୍ଗଳସାଧିତ ହେବ ।

 

ସମାଲୋଚନା ପ୍ରବୃତ୍ତି ଯେତେ ବୃଦ୍ଧି ଲଭୁଥିବ ସାହିତ୍ୟର ଉନ୍ନତି ତେତେ ଅଗ୍ରସର ହେଉଥିବ । ଆଜିକାଲି ସଭ୍ୟଦେଶମାନଙ୍କରେ ଯେଉଁ ରାଶି ରାଶି ପୁସ୍ତକପୁସ୍ତିକାମାନ ପ୍ରକାଶିତ ହେଉଅଛି ତାହାର କାରଣ ଅନୁସନ୍ଧାନ କଲେ ଜଣାଯିବ ଯେ ତଦ୍ଦେଶୀୟ ନରନାରୀମାନଙ୍କ ହୃଦୟରେ ସମାଲୋଚନ ପ୍ରବୃତ୍ତିକ୍ରମଶଃ ବୃଦ୍ଧି ଲାଭ କରୁଅଛି । ଅବଶ୍ୟ ସମସ୍ତ ପୁସ୍ତକ ଯେ ଉଚ୍ଚଶ୍ରେଣୀର ପୁସ୍ତକ ଆମ୍ଭେମାନେ ତାହା କହୁନାହୁଁ । ତଥାପି ଏହା ଠିକ୍ କଥା ଯେ, ଯେଉଁ ସାହିତ୍ୟଭଣ୍ଡାର ଯେତେ ଅଧିକ ସଦ୍‌ଗ୍ରନ୍ଥରେ ପୂର୍ଣ୍ଣ ସେହି ସାହିତ୍ୟ ସେତିକି ପରିମାଣରେ ଉନ୍ନତ । କେବଳ ପୁସ୍ତକର ସଂଖ୍ୟା ବୃଦ୍ଧି ହେଲେ କିଛି ହେବନାହିଁ । କେଉଁ ପୁସ୍ତକ କି ପରିମାଣରେ ସମାଜ ବା ସାହିତ୍ୟର ଉପଯୋଗୀ ତାହା ସମ୍ୟକରୂପେ ଆଲୋଚିତ ହେବା ଆବଶ୍ୟକ । ସେହିହେତୁରୁ ଦେଖାଯାଏ ସଭ୍ୟଦେଶର ସାହିତ୍ୟଭଣ୍ଡାର ଏହିପରି ସମାଲୋଚନ ପୁସ୍ତକମାନଙ୍କରେ ପରିପୂର୍ଣ୍ଣ । ଫଳକଥା, ମୂଳଗ୍ରନ୍ଥମାନଙ୍କଠାରୁ ଏହି ଶ୍ରେଣୀର ପୁସ୍ତକମାନଙ୍କ ଦ୍ଵାରା ବିଶେଷ ଉପକାର ସାଧିତ ହୁଏ । ଏହି ଶ୍ରେଣୀର ପୁସ୍ତକମାନ ସାହିତ୍ୟଭଣ୍ଡାରର କଷ୍ଟୀପଥରସ୍ୱରୂପ ।

 

ଉଚ୍ଚଶ୍ରେଣୀର ଲେଖକମାନେ ସର୍ବଦା ନିରପେକ୍ଷ ସମାଲୋଚନାର ପକ୍ଷପାତୀ । ସେମାନଙ୍କ ପ୍ରାଣର ଆକାଂକ୍ଷା ଯେ ସେମାନଙ୍କର ପୁସ୍ତକମାନ ନିରପେକ୍ଷ ଓ ସରଳଭାବରେ ସମାଲୋଚିତ ହେଉ । ସେମାନେ କଦାପି ସମାଲୋଚକର ଅପ୍ରିୟ ମନ୍ତବ୍ୟରେ ରୁଷ୍ଟ ହୁଅନ୍ତିନାହିଁ । ପରନ୍ତୁ ନ୍ୟାୟାନୁମୋଦିତ ସମାଲୋଚନଦ୍ଵାରା ବିଶେଷରୂପେ ଉପକୃତ ହୁଅନ୍ତି । ସେମାନେ ବୁଝିପାରନ୍ତି ଯେ ସେମାନଙ୍କର ପୁସ୍ତକର ପ୍ରକୃତ ମୂଲ୍ୟ କେତେ ଏବଂ ତାହା ସାହିତ୍ୟ ଭଣ୍ଡାରରେ ସ୍ଥାୟୀ ହୋଇ ରହିବାର କେତେଦୂର ଉପଯୋଗୀ ।

Image

 

ପୁରାତନ

ବିଶ୍ଵନାଥ କର

 

ପୁରାତନ ସ୍ମୃତି ଅନେକ ସମୟରେ ସୁଖବିଧାୟକ, ଅନେକ ସମୟରେ ଉନ୍ନତିର ସୋପାନ । ମନୁଷ୍ୟ ଯେତେବେଳେ ଅତୀତ ଜୀବନର କୌଣସି ଗୌରବାନ୍ଵିତ କାର୍ଯ୍ୟର କଥା ସ୍ମରଣ କରେ ତାହାର ପ୍ରାଣରେ ସ୍ଵଭାବତଃ ଆଶା ଓ ଉତ୍ସାହ ଜାତ ହୁଏ । ପୂର୍ବଲବ୍‍ଧି ଜୟବୃତ୍ତାନ୍ତ ସ୍ମରଣ କରି ବୀରହୃଦୟ ଦ୍ଵିଗୁଣ ଉତ୍ସାହ ସହକାରେ ସଂଗ୍ରାମରେ ପ୍ରବୃତ୍ତ ହୁଏ । ପୂର୍ବପୁରୁଷର ଗୌରବ ଚିନ୍ତା କଲେ ମନୁଷ୍ୟ ମହତ୍ତ୍ଵ ଲାଭ କରିବାପାଇଁ ଉତ୍କଣ୍ଠିତ ହୁଏ । ପୁରାତନ ଆଲୋଚନାଦ୍ଵାରା ଆଉ ଗୋଟିଏ ଲାଭ ଏହି ଯେ, ଆମ୍ଭେମାନେ ସେଥିରୁ ଯାହା ସାର ବା ସତ୍ୟ ଲାଭ କରୁ ତାହାକୁ ସମ୍ବଳ କରି ଉନ୍ନତି ପଥରେ ଅଗ୍ରସର ହୋଇପାରୁ । ମନୁଷ୍ୟ ଜୀବନରେ ପୁରାତନର କାର୍ଯ୍ୟ ଏତିକି–ଭଗ୍ନ ଗୃହର ଦୃଢ଼ ଇଷ୍ଟକଖଣ୍ଡ ସଂଗ୍ରହ କରି ଆମ୍ଭେମାନେ ନୂତନ ଗୃହରେ ଲଗାଇପାରୁ । ଏଥିରେ ଅଧିକ ଆମ୍ଭମାନଙ୍କର ବୁଦ୍ଧିର ଅଗୋଚର ।

 

ବର୍ତ୍ତମାନର ମନୁଷ୍ୟ ଅତୀତର ସକଳ ସମ୍ପଦର ଅଧିକାରୀ, ସେ ସେଗୁଡ଼ିକ କାରବାର କରିବ ଏବଂ ଭବିଷ୍ୟତ୍ ବଂଶପାଇଁ କିଛି ଅଧିକ ସଞ୍ଚୟ କରି ରଖିଯିବ । ଆମ୍ଭେମାନେ ଆଜି ଯେଉଁସବୁ ସୁଖସମ୍ପଦ ଓ ଜ୍ଞାନଧର୍ମର ଅଧିକାରୀ ହୋଇଅଛୁ, ତାହା ସମୁଦାୟ ଅତୀତ ବଂଶର ପରିଶ୍ରମ ଓ ଚିନ୍ତାର ଫଳ, ବର୍ତ୍ତମାନ ସଭ୍ୟତା ବା ଉନ୍ନତି ରାଶି ରାଶି ନରକଙ୍କାଳ ଓ ଶୋଣିତଦ୍ଵାରା ଗଠିତ ହୋଇଅଛି । କେଉଁଠାରେ କେଉଁ ଅସ୍ଥିଖଣ୍ଡ ସଂଯୋଜିତ ହୋଇଅଛି, ତାହା ନିରୂପଣ କରିବା ଅସାଧ୍ୟ, କିନ୍ତୁ କୌଣସି ଖଣ୍ଡ ନିଷ୍ପ୍ରୟୋଜନ ନୁହେଁ । ଅର୍ଥାତ୍ ତନ୍ମଧ୍ୟରୁ ଖଣ୍ଡିଏ ସୁଦ୍ଧା ବାଦ ଦେଇହବ ନାହିଁ । ଏ ହିସାବରେ ଆମ୍ଭେମାନେ ଦେଶୀ ବିଦେଶୀ ଅର୍ଥ ବୁଝିପାରୁନାହୁଁ । ସମଗ୍ର ମାନବ ଜାତି ଏକ, ଅଖଣ୍ଡ–ଏ ସଭ୍ୟତାର ଗୃହ ସମସ୍ତଙ୍କ ପାଇଁ ନିର୍ମିତ ହେଉଅଛି; ଆଜି, ଯେଉଁମାନେ ଏହାର ବହିର୍ଦେଶରେ ବାସ କରୁଅଛନ୍ତି ସେମାନଙ୍କ ପାଇଁ ସମୟ ଆସୁଅଛି; ଗୃହର ଆୟତନ କ୍ରମଶଃ ବର୍ଦ୍ଧିତ ହୋଇଅଛି, ଆମ୍ଭମାନଙ୍କ କଙ୍କାଳ ଓ ଶୋଣିତ ଏହାର ପୁଷ୍ଟିସାଧନ କରୁଅଛି । ଏହି ସମୟରେ ଯାହା ଦଶ ପଚିଶ ଜଣକୁ ଆଶ୍ରୟ ପ୍ରଦାନ କରୁଥିଲା, ଆଜି ତାହା ଲକ୍ଷ ଲକ୍ଷ ପ୍ରାଣୀଙ୍କର ଆବାସୋପଯୋଗୀ ହୋଇଅଛି ।

 

ଏ ଅର୍ଥରେ ପୁରାତନ ଆମ୍ଭମାନଙ୍କର ନମସ୍ୟ–ଅତି ଆଦରର ବସ୍ତୁ, କିନ୍ତୁ ପୁରାତନର ନାମ ଜପ ଆମ୍ଭମାନଙ୍କର କାର୍ଯ୍ୟ ନୁହେଁ ଏବଂ ସେଥିରେ କିଛି ଫଳ ମଧ୍ୟ ନାହିଁ । ସମସ୍ତ ଜୀବନ ଯେବେ ପୁରାତନ ଇତିହାସ ପାଠ ବା ପୁରାତନ ଚିନ୍ତାରେ ଅତିବାହିତ ହୁଏ ଅଥଚ ଆମ୍ଭେମାନେ ବର୍ତ୍ତମାନର ଉପଯୋଗୀ କିଛି ଜୀବନରେ ସାଧନ ନ କରୁ ତେବେ ସେ କେବଳ ବୃଥା ଶ୍ରମ ମାତ୍ର । ବ୍ୟାସ, ବାଲ୍ମୀକି, କପିଳ, କଣାଦ ଯାହା ଦେଇଯାଇଅଛନ୍ତି ଆମ୍ଭେମାନେ ଯେବେ କେବଳ ତାହାରି ଜୟଘୋଷଣା କରିଥିଲୁ ମାତ୍ର ନିଜର ସଙ୍ଗେ ତାହାର କିଛିମାତ୍ର ସମ୍ପର୍କ ନ ରଖୁ ତେବେ ତଦ୍ଦ୍ଵାରା ଆମ୍ଭମାନଙ୍କର ବା ଜଗତର କିଛିମାତ୍ର ଲାଭ ନାହିଁ । ତାହା ବାତୁଳର ପ୍ରଳାପ ମାତ୍ର । ପୁନର୍ବାର କହୁଅଛୁ, ପ୍ରାଚୀନ ଉପରେ ନବୀନ ଜୀବନ ଗଠନହିଁ ମନୁଷ୍ୟ ଜୀବନର କାର୍ଯ୍ୟ । ଏହା ମନୁଷ୍ୟ ଜୀବନର ମୂଳଶିକ୍ଷା ଓ ଶ୍ରେଷ୍ଠ ଶିକ୍ଷା । ଶିକ୍ଷା ବୋଲି ଆମ୍ଭେମାନେ ଚିତ୍କାର କରୁଅଛୁ, କିନ୍ତୁ ପ୍ରକୃତ ଶିକ୍ଷା ସଙ୍ଗେ ଆମ୍ଭମାନଙ୍କର ସମ୍ବନ୍ଧ ଅତି ଅଳ୍ପ ବା ଆଦୌ ନାହିଁ କହିଲେ ଚଳେ ।

 

ଆମ୍ଭମାନଙ୍କ ଦେଶରେ ବର୍ତ୍ତମାନ ଏକପ୍ରକାର ବିକୃତ “ପୁରାତନବାଦ”ର ସୃଷ୍ଟି ହୋଇଅଛି । ପ୍ରକୃତ କଥା ଏହି ଯେ, ଅସଲ ବସ୍ତୁ ଆମ୍ଭେମାନେ ଏ ପର୍ଯ୍ୟନ୍ତ କିଛି ଲାଭ କରିପାରି ନାହୁଁ–ଯାହା କିଛି ସବୁ ନକଲ । ଆମ୍ଭମାନଙ୍କର ଏ ଅପୂର୍ବ ପୁରାତନ ବାଦଟି ପାଶ୍ଚାତ୍ୟ ଅସଲ ଜିନିଷର ନକଲ । ସେମାନେ ପୁରାତନର ପ୍ରକୃତ ଆଦର ଜାଣନ୍ତି । ପୁରାତନର ସ୍ମୃତି କିପରି ଯତ୍ନପୂର୍ବକ ରକ୍ଷା କରିବାକୁ ହୁଏ, ପୁରାତନ ମହତ୍ତ୍ଵ ସ୍ମରଣ କରି କିପରି ନୂତନ ଉନ୍ନତି ପଥରେ ଅଗ୍ରସର ହେବାକୁ ହୁଏ, ତାହା ସେମାନେ ଜୀବନରେ ଦେଖାଇଅଛନ୍ତି । କେବଳ ‘ପୁରାତନ’ ମୁଖା ପିନ୍ଧି ଅଥବା ‘ପୁରାତନ’ ବୋଲି ଧରି ଉନ୍ମତ୍ତ ଚିତ୍କାର କରିବା ସେମାନଙ୍କର କାର୍ଯ୍ୟନୁହେଁ । ପ୍ରକୃତ ପକ୍ଷେ ଦେଖିବାକୁ ଗଲେ, ସୁଦୂର ଅତୀତ ଉପରେ ଦଣ୍ଡାୟମାନ ହୋଇ ସେମାନେ ନୂତନ ଗୃହ ନିର୍ମାଣ କରୁଅଛନ୍ତି–ପୁରୁଷାନୁକ୍ରମେ ଶୋଣିତପାତ କରି ତାହାର ଶ୍ରୀବୃଦ୍ଧି ସାଧନ କରୁଅଛନ୍ତି । ଶୋଣିତପାତ କଥାଟା କଳ୍ପନା ନୁହେଁ, ଅକ୍ଷରେ ଅକ୍ଷରେ ସତ୍ୟ । ସେମାନେ ପୁରାତନକୁ ଆଦର କରନ୍ତି, ସମ୍ମାନ କରନ୍ତି କିନ୍ତୁ ତାହାର ଅନୁଗତ ନୁହଁନ୍ତି, ପୁରାତନ ସେମାନଙ୍କୁ ବାନ୍ଧି ରଖିପାରି ନାହିଁ । ଯେଉଁଠାରେ ବାନ୍ଧିବାର ଚେଷ୍ଟା, ସେହିଠାରେ ସଂଗ୍ରାମ–ସେହିଠାରେ ରକ୍ତପାତ । ଏହିପରି ସଂଗ୍ରାମର ଫଳ ବର୍ତ୍ତମାନ ପାଶ୍ଚାତ୍ୟ ସଭ୍ୟତା ।

 

ଆମ୍ଭେମାନେ ପୁରାତନର ଆଦର ସେମାନଙ୍କଠାରୁ ଶିକ୍ଷା କରି ବର୍ତ୍ତମାନ ସକଳ ବିଷୟରେ “ପୁରାତନ, ପୁରାତନ ବୋଲି ଚହଳ ଆରମ୍ଭ କରୁଅଛୁ । ପାଶ୍ଚାତ୍ୟ ଜାତିଠାରୁ କିଛି ଶିକ୍ଷା କରୁଅଛୁ, ଏ କଥାବି ମଧ୍ୟ ସ୍ଵୀକାର କରିବାକୁ ଆମ୍ଭେମାନେ କୁଣ୍ଠିତ–ତଦ୍ଦ୍ଵାରା ଆମ୍ଭମାନଙ୍କ ଜାତୀୟଗୌରବ ଉପରେ ଆଘାତ ଲାଗିବ ।” ଜାତୀୟଗୌରବ ସର୍ବଥା ଶ୍ମାଘ୍ୟ–ଜାତୀୟଶୂନ୍ୟ ମନୁଷ୍ୟ ପଶୁଠାରୁ ଅଧମ । କିନ୍ତୁ ଏ ବିକୃତ ଜାତୀୟତା ଦେଖିଲେ ଆମ୍ଭମାନଙ୍କର ସର୍ବାଙ୍ଗ ଜଳି ଉଠେ । ଏହି ଜାତୀୟତା ଯଥାର୍ଥ ନୁହେଁ । ଆମ୍ଭେମାନେ ବର୍ତ୍ତମାନ କହିବାକୁ ଶିକ୍ଷା କରିଅଛୁ, ଆମ୍ଭମାନଙ୍କର ନଥିଲା କ’ଣ ? ଇଉରୋପୀୟମାନେ ଯେତେ ଉନ୍ନତି କରିଅଛନ୍ତି ବା ବହୁ ଶତାବ୍ଦୀ ପରେ ଯାହା କରିବେ ସବୁ ପ୍ରାଚୀନ ଭାରତରେ ଥିଲା । ଅଳ୍ପଦିନ ହେଲା ଜଣେ ବଙ୍ଗୀୟ ଲବ୍‍ଧପ୍ରତିଷ୍ଠ ଲେଖକଙ୍କର ଖଣ୍ଡିଏ ପୁସ୍ତକ ଆମ୍ଭେମାନେ ପାଠ କରିଥିଲୁ । ଲେଖକ ଜାତୀୟଭାବର ବଡ଼ ପକ୍ଷପାତୀ; କିନ୍ତୁ ଏହି ଭାବ ଏତେ ପ୍ରବଳ ହୋଇଅଛି ଯେ ସେ ଅନ୍ୟ ଜାତି ମଧ୍ୟରେ ଯେ କିଛି ଗୌରବ ଅଛି ଏ କଥା ସ୍ଵୀକାର କରିବାକୁ ନାରାଜ । ପ୍ରାୟ ପ୍ରତି ପୃଷ୍ଠାରେ “ଏହା ହିନ୍ଦୁର ଲକ୍ଷଣ, ହିନ୍ଦୁତ୍ଵର ଲକ୍ଷଣ, ହିନ୍ଦୁ ଧର୍ମର ଲକ୍ଷଣ” । ଏ ଲକ୍ଷଣ କୌଣସିଠାରେ ନଥିଲା, ନାହିଁ ବା ହେବନାହିଁ । ଆଚ୍ଛା, ତା’ହିଁ ହେଲା । ଏକଥା ସ୍ଵୀକାର କଲୁ ଯେ, ଅନନ୍ତ ଭବିଷ୍ୟତ୍ ଗର୍ଭରେ ମାନବ ଜାତିପାଇଁ ବିଧାତା ଯେଉଁ ଉନ୍ନତି ସଞ୍ଚୟ କରି ରଖିଅଛନ୍ତି ତାହା ମଧ୍ୟ ତୁମ୍ଭ ଦେଶରେ ଥିଲା; କିନ୍ତୁ ସେଥିରେ ତୁମ୍ଭର କି ଲାଭ ହେଲା ? ଉପବାସରେ କଙ୍କାଳ ଶୁଖିଯାଉଛି, ଏଣେ “ମୋ ଘର କୋଣରେ କୋଟିଏ ମୋହର ପୋତାହୋଇ ରହିଅଛି” ଏକଥା ମାନବ ସମାଜରେ କହି ବୁଲିଲେ କି ଫଳ ? ଏହା ଘୋର ବିକାରର ଲକ୍ଷଣ । ବିକାରଗ୍ରସ୍ତ ରୋଗୀର ପ୍ରଳାପ ଓ ଆମ୍ଭମାନଙ୍କ ମୁଖରେ ପୁରାତନ ମହିମା କୀର୍ତ୍ତନ, ଏକ କଥା ଯାହା ପୁରାତନ ତାହା ଭଲ–ପୁରାତନରେ ଗଲତି କିଛି ନାହିଁ, ଏକ କଥା ଆଜିକାଲି ଚାରିଆଡ଼େ ହୁରି ପଡ଼ିଅଛି, ସୁତରାଂ ବର୍ତ୍ତମାନକୁ ଭାଙ୍ଗି ପୁରାତନ ଆକାରରେ ଗଠନ କର, ଏହାହିଁ ଶ୍ରେଷ୍ଠ ଉପଦେଶ କଥାଟା କିପରି ହେଲା ? ବସନ୍ତକାଳ ସମାଗମରେ ବୃକ୍ଷର ପୁରାତନ ପତ୍ରଗୁଡ଼ିକ ଝଡ଼ି ପଡ଼ିଅଛି, ନୂତନ ପତ୍ର ଅଙ୍କୁରିତ ହେବାକୁ ବସିଅଛି–ବୃକ୍ଷ ଚିତ୍କାର କରି କହୁଅଛି–“ନା, ନା ପ୍ରୟୋଜନ ନାହିଁ, ମୋର ଯେଉଁ ପୁରାତନ ପତ୍ରଗୁଡ଼ିକ ଖସି ପଡ଼ିଅଛି ସେ ମୋ ଦେହରେ କି ସୁନ୍ଦର ଶୋଭା ପାଉଥିଲା, ମୁଁ ପୁଣି ସେଗୁଡ଼ିକ ଆଣି ଗୋଟି ଗୋଟି କରି ଦେହରେ ଖଞ୍ଜିବି, ନୂତନ ପତ୍ର କ’ଣ ହେବ ? ଆମ୍ଭମାନଙ୍କ ଦେଶର ‘ପୁରାତନବାଦ’ ଠିକ୍ ବୃକ୍ଷର ଏହି ହାସ୍ୟଜନକ ଉକ୍ତି ପରି, କିନ୍ତୁ ଫଳ ସମାନ ନୁହେଁ । ବୃକ୍ଷର କଥାରେ କର୍ଣ୍ଣପାତ ନ କରି ପ୍ରକୃତିର ନିୟମାନୁସାରେ ନବପଲ୍ଲବ ଜାତହୁଏ, ପୁରାତନବାଦୀ ମନୁଷ୍ୟ ପକ୍ଷରେ ସେପରି ନୁହେଁ–ସେ ତାହାର ନିର୍ବୋଧତାଦ୍ଵାରା ଉନ୍ନତିମାର୍ଗ ରୋଧ କରେ । ପୁରାତନ ଦେହରେ ଯୋଡ଼ି ହୁଏନାହିଁ, ନୂତନ ମଧ୍ୟ ସ୍ଥାନ ପାଏନାହିଁ, ସେ ଗୋଟିଏ କିମ୍ଭୂତକିମାକାର ବସ୍ତୁରୂପରେ ପରିଣତ ହୁଏ । ଯେଉଁମାନେ ମନୁଷ୍ୟ ସମାଜକୁ ଚିରକାଳ ପୁରାତନ ବେଶରେ ରକ୍ଷା କରିବାକୁ ଇଚ୍ଛା କରନ୍ତି, ସେମାନଙ୍କର ବଡ଼ ବେଶି ବୁଦ୍ଧି ବିବେଚନା ଅଛି ବୋଲି ବୋଧହୁଏ ନାହିଁ, ବଂଶତୀବର୍ଷୀୟ ଯୁବା ତାହାର ବାଲ୍ୟକାଳର ପରିତ୍ୟକ୍ତ ପରିଚ୍ଛଦ ଆଡ଼କୁ ଅନାଇ ଯେବେ କେହେ ଯେ, “ଆହା କି ସୁନ୍ଦର, ଏହା ମୋ ଦେହରେ କେଡ଼େ ସୁନ୍ଦର ସାଜୁଥିଲା” । ଏବଂ ତାହାକୁ ଆଣି ପରିଧାନ କରେ, ତେବେ ସେ କିପରି ସୁନ୍ଦର ଦିଶିବ ? ନ ଭୂତୋ ନ ଭବିଷ୍ୟତି ! ବୁଦ୍ଧିମାନ୍ ପ୍ରକୃତିସ୍ଥ ଦର୍ଶକବୃନ୍ଦ ଯୁବକର ବୁଦ୍ଧିର ପ୍ରଶଂସା କରିବେ, ନା ତାହାପାଇଁ କିଞ୍ଚିତ୍ ନାରାୟଣ ତୈଳର ବ୍ୟବସ୍ଥା କରିବେ ? ଅତି ରକ୍ଷଣଶୀଳ ସମାଜପତିମାନଙ୍କ କାର୍ଯ୍ୟ ଏହିଶ୍ରେଣୀର, ସୃଷ୍ଟିର କ୍ରମୋନ୍ନତିର ରହସ୍ୟ ସେମାନେ ବୁଝିବାକୁ ଅସମର୍ଥ । ଯାହା ଏକ ସମୟରେ ପରମ ଉପକାରୀ ଥିଲା, ଅନ୍ୟ ସମୟରେ ତାହା ଅକର୍ମଣ୍ୟ ବା ଘୋର ଅପକାରୀ ହୋଇଉଠେ । ବୁଦ୍ଧିମାନ୍ ବ୍ୟକ୍ତି ସ୍ମୃତିଚିହ୍ନସ୍ୱରୂପ ତାଙ୍କୁ ଯତ୍ନରେ ସମ୍ପାଦି ରଖିଦେଇପାରେ, କିନ୍ତୁ କଦାଚ କାର୍ଯ୍ୟରେ ଲଗାଏ ନାହିଁ । ଜୀବନ୍ତ ସମାଜ ମଧ୍ୟରେ ରକ୍ଷଣଶୀଳତା ଥାଇପାରେ; କିନ୍ତୁ ତାହା ସ୍ଥାୟୀ ହୋଇ ରହିପାରେ ନାହିଁ । ଯାହା ଅନାବଶ୍ୟକ, ଦୁଇଦିନ ପରେ ତାହା ଖସି ପଡ଼େ ।

 

ମନୁଷ୍ୟ ଜୀବନ ଉପରେ ପୁରାତନର ଏକପ୍ରକାର ପ୍ରଭାବ ଅଛି । ଅନେକ ଦିନ ପର୍ଯ୍ୟନ୍ତ ସେ ଶକ୍ତିର କାର୍ଯ୍ୟ ଚଳିଲେ ପୁରାତନ ପ୍ରତି ଏକପ୍ରକାର ମୋହ ଜନ୍ମେ–ସେ ମୋହ ସହଜରେ ଛାଡ଼ିହୁଏ ନାହିଁ ଏବଂ ତାହାହିଁ ରକ୍ଷଣଶୀଳତାର ମୂଳକାରଣ । ରକ୍ଷଣଶୀଳତା ନିତାନ୍ତ ଅବଜ୍ଞାର ବସ୍ତୁ ନୁହେଁ, ତାହାଦ୍ୱାରା ଅନେକ ପୁରାତନ ରତ୍ନର ଉଦ୍ଧାର ହୁଏ । କିନ୍ତୁ ପ୍ରତ୍ୟେକ ବିଷୟର ଗୋଟିଏ ଲେଖାଏଁ ସୀମାଅଛି–ସେ ସୀମା ଲଙ୍ଘନ କଲେ ବିପରୀତ ଫଳ ଉତ୍ପନ୍ନ ହୁଏ । ରକ୍ଷଣଶୀଳତା ଯେବେ ବର୍ତ୍ତମାନ ଏବଂ ଭବିଷ୍ୟତ୍ ପ୍ରତି ଅନ୍ଧ ହୁଏ, ତେବେ ଏହା ସମାଜର ଶତ୍ରୁ । ଆମ୍ଭେମାନେ ଏହି ଅନ୍ଧ ରକ୍ଷଣଶୀଳତାକୁ ଘୃଣା କରୁ–ଆମ୍ଭମାନଙ୍କ ଦେଶର ରକ୍ଷଣଶୀଳତା ଏହି ଶ୍ରେଣୀର । ଶିକ୍ଷିତ ସମ୍ପ୍ରଦାୟ ମଧ୍ୟରେ ମୌଖିକ ରକ୍ଷଣଶୀଳତା ଦେଖାଯାଉଥିଲେହେଁ ଜୀବନ ସଙ୍ଗେ ଏହାର ସମ୍ପର୍କ କିଛିନାହିଁ । ଦେଖାଯାଏ, ବର୍ତ୍ତମାନ ଅନେକ ପ୍ରଚଳିତ କୁସଂସ୍କାର ଓ ରାଜନୀତିର ବୈଜ୍ଞାନିକ ବ୍ୟାଖ୍ୟା କରିବାରେ ନିପୁଣ–‘ଆର୍ଯ୍ୟ ଧର୍ମ’, ‘ସନାତନ ଧର୍ମ’, ‘ସ୍ଵଧର୍ମ’, ‘କୁଳଧର୍ମ’, ‘ରକ୍ତର ବିଶୁଦ୍ଧତା’, ‘ଶ୍ରମ ବିଭାଗ’ ପ୍ରଭୃତି ବଡ଼ବଡ଼ ବାକ୍ୟ ଉଚ୍ଚାରଣ କରିବାରେ ଖୁବ୍ ବାହାଦୁର; କିନ୍ତୁ କାର୍ଯ୍ୟତଃ ସର୍ବପ୍ରକାର ରୀତିନୀତିର ମସ୍ତକରେ ପଦାର୍ପଣ କରିବାକୁ ତତୋଽଧିକ ମଜବୁତ୍ । ଯେଉଁମାନେ ଭିତରେ କୋରବାନ୍ ଆଲି ବନ୍ଦୋପଧ୍ୟାୟଙ୍କ ପ୍ରସ୍ତୁତ ସୁମିଷ୍ଟ ଖାଦ୍ୟରେ ପ୍ରତିଦିନ ରସନାର ତୃପ୍ତିସାଧନ କରୁଅଛନ୍ତି ବାହାରେ ସେମାନେ ଜାତିଭେଦର ସର୍ବପ୍ରଧାନ ପଣ୍ଡା । ସର୍ବପ୍ରକାର ଧର୍ମ ସଙ୍ଗେ ଯେଉଁମାନେ ସମ୍ପର୍କ ବିବର୍ଜିତ ସେହିମାନଙ୍କ ମୁହଁରେ ଆର୍ଯ୍ୟତ୍ଵ, ସନାତନ ଧର୍ମ ଇତ୍ୟାଦି ଉଚ୍ଚାଡ଼ମ୍ବର ପୂର୍ଣ୍ଣ କଥାର କାରବାର ବେଶି । ରକ୍ଷଣଶୀଳତାର ପ୍ରକୃତ କାର୍ଯ୍ୟ ଯେ ପ୍ରାଚୀନ ରତ୍ନୋଦ୍ଧାର ତାହା ସଙ୍ଗେ କୌଣସି ଇଲାକା ନାହିଁ । ଲୋକେ ନ ବୁଝି ନ ସୁଝି କେବଳ କଥାରେ, ନାମରେ ବିମୋହିତ–ମର୍ମ ପ୍ରଚାର ହତବୁଦ୍ଧି ! ଆମ୍ଭେମାନେ ଏପରି ଅନେକ ଲୋକଙ୍କୁ ଦେଖିଅଛୁ । କିଛିଦିନ ପୂର୍ବେ ହିନ୍ଦୁଧର୍ମାବଲମ୍ବୀ ଜଣେ ବକ୍ତା ଏ ନଗରକୁ ଆସିବାରୁ ଶିକ୍ଷିତ ମହଲରେ ଏବଂ ଛାତ୍ର ଦଳରେ ଭାରି ଚହଳ ପଡ଼ିଗଲା । ବକ୍ତା ଦିନେ “ସାକାର ଓ ନିରାକାର ଉପାସନା” ବିଷୟରେ ଗୋଟିଏ ବକ୍ତୃତା ଦେଲେ । ଆମ୍ଭେମାନେ ଶୁଣିଲୁ ଯେ, ସେ ଶାସ୍ତ୍ର ଏବଂ ଯୁକ୍ତି ବଳରେ ପ୍ରମାଣ କଲେ ଯେ “ନିରାକାର ଈଶ୍ଵର” ଓ “ଅଶ୍ଵଡ଼ିମ୍ବ” ଏକ କଥା । ଶ୍ରୋତୃବର୍ଗ ବିମୋହିତ ହୋଇ କରତାଳି ଧ୍ୱନିରେ ଗଗନ କମ୍ପାଇ ଦେଲେ !! ପରେ ଅନେକ ଶିକ୍ଷିତ ଶ୍ରୋତାଙ୍କ ସଙ୍ଗେ ଆମ୍ଭମାନଙ୍କର ଏ ସମ୍ବନ୍ଧରେ କଥାବାର୍ତ୍ତା ହୋଇଥିଲା–ତାହା ବଡ଼ କୌତୁକ ଜନକ । ତନ୍ମଧ୍ୟରୁ ଗୋଟିଏ ଦୃଷ୍ଟାନ୍ତ ଏଠାରେ ଦେଉଅଛୁ ।

 

ପ୍ରଶ୍ନ–କି ମହାଶୟ ବକ୍ତୃତା କିପରି ହେଲା ?

 

ଉତ୍ତର–ଅତି ଚମତ୍କାର ।

 

ପ୍ରଶ୍ନ–ଚମତ୍କାର କିପରି ?

 

ଉତ୍ତର–ବକ୍ତା ଶାସ୍ତ୍ର ଏବଂ ଯୁକ୍ତିର ସାହାଯ୍ୟରେ ପ୍ରମାଣ କଲେ ଯେ ଈଶ୍ଵର ସାକାର ।

 

ପ୍ରଶ୍ନ–ଆଚ୍ଛା, ଶାସ୍ତ୍ର କଥା ବର୍ତ୍ତମାନ ଥାଉ, ବକ୍ତା ଯେଉଁସବୁ ଯୁକ୍ତି ପ୍ରଦର୍ଶନ କଲେ ତନ୍ମଧ୍ୟରୁ ଗୋଟିଏ ଦିଓଟି ମତେ ବୁଝାଇ ଦିଅନ୍ତୁ ତ ?

 

ଉତ୍ତର–ସେ ଅତି ଚମତ୍କାର ଯୁକ୍ତି ।

 

ପ୍ରଶ୍ନ–ହେଉ, ସେ ଚମତ୍କାର ଯୁକ୍ତି ମତେ ଟିକିଏ ବୁଝାଇ ଦିଅନ୍ତୁ ।

 

ଉତ୍ତର–ନିରୁତ୍ତର– !!!

 

ଜଣେ ଅଧେ ନୁହେଁ, ଅନେକ ଏହିପରି ବିଦ୍ୟାବତ୍ତା ଏବଂ ବୁଦ୍ଧିମତ୍ତାର ପରିଚୟ ଦେଇଅଛନ୍ତି ।

 

ଦିନେ ଜଣେ ବି:ଏ: ଉପାଧିଧାରୀ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସଙ୍ଗେ ଜାତିଭେଦ ବିଷୟରେ କଥୋପକଥନ ହେଉଥିଲା । ଅନ୍ୟାନ୍ୟ କଥା ମଧ୍ୟରେ ସେ କହିଲେ “ଜାତିଭେଦ ନ ମାନିଲେ, ଅସବର୍ଣ୍ଣ ବିବାହଦ୍ଵାରା ରକ୍ତର ବିଶୁଦ୍ଧତା ନଷ୍ଟ ହେବ” । ଆମ୍ଭେମାନେ ପଚାରିଲୁ “ଆଚ୍ଛା, ମହାଶୟ, ଇଂରାଜମାନେ ଯେ ଅସବର୍ଣ୍ଣ ବିବାହ କରନ୍ତି ସେମାନଙ୍କ ରକ୍ତ ଅପେକ୍ଷା ଆମ୍ଭମାନଙ୍କ ରକ୍ତ କ’ଣ ବିଶୁଦ୍ଧ ? ଆପଣଙ୍କ କଥାର କିଛି ଅର୍ଥ ଅଛି, ନା କେବଳ ଗୋଟିଏ ‘ବନ୍ଧାଗତ’ ଆଉଡ଼ାଉ ଅଛନ୍ତି” ? ଭଦ୍ରବ୍ୟକ୍ତିଟି ଆମ୍ଭମାନଙ୍କ କଥାର ଉତ୍ତର ନଦେଇ ବାତୁଳ ପରି ଏଣୁତେଣୁ ଗୁଡ଼ିଏ ବକିବାକୁ ଆରମ୍ଭ କଲେ । ଆମ୍ଭେମାନେ ମଧ୍ୟ ବିରକ୍ତ ହୋଇ “ବିଶୁଦ୍ଧ ରକ୍ତ”ର ସଂସର୍ଗ ପରିତ୍ୟାଗ କରି ଚାଲିଆସିଲୁ ।

 

ଏପରି ଯେଉଁମାନଙ୍କର ବିଚାର, ସେମାନଙ୍କ “ପୁରାତନବାଦ”ର କିଛି ଅର୍ଥ ଥାଇପାରେ-? ମୂର୍ଖ ବ୍ରାହ୍ମଣମାନଙ୍କର ସନ୍ଧ୍ୟାମନ୍ତ୍ର ଆଉଡ଼ାଇବା ଯେପରି, ଏ ମଧ୍ୟ ସେହିପରି । ଏପରି ହେବାର ହେତୁ କ’ଣ ? ହେତୁ ଆଉ କିଛି ନୁହେଁ, କେବଳ ଔଦାସୀନ୍ୟ । ଶିକ୍ଷିତ ବ୍ୟକ୍ତିମାନଙ୍କ ମନରୁ ପ୍ରାଚୀନ ବିଶ୍ଵାସ, ପ୍ରାଚୀନ ସଂସ୍କାର ଉନ୍ମୂଳିତ ହୋଇଅଛି । ଅଥଚ ପ୍ରବଳ ସତ୍ୟପିପାସା, ସୂକ୍ଷ୍ମଦୃଷ୍ଟି, ଅନୁସନ୍ଧାନ, ତତ୍ତ୍ଵାଲୋଚନା, ନୈତିକ ସାହସ କିଛି ନାହିଁ–ତାହା ବଳରେ ସମସ୍ତ ବାଧାବିଘ୍ନ ଅତିକ୍ରମ କରି ନବବିଶ୍ଵାସ ଲାଭ କରିବେ ବା ତଦନୁସାରେ କାର୍ଯ୍ୟ କରିବେ ? ନୂତନ କିଛି ନାହିଁ, ଅଥଚ ପୁରାତନ ମଧ୍ୟରେ ଯାହା ସାର ଥିଲା, ଆବର୍ଜନା ସଙ୍ଗେ ସଙ୍ଗେ ତାକୁ ମଧ୍ୟ ହରାଇ ବସିଅଛନ୍ତି-। ଔଦାସୀନ୍ୟ ପରି ଉନ୍ନତିର ଶତ୍ରୁ ଆଉକିଛି ନାହିଁ । ଏହା ମନୁଷ୍ୟର ସର୍ବପ୍ରକାର ଉଚ୍ଚାକାଂକ୍ଷା ଦମନ କରିଦିଏ, ତାହାକୁ ନୂତନ ପୁରାତନ ସବୁଥିରୁ ବଞ୍ଚିତ କରେ । ଔଦାସୀନ୍ୟର କବଳରେ ପଡ଼ିଲେ ମନୁଷ୍ୟର ଆଉ ରକ୍ଷା ନାହିଁ । ଏହାରି ପ୍ରଭାବରେ ଏ ଦେଶରେ ଶିକ୍ଷିତ ବ୍ୟକ୍ତିମାନେ ଆଶା, ଉତ୍ସାହ, ଉଦ୍ୟମ, ସାହସ, ପ୍ରତିଭା ହରାଇ ବିକୃତ ଅନୁକରଣ ମାତ୍ର ସାର କରି କେତେବେଳେ ପୁରାତନ ମୁଖା, କେତେବେଳେ ବା ନୂତନ ମୁଖା ପିନ୍ଧି ବିଚିତ୍ର ନୃତ୍ୟ କରୁଅଛନ୍ତି । ଦେଖି ଶୁଣି ହସ ମାଡ଼ୁଅଛି-। କାନ୍ଦ ମଧ୍ୟ ମାଡ଼ୁଅଛି । ଜଗଦୀଶ୍ଵର, ଏ ପତିତ ବିକାରଗ୍ରସ୍ତ ଜାତିକୁ ଉଦ୍ଧାର କରନ୍ତୁ ।

Image

 

Unknown

ଶ୍ରୀଛାମୁ

ଗୋପାଳଚନ୍ଦ୍ର ପ୍ରହରାଜ

 

ଆମଦେଶର ରାଜା ମହାରାଜାମାନଙ୍କୁ ଶ୍ରୀଛାମୁ ! ମଣିମା ! ବୋଲି ସମ୍ବୋଧନ କରିବାକୁ ଅନେକ ଉଚ୍ଚଶିକ୍ଷିତ ବ୍ୟକ୍ତି ଭାରି ଆପତ୍ତି କରୁଥିବା ଦେଖାଯାଏ । ସେମାନେ କହନ୍ତି ଯେ ଏତଦ୍ୱାରା ଦାସ ମନୋବୃତ୍ତି ଓ ଚାଟୁକାର ମନୋବୃତ୍ତିକୁ ଆଶ୍ରୟ ଦିଆଯାଏ । ଆଜିକାଲି ସ୍ଵାଧୀନତାର ଯୁଗ, ଗଣତନ୍ତ୍ରର ଯୁଗ; ଏଥିରେ ସମସ୍ତେ ଏକ ରାହାରେ ଚାଲିବାକୁ ବାଧ୍ୟ, ଅତଏବ ରାଜା ମହାରାଜାମାନଙ୍କୁ ଶ୍ରୀଛାମୁ ମଣିମା ଆଦି ସମ୍ବୋଧନ କରିବାଦ୍ଵାରା ନିଜର ସମାନସ୍କନ୍ଧ ପଣକୁ ଖଣ୍ଡିତ କରାଯାଏ, ଏହାହିଁ ଶ୍ରୀଛାମୁ–ବିରୋଧୀଙ୍କର ବେଦନା ।

 

ମାନବ ପ୍ରକୃତି ଏପରି ଗୋଟାଏ ବସ୍ତୁ ଯେ ତହିଁର ପ୍ରଭାବ ଏଡ଼ିବା କାଠିକର ପାଠ । ଏ ଜଗତରେ ହଜାରେ ସାମ୍ୟବାଦର ଢେଉ ଖେଳିଲେ ସୁଦ୍ଧା, ଗଣତନ୍ତ୍ରର ନିଷ୍କଣ୍ଟକ ଆଧିପତ୍ୟ ହେଲେ ମଧ୍ୟ ମାନବ ପ୍ରକୃତିରେ କେତେଗୁଡ଼ିଏ ମୌଳିକ ବିଶିଷ୍ଟତା ରହିବହିଁ ରହିବ । ଏକା ଛାଞ୍ଚରେ ଗଢ଼ାହେବା ଇଟା ଭଳି ଏକା ମାଆ ପେଟରେ ଗଢ଼ାହେବା ସନ୍ତାନ କେଭେଁ ସରିସମାନ ହେବେନାହିଁ । ଜଣେ ହେବ ଶାନ୍ତ, ଜଣେ ହେବ ଦୁଷ୍ଟ, ଜଣେ ହେବ ସାଧୁ, ଜଣେ ହେବ ଯଦୃଚ୍ଛାଚାରୀ, ଜଣେ ହେବ ଭକ୍ତ, ଜଣେ ହେବ ଅଧାର୍ମିକ । ଏହାହିଁ ଜୀବଜଗତର ସନାତନ ନିୟମ-। ମନୁଷ୍ୟ ମଧ୍ୟରେ ଜଣେ ହେବ ଉଚ୍ଚ, ଜଣେ ହେବ ନୀଚ, ଜଣେ ହେବ ବିଚାରକ, ଜଣେ ହେବ ଆସାମୀ । ଆଜି ସାମ୍ୟବାଦର ମଇ ଆସି ଅସାମ୍ୟବାଦର କ୍ଷେତରେ ମଡ଼ାହୋଇ ସମସ୍ତଙ୍କୁ ସମାନ ଧନ, ସମାନ ଜମି, ସମାନ ସୁବିଧା ଦେଇଯାଉ; କିନ୍ତୁ କିଛିଦିନ ବାଦ୍ ଦେଖିବ ପୁଣି ପୁନର୍ମୂଷିକୋଭବ । ବ୍ୟୟଶୀଳ ବ୍ୟକ୍ତି ତା’ ଭାଗରେ ପଡ଼ିଥିବା ଧନତକ ଖର୍ଚ୍ଚ କରିଦେବ, ବ୍ୟୟକୁଣ୍ଠ ଲୋକ ତା’ ହାବୁଡ଼େ ପଡ଼ିଥିବା ଧାନଯାକ ସାଇତି ରଖିବ । ଏ ହେବ ଧନୀ ସେ ହେବ ଗରିବ-। ଏହେବ ଖାଉନ୍ଦ ସେ ହେବ ନୌକର । ସେହିପରି ମିହନ୍ତି ଲୋକ ତା’ ଜମିରେ ସୁନା ଫଳାଇବ, ଅଳସୁଆ ଲୋକ ତା’ ଜମିକୁ ବାଳୁଙ୍ଗା ବାଡ଼ି କରିବ । ଦିନାକେତେ ଗଲାରୁ ଜଣେହେବ ଖାତକ, ଜଣେ ହେବ ମହାଜନ । କାଳକ୍ରମେ ଏହି ଦମ୍ପତି ଅଠରନଳା ସାଙ୍ଗେ ସଙ୍ଗାତ ବସିବେ, କିନ୍ତୁ ତାଙ୍କ ସଙ୍ଗେ ସମାନ ବେଷ୍ଟନୀରେ ରହିଥିବା ଅନ୍ୟ ଦମ୍ପତି ନିଃସନ୍ତାନ ବା ଅଳ୍ପ ପ୍ରସୂ ହେବେ-। ସାମ୍ୟବାଦର ନୀତି ବକ୍ତୃତା ମଞ୍ଚରେ ସମସ୍ତଙ୍କୁ ସରିସମାନ କରୁଥାଉ, ସଂସାରରେ ଉଚ୍ଚନୀଚ, ଗୁରୁ ଶିଷ୍ୟ, ରାଜା ପ୍ରଜା, ସାହୁ ଖାତକ, ସେଠ ମୂଲିଆ, ପ୍ରଭୁ ଭୃତ୍ୟ ରହିବେହିଁ ରହିବେ ଓ ତୁହାକୁ ତୁହା ମଇ ପେଲା ଲାଗିଥିବ । “ଯୁଗକୁ ଯୁଗ ଏହିମତେ ପରମାନନ୍ଦ ଏ ଜଗତେ” ଲାଗିଥିଲା, ଲାଗିଅଛି ଓ ଲାଗିଥିବ । ଅତ୍ର ସନ୍ଦେହୋ ନାସ୍ତି, ସନ୍ଦେହାବସରୋ ମଧ୍ୟ ନାସ୍ତି ।

 

ତା’ପରେ ମାନବ ପ୍ରକୃତିର ଆଉ ଗୋଟିଏ ଗୁଣ, ଉଚ୍ଚ ପାହ୍ୟାର ଲୋକଙ୍କୁ ତଳ ପାହ୍ୟାର ଲୋକେ ସମ୍ମାନ ଦେଖାଇବେ, ଗୌରବମୟ ବାକ୍ୟରେ ସମ୍ବୋଧନ କରିବେ । “କାଣି ବିରାଡ଼ି କୁଜି ଅସରପା ଉପରକୁ ବାଘ” ହେଲାଭଳି ଆମର ମିଇଁମିଇଁଆ ଓଡ଼ିଶୀ ରଜାଗୁଡ଼ାଙ୍କୁ ଆମେ ଶ୍ରୀଛାମୁ ବୋଲି ସମ୍ବୋଧନ କରିବାକୁ ଆମ ତୋଟିରେ ଗୁଆ କଣିକା ଅଟକିଯାଉଛି । କାରଣ ସେ ଲୁଚାକ ହେଲେ ନିପାରିଲାର । ସେ ଦିନ ଜଣେ ବଡ଼ ପାହ୍ୟାର ମାର୍କାମରା ଶିକ୍ଷିତ ବ୍ୟକ୍ତି ଜଣେ ଓଡ଼ିଶୀ ମହାରାଜାଙ୍କୁ ପ୍ରଦତ୍ତ ସମ୍ବର୍ଦ୍ଧନା ପତ୍ର ପାଠ କରୁ କରୁ ଶ୍ରୀଛାମୁ ପଦଟା ତାଙ୍କ ପାଟିରେ ଇତିମି କର୍‌ର କର୍‌ର ହେଲା ଯେ ସେହି ପତ୍ରରେ ଥିବା ପୁଞ୍ଜା ଦୁଇ “ଶ୍ରୀଛାମୁ”ରୁ ସେ ପୁଞ୍ଜାଏ କାନ୍ତର ଗିଳି ତାକୁ ଆପଣ ବୋଲି କାଢ଼ିଦେଲେ, ଗୋଟା ଦୁଇକୁ ଚୋବେଇ ଚୋବେଇ ‘ଛାମୁ’ ବୋଲି ଗାଳିଲେ ଓ ଅନ୍ତତଃ ହଳେ ‘ଶ୍ରୀଛାମୁ’ ଶବ୍ଦକୁ ଦାନ୍ତ ନେସେଡ଼ି, ଆଖି ତରାଟି ମୁହଁ ଲେଫେଡ଼ି ତାଲବ୍ୟ, କଣ୍ଠ୍ୟ, ଓଷ୍ଠ୍ୟ, ବର୍ଣ୍ଣକ୍ରୟରୂପେ ଉଚ୍ଚାରଣ କରିଦେଲେ । ଏହା ଦେଖି ମୋ ମନେ ହେଉଥାଏ ଯେବେ ମାନ୍ୟବର ଲାଟସାହେବଙ୍କ ଆଗରେ ଉକ୍ତ ସରସ୍ଵତୀଙ୍କ ବରପୁତ୍ର ଗୋଟିଏ ଅଭିନନ୍ଦନ ପତ୍ର ପଢ଼ୁଥାଆନ୍ତେ ତେବେ ସେଥିରୁ କେତୋଟି “Your Excellency” (ଯାହାକି ଶ୍ରୀଛାମୁ ଶବ୍ଦର ବିଲାତି ଅବତାର ଅଟେ) ପଦକୁ ଚାକୁଳେଇ ଥାଆନ୍ତେ, ଏହା ଦେଖାଯାଇ ଥାଆନ୍ତା । ଫଳକଥା ଏହିକି ସୁନାମୁଦିଆ ହାତରୁ ଟାକରାଏ ପାଇଲେ ଗଙ୍ଗା ସ୍ନାନ ଫଳ ମିଳେ । ସବୁ ଭାଷାରେ ସବୁ ଜାତିରେ ସବୁ ଯୁଗରେ ସବୁ ରାଜ୍ୟରେ ସବୁ ମୁଲକରେ Etiquette ବା ଆଦବ କାଇଦା ବା ଶିଷ୍ଟାଚାର ଥିଲା, ଅଛି ଓ ରହିବ ।

 

ଆଜି ଜଣେ ରାଣ୍ଡି ପୁଅ ଅନନ୍ତା ଦୋପଟୀ ସବ୍‍ଦୋପଟୀ ଚଉକିରେ ବସିଲେ ତାଙ୍କ ମିସଲରେ ହାଇକୋଟିଆ ଓକିଲ ବାରିଷ୍ଟର ଯାଇ ପହଞ୍ଚି ତାଙ୍କୁ ଆଠଟଙ୍କିଆ ସଲାମ ବଜାଉଛନ୍ତି ଓ Your honour, Your worship, (ହଜୁର, ଖୋଦାବଦ୍) ବୋଲି ସମ୍ବୋଧନ କରୁଛନ୍ତି । ସେ ଆସନରୁ ଖସିଲେ ଉକ୍ତ ହାକିମଙ୍କୁ ଜୀବିତାବସ୍ଥାରେ ଅଧୁଆମୁହଁରେ ସୁଦ୍ଧା କେହି ଚାହିଁବ ନାହିଁ-। ସେ ହାକିମ ହେଲେ Your honour କିନ୍ତୁ ଯେ ପୁରୁଷାନୁକ୍ରମେ ରାଜାଥିଲେ ଅଛନ୍ତି ଓ ରହିବେ, ଯାହାଙ୍କର ସ୍ଵଦେହରେ ଥିବା କଥା ଛାଡ଼, ତାଙ୍କ ମୁର୍ଦାର ଶ୍ମଶାନକୁ ନିଆହେଲାବେଳେ ସୁଦ୍ଧା ଯାହାଙ୍କୁ ଉଦ୍ଦେଶ୍ୟ କରି ହଜାର ହଜାର ଲୋକ ଭୂଇଁରେ ମୁଣ୍ଡିଆ ମାରୁଥିବେ ତାଙ୍କୁ ଆବହମାନକାଳରୁ ପ୍ରଚଳିତ ‘ଶ୍ରୀଛାମୁ ମଣିମା’ ସମ୍ବୋଧନ କଲେ କି ମହାପାତକ ହେବ ମୋ କ୍ଷୁଦ୍ର ବୁଦ୍ଧି ଏହା ବୁଝିବାକୁ ଅକ୍ଷମ ।

 

ଆଜିକାଲି ଯେଉଁ କିଲିକିଲିଆ ଉତ୍ତରାପବନ ବୋହୁଛି ତାହାଦ୍ୱାରା କେତେସ୍ଥାନରେ ମରଦଙ୍କର ଓ ତିରିଲାଙ୍କର ଗୋଟାଏ ପାଖ କୋଲମାରି ଗଲାବେଳକୁ ଆରପାଖରୁ ଝାଳ ବୋହୁଛି-। ସେହି ହାଉଆର କରାମତିରେ ବଡ଼ବଡ଼ିଆଙ୍କର ଯେଉଁ ମନୋଭାବ ଉପୁଜିଛି ସେଥିରେ ତାଙ୍କ ଶ୍ରୀପିଠିକୁ ଓ ଶ୍ରୀଗଭାକୁ ଯେଉଁ ମୁକୁଟ ଶୋଭାକାର ଦିଶୁଛି ଓ ଶ୍ରୀଦିହ ସହୁଛି, ଗରିବଙ୍କ ମୁଣ୍ଡରେ ବା ପିଠିରେ ତାହା ଥୁଆହେଲା ବେଳକୁ ସେହି ବଡ଼ଲୋକଙ୍କୁ ଉକାର ଦେଖାଉଛି । ଏ ବିବମୀଷା ମଧ୍ୟ ତାଙ୍କଠାରୁ ବଡ଼ବଡ଼ିଆଙ୍କ ଦେଖାଦେଖି । କଥାଟାକୁ ଉଖୁରେଇ କରି ଦେଖିଲେ ସାଫ୍ ଜଣାଯାଇଥାଆନ୍ତା ଯେ, ବଡ଼ବଡ଼ିଆଙ୍କ ମୁକୁଟ ଯେଉଁ ଯୋବରାକାରଖାନାରୁ ପଇଦା ହୋଇଛି ଗରିବଗୁରୁବାଙ୍କ ମୁଣ୍ଡର ଝାମ୍ପି ବା ପିଠିର ପଖିଆ ସେହି କାରଖାନାରୁ ବାହାରୁଛି । ଗୋଟାଏ ଭାରି ବାସୁଛି ଓ ଗୋଟାଏ ଭାରି ଗନ୍ଧଉଛି । ଏ ପତ୍ର ଅନ୍ତରର ବ୍ୟାଖ୍ୟା ଆମଭଳି ମଳିମୁଣ୍ଡିଆଙ୍କ ଗୋବରିଆ ମଗଜରେ ପଶୁନାହିଁ । କେତେ ଜାଗାରେ ହୁଲର ପଡ଼ୁଛି ଯେ ଉପାଧିଗୁଡ଼ାକୁ ମୂଳପୋଛ କରିଦିଅ, କିନ୍ତୁ ଏ ଉପାଧିଯାକ ଯେଉଁ ଗାତରୁ ବାହାରୁଛି ସେହି ଗାତରୁ ତ ବଡ଼ବଡ଼ିଆଙ୍କ ପିଠିରେ ଲଦା ହେବା ଉପାଧି ବାହାରିଛି । ସେଥିରୁ ଏଇଟାମାନ ହଉଛି ଶୁଦ୍ଧ ସୁବର୍ଣ୍ଣ, ସେଇଟାମାନ ପାଲଟି ଯାଇଛି ବେଙ୍ଗା ପିତଳ ।

 

ଏଥିପାଇଁ ଆମଦେଶରେ ରାମା ଶାମାଙ୍କ ବଡ଼ବଡ଼କେ କହିଯାଇଛନ୍ତି–ବଡ଼ଲୋକଙ୍କୁ ଉତ୍ତର ନାହିଁ କି ସରଗକୁ ନିଶୁଣି ନାହିଁ । ଆମ ଭିକା’ନ୍ନା ଗୋଟିଏ ଓଡ଼ିଶୀ ଢଗର ସଂଶୋଧିତ ସଂସ୍କରଣ ବୋଲନ୍ତି–“ବଡ଼ଲୋକ ଯେବେ ଚାଉଳ ଚୋବାନ୍ତି–ବାତପିତ୍ତ ନାଶନଂ, ଗରିବ ଲୋକ ଚୋବାଇଦେଲେ ବିକଳା ବୋଲି ସୋଧନଂ”, ଛାଡ଼ନ୍ତୁ ସେ କଥା । ଏତ ଗଲା ରାଜନୀତି ରାଜ୍ୟ । ସେଠାରୁ ଆସି ଭାଷା ରାଜ୍ୟରେ ପହୁଞ୍ଚିଲେ ଦେଖାଯିବ ଯେ ଦେବବିଗ୍ରହମାନଙ୍କ ପ୍ରତି ଆମ ଦେଶୀୟ ରାଜାରାଜୁଡ଼ାଙ୍କ ପ୍ରତି ପ୍ରଯୋଜ୍ୟ ସମ୍ବୋଧନ ପଦମାନ (ଯଥା, ଶ୍ରୀଛାମୁ ! ମଣିମା !) ସେମାନଙ୍କ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ଶବ୍ଦମାନ (ଯଥା ମଣୋହି, ଯୋଗଣ, ପହଡ଼, କାଠିଲାଗି, ଶୂଳେଇବିଜେ, ପନିଅରି ଲାଗି) ଓ ସେମାନଙ୍କ ଅଙ୍ଗପାଇଁ ବ୍ୟବହୃତ ଶବ୍ଦମାନ (ଯଥା, ଶ୍ରୀଅଙ୍ଗ, ଶ୍ରୀହସ୍ତ, ଗଭା) ଭାଷାର ବିଶିଷ୍ଟ ସମ୍ପଦ, ସବୁ ଦେଶରେ ସବୁ ଭାଷାରେ ଏହିପରି ବିଶିଷ୍ଟ ପ୍ରୟୋଗମାନ ଅଛି; ଯଥା ହିନ୍ଦୀରେ ଓ ଫାର୍ସିରେ ହଜୁର, ଖୋଦାୱଦ, ଗରୀପରୱର, ଇଂରେଜୀରେ Your highness, Your Excellency, Your Grace ଏଗୁଡ଼ିକ ସାଧୁ ପ୍ରୟୋଗ । ଆମ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ମାନାର୍ଥ ସାଧୁ ଭାଷା ପ୍ରୟୋଗର ଦୃଷ୍ଟାନ୍ତ ବିରଳ ନୁହେଁ, ଯଥା–ଧର୍ମାବତାର ! ଅବଧାନ ! ପରମେଶ୍ଵରଙ୍କର ନୈବେଦ୍ୟ ଦେବା, ମହାପ୍ରସାଦ ସେବା କରିବା-! ଗରିବର କୁଡ଼ିଆରେ ପାଦଧୂଳି ପଡ଼ିବା ଇତ୍ୟାଦି ।

 

ଏ ସବୁକୁ ଭାଷାରୁ ଯେଉଁମାନେ ଘଉଡ଼ିବାକୁ ବସନ୍ତି ସେମାନେ ଏକଦେଶଦର୍ଶୀ ଓରଫ ଅନ୍ଧାରକଣା ବୋଲି ମୋର ସୁବେ ହେଉଛି । ଏ ସବୁ ସବୁଭାଷାରେ ଶିଷ୍ଟାଚାର ପ୍ରଣୋଦିତ ହୋଇଥିଲା, ହେଉଅଛି ଓ ହେଉଥିବ । ‘ତୁମେ’, ‘ଆପଣ’, ‘ଛାମୁ’ ଆଦି ଶବ୍ଦ ‘ତୁ’ ଶବ୍ଦର ଶିଷ୍ଟାଚାର ପ୍ରଣୋଦିତ ପ୍ରମୋସନ୍ ବା କ୍ରମ ପରିବର୍ତ୍ତନ ମାତ୍ର । ନବଯୁଗର ଓଡ଼ିଶୀ ବ୍ୟାକରଣକର ମାନେ ମଧ୍ୟ ‘ଛାମୁ’, ‘ମଣିମା’ ପ୍ରଭୃତି ଶବ୍ଦଗୁଡ଼ିକୁ ରାଜକୀୟ ସମ୍ବୋଧନ ସୂଚକ ଶବ୍ଦରୂପେ ଗ୍ରହଣ କରିଅଛନ୍ତି ।

Image

 

କପିଳାସରେ ପ୍ରଭାତ

ଶଶିଭୂଷଣ ରାୟ

 

ମାନବର ହୃଦୟ-ମନ ଉପରେ ପ୍ରାକୃତିକ ଦୃଶ୍ୟର ଯେ ଅଦୃଶ୍ୟ ଅଥଚ ନିଶ୍ଚିତ ପ୍ରଭାବ ରହିଅଛି, ତାହା କେବଳ କବିଗଣଙ୍କ ବଚନରୁ ଶୁଣାଯାଏ । କବିଗଣ ପ୍ରକୃତିରେହିଁ ଉନ୍ମତ୍ତ, କବିଙ୍କ ନିକଟରେ ସାମାନ୍ୟ ଫୁଲର ସୌନ୍ଦର୍ଯ୍ୟ, ଚନ୍ଦ୍ରମାର ହାସ୍ୟ କେତେ ଭାବ ଆଣିଦିଏ ତାହା ଭାଷାରେ ପ୍ରକାଶ କରିବା ଦୁରୂହ; କିନ୍ତୁ କବିଙ୍କ ପ୍ରତି ସମସ୍ତଙ୍କର ଆସ୍ଥା ନାହିଁ । ଅନେକ ଲୋକେ କବିମାନଙ୍କୁ କେବଳ “ସ୍ଵପ୍ନପ୍ରିୟ” ବୋଲି ଗଣନାର ବାହାରେ ପକାଇ ଦିଅନ୍ତି । ତୀକ୍ଷ୍ଣବୁଦ୍ଧି ଜଡ଼ବାଦୀ ବୈଜ୍ଞାନିକଙ୍କ ନିକଟରେ କବି “କଳ୍ପନାର ଉପାସକ” ବୋଲି ସର୍ବଦା ଉପହାସର ପାତ୍ର । କବି କ୍ଷୁଦ୍ରକୁ ବୃହତ୍ ଏବଂ ସାମାନ୍ୟକୁ ମହତ୍ ବୋଲି ବ୍ୟାଖ୍ୟା କରନ୍ତି; ତାହାଙ୍କ ଚକ୍ଷୁ ସ୍ଵତନ୍ତ୍ର । କିନ୍ତୁ ଆମ୍ଭେମାନେ ପ୍ରକୃତିଙ୍କର ଯେଉଁ ସବୁ ଦୃଶ୍ୟରେ ଅଭ୍ୟସ୍ତ, ଏହାର ଅତିରିକ୍ତ ଯେ ଆହୁରି ଅଗଣିତ ଦୃଶ୍ୟାବଳୀ ରହିଅଛି ତାହା ଆମ୍ଭେମାନେ ଜାଣିଶୁଣି ସୁଦ୍ଧା ଅଜ୍ଞ । ପ୍ରକୃତିଙ୍କର ଏଭଳି କ୍ଷମତା ଅଛି ଯେ କୌଣସି ବିଶେଷ ସ୍ଥଳରେ ଏବଂ ବିଶେଷ କାଳରେ ମାନବର ମନମୁଗ୍ଧ କରିପାରନ୍ତି । ଲୋକାଳୟ ଶୂନ୍ୟ ବିଜନ ପ୍ରଦେଶରେ ଏଭଳି କେତେ ସୁରମ୍ୟ କେତେ ବିସ୍ମୟକର, କେତେ ଭୟାଭୟ ଦୃଶ୍ୟ ଅଲକ୍ଷିତରେ ରହିଅଛି, ଯାହା ଦେଖିଲେ ଘୋର ବିଷୟାସକ୍ତ ମନୁଷ୍ୟ କ୍ଷଣକାଳ ସକାଶେ ନିଜକୁ ହରାଇ ବସେ ଏବଂ ନୀରସ, କଠୋର, ହୃଦୟହୀନ ପାଷାଣଠାରୁ ମଧ୍ୟ କବିତ୍ଵର ପ୍ରସ୍ରବଣ ବାହାରିପଡ଼େ ।

 

କପିଳାସ ଗିରିମେଖଳାସ୍ଥିତ ଚନ୍ଦ୍ରଶେଖର ଦେବ ମନ୍ଦିର ଉପକଣ୍ଠରେ ଆଜି ମୋହର ନୀରସ ଜୀବନ ମଧ୍ୟରୁ କ’ଣ ବାହାରି ପଡ଼ୁଅଛି, କହିପାରୁ ନାହିଁ । ଚନ୍ଦ୍ରଶେଖର ଦେବଙ୍କ ପ୍ରଭାତ ଆରତିର ଘଣ୍ଟାଧ୍ୱନିରେ ଜାଗ୍ରତ ହେଲି–ଉଷା ପ୍ରଭାତରେ ପରିଣତ ହୋଇଗଲା । ଶୀତଳ ସମୀରଣ ବୃକ୍ଷପତ୍ର ଆନ୍ଦୋଳିତ କରି ଝରଝର ଶବ୍ଦରେ ପ୍ରବାହିତ ହେଲା । ଅନ୍ଧକାର ଏତେବେଳେ ଭୟଚକିତ ହୋଇ ପତ୍ରାନ୍ତରାଳରେ ଉହୁଁକି ଅଛି ଏବଂ ତାହାର ରାଜ୍ୟନାଶ ଅବଶ୍ୟମ୍ଭାବୀ ବୁଝି ପତ୍ର ମର୍ମର ଛଳରେ ବିଳାପ କରୁଅଛି । ଏହି ସମୟରେ କପିଳାସ ଶିଖରାରୋହଣ କରିବାର ଲୋଭ ସମ୍ବରଣ କରିପାରିଲି ନାହିଁ ।

 

“ସୀତାର ଅନ୍ତୁଡ଼ିଶାଳ” ନାମକ ଗହ୍ଵର ପାରହୋଇ କପିଳାସର ଶିଖରଦେଶସ୍ଥିତ ‘ବିଲଙ୍କା’ ନାମକ ସ୍ଥାନକୁ ଆସିଲେ ଚକ୍ଷୁ କେତେ ଆଡ଼କୁ ଧାଇଁବ ? ଚତୁର୍ଦ୍ଦିଗରେ ଅନନ୍ତ ଶୋଭାଭଣ୍ଡାର ଉନ୍ମୁକ୍ତ, କେଉଁ ଆଡ଼ ଛାଡ଼ି କେଉଁ ଆଡ଼କୁ ଅନାଇବି ? ଏଣେ ପୁଣି ପୂର୍ବାକାଶ ପରିଶୋଭିତ କରି ପ୍ରଭାତ ସଞ୍ଚିତ ସ୍ତରବିନ୍ୟସ୍ତ ଲୋହିତାଭ ମେଘରାଶି ପଶ୍ଚାତ୍‍ରୁ ଦିନମଣି ଉଠିଲେ । ଦୂରସ୍ଥିତ ଅଗ୍ନିଦାହ୍ୟବତ୍ ସେହି ମେଘମାଳା ପ୍ରଥମେ ଧୀରୋଜ୍ଜ୍ୱଳ ବର୍ଣ୍ଣ ଧାରଣ କଲା, ଯେପରି ଆଭ୍ୟନ୍ତରୀଣ ଅଗ୍ନିପ୍ରଦାହରେ ସେହି ଭାବର ପରିବର୍ତ୍ତନ ହୋଇ ଘୋର ଆରକ୍ତ ହୋଇ ଉଠିଲା । କ୍ରମଶଃ ଧୀରେ ଧୀରେ ସମୁଜ୍ଜ୍ଵଳ ସୁବର୍ଣ୍ଣରେଖା ବାହାରିଲା । ସେହି ରେଖା କ୍ରମେ ଉଜ୍ଜ୍ଵଳ ଅଗ୍ନି ବର୍ଣ୍ଣରେ ପରିବର୍ତ୍ତିତ ହୋଇ–ସେହି ଜ୍ୟୋତିର୍ମୟ କିରଣରଶ୍ମି ଦୂର ଦୂରାନ୍ତର ଆକାଶପ୍ରାନ୍ତରେ ବିଞ୍ଚିହୋଇ ଯାଇ ସମସ୍ତ ଗଗନ ମଣ୍ଡଳକୁ ଏକାବେଳକେ ଉଜ୍ଜ୍ଵଳ କରିଦେଲା ।

 

ଏକ ପାର୍ଶ୍ଵରେ ବ୍ରାହ୍ମଣୀ ନଦୀର କ୍ଷୀଣରେଖା, ଅପର ପାର୍ଶ୍ଵରେ ମହାନଦୀର ଅଳ୍ପବିସ୍ତୃତ ରେଖା ସୁସ୍ପଷ୍ଟ ଦିଶୁଅଛି । ବ୍ରାହ୍ମଣୀ ନଦୀର ଅପରପାର୍ଶ୍ଵସ୍ଥିତ କେନ୍ଦୁଝର ସୀମାବ୍ୟାପୀ ଢେଙ୍କାନାଳ ରାଜ୍ୟର ଅଗଣିତ ଶୈଳ ଓ ଗିରିମାଳା, ଏଣେ ଶ୍ଵେତ ସୈକତ ପୁଳିନବାହିନୀ ନୀଳସଲିଳା ମହାନଦୀର ଅପର ପାର୍ଶ୍ଵରେ କଟକ ନଗରର ପରସ୍ପର ସଂଲଗ୍ନ ବୃକ୍ଷରାଜି, ଏହି ବୃକ୍ଷରାଜି ମଧ୍ୟରୁ “ଯୋବରାଘାଟ”ର ଉଚ୍ଚ ଧୂମ ନିଃସ୍ତରଣ ସ୍ତମ୍ଭ (Chimney) ସଗର୍ବରେ ଦଣ୍ଡାୟମାନ ଏବଂ ଗୋରାକବରର (Cemetery) ଶୁକ୍ଳବର୍ଣ୍ଣ କାନ୍ଥଟି ନଦୀରେ ଧୋବାମାନେ ଲୁଗା ଶୁଖାଇଲା ପ୍ରାୟ ସ୍ପଷ୍ଟ ଦିଶୁଅଛି । ଅଦୂରେ ବିଡ଼ାନାସୀର ‘ଏକୁଟିଆ ଆମ୍ବଗଛ’ ସମ୍ପୂର୍ଣ୍ଣ ଅଲଗା ହୋଇ ଦିଶୁଅଛି-। ବ୍ରାହ୍ମଣୀର ଅପରପାର୍ଶ୍ଵସ୍ଥିତ ଦୂରବର୍ତ୍ତୀ ପର୍ବତଗାତ୍ରସ୍ଥିତ ସୌରକରୋଜ୍ଜ୍ୱଳ ଧୂସର ବନଶ୍ରେଣୀର ସୌନ୍ଦର୍ଯ୍ୟ ଦେଖି ନିଜର ଅକିଞ୍ଚିତ୍‌କର ଜୀବନ ନିଜକୁ ରହସ୍ୟମୟ ବୋଧ ହେଉଥିଲା-। ଅନ୍ୟଆଡ଼େ ଗାଢ଼ ନୀଳବର୍ଣ୍ଣ ପ୍ରଭା ଭୀଷଣ ଦର୍ଶନ ସପ୍ତଶଯ୍ୟା ପର୍ବତ ଏବଂ ତଳେ ଅସଂଖ୍ୟ କ୍ଷୁଦ୍ର ଶୈଳମାଳା ମଧ୍ୟରୁ ଆଠଗଡ଼ ରାଜ୍ୟର ସର୍ବୋଚ୍ଚ ଶୈଳ ‘ଶଙ୍ଖପୋଇ’ ମସ୍ତକ ଉତ୍ତୋଳନ କରିଥିଲା ଏବଂ ସମସ୍ତଙ୍କର ଅନିର୍ବଚନୀୟ ଶୋଭାମୟ ଆଧିକ୍ୟତାଗୁଡ଼ିକ ରବିରଶ୍ମିରେ ଉଦ୍ଭାସିତ ହୋଇ ନୟନ ସାର୍ଥକ କରି ଦେଉଥିଲା ।

 

ଖୁକୁଣ୍ଡିଆ ଲତାକୁଞ୍ଜରେ ଶିଶିରସିକ୍ତ କୁସୁମପୁଞ୍ଜ ପ୍ରସ୍ଫୁଟିତ ହୋଇ କେଡ଼େ କମନୀୟ ଦିଶୁଥାଏ ! ଖୁକୁଣ୍ଡିଆ ଫୁଲର ଗଛ ଯେଉଁମାନେ ଦେଖିନାହାନ୍ତି ସେମାନଙ୍କ ନୟନ ଗୋଟିଏ ପ୍ରଧାନ ଦର୍ଶନୀୟ ବସ୍ତୁରୁ ବଞ୍ଚିତ । ସ୍ଥାନେ ସ୍ଥାନେ ଅତଣ୍ଡି ବୃକ୍ଷଶାଖାସ୍ଥିତ ଧବଳିତ ପତ୍ରଗୁଚ୍ଛର ସୁଦୃଶ୍ୟସ୍ତବକ ହରିତବନଭୂମିକୁ ଚିତ୍ରିତ କଲାଭଳି ବୋଧ ହେଉଥାଏ । ବୃକ୍ଷଶାଖାସ୍ଥିତ ବିହଙ୍ଗମକୁଳ ସବୁ ଦିଗରେ ହର୍ଷକୋଳାହଳ ଆରମ୍ଭ କରିଅଛନ୍ତି । ଏହି ଅମ୍ଳାନୋଜ୍ଜ୍ଵଳ ରବିକର ପ୍ରଦୀପ୍ତ ମେଘ-କୁହେଳିକା ଶୂନ୍ୟ ବସନ୍ତ ପ୍ରଭାତରେ ସୁଦ୍ଧା ଧୀରସମୀର ଚାଳିତ ଜଳଭାରାକୀର୍ଣ୍ଣ ଦୁଇଖଣ୍ଡ ମେଘ ଶିଖରଦେଶର ନିମ୍ନରେ ଇତସ୍ତତଃ ବିଚରଣ କରି ବୁଲିଲା ।

 

ପ୍ରକୃତିଙ୍କ ଏହି ରମଣୀୟ ରାଜ୍ୟ ଦେଖୁଦେଖୁ ଗୋଟିଏ ଅପାର ସୌନ୍ଦର୍ଯ୍ୟ ସମୁଦ୍ରରେ ପ୍ରାଣ ବୁଡ଼ିଗଲା । ଅନନ୍ତ ନୀଳିମାକୋଳରେ ଶ୍ୟାମଳ ପରିଚ୍ଛଦରେ ସୁସଜ୍ଜିତ ହୋଇ ପର୍ବତ ଉପରେ ପର୍ବତ, ଶିଖର ଉପରେ ଶିଖର ମସ୍ତକ ଉତ୍ତୋଳନପୂର୍ବକ କେତେସହସ୍ର ବର୍ଷ କେତେ ଯୁଗଯୁଗାନ୍ତରରୁ ଦଣ୍ଡାୟମାନ ରହିଅଛି । ନିଜ ନିଜର ସୁବିସ୍ତୃତ ଦେହରେ ମହାନ୍ ସୌନ୍ଦର୍ଯ୍ୟରାଶିର ଅନନ୍ତ ଭଣ୍ଡାର ମୁକ୍ତ କରିଦେଇ କେତେକାଳ ହେଲା ସୌନ୍ଦର୍ଯ୍ୟପିପାସୁ ପ୍ରକୃତିଙ୍କ ଉପାସକ ମାନବ ପ୍ରାଣକୁ ଉନ୍ମତ୍ତ କରିଦେଉ ଅଛନ୍ତି ! ବିଶ୍ଵନିୟନ୍ତାର ଅପାର ମହିମାର ଏବଂ ଅସୀମ ଶକ୍ତିର ଅତ୍ୟୁଜ୍ଜ୍ଵଳ ନିଦର୍ଶନରୂପେ କେତେ ଲକ୍ଷ ଲକ୍ଷ ବର୍ଷ ହେଲା ଧରଣୀ ବକ୍ଷରେ ବିରାଜିତ ହୋଇଅଛନ୍ତି-। ଏହି ଅପାର ସୌନ୍ଦର୍ଯ୍ୟ ସାଗରରେ ନିଜର ପିପାସାକ୍ଳିଷ୍ଟ ପ୍ରାଣକୁ ବୁଡ଼ାଇଦେଇ ମୁଁ ଆଜି ଧନ୍ୟ-। ରମଣୀୟ ପ୍ରକୃତିର ଅମୃତ ସେଚନରେ ଅଭିଷିକ୍ତ ହୋଇ ଆନନ୍ଦ ଓ ଶାନ୍ତିପୂର୍ଣ୍ଣ ହୃଦୟରେ ଆତ୍ମବିସ୍ମୃତ ହୋଇଗଲି ।

 

ପ୍ରକୃତି ! ତୁମେ ଶାନ୍ତିର ଆଶ୍ରମ । ତୁମ୍ଭ କୋଳରେ ବସିଲେ ସଂସାର ତାପରେ ଉତ୍ତପ୍ତ ହୃଦୟ ନରନାରୀଙ୍କୁ ଶାନ୍ତିର ଶୀତଳ ଛାୟା ମିଳେ । ଯେତେବେଳେ ସଂସାରର ଶୁଷ୍କ ମରୁଭୂମିରେ ବିଚରଣ କରୁ କରୁ ସୁଖ ମରୀଚିକା ମାୟାରେ ପ୍ରତାରିତ ହୋଇ ଦୁର୍ବଳ ପ୍ରାଣ ନିରାଶାରେ ଅବସନ୍ନ ହୋଇଯାଏ, ସେତେବେଳେ ଏକାବେଳକେ ସମସ୍ତ ବିସ୍ମୃତ ହୋଇ ଯେବେ ତୁମ୍ଭ ଶୋଭାମଧ୍ୟରେ ବସିପାରେ, ତାହାହେଲେ ଯାତନାର ଶାନ୍ତି ହୁଏ, ତୁଚ୍ଛ ସଂସାର ବିଷୟଗୁଡ଼ିକ କେଉଁଠାରେ ବୁଡ଼ିଯାଏ । ନିରାଶ୍ରୟର ଆଶ୍ରୟ-ଭୂମି ତୁମ୍ଭର କୋଳ । ଭଗ୍ନ ହୃଦୟକୁ ସାନ୍ତ୍ଵନା ପ୍ରଦାନରେ ତୁମ୍ଭଭଳି ଆଉ କାହାର କ୍ଷମତା ନାହିଁ । ଜଗତର ଯେତେ ଶୁଷ୍କ, ଦଗ୍‍ଧ ଏବଂ ହତାଶ ହୃଦୟ ରହିଅଛି, ତୁମ୍ଭେ ସମସ୍ତଙ୍କର ଶାନ୍ତିଦାୟିନୀ ଜନନୀ । ସେମାନଙ୍କ ପ୍ରାଣର ଭାବ ତୁମ୍ଭ ଭାବରେ ମିଶି ଯାଇଅଛି । ଯେଉଁମାନଙ୍କର ସଂସାରରେ କେହି ନାହାନ୍ତି, ଯେ କାହାରି ନିକଟରୁ ସ୍ନେହର ଆଶା ରଖିନାହାନ୍ତି, ସେମାନଙ୍କୁ ତୁମ୍ଭେ ସମାଦର କରି କୋଳରେ ବସାଇ ଦିଅ । ତୁମେ ସ୍ନେହମୟୀ ଜଗଜ୍ଜନନୀଙ୍କ ପ୍ରଣିଧି ହୋଇ ସ୍ନେହଭିକ୍ଷୁକକୁ କେତେବେଳେ ସ୍ନେହରୁ ବଞ୍ଚିତ କରନାହିଁ । ସଂସାର ଯାହାକୁ ତଡ଼ିଦିଏ, ତାହାକୁ ତୁମ୍ଭର ସହାନୁଭୂତିରେ ତୁମ୍ଭେ ସର୍ବଦା ଜୀବିତ ରଖିଥାଅ । ତୁମ୍ଭର ପ୍ରଶାନ୍ତ ଆଶ୍ରୟରେ ଆସି ପହଞ୍ଚିଅଛି । ମୋହର ଭଗ୍ନପ୍ରାଣରେ ତୁମର ମଧୁର ସହାନୁଭୂତିର କୋମଳହସ୍ତ ବୁଲାଇଦିଅ ।

 

ପ୍ରକୃତି ! ତୁମେ ଯେ ମଧୁର ପ୍ରାତଃକାଳରେ ଏତେ ସୁଧା ବିତରଣ କର, ଏତେ ସୌନ୍ଦର୍ଯ୍ୟର ଜାଲ ବିସ୍ତୃତ କରି ମାନବକୁ ଭଗବାନ୍‍ଙ୍କ ପ୍ରେମରେ ବୁଡ଼ାଇବା ପାଇଁ ଏତେ ଚେଷ୍ଟା କରିଥାଅ–‘ଏହା ଜାଣି ନଥିଲି,’–ଜାଣି ସୁଦ୍ଧା ବୁଝିପାରି ନଥିଲି, ଏହି ମଳିନ ପୃଥିବୀରେ ପୁଣି ଏଭଳି ନିର୍ମଳ ସୁଖ ମିଳେ ? ତେବେ ମନୁଷ୍ୟ କାହିଁକି ଅସାର ଶାରୀରିକ ସୁଖ ସକାଶେ ଲାଳାୟିତ ହୋଇ ବୁଲୁଥାଏ ? ସୌନ୍ଦର୍ଯ୍ୟହିଁ ପ୍ରାଣର ସ୍ଫୁର୍ତ୍ତି ସିନା ? ଗଗନବିହାରୀ ପକ୍ଷୀ କିପରି ନବାଲୋକର ତରଳ ସ୍ରୋତରେ ଆନନ୍ଦରେ ଖେଳିବୁଲେ ? ପବିତ୍ର ସୌନ୍ଦର୍ଯ୍ୟରେ ବୁଡ଼ି ରହିଲେହିଁ ଆତ୍ମାର ଉନ୍ନତି । ସୌନ୍ଦର୍ଯ୍ୟହିଁ ଆତ୍ମାର ଆହାର–ଏହି ବିଶ୍ଵସଂସାରରେ ସୌନ୍ଦର୍ଯ୍ୟର ଜୟ ସର୍ବତ୍ର । ସୌନ୍ଦର୍ଯ୍ୟରେ ଯେ ନିଜର ପ୍ରାଣକୁ ଛାଡ଼ିଦେଇ ନାହିଁ, ତାହାର କୌଣସି ଆଡ଼େ ଉନ୍ନତି ନାହିଁ ।

 

ପ୍ରକୃତି ! ପ୍ରତିଦିନ ପ୍ରଭାତରେ ଦରବାର ଖୋଲି ତୁମ୍ଭେ ମନୁଷ୍ୟକୁ କେଡ଼େ ସୁନ୍ଦର ଶିକ୍ଷାଦିଅ । ତୁମ୍ଭର ପବିତ୍ର ଶିକ୍ଷା ପ୍ରଭାବରୁ ସଂସାରସିକ୍ତ ହୃଦୟ ଉନ୍ନତ ରାଜ୍ୟରେ ବିଚରଣ କରେ । ତୁମ୍ଭ ଭଳି ସରଳ, ପବିତ୍ର ସାଧୁଭାବର ଉଦୟ ଆଉ କେହିତ କରାଇ ଦେଇପାରେ ନାହିଁ । ପ୍ରେମମୟ ପରମେଶ୍ଵର ମନୁଷ୍ୟକୁ ସତ୍‌ମାର୍ଗରେ ଆଣିବା ନିମିତ୍ତ ତୁମ୍ଭଙ୍କୁ ଏପରିଭାବରେ ସଜାଇ ଅଛନ୍ତି ଯେ, ତୁମ୍ଭ ନିକଟକୁ ଆସିଲେ ହୃଦୟର ସୁପ୍ତ ସାଧୁଭାବସମୂହ ଜାଗି ଉଠେ–ପବିତ୍ରତାର ହିଲ୍ଲୋଳରେ ଜୀବନ ନୃତ୍ୟ କରୁଥାଏ । ତୁମ୍ଭର ପ୍ରଭାତ ଉପଦେଶ କିଭଳି ଜୀବନ୍ତ ! ଶତ ଗ୍ରନ୍ଥ ଅଧ୍ୟୟନ କଲେ ଯେଉଁ ଜ୍ଞାନ ହୁଏ ନାହିଁ, ନିବିଷ୍ଟ ଚିତ୍ତରେ ପ୍ରତ୍ୟହ ପ୍ରତ୍ୟୁଷରୁ ତୁମ୍ଭର ଶିକ୍ଷା ଗ୍ରହଣ କଲେ ଅଧିକ ଉପକାର ହୁଏ । ପୁସ୍ତକ–ପ୍ରଦତ୍ତ ଜ୍ଞାନ ପରୋକ୍ଷ, ପ୍ରକୃତିଙ୍କ ନିକଟରୁ ସମସ୍ତ ଜ୍ଞାନ ପ୍ରତ୍ୟକ୍ଷ ଭାବରେ ଲାଭ ହୁଏ । ପ୍ରତ୍ୟକ୍ଷ ଜ୍ଞାନର ବଳ ଶତଗୁଣ ଅଧିକ । ଯେତେବେଳେ କୌଣସି ସତ୍ୟ ପ୍ରତ୍ୟକ୍ଷ ଭାବରେ ହୃଦୟକୁ ଆଘାତ କରେ, ସେତେବେଳେ ମନୁଷ୍ୟ ତାହାର ତେଜରେ ପୃଥିବୀକୁ ମୁଗ୍ଧ କରେ । ପ୍ରତ୍ୟକ୍ଷ ସତ୍ୟ ଯେଉଁମାନେ ପାଇଅଛନ୍ତି, ସେହିମାନେ ଏହି ସଂସାରରେ ପ୍ରତିଭାଶାଳୀ ବୋଲି ବିଖ୍ୟାତ ।

 

ମୋହର ବଡ଼ ଇଚ୍ଛା–ମୋହ ଜୀବନରେ ଏହିଭଳି ପ୍ରଭାତ ଆସୁ । ହୃଦୟର ତମୋରାଶି ଦୂର ହୋଇ ଥରେ ଉଷାର ବିଦ୍ୟୁତ୍ ହାସ୍ୟ ଚମକିଉଠୁ । ଅଜ୍ଞାନ ସଂଶୟ ଓ ବିଷାଦର ତିମିର ଜାଲ ଭେଦ କରି ସତ୍ୟ ଓ ଆନନ୍ଦର ପ୍ରଭାତ କିରଣ ପ୍ରକାଶିତ ହେଉ । ଆଉଥରେ ଶୈଶବର ସରଳ ଉତ୍ସାହରେ ଖେଳି ବୁଲିବାକୁ ବଡ଼ ଆଶା ହୁଏ । ଯେତେବେଳେ ପ୍ରଭାତ ଆସିଥିଲା, ହେଳାରେ ହରାଇଥିଲି–ଏତେବେଳେ ମଧ୍ୟାହ୍ନରେ ପୁଣି ସେହି ପ୍ରଭାତ କାମନା କରୁଅଛି । ଆହା ! ମୋହର ଧର୍ମଜୀବନର କେବେ ପ୍ରଭାତ ହେବ ? ବାଟ ଚାଲୁ ଚାଲୁ କ୍ରମାଗତ ଅନ୍ଧକାରରେ ବୁଡ଼ିଯାଉଅଛି–କେବେ ଏହି ଅନ୍ଧକାର ଦୂରହେବ ? ଯେ ଅନ୍ଧକାରରେ ବୁଡ଼ି ରହିଅଛି, ତାହା ଏତେ ଅଭ୍ୟସ୍ତ ଯେ ଆଲୋକ ଦେଖିବାର ଆଉ ଉପାୟ ନାହିଁ–ସାମର୍ଥ୍ୟ ମଧ୍ୟ ନାହିଁ । ଆଲୋକ ନ ପାଇଲେ ଏହି ଜଡ଼ତା କିପରି ଘୁଞ୍ଚିବ ?

 

ଆଲୋକ ସହିତ ଜୀବନ ଓ କାର୍ଯ୍ୟର ସମ୍ବନ୍ଧ-ଅନ୍ଧକାର ମୃତ୍ୟୁ ଏବଂ ବିଶ୍ରାମର ଚିହ୍ନ । ସମଗ୍ର ରାତ୍ରିର ଅନ୍ଧକାର ଉତ୍ତାରୁ ଯେବେ ନବରବିଙ୍କ ପ୍ରାଣପୂର୍ଣ୍ଣ ଜ୍ୟୋତିଃ ପ୍ରକାଶିତ ନ ହୁଅନ୍ତା, ତାହାହେଲେ ନିହିତ ପ୍ରାଣୀ ଜଗତ୍ ନିଶାନ୍ତର ନବତେଜରେ ଜାଗି ଉଠନ୍ତା କି ? ଆଲୋକ ଜାଗ୍ରତ ଜୀବନର ଦୂତସ୍ୱରୂପ । ସୂର୍ଯ୍ୟ ଯେପରି ସୌରଜଗତର ପ୍ରାଣସ୍ୱରୂପ–ସୂର୍ଯ୍ୟ ନଥିଲେ ଯେପରି ଜୀବନଧାରଣ ଅସମ୍ଭବ,–ପ୍ରାଣୀଜଗତରେ ସେହିପରି ଅନନ୍ତକୋଟି ପ୍ରଭାକର ଅପେକ୍ଷା ଅନନ୍ତଗୁଣ ତେଜଶାଳୀ ବିଶ୍ୱପତି ପ୍ରାଣର ପ୍ରାଣସ୍ୱରୂପ ହୋଇ ରହିଅଛନ୍ତି । ସୂର୍ଯ୍ୟ ଯେପରି ସ୍ଵତଃ ପରତଃ ଏହି ଜଗତରେ ଗତି, ଶକ୍ତି ଏବଂ ସ୍ଥିତି ଉତ୍ପନ୍ନ କରୁଅଛନ୍ତି, ପରମେଶ୍ଵର ସାକ୍ଷାତଭାବରେ ସେହିପରି ଆତ୍ମାର ସ୍ମୃତି, ଶକ୍ତି ଏବଂ ଉନ୍ନତିର କାରଣ ଏବଂ ଆଶ୍ରୟରୂପେ ବିଦ୍ୟମାନ । ତାହାଙ୍କ ସତ୍ତାରେହିଁ ଜୀବାତ୍ମା ଅନୁପ୍ରାଣିତ । ଏହି ଅନ୍ତରତମ ସମ୍ବନ୍ଧ ଭଲ କରି ଉପଲବ୍‍ଧି କଲେ ଧର୍ମ ଜୀବନର ପ୍ରଭାତ ହୁଏ ।

 

ମାନବ ଜୀବନ ସହିତ ଗୋଟିଏ ଦିବସର ଅନେକ ସାଦୃଶ୍ୟ । ଜନ୍ମ–ଉଷା, ଶୈଶବ–ପ୍ରାତଃକାଳ, ଯୌବନ–ମଧ୍ୟାହ୍ନ, ପ୍ରୌଢ଼ାବସ୍ଥା–ଅପରାହ୍ନ, ବାର୍ଦ୍ଧକ୍ୟ–ସନ୍ଧ୍ୟା ଏବଂ ମୃତ୍ୟୁ ରାତ୍ରି, ଏଗୁଡ଼ିକ ଯେପରି ଏକ ସୂତ୍ରରେ ଗ୍ରଥିତ, ଏମାନଙ୍କ ପାରସ୍ପରିକ ଭାବ ଯେପରି ଏକ ତନ୍ତ୍ରୀରେ ବନ୍ଧା–ଗୋଟିଏ ମନେ ହେଲେ ଅପରର ଛାୟା ଆସି ସମ୍ମୁଖରେ ଦଣ୍ଡାୟମାନ ହୁଏ । ଦିବସର ଆରମ୍ଭ ରାତ୍ରିର ଅବସାନରେ, ପ୍ରକାଶର ପୂର୍ବାବସ୍ଥା ଗାଢ଼ ତିମିରରେ ଆବୃତ,–ଶିଶୁର ଜନ୍ମ ପୂର୍ବରୁ କ’ଣ ଗୋଟିଏ ରହସ୍ୟମୟ ପ୍ରହେଳିକା ଆମ୍ଭମାନଙ୍କ ସମସ୍ତ ଜ୍ଞାନ ଘୋଡ଼ାଇ ରଖିଅଛି । କେଉଁଠାରୁ ଏହି ଆଶ୍ଚର୍ଯ୍ୟ ଜୀବନ ଆସେ–ଅବଶେଷରେ କେଉଁଠାକୁ ଚାଲିଯାଏ, ଏ ପର୍ଯ୍ୟନ୍ତ କୌଣସି ମନୁଷ୍ୟ ବୁଦ୍ଧିକୁ ଆସିଲାନାହିଁ ! ଶୀତକାଳର ପ୍ରତ୍ୟୁଷରେ ଯେତେବେଳେ ଆମ୍ଭେମାନେ ଚତୁର୍ଦ୍ଦିଗ କୁହେଳିରେ ଆଚ୍ଛନ୍ନ ଥିବା ପ୍ରଯୁକ୍ତ, ଯେତେ ବାଟ ଚାଲୁ, ସେତିକି ଦେଖିଥାଉ–ଅଗ୍ର ପଶ୍ଚାତ୍‌ରେ କିଛିହିଁ ଦୃଷ୍ଟିଗୋଚର ହୁଏନାହିଁ–ସେହିପରି ଏହି ଅସୀମ ରହସ୍ୟମୟ ସଂସାରରେ ମନୁଷ୍ୟ ଚତୁର୍ଦ୍ଦିଗରେ ଅଭେଦ୍ୟ ଅନ୍ଧକାର ଦେଖେ, ଜୀବନର ବର୍ତ୍ତମାନ ମୁହୂର୍ତ୍ତ ଅତିକ୍ରମ କରି ଆଉ କିଛିହିଁ ତାହାର ସୀମାବଦ୍ଧ ଦୃଷ୍ଟିର ଅଧିକାରକୁ ଆସେ ନାହିଁ;–ଅତୀତ କୁହୁଡ଼ିରେ ବୁଡ଼ିଯାଏ–ଭବିଷ୍ୟତ୍ ଆହୁରି ଅନ୍ଧକାର ରାଜ୍ୟରେ ଅବସ୍ଥିତ କରେ । ଯେଉଁ ପରିମାଣ ଚାଲୁଅଛୁ, ସେହି ଅଳ୍ପ ପଥରେହିଁ ଆଲୋକ,–ଯାହା ଛାଡ଼ିଆସିଲୁ, ତାହା ଉପରେ ଅସ୍ପଷ୍ଟ ତିମିରର ଆବରଣ ପଡ଼ିଯାଏ–କେବଳ ସ୍ମୃତିରେ ତାହାର ଚିହ୍ନ ରହିଯାଏ ।

 

ଦିବସର ପ୍ରାରମ୍ଭ ପ୍ରାୟ ଶୈଶବାବସ୍ଥା କମନୀୟ, କୋମଳ ଏବଂ ମଧୁର । ଶୈଶବର ସରଳତା, ପୁଷ୍ପ ପ୍ରାୟ ପବିତ୍ରତା ପ୍ରଭାତକୁ ସ୍ମରଣ କରାଇଦିଏ । ପ୍ରତ୍ୟହ ପ୍ରକୃତି ରାଜ୍ୟରେ ଯାହା ଅଭିନୀତ ହୁଏ,–ଏ ସଂସାରର ବିସ୍ତୃତ ନାଟ୍ୟଶାଳାରେହିଁ ନିୟତ ତାହାର ପ୍ରତ୍ୟଭିନୟ ହେଉଅଛି । ଫୁଲ ଫୁଟିଲେ ତାହା ଯେପରି ସ୍ଵତଃ ନୟନାନନ୍ଦକର ହୁଏ, ପରିବାର ମଧ୍ୟରେ ଶିଶୁର ଜନ୍ମ ସେହିପରି ସ୍ଵଭାବତଃ ସମସ୍ତଙ୍କର ଆନନ୍ଦବର୍ଦ୍ଧକ । ମଧୁର ପ୍ରାତଃକାଳର ଶୋଭାରାଶି ମଧ୍ୟରେ ଯେ ନିଜର ମନଃପ୍ରାଣଙ୍କୁ ପବିତ୍ରତାରସରେ ବୁଡ଼ାଇଅଛନ୍ତି, ସେ ଶୈଶବର ସରଳତା ଓ ପବିତ୍ରତା ମଧ୍ୟରେ ପବିତ୍ରସ୍ଵରୂପ ପରମେଶ୍ଵରଙ୍କୁ ଉପଲବ୍‍ଧି କରି ପାରିବେ । ଉଭୟର ସନ୍ଦର୍ଶନରେ ମାଧୁର୍ଯ୍ୟହିଁ ପ୍ରବଳ, କିନ୍ତୁ ଯେତେବେଳେ ଦିନ ବଢ଼ୁ ବଢ଼ୁ ମଧ୍ୟାହ୍ନ ଆସି ପହଞ୍ଚେ, ସେତେବେଳେ ପୂର୍ବଭାଗ ତିରୋହିତ ହୋଇ ଓଜସ୍ଵିତାର ପ୍ରାଦୁର୍ଭାବ ହୁଏ । ଆଉ ସେ ଉଷାର ପବିତ୍ର । ମଧୁର ଜ୍ୟୋତିଃ ଦୃଷ୍ଟିଗୋଚର ହୁଏ ନାହିଁ,–ତାହା ପରିବର୍ତ୍ତରେ ଗାମ୍ଭୀର୍ଯ୍ୟ ଏବଂ ତେଜପୂର୍ଣ୍ଣ ମଧ୍ୟାହ୍ନର ସୂର୍ଯ୍ୟ ପ୍ରବଳ ପ୍ରତାପରେ ରାଜତ୍ଵ କରୁଅଛନ୍ତି, ଶୈଶବର ସେହି ଅକପଟ ମନୋହର ହାସ୍ୟର ସୌନ୍ଦର୍ଯ୍ୟ ଏତେବେଳେ ଲିଭିଯାଇଅଛି–ଚିନ୍ତାଶୀଳ, ଗମ୍ଭୀର, କୁଟିଳ ଏବଂ ତେଜସ୍ଵୀ ଯୌବନ ପ୍ରଖର ପ୍ରଭାରେ ବର୍ତ୍ତମାନ ଉଦୀୟମାନ । ଅପରାହ୍ନରେ ରୌଦ୍ର ଅବସାନ ହୁଏ–ପ୍ରୌଢ଼ାବସ୍ଥାରେ ଯୌବନର ଚାଞ୍ଚଲ୍ୟ ଚାଲିଯାଏ । ସେତେବେଳେ ସ୍ଥିରବୁଦ୍ଧି ଏବଂ ପରିଦର୍ଶନ ଶକ୍ତି ମାନବ ଅନ୍ତରରେ ପ୍ରବଳ ହୁଏ । ଅବସନ୍ନ ରୌଦ୍ରର ଶୟାନ ଛାୟାନ୍ୟାୟ ଉଦ୍ୟମ ଓ ଉତ୍ସାହ ପଡ଼ିଯାଏ, ଆଳସ୍ୟ, ବିଶ୍ରାମ ଏବଂ ଶାନ୍ତିପୂର୍ଣ୍ଣ ନୀରବତାରେ ଜୀବନ ଅତିବାହିତ ହୋଇଥାଏ । ସନ୍ଧ୍ୟାର ମଳିନଛାୟା କ୍ରମଶଃ ଦିବସକୁ ଗ୍ରାସ କରି ପକାଏ, ପ୍ରବୀଣ ବାର୍ଦ୍ଧକ୍ୟ ଅବଶେଷରେ ମାନବକୁ ଆୟତ୍ତ କରେ । ସମସ୍ତ ଜୀବନ ସଞ୍ଚିତ ସଂସାରରେ କଳୁଷରାଶିର ମଳିନତା ସନ୍ଧ୍ୟାର ଅନ୍ଧକାର ପ୍ରାୟ ପ୍ରତୀୟମାନ ହୁଏ । ଆଲୋକ ଲିଭିଯାଉଅଛି; ଅନ୍ଧକାର ଦିଗ ଅଧିକାର କରି ପକାଉଅଛି । ଜୀବନ ଅସ୍ତଆଡ଼କୁ ଯାଉଅଛି, ମୃତ୍ୟୁର ରାଜ୍ୟ ଧୀରେ ଧୀରେ ଅଗ୍ରସର ହେଉଅଛି । ଗଭୀର ନୈଶ ତିମିର ପ୍ରାୟ ମୃତ୍ୟୁର କରାଳ ଛାୟା ଅବଶେଷରେ ସମସ୍ତ ଆବୃତ କରି ପକାଇଲା ।

 

“ଝର–ଉପବୀତଧାରୀ କପର୍ଦ୍ଦିସେବିତ” କପିଳାସ ! ନୀଳକାଚପ୍ରତିମ ସ୍ଵଚ୍ଛ ସଫେଦ ଜଳପ୍ରବାହରେ ଅସଂଖ୍ୟ ଜୀବକୁଳକୁ ସ୍ନିଗ୍‍ଧ କରି ବସନ୍ତ ସମୀରଣ-ସଂସ୍ପର୍ଶ ଚଞ୍ଚଳା କୁସୁମକୁନ୍ତଳା ବନଲତାରେ ଭୂଷିତ ହୋଇ ଏବଂ ବିହଙ୍ଗକୁଳର କମନୀୟ କଣ୍ଠନିଃସୃତ ସ୍ଵରଲହରୀ ସର୍ବଦା ଘେନି ଛିଡ଼ା ହୋଇଥାଏ । ତୁମ୍ଭର ଶ୍ୟାମଳ-ପଲ୍ଲବ-ଦଳଶାଳୀ ସମୁନ୍ନତଶୀର୍ଷ ବୃକ୍ଷରାଜିରୁ ରବିକର-ସମୁଜ୍ଜ୍ଵଳ ଯୌବନ-ସ୍ଵପ୍ନ-ମଗ୍ନ ପ୍ରସ୍ଫୁଟିତ ପୁଷ୍ପରାଶି ଘେନି ବ୍ରହ୍ମାଣ୍ଡନାଥଙ୍କ ପୂଜାରେ ନୀରବରେ ଅର୍ପଣ କରୁଥାଅ ! “ବଣର ମାଳତି ଫୁଲ ବଣେ ଫୁଟି ଝଡ଼ିଲା” ଏହା କହି ଦୁଃଖିତ ହେବାର କାରଣ ନାହିଁ; କାରଣ ଏହି ପୁଷ୍ପରାଶି ତୁମ୍ଭେ କାହା ଉଦ୍ଦେଶ୍ୟରେ ଉପହାର ଦେଉଅଛ, ତୁମ୍ଭେ ଭଲ କରି ଜାଣ । ମୋହର ଅନୁମାନ ବ୍ୟର୍ଥ, ଚିନ୍ତା ପରାସ୍ତ ଏବଂ ସିଦ୍ଧାନ୍ତ ଉପେକ୍ଷିତ ।

Image

 

ଓଡ଼ିଆର ଜାତୀୟତା

ଗୋପବନ୍ଧୁ ଦାସ

 

ମନେରଖିବାକୁ ହେବ, ଆମ୍ଭେମାନେ ପ୍ରଥମେ ମନୁଷ୍ୟ, ପରେ ଭାରତୀୟ ଏବଂ ସର୍ବଶେଷରେ ଓଡ଼ିଆ । ଏହିଭାବ ମନରେ ନ ରଖିଲେ ଜାତୀୟକ୍ରମବିକାଶ ଅସମ୍ଭବ । ପ୍ରତ୍ୟେକ ବ୍ୟକ୍ତିର ସ୍ଵାତନ୍ତ୍ର୍ୟ ଅଛି । ମାତ୍ର ସାମାଜିକ ଭିତ୍ତିବିନା ଏ ସ୍ଵାତନ୍ତ୍ର୍ୟ ପ୍ରକଟିତ ହୁଏ ନାହିଁ । ସେହିପରି ଓଡ଼ିଆ ଜାତିର ସ୍ଵାତନ୍ତ୍ର୍ୟ ଫୁଟିବ ପ୍ରଶସ୍ତତର ଜାତୀୟତାକ୍ଷେତ୍ରରେ ଏବଂ ଉଦାର ସାର୍ବଜନୀନ ମାନବିକତାରେ । ଓଡ଼ିଆମାନେ ଯେ ଏହି ଉଦାର ମାନବଧର୍ମରେ ଚିରଦିନ ଦୀକ୍ଷିତ ଏବଂ ଭାରତ ସହିତ ଉତ୍କଳର ନିତ୍ୟସମ୍ବନ୍ଧ ଅନୁଭବ କରିଅଛନ୍ତି ଓଡ଼ିଆଜାତିର ଇତିହାସ ଅଭ୍ରାନ୍ତ ଭାବରେ ଏହା ପ୍ରମାଣ କରୁଅଛି । ଓଡ଼ିଶାର ଯଥାର୍ଥ ଇତିହାସ ଏ ପର୍ଯ୍ୟନ୍ତ ଲେଖା ହୋଇନାହିଁ । ଏହାର ଗିରିବର କନ୍ଦରରେ ଯେ ସମସ୍ତ ଉପାଦାନ ବିକ୍ଷିପ୍ତଭାବରେ ପଡ଼ି ରହିଅଛି, ଭଗ୍ନମନ୍ଦିରରେ ଯେ ସମସ୍ତ ସ୍ମୃତି ଏବଂ ସଂସ୍କାର ଜଡ଼ିତ ଅଛି ପୁଣ୍ୟ ପର୍ବମାନଙ୍କରେ ଏମନ୍ତ କି ଯେ ସମସ୍ତ ଅନୁଷ୍ଠାନ ଆଜି ଅନେକଙ୍କ ନିକଟରେ କୁସଂସ୍କାର, ସେ ସବୁର ମଜାରେ ଯେ ସତ୍ୟସାର ନିହିତ ଅଛି, ପ୍ରବାଦ ଓ ପ୍ରଚଳିତ ପରମ୍ପରାରେ ଜୀବନର ଯେ ସମସ୍ତ ତଥ୍ୟ ପ୍ରକାଶ ପାଉଅଛି ସେ ସବୁର ଭିତରକୁ ଦେଖିଲେ ଜଣାଯାଏ, ଓଡ଼ିଆଜାତି ଇତିହାସରେ କେବେ ସଂକୀର୍ଣ୍ଣ ସୀମାରେ ଆବଦ୍ଧ ନଥିଲେ । ନଦୀ ପର୍ବତଦ୍ଵାରା ଓଡ଼ିଶାର ସୀମା ଆବଦ୍ଧ ହେଲେ ସୁଦ୍ଧା, ଓଡ଼ିଆମାନେ ସର୍ବଦା ସେ ସୀମା ଅତିକ୍ରମ କରି ବିଶାଳତା ଆଡ଼କୁ ଗତି କରିଅଛନ୍ତି । ଜାତୀୟତାର ଲକ୍ଷ୍ୟରେ ଉଦାର ମାନବିକତା, ସମଗ୍ର ଭାରତରେ ତାହା ଓଡ଼ିଆହିଁ ବୁଝିଥିଲେ । ବିଶ୍ଵପ୍ରୀତିହିଁ ଓଡ଼ିଆର ଜାତୀୟତା, ପୂର୍ଣ୍ଣପ୍ରାଣ ଓଡ଼ିଆର ମନୁଷ୍ୟତା । ଓଡ଼ିଆର ଏ ଜାତୀୟତା ଦେଶାନୁରାଗ କେବେ ଜଡ଼, ନିର୍ଜୀବ, ନୀରସ ଓ ସ୍ଵାର୍ଥକଳୁଷିତ ନୁହେଁ । ରାଜ୍ୟଲାଭ ବା ରକ୍ତପାତରେ ଏହାର ପ୍ରତିଷ୍ଠା ନୁହେଁ, ଗଭୀର ଧର୍ମଭାବ ଏବଂ ଦୃଢ଼ବିଶ୍ଵାସ ଏହାର ଭିତ୍ତି, ସାମ୍ୟ ମୈତ୍ରୀ ସ୍ଵାଧୀନତା ଏହାର ବିଗ୍ରହ । ଓଡ଼ିଆର ଏହି ଭାବ ନୀଳାଚଳ ଧାମରେ ପ୍ରକଟିତ; ତେଣୁ ଜଗନ୍ନାଥ ଓଡ଼ିଆର ଜାତୀୟଦେବତା । ବଦ୍ରିନାଥ, ରାମନାଥ, ଦ୍ୱାରିକାନାଥ, ସ୍ଥାନବିଶେଷର ନାଥ ମାତ୍ର ଜଗତ୍‍ର ନାଥ ନୁହଁନ୍ତି । ପ୍ରାଚୀନ କାଶୀଧାମରେ ବିଶ୍ଵନାଥ ଅଛନ୍ତି କିନ୍ତୁ ସମସ୍ତ ବିଶ୍ଵକୁ ଆଲିଙ୍ଗନ କରିବାର ଉଦାରତା ସେଠାରେ ନାହିଁ । କାଳକ୍ରମେ ଆମ୍ଭମାନଙ୍କ ଜାତୀୟତା ଅଧୋଗତି ସଙ୍ଗେ ନୀଳାଚଳର ମୌଳିକ ଉଦାରଭାବ ଆଜି ବହୁ ସଂକୁଚିତ ହୋଇଅଛି ସତ୍ୟ, ଏ ଭାବ ଓଡ଼ିଶାରୁ ଲୋପ ପାଇନାହିଁ । ନୀଳାଚଳର ନୀତିରେ କ୍ଷୁଦ୍ର ବୃହତ୍ ନାହିଁ, ରାଜା ପ୍ରଜା ନାହିଁ; ବ୍ରାହ୍ମଣ ଚଣ୍ଡାଳ ନାହିଁ, ପାମର-ପ୍ରେମିକ ନାହିଁ, ଏମନ୍ତ କି ହିନ୍ଦୁ-ବୌଦ୍ଧର ଭେଦ ନାହିଁ । ପରବର୍ତ୍ତୀ ଚୈତନ୍ୟ ଯୁଗରେ ମଧ୍ୟ ହିନ୍ଦୁ ମହମ୍ମଦୀୟ ଭେବ ପର୍ଯ୍ୟନ୍ତ ଏଠାରେ ଲୁଚିଯାଇଥିଲା । ଏହି ଉଦାରମାନବିକତା ଏବଂ ମହାଭାରତ ଜାତୀୟତାର ବୀଜ ନୀଳାଚଳ ଧାମରେ ଅଛି ବୋଲି ତ କାଳେ କାଳେ ଭାରତର ଦିଗଦିଗନ୍ତରୁ ସିଦ୍ଧସାଧକ ଓ ମହାପୁରୁଷମାନେ ଆକୃଷ୍ଟ ହୋଇ ଆସିଅଛନ୍ତି । ଜଗନ୍ନାଥ ସାକ୍ଷାତ ବୌଦ୍ଧାବତାର । ଶଙ୍କରଙ୍କର ପ୍ରଧାନ ମଠ ପୁରୀରେ । ରାମାନୁଜଙ୍କର ଏହା ପୁଣି ଏକ ପ୍ରଧାନ ଧର୍ମକେନ୍ଦ୍ର । ନାନକ ପୁରୀର ସୈକତରେ ନିଜର ସର୍ବୋତ୍କୃଷ୍ଟ ମଧୁମୟ ସଙ୍ଗୀତ ଗାଇଥିଲେ । କବିରଙ୍କର ମଧ୍ୟ ଆସ୍ଥାନ ଏହିଠାରେ । ଅବଶେଷରେ ପ୍ରେମର ଅବତାର ଭଗବାନ୍ ଶ୍ରୀକୃଷ୍ଣଚୈତନ୍ୟ ଭାରତର ସମଗ୍ର ତୀର୍ଥ ଭୂମି ଏହି ସାର୍ବଜନୀନ ପ୍ରେମଧାମରେ ସ୍ଥାୟୀ ନିବାସ କରି ଗାଇଲେ–

 

“ଜଗନ୍ନାଥସ୍ଵାମୀ ନୟନପଥଗାମୀ ଭବତୁମେ ।”

 

ମୁସଲମାନ ଭକ୍ତ ହରିଦାସ, ଶାଲବେଗ ପ୍ରଭୃତିଙ୍କର ସମାଧି ଏହି ପୁରୀରେ ପ୍ରତିଷ୍ଠିତ । ବାସ୍ତବିକ ଉତ୍କଳଭୂମି ସଂକୀର୍ଣ୍ଣ ନୁହେଁ । ଓଡ଼ିଆ କେବେ କ୍ଷୁଦ୍ରତର ସୀମାବଦ୍ଧ ନୁହେଁ । ପୁରୀ, ଭୁବନେଶ୍ଵର ଓ କୋଣାର୍କ ମନ୍ଦିରର ବିଶାଳତା ଏହାର ପରିଚୟ । ମନୁଷ୍ୟ ହାତଗଢ଼ା ଏ ଶିଳ୍ପଛଡ଼ା ଓଡ଼ିଶାର ପାରିପାର୍ଶ୍ଵିକ ବେଷ୍ଟନୀ ଓଡ଼ିଆର ସେହି ବିଶାଳଭାବ ଓ ଉଦାରତାର ପ୍ରମାଣ । ଯେଉଁ ଦେଶର ଦେବତା ଜଗନ୍ନାଥ, ସେ ଦେଶର ନଦୀ, ଗିରି, ସାଗର ଶ୍ମଶାନରେ ଯେ ସେହି ମହାଉଦାରଭାବ ବିକାଶ ପାଇବ ତାହା ସ୍ଵାଭାବିକ । ଓଡ଼ିଶାର ନଦୀ ମହାନଦୀ, ସମୁଦ୍ର ମହୋଦଧି, ଗିରି ମହେନ୍ଦ୍ର, ବୃକ୍ଷ କଳ୍ପବଟ, ଏମନ୍ତ କି ଶ୍ମଶାନ ମାନବର ଅନ୍ତିମ ସ୍ଥାନ ନୁହେଁ, ଦିବ୍ୟ ଅନନ୍ତ ଧାମର ପ୍ରବେଶଦ୍ଵାର–ସ୍ଵର୍ଗଦ୍ଵାର । ଏହି ନାମ ସବୁ କ’ଣ ପ୍ରକାଶ କରୁଅଛି ? ଓଡ଼ିଆ ପ୍ରାଣରେ ମହାଭାବ କଳ୍ପନା କରିଅଛି, ଚତୁର୍ଦ୍ଦିଗରେ ତାହାହିଁ ଦେଖିବାକୁ ପ୍ରୟାସୀ ହୋଇଅଛି । ଗୋଟିଏ ଶବ୍ଦ ଏକ ଏକ ଜାତିର ଇତିହାସପଟ୍ଟ ଫଟାଇଦେଇ ଅତୀତର ଅନ୍ଧାରରେ ଆଲୋକ ଦେଇଅଛି । ମହାନଦୀ, ମହୋଦଧି ପ୍ରଭୃତି ଓଡ଼ିଆ ପ୍ରାଣର ବିଶାଳତା ଏବଂ ପୂର୍ଣ୍ଣତା ନିମନ୍ତେ ଓଡ଼ିଆ ହୃଦୟରେ ଆକାଂକ୍ଷା ପ୍ରକାଶ କରୁନାହିଁ କି ? ଶିଳ୍ପରେ ଏବଂ ଦେବମୂର୍ତ୍ତିରେ ଓଡ଼ିଆ ହୃଦୟର ଯେ ଭାବ ବ୍ୟକ୍ତ କରିଅଛି ଏହିପରି ଗୋଟିଏ ଗୋଟିଏ ଶବ୍ଦରେ ତାହାର ପ୍ରାଣର କବିତା ସେହି ଉଦାର ମହାଭାବ ପ୍ରକାଶ କରିଅଛି ।

 

କବିତା, ଶିଳ୍ପ ବା ଦେବତା କଳ୍ପନାରେ ଯେଉଁ ଭାବର ସୂଚନା ଦେଖାଯାଉଅଛି, ଓଡ଼ିଆ ଜୀବନକ୍ରିୟାରେ ଇତିହାସର ଯୁଗେଯୁଗେ ତାହାହିଁ ପ୍ରକଟିତ ହୋଇଅଛି । ହିନ୍ଦୁ, ବୌଦ୍ଧ, ଶିଖ, ଶୈବ, ଶାକ୍ତ, ପରମାର୍ଥ, ନାନା ଶାଖା ସମ୍ପ୍ରଦାୟର ମହାସମନ୍ଵୟସ୍ଥଳୀ ପବିତ୍ର ଉତ୍କଳ ଭୂମି । ଓଡ଼ିଆ କେବେ କାହାକୁ ବିଦ୍ଵେଷ ଦୃଷ୍ଟିରେ ଦେଖିନାହିଁ । ଧର୍ମକ୍ଷେତ୍ର ଛଡ଼ା ଶାସନ ଏବଂ ସାମାଜିକ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଏହି ଉଦାରତା ବରାବର ଦେଖାଇ ଆସିଅଛି । ମୁଁ ଏଠାରେ ଏ ସମ୍ବନ୍ଧେ ଅଧିକ କିଛି ନ କହି ଶ୍ରଦ୍ଧେୟ କୃପାସିନ୍ଧୁ ମିଶ୍ରଙ୍କ ବିରଚିତ ବାରବାଟୀ ଦୁର୍ଗରୁ ଏହି ପଂକ୍ତି ଉଦ୍ଧାରକଲି-

 

“ଭାରତ ଇତିହାସରେ ତେଜସ୍ଵୀ ଓଡ଼ିଆର ଦାନ ହେୟ ନୁହେଁ । ବୀର ଓଡ଼ିଆ ବଦାନ୍ୟତାରେ ପ୍ରସିଦ୍ଧ ଥିଲା । ଚିରକାଳ ଓଡ଼ିଆ ଆତ୍ମନିର୍ଭରଶୀଳ । କେବେ କାହାର ଅନୁଗ୍ରହ ଭିକ୍ଷା କରିବାର ପ୍ରମାଣ ନାହିଁ । ଯଶୋନାଶୀ କାଳଗର୍ଭରେ ବିଲୁପ୍ତପ୍ରାୟ ହେଲେହେଁ ଏକଥା ସତ୍ୟ ଏବଂ ଅନୁସନ୍ଧାନସେବୀଙ୍କର ସ୍ଵୀକାର୍ଯ୍ୟ ଯେ, ଅନୁଗ୍ରହ ଦେଖାଇବା ନିମନ୍ତେ ଓଡ଼ିଆ ଭାରତ ଇତିହାସରେ ପ୍ରସିଦ୍ଧ । ଅନେକ ଜାଣିଥିବେ କିପରି ୧୨୦୩ ଖ୍ରୀଷ୍ଟାବ୍ଦରେ ମହମ୍ମଦ ବକ୍ତିଆର ଖିଲିଜିଙ୍କ ଦ୍ଵାରା ସିଂହାସନରୁ ବିତାଡ଼ିତ ହୁଅନ୍ତେ ବଙ୍ଗଦେଶର ଶେଷ ହିନ୍ଦୁରାଜା ଲକ୍ଷ୍ମଣସେନ ଓଡ଼ିଆଙ୍କ ଅନୁଗ୍ରହ ଭିକ୍ଷାକରି ପୁରୀରେ ନିରାପଦରେ ଶେଷ ଜୀବନଯାପନ କରିଥିଲେ ଏବଂ ୧୫୩୭ ଖ୍ରୀଷ୍ଟାବ୍ଦରେ ବାହାମଣି ରାଜ୍ୟର ସୁଲତାନ ହୁମାୟୁନଙ୍କ ଦ୍ଵାରା ବାରମ୍ବାର ପରାସ୍ତ ହୋଇ ତେଲେଙ୍ଗା ହିନ୍ଦୁରାଜା ନରସିଂହ ଦେବଙ୍କ ରାଜତ୍ଵ କାଳରେ ଓଡ଼ିଆଙ୍କ ଦ୍ଵାରରେ ସାହାଯ୍ୟ ଭିକ୍ଷା କରିଥିଲେ । ପୁଣି କପିଳେନ୍ଦ୍ର ଦେବଙ୍କ ରାଜତ୍ଵ କାଳରେ ୧୪୭୦ ଖ୍ରୀଷ୍ଟାବ୍ଦରେ ହିମ୍ବରଙ୍କ ପରିବର୍ତ୍ତେ ସ୍ଵୟଂ ରାଜାହେବା ନିମନ୍ତେ ମଙ୍ଗଳରାୟ ଏହି ବାରବାଟୀରେ ଆଶ୍ରୟ ଲୋଡ଼ିଥିଲେ । ଓଡ଼ିଆମାନେ ଫେରିବା ପରେ ମାଲବା ସୁଲତାନ ମହମ୍ମଦ ଶାହାଙ୍କ ଆଶ୍ରୟରେ ହିମ୍ବର ପୁଣି ରାଜା ହୋଇ ଯେତେବେଳେ ମୁସଲମାନ ଦୌରାତ୍ମ୍ୟରେ ପ୍ରପୀଡ଼ିତ ହେଲେ ସେତେବେଳେ ଉପହାର ସହ ସେହି ପୂର୍ବଶତ୍ରୁ ଓଡ଼ିଆ ରାଜାଙ୍କ ସାହାଯ୍ୟ ମାଗି ପଠାଇଥିଲେ ଏବଂ ଉତ୍କଳରାଜା ମଧ୍ୟ ଆଶ୍ରିତକୁ ରକ୍ଷା କରିଥିଲେ । ଉତ୍ତର ଭାରତରେବି ଓଡ଼ିଆମାନେ ଏହିପରି ସାହାଯ୍ୟ ଦାନପାଇଁ ପ୍ରସିଦ୍ଧ ଥିଲେ । ଖ୍ରୀଷ୍ଟୀୟ ୬ଷ୍ଠ ଶତାବ୍ଦୀର ମଧ୍ୟଭାଗରେ ସୁଲେମାନଙ୍କ କର୍ତ୍ତୃକ ପରାଭୂତ ଏବଂ ଦୂରୀକୃତ ବଙ୍ଗର ସୁଲତାନ ଇବ୍ରାହିମ ଜୀବନରକ୍ଷା ନିମନ୍ତେ ଇତସ୍ତତଃ ହୋଇ ପରିଶେଷରେ ଓଡ଼ିଆଙ୍କ ଦ୍ଵାରରେ ସାହାଯ୍ୟପ୍ରାର୍ଥୀ ହୋଇଥିଲେ ଏବଂ ସେତେବେଳେ ସ୍ଵଦେଶ ତଥା ସ୍ଵଜାତିର ଗୌରବ ରକ୍ଷା କରି ଓଡ଼ିଆମାନେ ଆପଣାର ସହଜାତ ବଦାନ୍ୟଗୁଣରେ ଆଶ୍ରୟପ୍ରାର୍ଥୀଙ୍କୁ ଯଥୋପଯୁକ୍ତ ଭିକ୍ଷାଦାନ କରିଥିଲେ । ପୁଣି ଦୁର୍ଦ୍ଦାନ୍ତ ବଙ୍ଗନବାବ ସୁଲେମାନଙ୍କ ଦମନାର୍ଥେ ଅହର୍ନିଶ ବହୁ ଅର୍ଥ ଓ ସାମର୍ଥ୍ୟ ବ୍ୟୟ କରି ଅକୃତକାର୍ଯ୍ୟ ହେଲାପରେ ସ୍ଵୟଂ ମୋଗଲସମ୍ରାଟ ଆକବର ଦିନେ ଓଡ଼ିଆଙ୍କ ସାହାଯ୍ୟ ଲୋଡ଼ିଥିଲେ ଏବଂ ଓଡ଼ିଆମାନେ ସେ ସାହାଯ୍ୟ ଯଥାର୍ଥ ଦାନ କରି ଜନ୍ମଭୂମିକୁ ଦେଶବିଦେଶବ୍ୟାପୀ ମହାଗୌରବରେ ମହୀୟାନ୍ କରିଥିଲେ । ରାଜନୈତିକ ସ୍ଵାଧୀନତା ବିଲୋପ ପରେ ମଧ୍ୟ ୧୬୩୩ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ପ୍ରଥମ ଇଂରେଜବଣିକ କାର୍ଟରାଇଟ ଓ ତାହାଙ୍କର ପାଞ୍ଚୋଟି ମାତ୍ର ସହଚରଙ୍କ ପ୍ରତି ହରିଶପୁରଠାରେ ତତ୍‌କାଳୀନ ପ୍ରତାପୀ ପର୍ତ୍ତୃଗୀଜମାନଙ୍କ ଆକ୍ରମଣରୁ ତାହାକୁ ରକ୍ଷା କରି ଓଡ଼ିଆମାନେ ଯେ ମାନବପ୍ରୀତି ଓ ବଦାନ୍ୟତା ଦେଖାଇଥିଲେ ତାହା ମଧ୍ୟ ସ୍ମରଣୀୟ ।”

 

ଏହି ସମସ୍ତ ଐତିହାସିକ ଘଟନାରୁ କେବଳ ଯେ ଓଡ଼ିଆମାନଙ୍କର ଉଦାରତାର ପରିଚୟ ମିଳୁଅଛି ତାହା ନୁହେଁ, ଭାରତୀୟ ରାଜନୀତିରେ ସେମାନେ ପୂର୍ବେ ବରାବର ଯୋଗାଯୋଗ ରଖିଥିଲେ, ଏହା ମଧ୍ୟ ପ୍ରମାଣିତ ହୋଇଅଛି । ଧର୍ମ, ରାଜନୀତି ପ୍ରଭୃତି ସକଳ ବିଷୟରେ ଭାରତ ସଙ୍ଗେ ଓଡ଼ିଶାର ଏହି ଯେ ଚିରସମ୍ବନ୍ଧ ରହିଅଛି ତାହା ଅସ୍ଵୀକାର କରାଯାଇ ନପାରେ ।

Image

 

ବାମନ ହାତ ଓ ଆକାଶର ଚନ୍ଦ୍ର

ପଣ୍ଡିତ ଗୋଦାବରୀଶ ମିଶ୍ର

 

ବାମନର ଚନ୍ଦ୍ରକୁ ହାତ ବଢ଼େଇବା ଚେଷ୍ଟା ନିତାନ୍ତ ହାସ୍ୟାସ୍ପଦ । କିନ୍ତୁ ଚନ୍ଦ୍ରକୁ ହାତ ବଢ଼ାଇବା ବିଷୟରେ, କେବଳ ବାମନ କାହିଁକି, ପୃଥିବୀର ସବୁଠାରୁ ଡେଙ୍ଗାଲୋକ ସମ୍ପର୍କରେ ସୁଦ୍ଧା, ଏକଥା କୁହାଯାଇ ପାରିବ । ତଥାପି ପୃଥିବୀର ଇତିହାସରୁ ଦେଖାଯାଏ, କେତେକ ବାମନ ଅସଂଖ୍ୟ ଡେଙ୍ଗା ଲୋକଙ୍କୁ ଟପି ଚନ୍ଦ୍ରକୁ ହାତ ବଢ଼ାଇ ଅଳ୍ପାଧିକ କୃତକାର୍ଯ୍ୟ ହୋଇଛନ୍ତି । ବିଲାତରେ କୌଣସି ପିଲା, ଅର୍ଥାଭାବ ଯୋଗେ ଚା’ ନ ପାଇପାରି ଗରମପାଣି ପିଇ ଶୀତ ନିବାରଣ କରୁଥିଲା, ପରେ ସେ ପ୍ରଧାନମନ୍ତ୍ରୀ ହେଲା । ଆମେରିକା ଯୁକ୍ତରାଜ୍ୟର ଗୋଟିଏ ଗରିବ ପିଲା ଘରେ ଆଲୁଅ ଜାଳିବାକୁ ପଇସା ନ ପାଇବାରୁ ସଡ଼କ ଆଲୁଅରେ ବସି ପାଠ ପଢ଼ୁଥିଲା । ସେ ଦିନେ ଯୁକ୍ତରାଜ୍ୟର ସଭାପତି ଆସନରେ ବସିଲା । ସେହି ଯୁକ୍ତରାଜ୍ୟର ଜଣେ ସଭାପତିଙ୍କ ଉନ୍ନତି ଘଟିଥିଲା, ପତ୍ର କୁଡ଼ିଆରୁ ରାଜପ୍ରାସାଦକୁ । ବଙ୍ଗ ଦେଶକୁ ଜଣେ ଗୋରା ଲାଟ ଆସିଥିଲେ ଯେ କି ଦିନେ କୁଲି ବ୍ୟବସାୟରେ ଜୀବିକା ଉପାର୍ଜନ କରୁଥିଲେ । ପ୍ରଥମ ମହାସମରର ବିରାଟ ମନ୍ଥନ ମଧ୍ୟରୁ ଜେକୋସ୍ଲୋଭାକିଆ ରାଜ୍ୟ ପ୍ରତିଷ୍ଠା କରିଥିଲେ ଯେଉଁ ସାମରିକ, ସେ ଜଣେ ସାମାନ୍ୟ କଚୁଆନର ପୁଅ । ଇତାଲିର ସେ ଦିନର ଭାଗ୍ୟବିଧାତା ମୁସୋଲିନ୍ ସେହିପରି ଦରିଦ୍ର କମାର ଘରେ ଜନ୍ମ ହୋଇଥିଲେ । ପୃଥିବୀ ବିଖ୍ୟାତ ହିଟ୍‌ଲର ଇଟାଭାଟିରେ କାମ କରି ପିଲାଦିନେ ପେଟ ପୋଷୁଥିଲେ । ରୁଷିଆର କର୍ଣ୍ଣଧାର ଷ୍ଟାଲିନ୍ ମୋଚି ପିଲା ଥିଲେ । ଆମ ଭାରତର ମଧ୍ୟ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ଜନ୍ମ ସାମାନ୍ୟ ପୂଜାରୀ ଘରେ ।

 

ଏମାନେ ଯେ ବାମନ ହୋଇ ଜନ୍ମ ହୋଇଥିଲେ, ତାହା କିଏ ଅସ୍ଵୀକାର କରିବ ? କୋଟି କୋଟି ବାମନ ପୃଥିବୀକୁ ଆସି ବନର ମାଳତି ପରି ବନରେ ଫୁଟି ଝଡ଼ୁଛନ୍ତି । ତାଙ୍କ କଥା କେହି ଜାଣୁ ନାହାନ୍ତି । କିନ୍ତୁ ସେମାନଙ୍କ ଭିତରୁ ଯେ ଚନ୍ଦ୍ରକୁ ହାତବଢ଼ାଇ ଧରିପାରୁଛି ସେ ବଡ଼ ହେଉଛି ଓ ଉଚ୍ଚତାରେ ଲକ୍ଷ ଲକ୍ଷ ଡେଙ୍ଗାଲୋକଙ୍କୁ ଟପି ଯାଇଛି । କୋଟି କୋଟି ବାମନ ଆକାଶରେ ଉଜ୍ଜ୍ଵଳ ଚନ୍ଦ୍ରମଣ୍ଡଳ ଦେଖି, ଲୋଭ ସମ୍ବରଣ କରିନପାରି ହାତ ବଢ଼ାଉଛନ୍ତି ମାତ୍ର ଧରି ନପାରି ହାସ୍ୟାସ୍ପଦ ହେଉଛନ୍ତି । ଆମ ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ର ଥରେ ମତେ କହିଲେ “ଏଣ୍ଟ୍ରାନ୍‌ସ ଖଣ୍ଡକ ପାସ୍ କରିଗଲେ ମଣିଷରେ ଗଣା ହୁଅନ୍ତୁ, ମାତ୍ର ତୋ ପକ୍ଷରେ ଏ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ । କ’ଣ ପଡ଼ିଛି ? ବହିପତ୍ର କିଣିବୁ, ଖୋରାକ ଧରିବୁ, ପ୍ରବାସରେ ଯାଇ ରହିବୁ; ସବୁ କରିପାରିଲେ ସିନା ହେବ । ଏତ ଷାଠିଏ ପଉଟି ଘିଅ ହବ ନା ରାଧା ନାଚିବେ । ”

 

ବର୍ତ୍ତମାନ ମାଟ୍ରିକ୍ୟୁଲେସନ ପରୀକ୍ଷାର ନାମ ସେ ସମୟରେ ଏଣ୍ଟ୍ରାନ୍‌ସ ଥିଲା । ମୋ ପୂର୍ବରୁ ବାଣପୁରର ଷାଠିଏ ହଜାର ଲୋକଙ୍କ ମଧ୍ୟରୁ କେବଳ ଜଣେ ଏଣ୍ଟ୍ରାନ୍‌ସ ପାସ୍ କରିଥିଲେ । ଏଣ୍ଟ୍ରାନ୍‌ସ ପାସ୍ କଲେ ଯେ ମନୁଷ୍ୟରେ ଗଣାହୁଅନ୍ତି ତାଙ୍କୁ ଦେଖିଲେ ଜଣାଯାଉଥିଲା । ତାଙ୍କ ଦ୍ଵାରେ ଶହ ଶହ ଲୋକ ରୁଣ୍ଡ ହୁଅନ୍ତି, ଦଶ ପଚାଶ ସରବରାକାର ତାଙ୍କ ପାଖେ ଯାଇ ଯୁଟନ୍ତି; ତାଙ୍କ ମୁହଁରୁ ପଦେ କଥା ଶୁଣିବାକୁ ଲୋକେ ଚାହିଁ ରହିଥାନ୍ତି, ସେ ଖୋରଧା କଚେରିରେ କିରାଣି କାମରେ ରହିଥିଲେ । ତାଙ୍କ ପଛକୁ ମୁଁ ମଧ୍ୟ ଆଉ ଜଣେ ବାହାରିବି ବୋଲି, ମୋର ପୁରୀରେ ପଢ଼ିବାବେଳୁ ଅନେକ ଧରିନେଲେ । ସେଥିପାଇଁ ମୁଁ ଛୁଟିରେ ଘରକୁ ଗଲେ, ବରାବର ଶୁଣେ, “ଟିକିଏ ଦୟା ରଖିଥିବଟି” !

 

କିନ୍ତୁ ଦୟା ରଖିବା ଅବସ୍ଥାକୁ ଯିବା ପୂର୍ବରୁ ମୋତେ ପ୍ରଥମେ ଚନ୍ଦ୍ରଙ୍କୁ ହାତ ବଢ଼ାଇବାକୁ ପଡ଼ିଲା । ଅଥଚ ମୁଁ ଦେଖିଲି ଯେ ମୋ ହାତ ପାଉନାହିଁ । ସୁତରାଂ ମାସ ମାସ ଧରି ନୈରାଶ୍ୟ ବହ୍ନିରେ ମୋତେ ଜଳିବାକୁ ହେଲା, ଶେଷରେ ଅତି ଆକସ୍ମିକ ଭାବରେ ଦିନେ ଆକାଶକଇଁଆ ଓ ଚିଲିକା ମାଛର ସଂଯୋଗ ଘଟିଲା; ମୁଁ ପୁରୀରେ ନାମ ଲେଖାଇବାକୁ ଗଲି । ମୁଁ ନିତି ଅସ୍ଥାୟୀ ମାଇନର ସ୍କୁଲରେ ଯାଇ ବସେ । ଦିନେ ଖୋରଧାର ତହସିଲଦାର ସ୍କୁଲ ପରିଦର୍ଶନରେ ଗଲେ । ମୁଁ ଉଚ୍ଚ ବିଦ୍ୟାଳୟକୁ ପଢ଼ିବାକୁ ନ ଯାଇ ସେଠାରେ କାହିଁକି ଷୁଘୁରୁଛି, ସେ ପଚାରିଲେ । ଶିକ୍ଷକଙ୍କଠାରୁ ଉତ୍ତର ପାଇବା ପରେ ସେ ଟିକିଏ ଭାବି କହିଲେ, “ଆଚ୍ଛା, ମୁଁ ତା’ର ବ୍ୟବସ୍ଥା କରିବି-।” ଯଥାସମୟରେ ସେ ଗୋଟାଏ ବ୍ୟବସ୍ଥା କଲେ ମଧ୍ୟ, ରାମକୃଷ୍ଣ ବୋଷଙ୍କ ନିକଟକୁ ପୁରୀକୁ ମୋ ହାତରେ ଖଣ୍ଡିଏ ଚିଠି ଦେଲେ । ରାମକୃଷ୍ଣ ବୋଷ କଟକର ସେ ଯୁଗର ଖ୍ୟାତନାମା ଓକିଲ ହରିବଲ୍ଲଭ ବୋଷଙ୍କ ପୁତୁରା । ସେ “ଶଶି ନିକେତନ”ରେ ରହୁଥିଲେ ।

 

ଦରିଦ୍ର କୁଟୀରର ବଡ଼ନିଧି ହେଉଛି ପିଲା । ବୟସରେ ମୋ ଠାରୁ ଦଶବର୍ଷ ସାନ ମୋର ଭଉଣୀଟିଏ ଥିଲା । ସମାଜରେ ପୁଅ ଓ ଝିଅ ଉଭୟଙ୍କ ଆବଶ୍ୟକତା ସମାନ ହେଲେ ସୁଦ୍ଧା, ପୁଅମାନେ ଝିଅଙ୍କ ତୁଳନାରେ ଅଧିକ ଆଦର ପାଆନ୍ତି । ବର୍ତ୍ତମାନ ନାରୀ ଜାତି ନିଜ ଦାବି ପ୍ରତିଷ୍ଠିତ କରିବାକୁ ବସୁଛି । ତା’ର ଫଳାଫଳ ଯଥାସମୟରେ ଜଣାଯିବ । କିନ୍ତୁ ବିଧାତା ନାରୀମୁଣ୍ଡରେ ଯେଉଁ କଠୋର କର୍ତ୍ତବ୍ୟ ଲଦିଛି, ତାକୁ ବହନ କରି ସେ ଯେ ଖୁବ୍ ଉଚ୍ଚକୁ ଉଠିପାରିବ ସେ ବାଟ ଏବେ ପ୍ରାଞ୍ଜଳ ଦିଶି ନାହିଁ । ସେହି କର୍ତ୍ତବ୍ୟ ପାଳନହିଁ ନାରୀ ପକ୍ଷରେ ଗର୍ବର ହେତୁ; ତାହାରି ଯୋଗେ ନାରୀର ମହତ୍ତ୍ଵ ଏବେ ବଢ଼ିଛି । ନାରୀ ଜାତିର ମହୀୟସୀ ପ୍ରତିନିଧିରୂପେ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ପୂଜା ପାଉଛନ୍ତି, ଶକ୍ତି ସୃଷ୍ଟି ସର୍ଜନା କରୁଛି । ପରିବାର ମଧ୍ୟରେ ଜୀବିକା ଅର୍ଜନ ଭାର ପଡ଼ିଛି ପୁରୁଷ କାନ୍ଧରେ । ଗ୍ରୀନ୍‌ଲାଣ୍ଡ, ସୁଇଜରଲାଣ୍ଡ ପ୍ରଭୃତି କେତେକ ସ୍ଥାନରେ ନାରୀମାନେ ପୁରୁଷଙ୍କୁ ଘରେ ରଖାଇ ନିଜେ ବାହାରର ସକଳ କାର୍ଯ୍ୟ ନିର୍ବାହ କରନ୍ତି, ଏପରି କି ଜୀବିକା ଅର୍ଜନ କରି ମଧ୍ୟ ଆଣନ୍ତି । ପୁରୁଷମାନେ ଘରଧନ୍ଦା ବୁଝନ୍ତି, ସନ୍ତାନର ଲାଳନପାଳନ ଭାର ମୁଣ୍ଡାନ୍ତି । ବର୍ମାଦେଶର ନାରୀ ପୁରୁଷ ଅପେକ୍ଷା ପ୍ରବଳ । ତଥାପି ମାନବ ସମାଜରେ ସଚରାଚର କୁଟୁମ୍ବପୋଷିବା କାମ ପୁରୁଷର, ନାରୀର ନୁହେଁ, ସେହି କାରଣରୁ ବିବାହିତ ପୁଅର ନାମ ଭର୍ତ୍ତା ଓ ବିବାହିତ ଝିଅର ନାମ ଭାର୍ଯ୍ୟା ।

 

କେବଳ ସେତିକି ନୁହେଁ । ହିନ୍ଦୁ ସମାଜରେ ପୁଅ ପିଣ୍ଡ ଦେବାକୁ ଅର୍ହ ବିବେଚିତ ହେଉଥିବା ଯୋଗେ ଝିଅଠାରୁ ତା’ର ଆଦର ଅଧିକ ହୋଇପାରେ, କିନ୍ତୁ ପ୍ରାୟ ସବୁ ସମାଜରେ ଝିଅ ଅଳ୍ପାଧିକ ପରିମାଣରେ ଏକ ସମସ୍ୟା । ବେଶ ଝିଅ ଜନ୍ମ ହେଲେ, କେହି କେହି ତାକୁ ଅଭିଶାପ ମଣନ୍ତି । କାରଣ ଉପଯୁକ୍ତ ପାତ୍ର ସହିତ ବିବାହ କରାଇବା କ୍ଵଚିତ୍ ସମ୍ଭବପର ହୁଏ । ପୁଅମାନଙ୍କୁ ଅବିବାହିତ ଅବସ୍ଥାରେ ଯେତେ ବୟସ ପର୍ଯ୍ୟନ୍ତ ରଖି ହୁଏ, ଝିଅମାନଙ୍କୁ ରଖି ହୁଏ ନାହିଁ । ନାରୀର ସତୀତ୍ଵ ଉପରେ ସମାଜ ତୀବ୍ର ଦୃଷ୍ଟି ଦେଇଥାଏ । ଝିଅର ଆଚରଣ ଯୋଗେ ଅନେକ ବାପା ମା ସମାଜରେ ଲାଞ୍ଛନା ଭୋଗିବାର ଦେଖାଯାଏ । ପୁଅର ଯେଉଁ ଦୋଷ ପୌରୁଷ ବିବେଚିତ ହୁଏ, ଝିଅ ପକ୍ଷେ ତାହା ମାରାତ୍ମକ ସ୍ଖଳନ । ଝିଅକୁ ଘରେ ନ ରଖି ବିବାହ କରାଇ ଦେବା ନିମନ୍ତେ ବାପା ମା ଯେ ବ୍ୟାକୁଳ ହୁଅନ୍ତି, ବରପାତ୍ରମାନେ ସେଥିରୁ ଲାଭ ଉଠାଇବାକୁ ବସନ୍ତି । ତହିଁରୁ କନ୍ୟା-ଶୁଳ୍‍କର ଉତ୍ପତ୍ତି । ପିତା କନ୍ୟା ଶୁଳ୍‌କ ଦେବାକୁ ଅକ୍ଷମଥିବାର ଦେଖି କେତେ କନ୍ୟା ବା ଆତ୍ମହତ୍ୟା ନ କରନ୍ତି ! ଆଜିକାଲି ଝିଅମାନେ ଅବିବାହିତ ରହିବାକୁ ଇଚ୍ଛା କରୁଥିବାର ଦେଖାଯାଉଛି । ବିବାହର ବୟସ ଆଇନରେ ବଢ଼ାଇ ଦିଆଯାଉଥିବା ଯୋଗେ ତାହା ସମ୍ଭବପର ହେଉଛି । ପୁରୁଷ ସହିତ ନାରୀର ସମ୍ପର୍କ ନିୟନ୍ତ୍ରଣ କରିବା ଗୋଟାଏ ବଡ଼ ସାମାଜିକ ସମସ୍ୟା । ପାରିବାରିକ ଜୀବନ ଯଥାର୍ଥ ଆଦର୍ଶ କି ନା ବର୍ତ୍ତମାନ କ୍ରମେ ସନ୍ଦେହର ବିଷୟ ହୋଇପଡ଼ୁଛି । ପୁରୁଷଙ୍କ ପରି ନାରୀମାନେ ରାଜନୀତି କ୍ଷେତ୍ରରେ ବଡ଼ବଡ଼ ପୀଠରେ ବସିବାକୁ ଆରମ୍ଭ କଲେଣି । ତଥାପି ଝିଅ ଅପେକ୍ଷା ପୁଅର ଆଦର ଅଧିକ ରହିଛି ।

 

ଘରେ କୋଳକୁ ଝିଅଟି ରହୁଥିଲେ ମଧ୍ୟ ମୋ ପୁରୀ ଯିବା ଦିନ ବୋଉ ବହୁତ କାନ୍ଦିଲା । ମୋ ବୁଢ଼ୀମା ଅନ୍ଧୁଣୀ । ନାତୁଣୀ ତାଙ୍କ ପକ୍ଷେ ଅନ୍ଧର ଲଉଡ଼ି ଥିଲା, ମୁଁ ନଥିଲି । ତଥାପି ସେ ମୋତେ କୁଣ୍ଢାଇ ଧରି ଆଖିରୁ ଝରଝର ଲୁହ ଗଡ଼ାଇଲା । ବହୁ ବନ୍ଧନ ଗୋଟି ଗୋଟି ଛିଣ୍ଡାଇ ଲେଉଟ ଚକୁଳି ଖାଇ ମୁଁ ପିତାଙ୍କ ସଙ୍ଗେ ଘରୁ ଗୋଡ଼ କାଢ଼ିଲି । ଏଥର ପୁରୀ ପର୍ଯ୍ୟନ୍ତ ରେଳରେ ଗଲି । ରାମକୃଷ୍ଣ ବୋଷ ଚିଠି ପଢ଼ି, ମୋ ହାତରେ ପାଞ୍ଚଟି ଟଙ୍କା ଦେଇ କହିଲେ “ଏତିକି ନିଅ, ଆଉ ଆସିବ ନାହିଁ ।” ସେ ଜଣେ ଧର୍ମଭୀରୁ ଲୋକ । ବି. ଏ. ପାସ୍ କରି ଅର୍ଥ ଉପାର୍ଜନ ପନ୍ଥା ଛାଡ଼ି ଜଗନ୍ନାଥ ଧାମ ଆଶ୍ରୟ କରିଥାନ୍ତି । ସେ ବେକରେ ବଡ଼ବଡ଼ ତୁଳସୀ କଣ୍ଠିମାଳ ପିନ୍ଧୁଥିଲେ, ଆମିଷ ଖାଉ ନଥିଲେ, କୀର୍ତ୍ତନରେ କାଳ କଟାଉଥିଲେ । ସେତେବେଳକୁ ତାଙ୍କର ସମ୍ଭବତଃ ୩୨/୩୩ ବର୍ଷ ବୟସ । ଯୌବନର ମଧ୍ୟାହ୍ନରେ ଏତେ ସଂଯମରେ ରହିବା ଲୋକ ବିରଳ । ଦିନେ ପୁରୀ ରାଜା ମୁକୁନ୍ଦଦେବ ଉଆରେଣ୍ଟରେ ଧରା ହୋଇ, ସୁଆରିରେ ବସି କଚେରିକୁ ଯାଉଥିଲେ । ସେ ଦୃଶ୍ୟ ଦେଖିବା ସକାଶେ ବାଟଯାକ ଲୋକାରଣ୍ୟ ହୋଇଗଲା । ସୁଆରି “ଶଶି ନିକେତନ” ଆଗରେ ଯିବାବେଳେ ରାମକୃଷ୍ଣବାବୁ ଧାଇଁ ଆସି ସଡ଼କର ଲାଲି ଧୂଳି ଉପରେ ଲମ୍ବ ହୋଇ ଶୋଇ ଦଣ୍ଡପ୍ରଣାମ କରିଗଲେ ।

 

ମୁଁ ପୁରୀ ଜିଲ୍ଲା ସ୍କୁଲରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଲି । ସେହି ଶ୍ରେଣୀର ନାମ ଆଜିକାଲି ସପ୍ତମ ହୋଇଛି । ବର୍ତ୍ତମାନ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ସବୁ ନିଶୁଣିରେ ଚଢ଼ିବା କ୍ରମରେ ତଳୁ ଉପରକୁ ଜଣାଯାଉଛି; ସେ ସମୟରେ ଉପରୁ ତଳ ଆଡ଼କୁ ଗଣା ଯାଉଥିଲା । ମୁଁ ବିଦ୍ୟାଳୟରେ ପ୍ରବେଶ କଲି ଦୁର୍ଗା ପୂଜା ଛୁଟିର କିଛିଦିନ ପୂର୍ବରୁ, ସେ ବର୍ଷର ବାକି କେତେ ମାସ ଓ ଚତୁର୍ଥ ଶ୍ରେଣୀର ପୂରା ବର୍ଷକ ପିତାଙ୍କୁ ଜମି ବିକି ମୋ ପଢ଼ା ଖର୍ଚ୍ଚ ଚଳାଇବାକୁ ପଡ଼ିଲା । ରାମକୃଷ୍ଣ ବୋଷଙ୍କ ପାଖକୁ ଆଉଥରେ ଯିବାକୁ ମୋର ସାହସ ତ ନଥିଲା, ଇଚ୍ଛା ମଧ୍ୟ ହେଲା ନାହିଁ-। ମୁଁ ପ୍ରଥମେ ତାଙ୍କ ପାଖକୁ ଯେଉଁଦିନ ଯାଇଥିଲି, ତାଙ୍କ ଘରୁ ଜଣେ ବାବୁ ବାହାରି ମୋତେ କହିଲେ “କ’ଣ ରୋଷେଇବାସ କର ? ଆମର ପୂଜାରୀ ଅଛି”, ଯେତେ ଦରିଦ୍ର ହେଲେ ସୁଦ୍ଧା, ମୁଁ ବାପା ମାଙ୍କର ଗେହ୍ଲା ପୁଅ; ସେତେବେଳେ ପୂଜାରୀ ଆଖ୍ୟା ପାଇବାକୁ ପ୍ରସ୍ତୁତ ନଥିଲି-। କିନ୍ତୁ ପରେ, ବାପା ମାଙ୍କ ମୃତ୍ୟୁ ଉତ୍ତାରେ, କଲେଜରେ ପଢ଼ିବାବେଳେ ମୋତେ ଅନେକ କାଳ ପ୍ରାୟ ପୂଜାରୀ ଭାବରେ ପଢ଼ା ଖର୍ଚ୍ଚ ଉଠାଇବାକୁ ହେଲା ।

 

ରାମକୃଷ୍ଣବାବୁଙ୍କ ଘରେ ମୋତେ ଯେ ପୂଜାରୀ ମନେ କଲେ, ତାହା ମୋତେ ଯେତେ ବିସୁଖ ଲାଗୁଛି ତା’ପାଇଁ କାରଣ ଥିଲା । ଆଜିକାଲି ନିତାନ୍ତ ମଫସଲ ଛଡ଼ା କୌଣସି ଠାରେ ପୁରୁଷ ପିଲାଙ୍କ ମୁଣ୍ଡରେ ପେଣ୍ଡାଏ ବାଳ ଦେଖାଯାଏ ନାହିଁ । ସେ ସମୟରେ ପଲ୍ଲୀର ପୁରୁଷମାନେ, ଆବାଳବୃଦ୍ଧ ପ୍ରାୟ ସମସ୍ତେ ପେଣ୍ଡା ବାଳ ରଖୁଥିଲେ । କେବଳ ସହରରେ, ପିଲାଙ୍କ ମଧ୍ୟରେ, ତା’ର ପ୍ରଚଳନ ନଥିଲା । ମୋ ମୁଣ୍ଡରେ ପେଣ୍ଡାଏ ବାଳ ତ ଥିଲା, ତା’ ଛଡ଼ା ଦୁଇ କାନରେ ଦୁଇପଟ ଢୋଲା ପେଟୁଆ ନୋଳି ମଧ୍ୟ ଝୁଲୁଥିଲା । ତାହା ଦେଖି ଅନେକେ ମୋତେ ‘ନାଟୁଆ ପିଲା’ ବୋଲି ଚିଡ଼ାଉଥିଲେ । ପୂଜାରୀ ହେବା ତାହାଠାରୁ ସ୍ପୃହଣୀୟ ! ବର୍ତ୍ତମାନ ବୁଝୁଛି ପୂଜାରୀ ଡାକରେ ମୋର ବିଚଳିତ ହେବାରେ କାରଣ ନଥିଲା । ଅନେକ ବର୍ଷ ପରେ, ମୁଁ ବିହାର-ଓଡ଼ିଶା ବ୍ୟବସ୍ଥା ପରିଷଦ୍‍ର ସଦସ୍ୟଥିଲାବେଳେ, କଲିକତାର ଜଣେ ବାରିଷ୍ଟର ବନ୍ଧୁଙ୍କ ଘରେ ଅତିଥି ହୋଇଥିଲି । ତାଙ୍କର ପାଞ୍ଚବର୍ଷ ବୟସର ପୁଅ, ଗାଧୋଇ ସାରିବାବେଳେ ମୋତେ ଦେଖି ପଚାରିଲା, “ତୁମେ କ’ଣ ରୋଷେୟା ପୂଜାରୀ” ? ବାଇଶବର୍ଷ ତଳର ବିସ୍ମୃତ ଅନୁଭୂତି ସଙ୍ଗେ ସଙ୍ଗେ ଚାଉଁକିନା ମୋ ମନରେ ଆସି ପଡ଼ିଗଲା, ପିଲାଟିକୁ ଗୋଟାଏ ନାସ୍ତି ଉତ୍ତର ନ ଦେବା ନିମନ୍ତେ ମୁଁ ହସି ହସି ହଁ ଭରିଲି । ମାତ୍ର ସେ ସେତିକିରେ ସନ୍ତୁଷ୍ଟ ନ ହୋଇ ପୁଣି ପଚାରିଲା “ପୂଜାରୀ ତ, ତେବେ ଏତେ ଗୋରା କାହିଁକି” ? ମୋ ବୁଦ୍ଧିକୁ ଆଉ ଉତ୍ତର ଦିଶିଲା ନାହିଁ ।

 

ପିତାଙ୍କ ପୈତୃକ ଜମି ବିକ୍ରି ଉପରେ ନିର୍ଭର କରି ମୁଁ ପଢ଼ିଲି; କିନ୍ତୁ ତାଙ୍କର ଜମି ବେଶି ନଥିଲା । ଏକରକ ଉପରେ ବିକ୍ରି ସରିଲା ପରେ ଆଉ ବାକି ରହିଲା ପ୍ରାୟ ଦେଢ଼ ଏକର । ଏବେ ସବୁ ଜିନିଷ ପରି ଜମିବାଡ଼ି ଦାମ୍ ବଢ଼ିଛି । ସେତେବେଳେ ଏକରକରୁ ବେଶି ଜମି ବିକ୍ରିରୁ ମିଳିଲା ପ୍ରାୟ ଷାଠିଏ ଟଙ୍କା । ସୁତରାଂ ମୋତେ ଖର୍ଚ୍ଚ କମାଇ ଚଳିବାକୁ ପଡ଼ିଲା, ସେତେବେଳେ ମୁଁ ଅନେକ ଦିନ ପଇସା ଅଭାବରେ ଉପବାସ ରହିଛି । ଛାତ୍ରାବାସର କୋଠ ରୋଷେଇ ପାଣ୍ଠିକୁ ଟଙ୍କା ନିର୍ଦ୍ଦିଷ୍ଟ ଦିନ ନ ଦେଲେ ଚାଉଳ ପଡ଼ିବା ବନ୍ଦ ହୋଇଯାଏ । ମୋପାଇଁ ଚାଉଳ ପଡ଼ିବା ବନ୍ଦ ହେବା ଆଦେଶ ପୂର୍ବରୁ ମୁଁ ଅବସ୍ଥା ବୁଝି, ଅନ୍ୟତ୍ର ଖାଇବି ବୋଲି କହି ଚାଲିଯାଏ । ସେପରି ଘଟନାରେ ଯେଉଁଠାରେ ଖାଏ, ତାହା ସମୁଦ୍ରକୂଳ, ଯାହା ଖାଏ, ତାହା ପବନ । ଥରେ ଏହିପରି ପବନ ଖାଇ ପୂରା ଦୁଇଦିନ ରହିଗଲି । ମାସିକ ଚାରି ଟଙ୍କାରେ ମୋର ଯାବତୀୟ ଖର୍ଚ୍ଚ ଚଳୁଥିଲା । କେବଳ ଖାଇବା ଖର୍ଚ୍ଚ ମାସକୁ ହାରାହାରି ତିନିଟଙ୍କା ଚାରିଅଣା ପଡ଼ୁଥିଲା । ମୋତେ ସ୍କୁଲରେ ବେତନ ଦେବାକୁ ପଡ଼ୁ ନଥିଲା । ଚାଉଳ ଟଙ୍କାରେ ମିଳୁଥିଲା କଟକୀ ୧୬/୧୭ ସେର ।

 

ମୁଁ ବଡ଼ଦାଣ୍ଡକୁ ବା ବଡ଼ଦେଉଳକୁ ବେଶି ଯାଏଁ ନାହିଁ । ସୁସଜ୍ଜିତ ହୋଇ ରହିଥିବା ଗୁଡ଼ିଆ ଦୋକାନ ଦେଖିଲେ ମୋ ପାଟି ଟାକୁ ଟାକୁ ହୁଏ, ଅଥଚ ଅଣ୍ଟାରେ ପଇସା ନଥାଏ । ଥରେ ଗୋଟିଏ ପଇସା ଧରି ସିଂହଦ୍ଵାର ପାଖେଥିବା ଗୁଡ଼ିଆ ଦୋକାନକୁ ଯାଇ କୌଣସି ଏକ ଜିନିଷ ଦେଖାଇ ପଇସାଟିକୁ ବଢ଼ାଇ ଦେଲି । ଦୋକାନୀ ମୋ ହାତରେ ସେଥିରୁ ଗୋଟିଏ ପକାଇ ଦେଇ ଅନ୍ୟ ଗ୍ରାହକଙ୍କ ଆଡ଼କୁ ମୁହଁ ବୁଲାଇବାକୁ ବସିଲାବେଳେ ମୁଁ ପଚାରିଲି “ମିଠା ଲାଗିବ ତ” ? ଦୋକାନୀ ରାମକୃଷ୍ଣ କିଛି ନ କହି ଟିକିଏ କଟମଟ କରି ଚାହିଁଲା ଓ ମୁଁ ଭୟରେ ହାତ ଘୁଞ୍ଚାଇ ଆଣୁ ଆଣୁ, ଏକ କରେଇରେ କରଚୁଲି ବୁଡ଼ାଇ ସେହି ଜିନିଷ ଉପରେ ଚାରି ଛ ଟୋପା ମହୁ ପରି ଅଠାଳିଆ ଜିନିଷ ପକାଇ ଦେଲା । କେତେ ଦିନ ପରେ ମୁଁ ବୁଝିଲି ଯେ ମୋ କିଣା ଜିନିଷର ନାମ ପୁରି ଓ ଦୋକାନୀ ଅନୁଗ୍ରହରେ ଦେଇଥିବା ପଦାର୍ଥ ରସଗୋଲାର ଗୋଲାଂଶ ଯହିଁରେ ଭାସେ ସେହି ରସ ।

 

ପନ୍ଦର ମାସ ପର୍ଯ୍ୟନ୍ତ ମୁଁ କଷ୍ଟେମଷ୍ଟେ କଟାଇଲି । ଆମ ଗ୍ରାମ ପାଖର ଦୀନବନ୍ଧୁ ନରେନ୍ଦ୍ର ସିଂହ ସେ ବର୍ଷ ପ୍ରବେଶିକା ପରୀକ୍ଷାକୁ ଯିବା ନିମନ୍ତେ ପ୍ରସ୍ତୁତ ହେଉଥିଲେ । ସେ ମୋତେ ଦୟାପରବଶ ହୋଇ କହିଲେ “ତୁମେ ଉପର ଶ୍ରେଣୀକୁ ଉଠିବ, ମୁଁ ମାସିକ କୋଡ଼ିଏ ଟଙ୍କା ବୃତ୍ତି ପାଇ କଟକରେ ଯାଇ ପଢ଼ିବି । ମୋର ମାସକୁ ପନ୍ଦର ଖର୍ଚ୍ଚ ଗଲେ, ବାକି ପାଞ୍ଚ ଟଙ୍କା ତୁମ୍ଭର, ଚିନ୍ତା କାହିଁକି କରୁଛ” ? ସେତେବେଳେ ପ୍ରବେଶିକା ଫଳ ଉପରେ ସମଗ୍ର ବଙ୍ଗ ବିହାର ଓ ଓଡ଼ିଶାରେ ପ୍ରଥମ ଦଶ ଜଣ ପରୀକ୍ଷାର୍ଥୀ ମାସିକ କୋଡ଼ିଏ ଟଙ୍କା ଲେଖାଏଁ ବୃତ୍ତି ପାଉଥିଲେ । ସେଥିରୁ ପାଞ୍ଚ ଟଙ୍କା ପାଇବା ଆଶାରେ ମୋର ବୃଥା ହୋଇଗଲା । ନରେନ୍ଦ୍ର ସିଂହ ଚାରିବର୍ଷ ଫେଲ୍ ହୋଇ ମୋ ସହିତ ୧୯୦୬ ମସିହାରେ ପ୍ରବେଶିକା ପାସ୍ କଲେ । ମୁଁ ପାସ୍ କଲି ଦ୍ଵିତୀୟ ଶ୍ରେଣୀରେ, ସେ କଲେ ତୃତୀୟ ଶ୍ରେଣୀରେ ।

 

ମୁଁ ସମସ୍ତ ଦୁଃଖକଷ୍ଟ ସହି ଅଭାବ ଅନାଟନ ମଧ୍ୟରେ ମାଟି କାମୁଡ଼ି ପଡ଼ି ରହିଲି, କାରଣ ମୁଁ ବାମନ ହେଲେ ସୁଦ୍ଧା, ଚନ୍ଦ୍ରକୁ ହାତ ବଢ଼ାଇଥିଲି । ଚନ୍ଦ୍ର ଆଖିକୁ ଦାଉଦାଉ ଦିଶୁଥିଲା । କିନ୍ତୁ ତାହା ଯେ କେତେ ଦୂରରେ ଥିଲା, ମୁଁ ବୁଝିବି କିପରି ? କେତେ ଶିଶୁ ମୋ କାଖରେ ବସି ଆକାଶକୁ ଚାହିଁ ଚନ୍ଦ୍ରକୁ ହାତ ବଢ଼ାନ୍ତି । କେତେ ମା ପିଲାଙ୍କୁ ସାନ୍ତ୍ଵନା ଦେବା ନିମନ୍ତେ କହନ୍ତି :

 

‘ଆ, ଜହ୍ନମାମୁଁ ସରଗ ଶଶୀ,

ମୋ କାହ୍ନୁ ହାତରେ ପଡ଼ରେ ଖସି । ’

 

ସେହି ଗୀତପଦକ ମୋ କାନରେ ବରାବର ପଡ଼ୁଥାଏ । ଶିଶୁଗୀତ ଏକ ସେହି ମୃଗତୃଷ୍ଣା କହିଲେ ଚଳେ । ହଜାରକେ ନଅ ଶହ ଅନେଶୋତ ତା’ ପଛରେ ଧାଇଁ ଧାଇଁ ନିରାଶ ହୁଅନ୍ତି; ଜଣେ ଅବା କଦାଚିତ ତାକୁ ଛୁଇଁପାରେ । କିନ୍ତୁ ଦଉଡ଼ ପ୍ରତିଯୋଗିତାରେ ଧାଇଁଲା ପରି, ତା’ ପଛରେ ନ ଧାଏଁ କିଏ ? ମୁଁ ବାଦ୍ ଗଲି ନାହିଁ, ନଅଶହ ଅନେଶୋତଙ୍କ ଭିତରେ ଜଣେ ହୋଇ ଧାଇଁବାକୁ ଲାଗିଲି ।

Image

 

ନୈତିକ ଋଣ

ରତ୍ନାକର ପତି

 

ମାନବ ଜୀବନର ବିକାଶ ନିମନ୍ତେ ନାନାପ୍ରକାର ସାହାଯ୍ୟ ଆବଶ୍ୟକ ହୋଇଥାଏ । ସମ୍ପୂର୍ଣ୍ଣରୂପେ ଆତ୍ମନିର୍ଭର ହୋଇ କୌଣସି ବ୍ୟକ୍ତି ଆତ୍ମୋତ୍କର୍ଷ ସାଧନ କରିପାରିନାହିଁ । ମାନବ ଶିଶୁ ଭୂମିଷ୍ଠ ହେଲାମାତ୍ରକେ ସାହାଯ୍ୟ ଲୋଡ଼େ । ଏହି ସାହାଯ୍ୟ ସେତେବେଳେ କେବଳ ପିତାମାତା ଏବଂ ଆତ୍ମୀୟସ୍ଵଜନମାନଙ୍କ ଉପରେ ନ୍ୟସ୍ତ ଥାଏ । କ୍ରମେ ବର୍ଦ୍ଧିତ ହୋଇ ଯେତେବେଳେ ସେ ସମାଜର ସମ୍ମୁଖରେ ଦଣ୍ଡାୟମାନ ହୁଏ ସେତେବେଳେ ତାହାର ବିକାଶ ନିଜର ପରିବାର ଉପରେ ନୁହେଁ ସମାଜସ୍ଥ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଉପରେ ମଧ୍ୟ ନିର୍ଭର କରେ । ଶୈଶବାବସ୍ଥାରୁ ଆରମ୍ଭ କରି ବୃଦ୍ଧାବସ୍ଥା ପର୍ଯ୍ୟନ୍ତ, ପ୍ରାୟ ସକଳ ଅବସ୍ଥାରେ ସେ ପଦେପଦେ ଅଜ୍ଞାନ ବା ସଜ୍ଞାନ ଭାବରେ ସମାଜସ୍ଥ ବ୍ୟକ୍ତି ବା ଅନୁଷ୍ଠାନମାନଙ୍କ ସାହାଯ୍ୟରେ ଆତ୍ମୋନ୍ନତି ଦିଗରେ ପ୍ରଧାବିତ ହେବାକୁ ଲାଗେ-। ଶୈଶବାବସ୍ଥାରେ ମାତୃସ୍ତନ୍ୟ ତ୍ୟାଗ କରି ସେ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ସମ୍ପର୍କରେ ଆସିଲାମାତ୍ରକେ, ସମାଜର କ୍ରୋଡ଼ରେ ତାହାର ଲାଳନପାଳନର ସୂତ୍ରପାତ ହୁଏ–ସମାଜ ସହିତ ତାହାର ପ୍ରକୃତ ସମ୍ବନ୍ଧ ସ୍ଥାପିତ ହୁଏ । ସେ ପ୍ରଥମେ ଜନ୍ମମନ୍ଦିରରେ ପିତାମାତାଙ୍କ ଆଶ୍ରୟରେ ଥିଲା, ବର୍ତ୍ତମାନ ସମାଜର ଆଶ୍ରୟ ନେଇ ବିବିଧ ସମ୍ବନ୍ଧର ଅଧୀନ ହେବାକୁ ଲାଗିଲା-। ଜୀବନର କ୍ରମବିକାଶ ସଙ୍ଗେ ସଙ୍ଗେ ତାହାର ଅଭାବ ଅନୁଭବ କରିବାର ଶକ୍ତି ମଧ୍ୟ ସ୍ଵତଃ ବିକଶିତ ହେବାକୁ ଲାଗେ । ତେଣୁ ତାହାର ଅଭାବ ପୂରଣ କରିବାର ପ୍ରବୃତ୍ତି ବହୁ ପରିମାଣରେ ବର୍ଦ୍ଧିତ ହୁଏ-। ଫଳତଃ ସେ କେତେବେଳେ ବ୍ୟକ୍ତିବିଶେଷଠାରୁ, କେତେବେଳେ ଅବା ଅନୁଷ୍ଠାନମାନଙ୍କରୁ ସାହାଯ୍ୟ ଗ୍ରହଣ କରି ଶୌର୍ଯ୍ୟ, ବୀର୍ଯ୍ୟ ଓ ପ୍ରତିଷ୍ଠା ଅର୍ଜନକରେ । ଅନେକ ସମୟରେ ବ୍ୟକ୍ତିଗତ ଜୀବନ ଗ୍ରହଣ କଲାବେଳେ, ତତ୍‌ପରିବର୍ତ୍ତରେ ପ୍ରତି ସାହାଯ୍ୟ ଦେଇଥାଏ । ଉଦାହରଣସ୍ୱରୂପ–ଭୃତ୍ୟ ପ୍ରଭୁଙ୍କଠାରୁ ଅନ୍ନବସ୍ତ୍ର ଓ ଅର୍ଥ ସାହାଯ୍ୟ ପାଇବା ସଙ୍ଗେ ସଙ୍ଗେ ନିଜର ଯାବତୀୟ ଶକ୍ତି ପ୍ରୟୋଗ କରି ସେବାଦାନ କରିଥାଏ । ଏହି ପ୍ରକାରେ କେତେଗୁଡ଼ିଏ ସାହାଯ୍ୟ ପ୍ରତିସାହାଯ୍ୟ ଆକାରରେ ପରିଶୋଧିତ ହୋଇଥାଏ । ଯେଉଁ ସାହାଯ୍ୟଗୁଡ଼ିକ ଏହିପରି ପରିଶୋଧିତ ହୁଏ, ସେଗୁଡ଼ିକୁ ‘ଋଣ’ ଆଖ୍ୟା ଦିଆଯାଏ ନାହିଁ । ମାତ୍ର ଜଗତରେ ଏପରି କେତେଗୁଡ଼ିଏ ସାହାଯ୍ୟ ଅଛି ଯେଉଁଗୁଡ଼ିକ ପ୍ରକୃତରେ ‘ଋଣ’ ଆଖ୍ୟା ପାଇପାରେ । ଏଗୁଡ଼ିକର ଉଦାହରଣ ପାଇଁ ବେଶି ଭାବିବାକୁ ହେବନାହିଁ; କାରଣ, ଏଗୁଡ଼ିକ ଅନେକଙ୍କ ଜୀବନରେ ନ୍ୟୂନାଧିକ ପରିମାଣରେ ପରିଲକ୍ଷିତ ହୁଏ । କୌଣସି ବ୍ୟକ୍ତି ଅର୍ଥାଭାବରେ ପଡ଼ିଲେ ସେ ସମାଜସ୍ଥ ଧନାଢ଼୍ୟ ବ୍ୟକ୍ତିମାନଙ୍କଠାରୁ ଋଣ ଗ୍ରହଣ କରି ତତ୍‌ପରିବର୍ତ୍ତରେ ତମସୁକ, କବଲା ପ୍ରଭୃତି ଋଣପତ୍ର ଲେଖିଦେଇଥାନ୍ତି । ମାତ୍ର ସମାଜରେ ଏପରି କେତେକ ବ୍ୟକ୍ତି ଦେଖାଯାନ୍ତି, ଯେଉଁମାନେ ସମାଜସ୍ଥ ଅନ୍ୟ ବ୍ୟକ୍ତିମାନଙ୍କଠାରୁ ସାହାଯ୍ୟ ଭିକ୍ଷା କରିଥାନ୍ତି ଓ ଏହି ସାହାଯ୍ୟ ଗ୍ରହଣ କଲାବେଳେ, ସେମାନେ ଉଲ୍ଲିଖିତ ପ୍ରକାରେ କୌଣସି ଋଣପତ୍ର ବା ପରିଶୋଧର ଅନ୍ୟ କୌଣସି ଉପାୟ ସାହାଯ୍ୟଦାତାଙ୍କଠାରେ ରଖନ୍ତି ନାହିଁ । ଏହି ପ୍ରକାରର ସାହାଯ୍ୟ ସମାଜରେ ଦାନ ନାମରେ ଅଭିହିତ ହୋଇଥାଏ । ଏହା ‘ଋଣ’ ବୋଲି କଥିତ ହୁଏ ନାହିଁ; ମାତ୍ର ଆମ୍ଭମାନଙ୍କ ମତରେ ଏହା ଏକପ୍ରକାରର ଋଣ । ପୂର୍ବୋକ୍ତ ଋଣ ରାଜଶକ୍ତିର ଅନୁମୋଦିତ ପ୍ରମାଣପତ୍ର ଉପରେ ନିର୍ଭର କରୁଥିବାରୁ, ଆମ୍ଭେମାନେ ତାହାକୁ ‘ରାଜନୈତିକ ଋଣ’ ଓ ଶେଷୋକ୍ତ ଋଣ ଉକ୍ତ ପ୍ରମାଣପତ୍ର ପ୍ରଭୃତିର ସାହାଯ୍ୟ ନ ନେଇ କେବଳ ନୈତିକ ଭିତ୍ତିରେ ପ୍ରତିଷ୍ଠିତ ହୋଇଥିବାରୁ ଏହାକୁ ‘ନୈତିକ ଋଣ’ ଏହି ଆଖ୍ୟା ଦେଉଅଛୁ । ଏହି ‘ନୈତିକ ଋଣ’ର ଆଲୋଚନା ଏହି ପ୍ରବନ୍ଧର ଉଦ୍ଦେଶ୍ୟ ।

 

ଆଗରୁ କହିଅଛୁ, ‘ରାଜନୈତିକ ଋଣ’ରେ ଋଣଦାତା ଋଣକର୍ତ୍ତାଙ୍କଠାରୁ ରାଜଶକ୍ତିର ଅନୁମୋଦିତ କାଗଜପତ୍ର ପ୍ରଭୃତି ଗ୍ରହଣ କରିଥାନ୍ତି, ଫଳତଃ ଋଣକର୍ତ୍ତା ଋଣଦାତାଙ୍କ ନିକଟରେ ଆବଦ୍ଧ ରହିଥାନ୍ତି । ଏପରିସ୍ଥଳେ ଦାତା ଗ୍ରହୀତାଙ୍କଠାରୁ ଏତିକି ଆଶା କରନ୍ତି ଯେ ସେ କିପରି ବିଧିମତେ ନିର୍ଦ୍ଦିଷ୍ଟ ସମୟରେ ତାଙ୍କର ଋଣ ପରିଶୋଧ କେରିଦେବେ । ଯଦି ଯଥାସମୟରେ ପରିଶୋଧ ନ ହୁଏ, ତାହାହେଲେ ବିଚାରାଳୟର ଆଶ୍ରୟ ନେବାକୁ ହୁଏ । ଏହିପରି ରାଜନୈତିକ ଋଣର ଦାନ ଓ ତାହାର ଗ୍ରହଣରେ ଦାତା ଓ ଗ୍ରହୀତା ଉଭୟଙ୍କ ସ୍ଵାର୍ଥ ମଧ୍ୟରେ ଗୋଟିଏ କାରବାର ଚାଲେ । ଏହି କାରବାରଟି କେବଳ ‘ଦେ–ନେ’ କାରବାର ଛଡ଼ା ଅନ୍ୟ କିଛି ନୁହେଁ । ଗ୍ରହୀତା ଋଣ ପରିଶୋଧ କରି ଦେଲାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ତୁଟିଯାଏ; ଯଦିବା କିଛି ସମ୍ପର୍କ ରହେ ତାହା କେବଳ ଭବିଷ୍ୟତ୍ ସ୍ଵାର୍ଥସାଧନ ଉଦ୍ଦେଶ୍ୟରେ । ଏହି କାରବାରରେ ଦୁହିଁଙ୍କ ମଧ୍ୟରେ ବିଶ୍ଵାସ କେବଳ ପରସ୍ପରର ସ୍ଵାର୍ଥ ଉଦ୍ଦେଶ୍ୟରେ ସଂସ୍ଥାପିତ ହୋଇଥାଏ । ଋଣଦାତା ଋଣକର୍ତ୍ତାଙ୍କଠାରୁ ନିଜର ପ୍ରାପ୍ୟ ପାଇଗଲେ, ସେ ତାଙ୍କଠାରୁ ଅନ୍ୟ କୌଣସି କାର୍ଯ୍ୟ ଆଶା କରନ୍ତି ନାହିଁ ବା କରିବା ଉଚିତ ମଧ୍ୟ ନୁହେଁ । ମାତ୍ର ନୈତିକ ଋଣ ରାଜନୈତିକ ଋଣଠାରୁ ସମ୍ପୂର୍ଣ୍ଣ ପୃଥକ୍ । ଏଥିରେ ଋଣଦାତା ଓ ଋଣକର୍ତ୍ତାଙ୍କ ମଧ୍ୟରେ ପୂର୍ବବତ୍ କୌଣସି ବନ୍ଧନ ନ ଥାଏ–ବିଚାରାଳୟର ଅନୁମୋଦିତ କୌଣସି କାଗଜପତ୍ରର କାରବାର ହୁଏ ନାହିଁ । ଏ ସ୍ଥଳରେ ସମାଜରେ ଏକବ୍ୟକ୍ତି ଅନ୍ୟଠାରୁ ଅର୍ଥ ବା ଅନ୍ୟ କୌଣସି ସାହାଯ୍ୟ ଗ୍ରହଣ କରନ୍ତି ଏବଂ ଦାତା ଗ୍ରହୀତାଙ୍କଠାରୁ ପୂର୍ବବତ୍ ପରିଶୋଧର ଆଶା ରଖନ୍ତି ନାହିଁ । ସମାଜର କୌଣସି ବ୍ୟକ୍ତି ଦୁଃସ୍ଥ ବା ନିଃସହାୟ ହୋଇଥିଲେ, ତାହାକୁ ସାହାଯ୍ୟ କରିବା ବିଧେୟ, ଏହି ନୀତିରେ ଚାଳିତ ହୋଇ, ସେ ସାହାଯ୍ୟ ଦାନ କରନ୍ତି । ଦାତା ପରିଶୋଧ ଚାହାଁନ୍ତି ନାହିଁ କି ଗ୍ରହୀତା ପରିଶୋଧ କରନ୍ତି ନାହିଁ । ରାଜନୈତିକ ଋଣରେ ଋଣକର୍ତ୍ତାଙ୍କ ଉପରେ ପରିଶୋଧ ନିମନ୍ତେ ଯେପରି ଦାୟିତ୍ଵ ନ୍ୟସ୍ତଥାଏ, ଏହି ନୈତିକ ଋଣରେ ସେପରି କୌଣସି ଦାୟିତ୍ଵ ନଥାଏ, ସୁତରାଂ ଉଭୟେ ସ୍ଵାଧୀନଥିଲାପରି ବୋଧହୁଏ ।

 

ଏହି ଭାବରେ ସାହାଯ୍ୟ ଗ୍ରହଣ କରି କେହି କେହି ସମାଜରେ ନିଜ ନିଜର ପନ୍ଥା ଅବଲମ୍ବନ ପୂର୍ବକ ଆତ୍ମୋତ୍କର୍ଷ ସାଧନ କରନ୍ତି ଏବଂ ଯେତେବେଳେ ଦେଖନ୍ତି ଯେ, ସେମାନେ ଅନ୍ୟ କାହାରି ଉପରେ ନିର୍ଭର ନ କରି ସ୍ଵାଧୀନ ଭାବରେ ଜୀବନଯାତ୍ରା ନିର୍ବାହ କରିପାରିବେ ସେତେବେଳେ ସେମାନେ ସମାଜରୁ ପାଇଥିବା ସାହାଯ୍ୟ ବିଷୟ ଆଦୌ ଭାବନ୍ତି ନାହିଁ । ସେମାନେ ସମସ୍ତ ଭୁଲି କେବଳ ସ୍ଵାର୍ଥାନ୍ଧ ହୋଇପଡ଼ନ୍ତି ଏବଂ ଅପରକୁ ସାହାଯ୍ୟ କରିବା ଦୂରେ ଥାଉ, ବରଂ ତାହାର ସର୍ବସ୍ଵ ହରଣ କରିବାପାଇଁ ମଧ୍ୟ ପ୍ରସ୍ତୁତ ହୋଇପାରନ୍ତି । ସେମାନେ ସ୍ଵପ୍ନରେ ସୁଦ୍ଧା ଭାବନ୍ତି ନାହିଁ–ସେମାନେ ସମାଜର ଯେଉଁ ସାହାଯ୍ୟ ଓ ସହାନୁଭୂତି ବଳରେ ଶକ୍ତିଶାଳୀ ହୋଇଅଛନ୍ତି, ସେ ସାହାଯ୍ୟ ଓ ସହାନୁଭୂତି ଅତର୍କିତ ଭାବରେ ‘ଋଣ’ରୂପେ ସେମାନଙ୍କ ଉପରେ ନ୍ୟସ୍ତ ହୋଇଅଛି । ସେମାନେ ରାଜନୈତିକ ଭାବରେ ଋଣୀ ନ ହେଲେ ମଧ୍ୟ ନୈତିକଭାବରେ ତଦପେକ୍ଷା ଅଧିକତର ଋଣୀ । ସେମାନଙ୍କର ସମସ୍ତ ଉତ୍କର୍ଷର ମୂଳରେ ଏହି ନୈତିକ ଋଣ ପ୍ରଚ୍ଛନ୍ନଭାବରେ ବିଦ୍ୟମାନ ରହିଅଛି । ଏହାର ପରିଶୋଧ ସକାଶେ କୌଣସି ରାଜନୈତିକ ଉପାୟ ନାହିଁ–କବଲା, ତମସୁକ ପ୍ରଭୃତି କୌଣସି ସ୍ଵୀକାରପତ୍ର ବା ଚୁକ୍ତି ନାହିଁ–ଅଛି କେବଳ ବିବେକ, କେବଳ ବିଚାରଶକ୍ତି । ଏହି ବିବେକ, ଏହି ବିଚାରଶକ୍ତି, ଉଲ୍ଲିଖିତ ବନ୍ଧନଗୁଡ଼ିକ ଅପେକ୍ଷା ଅଧିକ ପରିମାଣରେ ଋଣିତ୍ଵର ଅବବୋଧକ । ଏହି ଋଣ ପରିଶୋଧିତ ନ ହେବାଯାଏ, ମାନବ ସମସ୍ତ ଉତ୍କର୍ଷ ଓ ସମସ୍ତ ସ୍ଵାବଲମ୍ବନଶୀଳତା ସତ୍ତ୍ୱେ ସାରା ଜୀବନ ଋଣୀ–ଏହି ନୈତିକ ଋଣର ଅଧୀନ । ସେଥିପାଇଁ ତାହାର ଏହି ଋଣ ପରିଶୋଧର ପନ୍ଥା ଅବଲମ୍ବନ କରିବା ବିଧେୟ । ତେବେ, ଏହି ପନ୍ଥା କ’ଣ, କି ଉପାୟ ଅବଲମ୍ବନ କଲେ ମାନବ ଏହି ନୈତିକ ଋଣରୁ ମୁକ୍ତ ହେବ, ଏହି ବିଷୟ ଆଲୋଚନା କରାଯାଉ ।

 

ଏହି ଋଣର ପରିଶୋଧ ସ୍ଵାର୍ଥସିଦ୍ଧିରେ ନାହିଁ, କେବଳ ନିଜର ସୁଖସମୃଦ୍ଧି ସାଧନରେ ନାହିଁ, ଅଛି କେବଳ ସମାଜର ମଙ୍ଗଳସାଧନ କରିବାରେ । ସମାଜର ଦାନର ଫଳ କେବଳ ଗୋଟିଏ ବ୍ୟକ୍ତିଠାରେ ସୀମାବଦ୍ଧ ରହିବାର କଥାନୁହେଁ–ଏହା ବ୍ୟକ୍ତିରୁ ବ୍ୟକ୍ତିଠାରୁ ପର୍ଯ୍ୟାୟକ୍ରମେ ନୀତ ହୋଇ, ସର୍ବଶେଷରେ ସେହି ସମାଜକୁହିଁ ଫେରିଆସେ । ସମାଜରେ ବ୍ୟକ୍ତିପ୍ରତି ବ୍ୟକ୍ତିର ସାହାଯ୍ୟ ଦାନର ଉଦ୍ଦେଶ୍ୟ କ’ଣ ? ଏହା ଗୋଟିଏ ବ୍ୟକ୍ତିର ସୁଖସମ୍ପାଦନ, ଗୋଟିଏ ବ୍ୟକ୍ତିର ଧନସମ୍ପଦର ଅଭିବୃଦ୍ଧି ନୁହେଁ–ଏହା କେବଳ ବ୍ୟକ୍ତିବିଶେଷର ମଙ୍ଗଳ ମଧ୍ୟ ଦେଇ ସମାଜସ୍ଥ ଅନ୍ୟାନ୍ୟ ବ୍ୟକ୍ତିଙ୍କର ମଙ୍ଗଳସାଧନ । ଦରିଦ୍ର ଓ ନିଃସହାୟ ଲୋକଙ୍କୁ ସାହାଯ୍ୟ ଦାନ କରାଯାଏ, ତାକୁ ସୁଖୀ କରିବାକୁ । ମାତ୍ର ସେ ସୁଖୀ ହୋଇଗଲେ, ତାହାର କର୍ତ୍ତବ୍ୟ କ’ଣ ? ତାହାର କର୍ତ୍ତବ୍ୟ କେବଳ ନିଜର ଧନସମ୍ପଦ ବୃଦ୍ଧି ନୁହେଁ, ଅନ୍ୟାନ୍ୟ ବ୍ୟକ୍ତିଙ୍କର ସର୍ବସ୍ଵହରଣ ନୁହେଁ କି ନିଜର ସ୍ଵାର୍ଥାନ୍ଧତାବଶତଃ ସମାଜପ୍ରତି ଔଦାସୀନ୍ୟ ପ୍ରଦର୍ଶନ ନୁହେଁ । ତାହାର ମନେରଖିବା ଉଚିତ ଯେ ସମାଜର ଯେଉଁସବୁ ସାହାଯ୍ୟ ନେଇ ନିଜେ ପ୍ରତିଷ୍ଠିତ ହୋଇଅଛି, ସେଥିପାଇଁ ସେ ସମାଜରେ ଋଣୀ । ସେହି ଋଣର ପରିଶୋଧ ନିମନ୍ତେ ସମାଜର ଅନ୍ୟାନ୍ୟ ବ୍ୟକ୍ତିଙ୍କ ସକାଶେ ତାହାକୁ ନାନାପ୍ରକାର ଯତ୍ନ କରିବାକୁ ହେବ । ଅବଶ୍ୟ କେହି କହୁ ନାହିଁ ଯେ, ସେ ନିଜ ଶକ୍ତିର ଅତୀତ କୌଣସି କାର୍ଯ୍ୟ କରିବ । ସେ ସମାଜର ସାହାଯ୍ୟଫଳରେ ଯେତିକି ଶକ୍ତି ଅର୍ଜନ କରିଛି ସେହି ଶକ୍ତି ଅନୁଯାୟୀ ସମାଜର ବ୍ୟକ୍ତିମାନଙ୍କର ମଙ୍ଗଳସାଧନ କରିବା ତାହାର ବିଧେୟ । ତାହାର ଋଣର ପରିଶୋଧ ରାଜନୈତିକ ବିଧିରେ ହୋଇପାରିବ ନାହିଁ; କାରଣ ରାଜନୈତିକ ଋଣର ପରିଶୋଧ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଥାଏ, ତେଣୁ ଯଥାକାଳରେ ତାହାର ପରିଶୋଧ ହୋଇଗଲେ, ଋଣଗ୍ରସ୍ତ ମୁକ୍ତ ହୁଏ, ମାତ୍ର ନୈତିକ ଋଣର ପରିଶୋଧ ଋଣକର୍ତ୍ତାର ସାମର୍ଥ୍ୟର ବୃଦ୍ଧି ସଙ୍ଗେ ସଙ୍ଗେ ଅଧିକତର ଭାବରେ ଚାଲିବା ବିଧେୟ । ରାଜନୈତିକ ଋଣର ପରିଶୋଧ ଗୃହୀତ ପଦାର୍ଥ ଉପରେ ନିର୍ଭର କରେ, ତେଣୁ ତାହା ଅଳ୍ପ ସମୟ ମଧ୍ୟରେ ସମ୍ପାଦିତ ହୋଇପାରେ, ମାତ୍ର ନୈତିକ ଋଣ ସାହାଯ୍ୟଦାତାର ଭାବ (Spirit) ଉପରେ ନିର୍ଭର କରେ । ରାଜନୈତିକ ଋଣରେ ପଦାର୍ଥ ନେଇ ପଦାର୍ଥ ଦେବାକୁ ହୁଏ; ମାତ୍ର ନୈତିକ ଋଣର ପରିଶୋଧ କରିବାକୁ ହେଲେ ଭାବ (Spirit) ବଦଳରେ ଭାବଦେବାକୁ ହୁଏ–ଅର୍ଥାତ୍ ସାହାଯ୍ୟଦାତା ଯେଉଁ ଭାବରେ ପ୍ରଣୋଦିତ ହୋଇ ସାହାଯ୍ୟ ଦାନ କରିଥାନ୍ତି, ତଦନୁରୂପ ଭାବରେ ପ୍ରଣୋଦିତ ହୋଇ ଅନ୍ୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବାକୁ ହୁଏ ଓ ସହାନୁଭୂତି ଦେଖାଇବାକୁ ହୁଏ । ଗୋଟିକରେ ଋଣକର୍ତ୍ତାଙ୍କର ଦୃଷ୍ଟି ଋଣଦାତାଙ୍କ ଆଡ଼େ ରହିଲେ, ଅନ୍ୟଟିରେ ତାହା ଅନ୍ୟାନ୍ୟ ଦୂରବସ୍ତୁ ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ । ଉଦାହରଣତଃ ଧରାଯାଉ ‘କ’ ‘ଖ’ ଠାରୁ କିଛି ଟଙ୍କା କରଜ କରିଅଛି । ସେ ତାହା ପରିଶୋଧ କଲାବେଳେ, କେବଳ ‘ଖ’ ପାଖକୁହିଁ ଯିବ । ମାତ୍ର ଯଦି ‘କ’ ‘ଗ’ ଠାରୁ ତାହାର ଉନ୍ନତି ବିଧାନ ନିମିତ୍ତ କିଛି ଅର୍ଥ ସାହାଯ୍ୟ ଦେଇଥାଏ, ତାହାହେଲେ ତାକୁ ‘ଗ’ ନିକଟରେ ପରିଶୋଧ କରିବାକୁ ହୁଏ ନାହିଁ । ତାହା ପରିଶୋଧ କରିବାକୁ ହେଲେ, ତାକୁ ସମାଜର ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ହେବ ଏବଂ ଯଦି ପାରେ ତଦପେକ୍ଷା ତାହାକୁ ବେଶି କାର୍ଯ୍ୟ କରିବାକୁ ହେବ ।

 

ଏ ପର୍ଯ୍ୟନ୍ତ ନୈତିକ ଋଣର ପରିଶୋଧର ପନ୍ଥା କିଞ୍ଚିତ୍ ପରିମାଣରେ ପ୍ରଦର୍ଶିତ ହେଲା, କିନ୍ତୁ ଏହାର ବିରୁଦ୍ଧରେ କେତେକ ଯୁକ୍ତି ଉଠିପାରେ । ବର୍ତ୍ତମାନ, ସେମାନଙ୍କ ମଧ୍ୟରୁ କେତେକ ପରୀକ୍ଷା କରି ପ୍ରବନ୍ଧର ଉପସଂହାର କରିବୁ ।

 

ପ୍ରଥମତଃ କେହି କେହି କହିପାରନ୍ତି, “ଦାନମାତ୍ରକେ ‘ନୈତିକ ଋଣ’ ଆଖ୍ୟା ପାଇ ନ ପାରେ । କାରଣ, କେତେକ ବ୍ୟକ୍ତି ଦାନ କଲାବେଳେ ନିଜ ନିଜର ଖ୍ୟାତି ବା ନାମ ପ୍ରତି ଲକ୍ଷ୍ୟ ରଖିଥାନ୍ତି । ଏପରି ଦାନ କରିବାଦ୍ଵାରା ଲୋକେ ପ୍ରଶଂସା କରିବେ, ଏହି ଭାବରେ ଚାଳିତ ହୋଇ ସେମାନେ ଅପରକୁ ସାହାଯ୍ୟ କରନ୍ତି । ସୁତରାଂ ସେମାନଙ୍କ ଦାନର ପ୍ରତିଦାନ ଏହି ପ୍ରଶଂସା ବା ଖ୍ୟାତି ଆକାରରେ ପାଇବାରଥିବାରୁ ଋଣ କି ପରିଶୋଧ, କାହାରି ସ୍ଥାନ ରହେ ନାହିଁ । ପୁଣି କେତେକ ଧର୍ମପ୍ରାଣ ବ୍ୟକ୍ତି, ପରକୁ ସାହାଯ୍ୟ କଲେ, ପୁଣ୍ୟ ଅର୍ଜନ କରିପାରିବେ–ଏହି କାମନାରେ ଲୋକଙ୍କୁ ଅକାତରରେ ସାହାଯ୍ୟ କରିଥାନ୍ତି ଓ ଆଉ କେତେକ ମଧ୍ୟ, ଯେଉଁ ବ୍ୟକ୍ତି ସାହାଯ୍ୟ ଗ୍ରହଣ କରେ, ସେ କୃତଜ୍ଞ ରହି ସେମାନଙ୍କ ପ୍ରତି ଭକ୍ତି ଓ ସମ୍ମାନ ପ୍ରଦର୍ଶନ କଲେ ସେମାନେ ଆତ୍ମତୃପ୍ତି ଲାଭ କରିପାରିବେ, ଏହି ଉଦ୍ଦେଶ୍ୟରେ ସାହାଯ୍ୟ ଦାନ କରିଥାନ୍ତି । ଏହି ପ୍ରକାରେ କୌଣସି ସ୍ଵାର୍ଥସିଦ୍ଧି ପାଇଁ ଲୋକେ ଦାନ କରିଥାନ୍ତି ବୋଲି, ସାହାଯ୍ୟ ଗ୍ରହଣକାରୀ ନୈତିକଭାବରେ ଋଣୀ ହୋଇ ନପାରେ । ଏହି ତିନି ଉଦ୍ଦେଶ୍ୟରେ ପ୍ରଦତ୍ତ ସାହାଯ୍ୟ କେବଳ ‘ଦେ-ନେ’ କାରବାରରେ ପର୍ଯ୍ୟବସିତ ହୋଇଥାଏ ।”

 

ମାତ୍ର ଏହାର ଉତ୍ତରରେ ଆମ୍ଭେମାନେ କହିପାରୁ ଯେ ଉଦ୍ଦେଶ୍ୟ ବ୍ୟତିରେକ କେହି କୌଣସି କାର୍ଯ୍ୟ କରେ ନାହିଁ । ଉଦ୍ଦେଶ୍ୟହୀନ କର୍ମ କର୍ମ ନୁହେଁ, ତେଣୁ ଉଦ୍ଦେଶ୍ୟବିହୀନ ଦାନ ‘ଦାନ’ ନାମରେ ଅଭିହିତ ହୋଇ ନପାରେ । ଏହି ଦାନ ହୁଏତ ଦାତାର ସ୍ଵାର୍ଥସିଦ୍ଧି ଉଦ୍ଦେଶ୍ୟରେ, ନଚେତ ଅପରର ହିତସାଧନ ଉଦ୍ଦେଶ୍ୟରେ ପ୍ରଦତ୍ତ ହୋଇଥାଏ । ଯଦି ଦାତା କେବଳ ନିଜର ଖ୍ୟାତି, ପୁଣ୍ୟ ବା ସମ୍ମାନ ଉଦ୍ଦେଶ୍ୟରେ ଅପରକୁ ସାହାଯ୍ୟ କରନ୍ତି, ତାହାହେଲେ ତାଙ୍କର ସେହି ସାହାଯ୍ୟକୁ ଆମ୍ଭେମାନେ ‘ନୈତିକ ଋଣ’ କହି ନପାରୁ; ମାତ୍ର ସେଥିପାଇଁ ସାହାଯ୍ୟଗ୍ରହଣକାରୀର ଭାବିବା ଉଚିତ ନୁହେଁ ଯେ ସେ ଏକାବେଳକେ ଋଣରୁ ମୁକ୍ତ । କାରଣ, ସାହାଯ୍ୟ ଗ୍ରହୀତାଦାତାଙ୍କର ଉଦ୍ଦେଶ୍ୟ ଅନୁଯାୟୀ କାର୍ଯ୍ୟ ନ କଲେ, ଯେଉଁ ଲୋକ ଖ୍ୟାତି ଉଦ୍ଦେଶ୍ୟରେ ସାହାଯ୍ୟ ଦାନ କରିଥାନ୍ତି ସେ କେବେହେଁ ଖ୍ୟାତି ଉପାର୍ଜନ କରିପାରିବେ ନାହିଁ । ଯଦି ସାହାଯ୍ୟ ଗ୍ରହଣକାରୀ ଦୁଷ୍ଟ ବା ଦୁରାଚାରରେ ପରିଣତ ହୁଅନ୍ତି ତାହାହେଲେ ସାହାଯ୍ୟଦାତାଙ୍କର ଖ୍ୟାତି ପରିବର୍ତ୍ତରେ କେବଳ ନିନ୍ଦାହିଁ ଫଳହେବ । ସୁତରାଂ ସାହାଯ୍ୟଗ୍ରହୀତା ସାହାଯ୍ୟଦାତାଙ୍କର ଯେପରି ଖ୍ୟାତି ପ୍ରତିଷ୍ଠିତ ହୁଏ, ସେଥିପାଇଁ ସର୍ବୋତଭାବରେ ଯତ୍ନ କରିବା ଉଚିତ । ନଚେତ ସେ ଜଣେ ପ୍ରତାରକ ବୋଲି ବିବେଚିତ ହେବେ । ଏ ତ ଗଲା ଖ୍ୟାତି-ଲିପ୍‌ସୁ ସାହାଯ୍ୟଦାତାଙ୍କ କଥା, ମାତ୍ର ଯେଉଁମାନେ ସମାଜର ଉନ୍ନତି ଓ ମଙ୍ଗଳକାମନାରେ ପ୍ରାଣର ସମସ୍ତ ପ୍ରସ୍ଫୁରଣ ସହିତ ଅପରକୁ ସାହାଯ୍ୟ ଦାନ କରନ୍ତି, ସେଥିସକାଶେ ପ୍ରତ୍ୟେକ ସାହାଯ୍ୟପ୍ରାପ୍ତ ବ୍ୟକ୍ତି ଋଣୀ ଓ ସେମାନେ ଯେଉଁ ଭାବରେ ଜଗତକୁ, ଦେଖନ୍ତୁ ସେହି ପରିଶୋଧ କରିବାପାଇଁ ବାଧ୍ୟ । ସେହିଭଳି ଧର୍ମପ୍ରାଣ ଦାତାଙ୍କର କଥା । ଏମାନଙ୍କ ମଧ୍ୟରୁ ଅବଶ୍ୟ କେହି କେହି, ଦୁଃଖଦୁର୍ଦ୍ଦଶାଗ୍ରସ୍ତ ବ୍ୟକ୍ତିମାନଙ୍କୁ ସାହାଯ୍ୟ କଲେ, ପରକାଳରେ ନିଜେ ପୁଣ୍ୟବାନ୍ ବୋଲି ବିବେଚିତ ହୋଇ ଉତ୍କୃଷ୍ଟତର ଜୀବନଯାପନ କରିବେ, ଏହି ବିଶ୍ଵାସରେ ସାହାଯ୍ୟ ଦାନ କରିଥାନ୍ତି । ସେଥିପାଇଁ କେତେକ କହିପାରନ୍ତି “ସେମାନଙ୍କର ଉଦ୍ଦେଶ୍ୟ ମହତ୍; ଫଳ ଯାହାହେଉ ପଛକେ, ସେଥିପାଇଁ ସେମାନେ ଦାୟୀ ନୁହଁନ୍ତି । ସୁତରାଂ ସେମାନଙ୍କ ଦାନର କୁଫଳ ସତ୍ତ୍ଵେ ସେମାନେ ଅଭୀଷ୍ଟ ଫଳ ଲାଭ କରିପାରିବେ–ଅର୍ଥାତ୍ ଯେଉଁମାନେ ସେମାନଙ୍କଠାରୁ ସାହାଯ୍ୟ ଗ୍ରହଣ କରିଅଛନ୍ତି, ସେମାନେ ସ୍ଵାର୍ଥନ୍ଵେଷୀ ଓ ସମାଜକଣ୍ଟକ ହେଲେ ସୁଦ୍ଧା ଏହି ପୁଣ୍ୟଲିପ୍‌ସୁ ଲୋକମାନଙ୍କର କିଛି ଯାଏଁ ଆସେ ନାହିଁ, କି ସେମାନେ ଆଦୌ ସେମାନଙ୍କର ଦାନର କଥା ମନେରଖନ୍ତି ନାହିଁ ।” ଭଲ କଥା ଯଦି କେହି ଏପରି ବିଶ୍ଵାସରେ ଦାନ କରିବାରେ ପ୍ରବୃତ୍ତ ହୋଇଥାନ୍ତି ସେଥିପାଇଁ ସାହାଯ୍ୟପ୍ରାପ୍ତ ବ୍ୟକ୍ତିମାନେ ନୈତିକ ଭାବରେ ଋଣୀ ନ ହୋଇପାରନ୍ତି; କାରଣ ଦାନ ଏଠାରେ ଦାତାର ଆତ୍ମୋନ୍ନତିର ଗୋଟିଏ ଉପାୟମାତ୍ର ହୋଇଅଛି । ମାତ୍ର ଆମ୍ଭେମାନେ ଯେତେବେଳେ ନୈତିକ ଋଣର କଥା କହୁ ସେତେବେଳେ ଏହି ବିଶ୍ଵାସପ୍ରବଣ ଧର୍ମପ୍ରାଣ ବ୍ୟକ୍ତିମାନଙ୍କର କଥା କହୁନାହୁଁ । ଯେଉଁମାନେ ସମାଜର ଉନ୍ନତି ବିଧାନ ନିମନ୍ତେ ତତ୍ରତ୍ୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଥାନ୍ତି, କେବଳ ସେହିମାନଙ୍କର ସାହାଯ୍ୟହିଁ ଆମ୍ଭମାନଙ୍କର ଆଲୋଚ୍ୟ ବିଷୟ । ସେହିମାନଙ୍କ ସାହାଯ୍ୟରେ ବଳୀୟାନ୍ ବ୍ୟକ୍ତିମାନେହିଁ ସମାଜରୁ ନୈତିକ ଭାବରେ ଋଣ ଗ୍ରହଣ କରିଅଛନ୍ତି ବୋଲି କହିବାକୁ ହେଉଛି । ଧର୍ମପ୍ରାଣ ବ୍ୟକ୍ତିମାତ୍ରକେ ମନୁଷ୍ୟର କାହିଁକି ବୃକ୍ଷଲତା ପ୍ରଭୃତିର ମଧ୍ୟ ଉପକାର କରି ପୁଣ୍ୟ ଅର୍ଜନ କରିପାରିବେ ବୋଲି ବିଶ୍ଵାସ କରିଥାନ୍ତି । ଏପରିକି ସମୟ ସମୟରେ ଏହି ଧର୍ମପ୍ରାଣ ବ୍ୟକ୍ତିମାନେ ଋଷି ପ୍ରଭୃତିଙ୍କୁ ନିମନ୍ତ୍ରଣ କରି, ଅକାତରରେ ଧନ ବାଣ୍ଟି ଦେଇଥାନ୍ତି; ମାତ୍ର ଏମାନଙ୍କ ଛଡ଼ା ଯେଉଁମାନେ ସମାଜର ମଙ୍ଗଳକର କାର୍ଯ୍ୟର ବିସ୍ତାରକୁ ମହାପୁଣ୍ୟ ବୋଲି ମନେ କରି ନିଃସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ ଦେଇ ଗୋଟିଏ ଗୋଟିଏ ଉପଯୁକ୍ତ ମନୁଷ୍ୟ କରିଥାନ୍ତି, ସେମାନଙ୍କଠାରେ ପ୍ରତ୍ୟେକ ସାହାଯ୍ୟପ୍ରାପ୍ତ ବ୍ୟକ୍ତି ଋଣୀ ନ ହୋଇ ରହିପାରିବେ ନାହିଁ । ଏପରି ସ୍ଥଳେ, ଯଦି କେହି ସେମାନଙ୍କଠାରୁ ସାହାଯ୍ୟ ପାଇ ଉନ୍ନୀତ ହେଲାପରେ ସମାଜର ଅମଙ୍ଗଳ ସାଧନ କରେ, ତାହାହେଲେ ସାହାଯ୍ୟଦାତାଙ୍କର ପୁଣ୍ୟ ସୁଦୂରପରାହତ; କାରଣ, ସେ ଭାବିଥାନ୍ତି ଯେ, ଯେତେବେଳେ ସାହାଯ୍ୟପ୍ରାପ୍ତ ବ୍ୟକ୍ତିମାନେ ସମସ୍ତ ବିଚାରଶକ୍ତି ପ୍ରୟୋଗପୂର୍ବକ ସମାଜର ହିତସାଧନ କରିବେ, ସମାଜସ୍ଥ ଅନ୍ୟାନ୍ୟ ଦୁର୍ଦ୍ଦଶାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ନିଜ ନିଜ ପରି ଗୋଟିଏ ଗୋଟିଏ ମନୁଷ୍ୟ ପ୍ରସ୍ତୁତ କରିଦେବେ, ସେତେବେଳେ ସମାଜର ଏହି ସମୂହ ହିତରୂପରେ ତାଙ୍କର ପୁଣ୍ୟ ଉପଲବ୍‍ଧି ହେବ । ତା’ପରେ ଯେଉଁମାନେ କୃତଜ୍ଞତା ପାଇବା ଆଶାରେ ସାହାଯ୍ୟ ଦାନ କରିଥାନ୍ତି; ସେମାନେ ଯଦି କେବଳ ସାହାଯ୍ୟପ୍ରାପ୍ତ ବ୍ୟକ୍ତିଠାରୁ ତାହା ଲାଭ କରିପାରନ୍ତି ତେବେ ଭଲ । ଏପରି ସ୍ଥଳେ ସାହାଯ୍ୟଦାତା ଗ୍ରହୀତାଠାରୁ ତାଙ୍କର ସାହାଯ୍ୟ ପରିବର୍ତ୍ତରେ ଉପକାର ସ୍ଵୀକାର ଗ୍ରହଣ କରି ତାଙ୍କ କୃତଜ୍ଞତା ପ୍ରାପ୍ତିର ଆଶା ଚରିତାର୍ଥ କରନ୍ତି । ମାତ୍ର ଯଦି ସାହାଯ୍ୟଦାତା ସାହାଯ୍ୟପ୍ରାପ୍ତ ବ୍ୟକ୍ତିଠାରୁ କେବଳ ବାଚନିକ କୃତଜ୍ଞତା-ସ୍ଵୀକାର ଆଶା ନ କରି, ସମାଜର ଉନ୍ନତିବିଧାନ ନିମିତ୍ତ ଉପଯୁକ୍ତ କାର୍ଯ୍ୟକଳାପକୁ ପ୍ରକୃତ କୃତଜ୍ଞତା ସ୍ଵୀକାର ବୋଲି ମନେ କରିଥାନ୍ତି ତାହାହେଲେ ସାହାଯ୍ୟଗ୍ରହୀତା ସ୍ଵାର୍ଥାନ୍ଧ ହୋଇ ରହିବା ଉଚିତ ନୁହେଁ । କାରଣ, ସମାଜର ଏହି ହିତକର କାର୍ଯ୍ୟ ସାଧନ ବ୍ୟତିରେକ ସେ ଦାତାଙ୍କର ଉଦ୍ଦେଶ୍ୟ ଚରିତାର୍ଥ କରିପାରିବେ ନାହିଁ । ଏତ ଗଲା କୃତଜ୍ଞତା ସ୍ଵୀକାରଲିପ୍‌ସୁ ସାହାଯ୍ୟଦାତାଙ୍କ କଥା । ମାତ୍ର ସମାଜରେ କ’ଣ ଏପରି ବ୍ୟକ୍ତି ନାହାନ୍ତି, ଯେଉଁମାନେ କି କେବଳ ସମାଜର ଉନ୍ନତିର କାମନାରେ ଅନ୍ୟକୁ ସାହାଯ୍ୟ କରନ୍ତି ?

 

ଉଲ୍ଲିଖିତ ଯୁକ୍ତିଗୁଡ଼ିକରୁ ସ୍ପଷ୍ଟ ପ୍ରତୀୟମାନ ହେଉଅଛି ଯେପରିକି ସାହାଯ୍ୟ ଗ୍ରହୀତାମାନେ ବ୍ୟକ୍ତିବିଶେଷଙ୍କଠାରୁ ସାହାଯ୍ୟଭିକ୍ଷା କଲାବେଳେ ସେମାନଙ୍କ ଦାନର ଅଭିପ୍ରାୟ ବୁଝିପାରିଛନ୍ତି । ଯଦି ସାହାଯ୍ୟଦାତା ଦାନ ସମୟରେ ତାଙ୍କର ଉଦ୍ଦେଶ୍ୟ ଗ୍ରହୀତାର ସମ୍ମୁଖରେ ପ୍ରଖ୍ୟାପନ କରିଥାନ୍ତି ତାହାହେଲେ ତାଙ୍କର ଉଦ୍ଦେଶ୍ୟ ଅନୁଯାୟୀ ଗ୍ରହୀତାଙ୍କ କାର୍ଯ୍ୟରେ ଗତି ହେବା ଉଚିତ । ଯଦି ସାହାଯ୍ୟ ଗ୍ରହଣ ସମୟରେ ଗ୍ରହୀତା ଦାତାଙ୍କର ଅଭିପ୍ରାୟ କିଛି ବୁଝି ନଥାନ୍ତି ବା ବୁଝିବାକୁ କୌଣସି ଚେଷ୍ଟା କରି ନ ଥାନ୍ତି ତାହାହେଲେ ତାଙ୍କର ଏ ସବୁ ଯୁକ୍ତି ଆଣିବା ପରିବର୍ତ୍ତରେ ବରଂ ସେ ଅଭିପ୍ରାୟ ଜାଣିବାକୁ ଚେଷ୍ଟା ନ କରି ନିଜର ବିବେକ ବଳରେ ନିଜର କର୍ତ୍ତବ୍ୟ ସ୍ଥିର କରିନେବେ, ମାତ୍ର ଯଦି ସେମାନେ ଦାତାଙ୍କର ପ୍ରକୃତ ଅଭିପ୍ରାୟ ବୁଝି ନପାରି, ନିଜର ସ୍ଵାର୍ଥସାଧନ ପିପାସା ଚରିତାର୍ଥ କରିବାପାଇଁ ଏପରି ଯୁକ୍ତି ଦେଖାନ୍ତି ତାହାହେଲେ ସେମାନଙ୍କ ଯୁକ୍ତିର ଭିତ୍ତି ନାହିଁ-

 

ଦ୍ଵିତୀୟତଃ ଆଉ କେତେକ କହିପାରନ୍ତି “କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ”, ଏହି ନୀତି ଅନୁସାରେ ସାହାଯ୍ୟଦାତା ଦାନ ସମୟରେ କାର୍ଯ୍ୟସାଧନ କରିବା ଉଚିତ ଓ ସେଥିପାଇଁ କୌଣସି ଫଳର ପ୍ରତୀକ୍ଷା କରିବା ଅନୁଚିତ । ଅବଶ୍ୟ ସାହାଯ୍ୟଦାତାଙ୍କର ଏହା କରିବା ବିଧେୟ; ମାତ୍ର ଏଥିପାଇଁ କ’ଣ ସାହାଯ୍ୟପ୍ରାପ୍ତ ବ୍ୟକ୍ତି ଋଣମୁକ୍ତ ? ତେବେ କ’ଣ ସଂସାରରେ କର୍ମ କଲାବେଳେ ମନୁଷ୍ୟ ଫଳାକାଂକ୍ଷୀ ହେବ ନାହିଁ ? ଲୋକେ କ’ଣ ତାହାହେଲେ ନିରୁଦ୍ଦିଷ୍ଟ ଭାବରେ ଯାହା ତାହା କରିଯିବେ ? ଏହାହିଁ କ’ଣ ଗୀତାର ଏହି ଶ୍ଳୋକାଂଶଟିର ଯଥାର୍ଥ ବ୍ୟାଖ୍ୟା ? ନା, ଏହାର ପ୍ରକୃତ ଅର୍ଥ ହେଉଛି–କର୍ମ କରିଯାଅ, ଫଳରେ ଲିପ୍ତ ହୁଅ ନାହିଁ । କର୍ମରେ ପନ୍ଥା ନିୟନ୍ତ୍ରିତ କରିବାକୁ ଉଦ୍ଦେଶ୍ୟର ଆଶ୍ରୟ ନେବା ଆମ୍ଭମାନଙ୍କର କର୍ତ୍ତବ୍ୟ, ମାତ୍ର ସେହି ଉଦ୍ଦେଶ୍ୟର ପଛରେ ପାଗଳ ପରି ଧାବମାନ ହୋଇ, କର୍ମରେ ଅବହେଳା ପ୍ରଦର୍ଶନ କରିବା କୌଣସିମତେ ସମୀଚୀନ ନୁହେଁ । ମନେକର, ଜଣେ ଲୋକ କୌଣସି ଗୋଟିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ଇଚ୍ଛା କରିଅଛି । ଏହାହିଁ ତା’ର ଉଦ୍ଦେଶ୍ୟ ହେଲା । ବର୍ତ୍ତମାନ ତାହାର ସମସ୍ତ କାର୍ଯ୍ୟ, ସେହି ଉଦ୍ଦେଶ୍ୟର ସିଦ୍ଧି ନିମିତ୍ତ ପ୍ରସ୍ତୁତ ହେବା । ମାତ୍ର ଯଦି ସେ ପଠନ କାର୍ଯ୍ୟରେ ଅବହେଳା କରି କେବଳ ଉତ୍ତୀର୍ଣ୍ଣତାକୁ ମନରେ ଘୋଷିହୁଏ, ବା ତାହା ଲାଭ କରିବା ସକାଶେ ସର୍ବଦା ବ୍ୟାକୁଳତା ପ୍ରକାଶ କରେ, ତାହାହେଲେ ତାହାର ଉଦ୍ଦେଶ୍ୟ ଚରିତାର୍ଥ ହୋଇପାରିବ ନାହିଁ । ଏହି କାରଣରୁ ତାହାକୁ କୁହାଯାଇଛି କେବଳ ଫଳପ୍ରାପ୍ତି ଲାଗି ବ୍ୟସ୍ତ ହୁଅ ନାହିଁ, କାର୍ଯ୍ୟ କରିଯାଅ । ସେହିପରି ଯେଉଁ ବ୍ୟକ୍ତି ସାହାଯ୍ୟ ଦାନକରେ, ସେ ଯାହା ଚାହେଁ, ବା ଯେଉଁ ଉଦ୍ଦେଶ୍ୟରେ ଦାନ କରେ, ସେହି ଉଦ୍ଦେଶ୍ୟ ମନେରଖି ଦାନ କରିଥାଏ । ଯଦି ତଦନୁସାରେ କାର୍ଯ୍ୟ ନ ହେଲା, ସେତେବେଳେ ଦାୟୀ କିଏ ? ଦାୟୀ ସେ ନୁହେଁ ଯେ ସାହାଯ୍ୟପ୍ରାପ୍ତ । କାରଣ ତାହାର ଉଦ୍ଦେଶ୍ୟ ଯେ ସିଦ୍ଧି ନ ହେଲା ତାହା ତା’ ନିଜ ହେତୁରୁ ନୁହେଁ–ସାହାଯ୍ୟପ୍ରାପ୍ତ ବ୍ୟକ୍ତିର ହେତୁରୁ । ତେଣୁ ଦାନ ଯେପରି ଭାବରେ ହେଉ, ସାହାଯ୍ୟପ୍ରାପ୍ତ ବ୍ୟକ୍ତି ସେଥିଲାଗି ଋଣୀ ଓ ସେ ଋଣ ତାଙ୍କୁ ପରିଶୋଧ କରିବାକୁ ହେବ ।

 

ତୃତୀୟତଃ, ଏପରି କେହି ଥାଇପାରେ ଯେ, ଏହି ନୈତିକ ଋଣରୁ ନିଷ୍କୃତି ଲଭିବାପାଇଁ ଆଉ ଗୋଟିଏ ଅଦ୍ଭୁତ ଯୁକ୍ତି ଉତ୍ତୋଳନ କରିପାରେ । ସେ କହିପାରେ ମୁଁ ବର୍ତ୍ତମାନ ବୁଝିପାରି ଅଛି ଯେ, ମୁଁ ବଡ଼ ଭୁଲ୍ କରିଅଛି । କାହାରିଠାରୁ କିଛି ସାହାଯ୍ୟ ନେବା ଉଚିତ ନୁହେଁ । ମୁଁ ଏହା କରି ବର୍ତ୍ତମାନ ନିଜର ଭ୍ରମ ବୁଝିପାରି ଅଛି ଓ ସେଥିପାଇଁ ମୁଁ ଅତ୍ୟନ୍ତ ଅନୁତପ୍ତ । ଆତ୍ମନିର୍ଭର ହୋଇ ଜୀବନ ପଥରେ ଗତିକରିବା, ମୋର ଉଚିତ ଥିଲା । ବର୍ତ୍ତମାନ ମୁଁ ଯଦି ଜଗତରେ ଏପରି ସାହାଯ୍ୟ ଦେବାକୁ ଯାଏଁ, ତାହାହେଲେ ଅବୈଧ କାର୍ଯ୍ୟର ପ୍ରସାର କରି, ଅନ୍ୟାନ୍ୟ କେତେକ ଲୋକଙ୍କୁ ମୋହପରି ପରନିର୍ଭର କରିପକାଇବି ମାତ୍ର । ସ୍ଵାଧୀନ ଭାବରେ ଜୀବନଯାପନ କରିବା ପ୍ରତ୍ୟେକ ଲୋକର କର୍ତ୍ତବ୍ୟ । ତେଣୁ କାହାରିକୁ କିଛି ସାହାଯ୍ୟ ଦାନକଲେ, ତାହାର ସ୍ଵାବଲମ୍ବନଶୀଳତା ଉପରେ ବାଧାପଡ଼ିବ । ଫଳ ହେବ, କେତେଗୁଡ଼ିଏ ପରାଙ୍ଗପୁଷ୍ଟ ଜୀବନର ଗଠନ” । ଏହି ଯୁକ୍ତିର ଆଶ୍ରୟ ନେଇ ସେ ନିଜର ସ୍ଵାର୍ଥସିଦ୍ଧିରେ ଲାଗିପାରେ ଏବଂ ନୈତିକ ଋଣର ପରିଶୋଧ ନିମିତ୍ତ କୌଣସି ଚେଷ୍ଟା ନ କରିପାରେ । କିନ୍ତୁ ତାହାର ମନେରଖିବା ଉଚିତ ଯେ, ଭ୍ରମ ସ୍ଵୀକାର ପରିଶୋଧର ଅନ୍ତରାୟ ହୋଇ ନପାରେ । ଋଣଗ୍ରହଣ ତାହାର ଭୁଲ୍ ହୋଇପାରେ, ତଥାପି ତାହାର ପରିଶୋଧ ଦାୟିତ୍ୱରୁ ସେ ମୁକ୍ତ ନୁହେଁ । ସେ ଯଦି ବୁଝିପାରିଅଛି ଯେ ସେ ଭ୍ରମରେ ପଡ଼ିଅଛି ସେଥିପାଇଁ ସେ ଆଉ ସାହାଯ୍ୟ ନ ନେଇପାରେ, ତଥାପି ଯାହା ନେଇଅଛି, ସେତକ ପରିଶୋଧ କରିବାହିଁ ତାହାର କର୍ତ୍ତବ୍ୟ । ସେ ସାହାଯ୍ୟର ଆଶ୍ରୟ ନେଇ ବର୍ତ୍ତମାନ ଜୀବନର ଯେ ଅବସ୍ଥାରେ ଉପନୀତ ହୋଇଅଛି ଓ ଯେଉଁ ଫଳଭୋଗ କରିବାକୁ ସମର୍ଥ ହୋଇଅଛି ସେଥିପାଇଁ ସେ ଋଣୀ । ଯଦି କହେ ସେ ଅଜ୍ଞାନତାବଶତଃ ଅନ୍ୟାୟ ପନ୍ଥା ଧରିଥିଲା ଓ ଯଦି ତାହା ପରିତ୍ୟାଜ୍ୟ ବୋଲି ସ୍ଥିର କରେ, ତାହାହେଲେ ତାହାକୁ କେବଳ ତା’ର ପନ୍ଥା ନୁହେଁ, ତଜ୍ଜନିତ ଫଳ ମଧ୍ୟ ପରିତ୍ୟାଗ କରିବାକୁ ହେବ । ସେ ଯେଉଁ ଉପାୟରେ ଏତେଦୂର ସାମର୍ଥ୍ୟ ଅର୍ଜନ କରିଅଛି ତାହା ଅନ୍ୟାୟଥିବାରୁ ଯଦି ତାହା ବର୍ଜନ କରିବାକୁ ପ୍ରସ୍ତୁତ ତାହାହେଲେ ନ୍ୟାୟତଃ ସେହି ଉପାୟର ଅବଲମ୍ବନରେ ସାଧିତ ତାହାର ଶକ୍ତିସାମର୍ଥ୍ୟରେ ଆଶ୍ରୟ ନେବା ଉଚିତ ନୁହେଁ । କାରଣ ଉପାୟ ଅନ୍ୟାୟ ହେଲେ ତତ୍‌ସାଧିତ ଫଳ ମଧ୍ୟ ଅନ୍ୟାୟ । ସୁତରାଂ ଅନ୍ୟାୟ ଉପାୟରେ ଅର୍ଜିତ ଫଳ ଉପଭୋଗ କରି, ସେହି ଉପାୟକୁ ଅନ୍ୟାୟ ବୋଲି ଘୋଷଣା କରିବାଦ୍ଵାରା ସେ ପ୍ରକୃତରେ ଅନ୍ୟାୟ ଉପଲବ୍‍ଧି କରି ନାହିଁ ବୋଲି ସ୍ପଷ୍ଟ ପ୍ରମାଣିତ ହେବ । ତେଣୁ ସେ ଯଦି ତାହାର ଦୋଷ ସକାଶେ ପ୍ରକୃତ ପ୍ରାୟଶ୍ଚିତ୍ତ କରିବାକୁ ଇଚ୍ଛା କରୁଅଛି, ତାହାହେଲେ ତାହାକୁ ସ୍ଵତନ୍ତ୍ର ଅନ୍ୟ ପନ୍ଥା ଅବଲମ୍ବନ କରିବାକୁ ହେବ–ତାହାର ପାଇଥିବା ସାହାଯ୍ୟରୁ ଉପଲବ୍‍ଧି ସମସ୍ତ ପଦମର୍ଯ୍ୟାଦା ଓ ତଜ୍ଜନିତ ସୁଖସ୍ଵାଚ୍ଛନ୍ଦ୍ୟର ଉପଭୋଗ ମଧ୍ୟ ପରିତ୍ୟାଗ କରି ଅନ୍ୟ ଏକ ସ୍ଵତନ୍ତ୍ର ଉପାୟରେ ଗତି କରିବାକୁ ହେବ । ତାହା ନ କରି ଯଦି ସେ ଅପରର ସାହାଯ୍ୟରେ ପରିଚାଳିତ ନ ହେବାକୁ ଓ ସ୍ଵାଧୀନ ଭାବରେ ଗତି କରିବାକୁ ଉପଦେଶ ଦେଇ, ଆପେ ପାଇଥିବା ସାହାଯ୍ୟର ଭିତ୍ତିରେ ପ୍ରତିଷ୍ଠିତ ଉନ୍ନତିର ସୁବିଧା ନିଏ, ତାହାହେଲେ ତାହାକୁ କ’ଣ କହିବାକୁ ହେବ ? କେବଳ ନୈତିକ ପ୍ରତାରକ ଛଡ଼ା ଆଉ କିଛି ନୁହେଁ । ଅସ୍ଵୀକାର କରୁନାହୁଁ, ସ୍ୱାବଲମ୍ବନଶୀଳ-ଜୀବନ ଅବଶ୍ୟ ପ୍ରଶଂସାର୍ହ, ମାତ୍ର ନୈତିକ ଋଣର ଅସ୍ଵୀକାର ସ୍ଵାବଲମ୍ବନର ଶୀଳତା ନୁହେଁ–ପ୍ରତାରଣା । ପୁଣି ଅଶକ୍ତିକୁ ଶକ୍ତି ଦାନକରିବା, ତାହାକୁ ପରାଙ୍ଗପୁଷ୍ଟ କରିବା ନୁହେଁ । ଯଦି କେହି ଉଚ୍ଚ ଲକ୍ଷ୍ୟ ରଖି, ଜୀବନକୁ ସେହି ଦିଗରେ ଗଠନ କରିବାକୁ ଇଚ୍ଛାକରେ ଓ ନିଜର ଅସହାୟ ଅବସ୍ଥା ବଶତଃ ସମାଜସ୍ଥ ବ୍ୟକ୍ତିମାନଙ୍କର ସାହାଯ୍ୟ ଦରକାର କରେ, ତାହାହେଲେ, ତାହାକୁ ସାହାଯ୍ୟ ଦେଇ, ସେହି ଦିଗରେ ନେବାଦ୍ଵାରା ତାହାର ଶକ୍ତି ବହୁପରିମାଣରେ ବିକଶିତ ହେବ ଓ ସେ ସମାଜରେ ଜଣେ ଉପକାରୀ ବ୍ୟକ୍ତିରେ ପରିଣତ ହୋଇ ବହୁତ ହିତକର କାର୍ଯ୍ୟ ସାଧନ କରିବ । ଯଦି ଅପରର ସାହାଯ୍ୟରେ ଏହିପରି ଉପକୃତ ହୋଇ ସେ କେବଳ ସ୍ଵାର୍ଥନିବଦ୍ଧ ହୋଇପଡ଼େ, ତାହାହେଲେ ତାହାକୁ ‘ପରାଙ୍ଗପୁଷ୍ଟ’ ବୋଲିବାକୁ ହେବ । ତେଣୁ ଯେଉଁମାନେ ପରର ସାହାଯ୍ୟରେ ଉପକୃତ ହୋଇ ପରେ କେବଳ ଆତ୍ମସୁଖସାଧନ ଉଦ୍ଦେଶ୍ୟରେ ଏହିପରି ଯୁକ୍ତି ଅବଲମ୍ବନପୂର୍ବକ ସମାଜସ୍ଥ ଅପର ବ୍ୟକ୍ତିମାନଙ୍କ ପ୍ରତି ଏକାବେଳକେ ଉଦାସୀନ ଓ ନିର୍ମମ ହୋଇପଡ଼ନ୍ତି, ସେମାନଙ୍କର ସ୍ଵାଧୀନ ଜୀବନ ଗଢ଼ିବା ଦୂରେ ଥାଉ, ବରଂ ସେମାନେ ନିଜେ ନିଜେ ଗୋଟିଏ ଗୋଟିଏ ପରାଙ୍ଗପୁଷ୍ଟ ବ୍ୟକ୍ତି ବୋଲି ପ୍ରମାଣିତ ହୁଅନ୍ତି ।

 

ଏହା ଛଡ଼ା କେହି କେହି କହିପାରନ୍ତି “ସାହାଯ୍ୟ ଦେଇ କେହି କାହାକୁ ବଡ଼ କରିପାରି ନାହିଁ କି କେହି କାହାରିକୁ ସୁଖସ୍ଵାଚ୍ଛନ୍ଦ୍ୟରେ ରଖିପାରି ନାହିଁ । ସୁତରାଂ ଯେଉଁମାନେ ସାହାଯ୍ୟ ଦେଇଥାନ୍ତି, ସେମାନଙ୍କଠାରେ ସାହାଯ୍ୟପ୍ରାପ୍ତ ବ୍ୟକ୍ତି ଋଣୀ ନୁହେଁ” । ଏହି ଯୁକ୍ତିର ଯଥାର୍ଥ ପରୀକ୍ଷା କରିବାକୁ ହେଲେ, ଆମ୍ଭମାନଙ୍କୁ ଭାଗ୍ୟବାଦର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାକୁ ହେବ । ମାତ୍ର ଏହି କ୍ଷୁଦ୍ର ପ୍ରବନ୍ଧରେ ସେପରି ଆଲୋଚନାରେ ପ୍ରବୃତ୍ତ ନ ହୋଇ, କେବଳ ଏତିକି ମାତ୍ର କହୁଅଛୁ ଯେ, ଭାଗ୍ୟର ଆଶ୍ରୟ ନେଲେ ମଧ୍ୟ ଏହି ବ୍ୟକ୍ତିମାନେ ନୈତିକ ଋଣରୁ ମୁକ୍ତି ହୋଇପାରିବେ ନାହିଁ-। ଜୀବନର ସମସ୍ତ କାର୍ଯ୍ୟକଳାପକୁ ଭାଗ୍ୟର ଅଧୀନ ବୋଲି ଧରିବାକୁ ଗଲେ ଭଲମନ୍ଦ, ନ୍ୟାୟ ଅନ୍ୟାୟ, କାହାରି ସ୍ଥାନ ରହିବ ନାହିଁ–ସାଧୁତା ଓ ଚୌର୍ଯ୍ୟ ଉଭୟେ ସମାନ ବିବେଚିତ ହେବେ-। କାରଣ, ଭାଗ୍ୟବାଦ ମତେ କି ସାଧୁ, କି ଅସାଧୁ କେହି ନିଜ ନିଜର କାର୍ଯ୍ୟ ସକାଶେ ଦାୟୀ ନୁହଁନ୍ତି । ସୁତରାଂ ସାଧୁ ପ୍ରଶଂସାର ପାତ୍ର ନୁହେଁ କି ଅସାଧୁ ନିନ୍ଦାର ପାତ୍ର ନୁହେଁ । ପ୍ରକୃତ ଭାଗ୍ୟବାଦୀର ସେଥିପାଇଁ ସଂସାରରେ କୌଣସି ବିଷୟରେ କିଛି ଆପତ୍ତି କରିବା ଉଚିତ ନୁହେଁ-। ସୁତରାଂ ଯେତେବେଳେ ‘ସେ ଋଣୀ ନୁହଁନ୍ତି’ ଏ କଥା କହିବା ସକାଶେ ତାହାଙ୍କର ଯେତେକ ସ୍ଵାଧୀନତା ଆବଶ୍ୟକ, ସେତକ ମଧ୍ୟ ଦେଖାଇବା ସମୀଚୀନ ନୁହେଁ । କାରଣ ଏହା କରିବାଦ୍ଵାରା ସେ ନିଜେ ସ୍ଵତନ୍ତ୍ର ବୋଲି ନିଜକୁ ପରିଚିତ କରାଇବେ ମାତ୍ର । ପୁଣି ତାଙ୍କର ପାଇଥିବା ସାହାଯ୍ୟ ଅତୀତର କଥା ବୋଲି ସେ ବର୍ତ୍ତମାନ କହିପାରନ୍ତି ଯେ, ସେହି ସାହାଯ୍ୟ ନେବା ତାଙ୍କର ଭାଗ୍ୟରେ ଥିଲା-। ମାତ୍ର ଭବିଷ୍ୟତ୍‍ରେ ତାଙ୍କ ଭାଗ୍ୟରେ କ’ଣ ଅଛି ସେ କହିପାରିବେ ନାହିଁ । କାରଣ ତାଙ୍କ ଭାଗ୍ୟରେ ଥାଇପାରେ ଯେ ସେ ଦିନେ ସମାଜରୁ ପାଇଥିବା ତାଙ୍କର ସାହାଯ୍ୟ ସକାଶେ, ନିଜକୁ ଋଣୀ ମନେ କରି ସେହି ଋଣ ପରିଶୋଧ କରିବାକୁ ଚେଷ୍ଟା କରିପାରନ୍ତି ଓ ସେଥିପାଇଁ ଅପରକୁ ସାହାଯ୍ୟ କରିବାକୁ ଯାଇପାରନ୍ତି । ଏ ପର୍ଯ୍ୟନ୍ତ ପ୍ରକୃତ ଭାଗ୍ୟବାଦୀଙ୍କର କଥା କୁହାଗଲା; ମାତ୍ର ଏପରି ଅନେକଲୋକ ଥାଇପାରନ୍ତି ଯେଉଁମାନେ କି ସ୍ଵାର୍ଥକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଅପରକୁ ସାହାଯ୍ୟ କରିବାକୁ କୁଣ୍ଠିତ ହୋଇ, ଭାଗ୍ୟ ଦେବତାଙ୍କ ବାନାତଳେ ଆଶ୍ରୟ ନେଇଥାନ୍ତି ଓ ଦରକାର ହେଲେ ସେହି ସ୍ଵାର୍ଥସିଦ୍ଧି ସକାଶେ ଅନ୍ୟ ସମୟରେ ଭାଗ୍ୟକୁ ପଦଦଳିତ କରି, ନିଜର ପୁରୁଷକାର ଦେଖାଇବାକୁ ତିଳେମାତ୍ର କୁଣ୍ଠିତ ହୁଅନ୍ତି ନାହିଁ । ଏହି ଶ୍ରେଣୀର ଲୋକମାନଙ୍କୁ ଏତିକି ମାତ୍ର କହିଲେ ଯଥେଷ୍ଟ ହେବ ଯେ, କେବଳ ଋଣରୁ ନିଷ୍କୃତି ଲଭିବା ସକାଶେ ଭାଗ୍ୟର ଆଶ୍ରୟ ନେଇ, ପରେ ଅନ୍ୟ ସ୍ଵାର୍ଥ ଚରିତାର୍ଥ କରିବା ନିମିତ୍ତ ସେହି ଭାଗ୍ୟର ବିରୁଦ୍ଧରେ ଯିବା ବିଡ଼ମ୍ବନା ମାତ୍ର-

 

ଆଉ କେତେକ ସମାଜରୁ ସାହାଯ୍ୟ ପାଇ ଉନ୍ନତି କ୍ରୋଡ଼ରେ ଆଶ୍ରୟ ନେଲାବେଳେ ଯଦି କେହି ସେମାନଙ୍କ ଦ୍ଵାରସ୍ଥ ହୁଏ, ତାହାହେଲେ ସେମାନେ ସ୍ଵାର୍ଥକୁ ଅକ୍ଷୁଣ୍ଣ ରଖିବା ସକାଶେ କହିପାରନ୍ତି, ‘ମନୁଷ୍ୟ ନିଜେ ନିଃସହାୟ ଅବସ୍ଥାରେ ଥିଲାବେଳେ, କେତେ ଲୋକଙ୍କ ପାଖରେ ସାହାଯ୍ୟ ସକାଶେ ଗୋଡ଼ ଭାଙ୍ଗି ଠିଆ ହୋଇଅଛି । ପଇସାଟିଏ ପାଇବା ସକାଶେ ଯେତେ କଷ୍ଟ ଭୋଗ କରିବାକୁ ହୋଇଅଛି, ତାହା ବାକ୍ୟରେ ପ୍ରକାଶ କରି ହେବ ନାହିଁ । ସୁତରାଂ ସେହି ପଇସାକୁ ବର୍ତ୍ତମାନ ବିତରଣ କରିବା ଉଚିତ ନୁହେଁ ।” ମାତ୍ର ଏଠାରେ ସେମାନଙ୍କର ଭାବିବା ଉଚିତ ଯେ ସେମାନଙ୍କର ଅର୍ଜିତ ଧନ ସମସ୍ତ ନିଜର ନୁହେଁ; ଯେଉଁ ପଇସାଟି ସକାଶେ ସେମାନେ କଷ୍ଟ ଭୋଗ କରିଛନ୍ତି, ତାହା ତାଙ୍କପରି ଅନ୍ୟାନ୍ୟ ଅନେକ ଲୋକ ନ ପାଇ ଅତି କଷ୍ଟରେ ଅଛନ୍ତି । ସେମାନେ ଯେଉଁ କଷ୍ଟ ଭୋଗ କରି ପଇସାଟିଏ ପାଇଥିଲେ, ଯଦି ସେହି ପଇସାଟି ସେତେବେଳେ ମିଳିନଥାନ୍ତା ତାହାହେଲେ ଏମାନଙ୍କର ଯେ କି ଅନିଷ୍ଟ ହୋଇଥାନ୍ତା ତାହା ସେମାନଙ୍କର ଭାବିବା ଉଚିତ । ପଇସାଟିଏ ପାଇଲାବେଳେ ସେମାନଙ୍କର କଷ୍ଟ ହୋଇଥିଲେ ସୁଦ୍ଧା ସେମାନଙ୍କର ପ୍ରକୃତ କଷ୍ଟର ଲାଘବ ହୋଇଥିବା ନିଶ୍ଚିତ । ତା’ ନ ହୋଇଥିଲେ, ସେମାନେ ସେହି ପଇସାଟି ପାଇଁ ସେତକ କଷ୍ଟ ଭୋଗ କରି ନଥାନ୍ତେ । ସେହିପରି ଯେଉଁମାନେ ପଇସାଟିଏ ପାଇଁ ତାଙ୍କ ନିକଟରେ ଦଣ୍ଡାୟମାନ, ସେହି ପଇସାଟି ପାଇବାଦ୍ଵାରା ସେମାନଙ୍କ କଷ୍ଟ ସେହିପରି ଲାଘବ ହେବ; ତେଣୁ ସେମାନଙ୍କର ସେ ଦିଗରେ ଉଦାସୀନ ନ ହୋଇ ସ୍ନେହ ଓ ସହାନୁଭୂତି ସହ ଶକ୍ତିମତେ ଉପଯୁକ୍ତ ସାହାଯ୍ୟ କରି ନୈତିକ ଋଣରୁ ମୁକ୍ତ ହେବା ବିଧେୟ ।

 

ଉପରେ ନୈତିକ ଋଣର ପରିଶୋଧର ବିରୁଦ୍ଧରେ ଯଥାସମ୍ଭବ କେତେକ ଯୁକ୍ତିର ବିଚାର କରାଗଲା । ପରିଶେଷରେ ବକ୍ତବ୍ୟ ଏହି ଯେ, ନୈତିକ ଋଣରେ ପରିଶୋଧ ଗୋଟିଏ ଗୁରୁତର ବ୍ୟାପାର । ଏହାକୁ ସାମାନ୍ୟ ମନେ କରି, ଜୀବନରେ କେବଳ ଆତ୍ମସୁଖସାଧନରେ ଅଗ୍ରସର ହେବା ଉଚିତ ନୁହେଁ ମନେରଖିବା ଉଚିତ ମାନବ ସମାଜ ଗୋଟିଏ ନିତ୍ୟ ବିନିମୟ କ୍ଷେତ୍ର-। ଏହି ବିନିମୟ କ୍ଷେତ୍ରରେ ସାହାଯ୍ୟ ପରିବର୍ତ୍ତରେ ସାହାଯ୍ୟ, ଉପକାର ପରିବର୍ତ୍ତରେ ଉପକାର ଲାଗି ରହିଅଛି । ସମାଜସ୍ଥ ବ୍ୟକ୍ତିମାନେ ପରସ୍ପର ଉପରେ ନିର୍ଭର କରି ଚାଲୁଥିବାରୁ ଏହି ସମାଜ ଗୋଟିଏ ଆନନ୍ଦର କ୍ଷେତ୍ର ହୋଇଅଛି, ନଚେତ ଏହା କେବଳ ସ୍ଵାର୍ଥାନ୍ଧ ବ୍ୟକ୍ତିମାନଙ୍କର ଅନ୍ୟୋନ୍ୟ ବିରୋଧରେ ଧ୍ଵସ୍ତବିଧ୍ଵସ୍ତ ହୋଇ ଧରାପୃଷ୍ଠରୁ ଏକାବେଳକେ ଅଦୃଶ୍ୟ ହୋଇଯାନ୍ତା-। ସୁତରାଂ ଯେଉଁମାନେ ସମାଜରୁ ସାହାଯ୍ୟ ଗ୍ରହଣ କରି ନିଜ ନିଜର ଉନ୍ନତି ସାଧନ କରନ୍ତି ସେମାନଙ୍କୁ ଧୀର ଚିତ୍ତ, ସ୍ଥିର ବୁଦ୍ଧିରେ ନିଜ ନିଜର କର୍ତ୍ତବ୍ୟ ଅବଧାରଣା କରିବାକୁ ହେବ । ଯେଉଁ ନୈତିକ ଭିତ୍ତିରେ ସେମାନଙ୍କର ବିକାଶ ପ୍ରତିଷ୍ଠିତ ହୋଇଅଛି ତାହା ଯେପରି ଅନ୍ୟାନ୍ୟ ଅନେକ ଜୀବନର ମୂଳଦେଶରେ ବିଦ୍ୟମାନ ରହେ, ସେଥିପ୍ରତି ଚେଷ୍ଟା କରିବା ଏକାନ୍ତ କର୍ତ୍ତବ୍ୟ । ଯେଉଁଜାତି ଏହା ଯେତେ ହୃଦୟଙ୍ଗମ କରିପାରିଅଛି ତାହାର ଉନ୍ନତି ସେତେଦୂର ଅଗ୍ରସର ହୋଇଅଛି-। ପ୍ରତ୍ୟେକ ସମାଜର ଉତ୍‍ଥାନ ସମୟରେ ଏହି ଅନ୍ୟୋନ୍ୟ ସହାନୁଭୂତିରୂପେ ମହାମନ୍ତ୍ର ପ୍ରତ୍ୟେକ ଜୀବନକୁ ଅଭିମନ୍ତ୍ରିତ କରିବା ଉଚିତ । ବାସ୍ତବିକ, ଯେଉଁମାନେ ସମ୍ପଦ ସମୟରେ, ପ୍ରାଥମିକ ନିଃସହାୟ ନୈରାଶ୍ୟକୁ ଭୁଲି, କେବଳ ସଂକୀର୍ଣ୍ଣ ସ୍ଵାର୍ଥରେ ଜଡ଼ିତ ହୋଇପଡ଼ନ୍ତି, ସେମାନେ ସମାଜର କିଛି ମାତ୍ର ଉନ୍ନତି କରନ୍ତି ନାହିଁ । ଆଦାନପ୍ରଦାନ ସମାଜର ଅସ୍ଥିମଜ୍ଜା କହିଲେ ଚଳେ, ତେଣୁ ନୈତିକ ଋଣ ପରିଶୋଧ ଜୀବନର ଗୋଟିଏ କର୍ତ୍ତବ୍ୟ ବୋଲି ପ୍ରତ୍ୟେକଙ୍କର ମନେରଖିବା ଉଚିତ-। ସମୟ ସମୟରେ ବ୍ୟକ୍ତି ବିଶେଷଙ୍କର ଗୋଟିଏ ଗୋଟିଏ ଉତ୍ସାହ ବାଣୀ ନିଃସହାୟ ଜୀବନକୁ ଯେଉଁ ଅମୃତତ୍ଵ ଦାନ କରିଥାଏ ତାହା ଭାବିଲେ କାହାର ହୃଦୟ ସେହି ସହାନୁଭୂତିରେ ବିଗଳିତ ନ ହେବ-? କାହାର ହୃଦୟ ସ୍ଵାର୍ଥସିଦ୍ଧିରେ ଆତ୍ମପ୍ରସାଦ ଲାଭ ନ କରିବ ?

Image

 

Unknown

ଯୁବକ ଓ ଜଗତ

ଡକ୍ଟର ବ୍ରଜବିହାରୀ ମହାନ୍ତି

 

ଆଦିମ ଯୁଗରୁ ମନୁଷ୍ୟ କଳ୍ପନା ଓ ବାସ୍ତବତା ମଧ୍ୟଦେଇ ଜୀବନ ଅତିବାହିତ କରି ଆସୁଅଛି । ସୁଖାନ୍ୱେଷଣରେ କଳ୍ପନାକୁ ବାସ୍ତବତାର ଭିନ୍ନ ଭିନ୍ନ ଛାଞ୍ଚରେ ଗଢ଼ିନେବା ତା’ର ଗୋଟାଏ ସ୍ଵଭାବଗତ ଧର୍ମ । ଜ୍ଞାନ, ଧର୍ମ, କଳା ପ୍ରଭୃତିରେ ମାନବର ପ୍ରଚେଷ୍ଟା ଯେ ମାର୍ଗ ସବୁ ଅନୁସରଣ କରେ ସେଥିରେ କଳ୍ପନାର ପ୍ରଭାବ ଭିତ୍ତିସ୍ୱରୂପ ହୁଏ । କଳ୍ପନା-ପ୍ରସୂତ-କର୍ମ-ରାଶିରେ ଜଗତର ବୈଚିତ୍ର୍ୟ ରକ୍ଷା ହୁଏ ବୋଲି ଅନେକ ଏହାକୁ ମାୟା-ରଚିତ ବୋଲି କହନ୍ତି । ବିଶ୍ଵର ଅସୀମତା ସହିତ ଜୀବନ ଜଗତ୍‍ର ସମ୍ପର୍କକୁ ତୁଳନା କଲେ ଯେ ବିସ୍ମୟ ଜନ୍ମେ, ସେଥିରେ ମନୁଷ୍ୟର କଳ୍ପନାଶକ୍ତି ଓ ବାସ୍ତବଜ୍ଞାନ ନିତାନ୍ତ ହେୟ ବୋଧହୁଏ । ମନୁଷ୍ୟର ଜୀବନବ୍ୟାପୀ କର୍ମ ସମ୍ପାଦନଦ୍ଵାରା ଜଗତର ବିଶାଳତାରେ ତିଳେମାତ୍ର ପରିବର୍ତ୍ତନ ଲକ୍ଷିତ ହୁଏ ନାହିଁ । ସଂଖ୍ୟାତୀତ ପ୍ରାଣୀ ମୁହୂର୍ତ୍ତକେ ଧରା-ବକ୍ଷରୁ ଲୀନ ହୋଇଯାନ୍ତି, ସେମାନଙ୍କର କର୍ମର ଚିହ୍ନ ସୁଦ୍ଧା ରହେ ନାହିଁ, କିନ୍ତୁ ଜଗତ୍ ତା’ର ଧାରାବାହିକ ଗତିରେ ଅଗ୍ରସର ହୋଇଥାଏ । କେତେକ ଅଭିନବ ପନ୍ଥା ଆବିଷ୍କାର କରି ମନୁଷ୍ୟ ତା’ର ସ୍ଵାତନ୍ତ୍ର୍ୟ ପ୍ରମାଣିତ କରେ । ସେ ମନେକରେ ସମସ୍ତ ଜଗତ୍ ତାକୁ ଅନୁସରଣ କରିବ, କିନ୍ତୁ ଯେଉଁ ବୈଚିତ୍ର୍ୟ ଘେନି ମନୁଷ୍ୟର ଜଗତ୍ ସଙ୍ଗେ ନିବିଡ଼ ସମ୍ପର୍କ ତାହା କୌଣସି କର୍ମର ବିଶିଷ୍ଟତାକୁ ବେଶି ଦିନ ସ୍ଥାୟୀ କରାଇଦିଏ ନାହିଁ । ଏସବୁ ଦେଖି ମନେହୁଏ ସାଂସାରିକ କର୍ମରାଶି କେବଳ ତରଙ୍ଗ ପରି ଏକ ଅବିରାମ ଗତିରେ ସଂଘଟିତ ହେଉଅଛି ।

 

ମନୁଷ୍ୟର ଜୀବନଟା କର୍ମସ୍ୱରୂପ କେତେଗୁଡ଼ାଏ ତରଙ୍ଗର ସମଷ୍ଟି ମାତ୍ର । ଏହି ତରଙ୍ଗଗୁଡ଼ିକ ସବୁ ସମୟରେ ସମାନ ଭାବରେ ଉଠେ ନାହିଁ । ଉତ୍ପତ୍ତି ଓ ବିନାଶକୁ ବାଦ୍ ଦେଇ ମନୁଷ୍ୟର ଦୃଷ୍ଟିଶକ୍ତି ସଞ୍ଚାଳିତ ହୋଇପାରେ ନାହିଁ । ଧ୍ଵଂସାବଶେଷରେ ଗଠନ କ୍ରିୟା ଓ ନିର୍ମାଣ ନିପୁଣତାରେ ପତନର ଆଶଙ୍କା ନଥିଲେ ମନୁଷ୍ୟର ଜଗତ୍ ସଙ୍ଗେ ଯେ ସମ୍ପର୍କଟା ଲାଗି ରହିଚି ତାହା ଅନେକ ଦିନରୁ ଶିଥିଳ ହୋଇଯାନ୍ତାଣି । କର୍ମସ୍ପୃହା ମନୁଷ୍ୟର ଜନ୍ମଗତ । ଏହା ଯଦି ସମସ୍ତଙ୍କଠାରେ ସମାନ ଭାବରେ ଥାନ୍ତା ତାହାହେଲେ ଗୋଟାଏ କର୍ମପ୍ରବାହ ଜଗତକୁ ବ୍ୟାପୀ ରହିଥାନ୍ତା । ଆଶ୍ରୟ ଭେଦରେ କର୍ମର ସ୍ତରସବୁ ସଞ୍ଚିତ ହୁଏ ତାହା ଉଚ୍ଚ ଓ ନୀଚ ସୋପାନ ସୃଷ୍ଟି କରି କର୍ମ ଜଗତ୍‍ର ଶ୍ରୀ ସାଧନ କରେ । ଶୈଶବ, କୈଶୋର, ଯୌବନ ଓ ବାର୍ଦ୍ଧକ୍ୟରେ: ମନୁଷ୍ୟ ଭିନ୍ନଭିନ୍ନ କର୍ମପନ୍ଥା ଅବଲମ୍ବନ କରେ । ଚିରଦିନ ଗୋଟାଏ ଅବଲମ୍ବନରେ ପ୍ରାଣର ଆକାଂକ୍ଷା ନିବୃତ୍ତ ହୁଏନାହିଁ । ତେଣୁ ମନୁଷ୍ୟ ମାର୍ଗାନ୍ତରକୁ ଅନୁସରଣ କରୁଥାଏ । ସାଂସାରିକ ଜୀବନର ଅପୂର୍ଣ୍ଣତା ପ୍ରମାଣ କରିବାପାଇଁ ଏହା ଗୋଟାଏ ଉତ୍କୃଷ୍ଟ ଉପାୟ । ପ୍ରତ୍ୟେକ ଜୀବନରେ ଆକର୍ଷଣର ପ୍ରଭାବ ରହିଚି । ଏହା ନଥିଲେ ଜୀବନର ଗତି ଆଦୌ ନିରୂପିତ ହୋଇପାରନ୍ତା ନାହିଁ । ଶିଶୁ-ପ୍ରାଣର ଉନ୍ମାଦନା ଯୌବନ କିମ୍ବା ବାର୍ଦ୍ଧକ୍ୟରେ ଭିନ୍ନ ଭାବ ଧାରଣ କରେ । ଶିଶୁର କ୍ରୀଡ଼ା ସାଧାରଣତଃ ଯୁବକ ଚକ୍ଷୁରେ ଉପେକ୍ଷିତ ହୋଇଥାଏ । ଯୁବକର ଦୃଷ୍ଟି ଯାଏଁ ଭିନ୍ନ ଦିଗରେ । ସାଂସାରିକ ପରିବର୍ତ୍ତନ ସର୍ବଦା ଲାଗି ରହିଚି କିନ୍ତୁ ମନୁଷ୍ୟର କର୍ମ ସେଥିରେ ବିଶେଷ ଭାବରେ ନିୟନ୍ତ୍ରିତ ହୁଏ ନାହିଁ । ହୃଦୟର ପ୍ରେରଣାରେ ମନୁଷ୍ୟ ଯେ କର୍ମକ୍ଷେତ୍ର ସୃଷ୍ଟି କରେ ତାକୁ ଜଗତ୍ ଅକାତରରେ ଗ୍ରହଣ କରେ ।

 

ବର୍ତ୍ତମାନ ମନୁଷ୍ୟର ଅନ୍ୟାନ୍ୟ ଦଶା ବାଦ୍ ଦେଇ କେବଳ ଯୁବକର ଜଗତ୍ ସହିତ ସମ୍ପର୍କକୁ ଆଲୋଚନା କରାଯାଉ । ଶୈଶବରୁ ଜୀବନଧାରାଟି ମୃଦୁଗତିରେ ଆସୁଥାଏ । କେତେ ସୁଖ-ସ୍ଵପ୍ନରେ ହୃଦୟର ଆବେଗ ସଞ୍ଚିତ ହୋଇ ରହୁଥାଏ । କୈଶୋର ଆସେ–ସରଳ ପ୍ରାଣରେ ଟିକିଏ ଉଦ୍ଦାମତା ଖେଳିଯାଏ । ହୃଦୟର ସ୍ପନ୍ଦନ ଆସ୍ତେ ଆସ୍ତେ ଉଚ୍ଛ୍ଵସିତ ହୋଇ ଉଠେ । ଯୌବନର ମାଙ୍ଗଳିକ ଗାନ କୈଶୋର ଆଗରୁ ଗାଇ ଦେଇଯାଏ । ଜୀବନର ଗୋଟାଏ ବିରାଟ ଅଧ୍ୟାୟର ଆରମ୍ଭ ପୂର୍ବରୁ ଯେଉଁ ସୂଚନା ସବୁ ଦେଖାଯାଏ, ସେଥିରେ ଭାବୀ ମଙ୍ଗଳ କିମ୍ବା ଅମଙ୍ଗଳର ଚିତ୍ର ସ୍ପଷ୍ଟ ଆକାରରେ ଆତ୍ମପ୍ରକାଶ କରେ । ଜଣେ ଚିନ୍ତାଶୀଳ ବ୍ୟକ୍ତି କହିଛନ୍ତି–“Morning shows the day” ଏଥିର ଦୃଷ୍ଟାନ୍ତ ବିରଳ ନୁହେଁ । ବାଳକ ନେପୋଲିୟନ ଫ୍ରାନ୍‍ସର ଦୁରବସ୍ଥା ହୃଦୟଙ୍ଗମ କରି ଯେ ଅମୋଘ-ବାଣୀ ଉଚ୍ଚାରଣ କରିଥିଲେ ତାହା ଦିନେ ତାଙ୍କରି ଜୀବନରେ ପ୍ରମାଣିତ ହେଲା । ଯଥାର୍ଥରେ ସେ ଫ୍ରାନ୍‍ସର ଭାଗ୍ୟ ପରିବର୍ତ୍ତନ କରି ଦେଇଥିଲେ । ବାଳକର ପ୍ରବଳ ଆକାଂକ୍ଷା ନଥିଲେ ଯୁବକ ଏଡ଼େ ଅମିତ ବିକ୍ରମ ଦେଖାଇପାରନ୍ତା ନାହିଁ । କଳ୍ପନାର କଳିକାଟି ଯୌବନରେ ଫୁଟିଉଠେ । କୁସୁମର ସବୁ ସୌରଭ ଆଗରୁ ସଞ୍ଚିତ ହୋଇଥାଏ । ସମୟ ହେଲାକ୍ଷଣି ଅନୁକୂଳ ସମୀରଣ ଆସି ତା’ର ଗନ୍ଧକୁ ଦିଗ୍‌ଦିଗନ୍ତରେ ଖେଳାଇ ଦିଏ ।

 

ଯୌବନ ଆସିଲାକ୍ଷଣି ଜୀବନର ଉତ୍ସଟି ପୂର୍ଣ୍ଣରୂପେ ଉନ୍ମୁକ୍ତ ହୋଇଯାଏ । ଶତବାଧା ଓ ନିର୍ଯାତନା ଆସେ ଯୁବକ ସେଥିପ୍ରତି ଦୃକ୍‌ପାତ କରେ ନାହିଁ । ସେ ଦେଖେ ସମସ୍ତ ଜଗତ୍‍ଟା ଯେପରି ଗୋଟାଏ ଭାବରେ ଅନୁପ୍ରାଣିତ । ଯୁବକ ନିଜେ ମୁଗ୍ଧ ହୋଇ ଜୀବନର ଯେ ସରସତା ଦେଖାଏ, ସେଥିରେ ସଂସାରର ଅଳୀକତା ଦୂର ହୋଇଯାଏ । ଆଶାର ବନ୍ଧନରେ ପ୍ରାଣର ଉଦ୍ଦାମତା ବୃଦ୍ଧିପାଏ । ଯୁବକ ତା’ର ମନୋଟ୍ଟାଳିକା ଗଢ଼ିବାକୁ ବସେ । ଅତୀତର ସ୍ମୃତି ଚିତ୍ରରେ ଏହି ସୌଧର ସୌନ୍ଦର୍ଯ୍ୟ ସମ୍ପାଦନ କରି ସେ ମନେକରେ ଜୀବନରେ ଆଉ କୌଣସି ଅଭାବ ନାହିଁ, କିନ୍ତୁ ସମୟ ସମୟରେ ଆକସ୍ମିକ ବିପଦର ଆବର୍ତ୍ତ ଆସି ସବୁ ବିପର୍ଯ୍ୟସ୍ତ କରିଦିଏ । ଯୁବକର ଆତ୍ମପ୍ରତ୍ୟୟ ଥିଲେ ସେ ପୁଣି ତା’ର କର୍ମକ୍ଷେତ୍ରରେ ଅଗ୍ରସର ହୁଏ । ବାଧା ଲଙ୍ଘି ଜୀବନର ଉପଦେୟତା ଦେଖାଇ ପାରିଲେ ଯୌବନର ପ୍ରକୃତ ପରିଚୟ ମିଳେ । ଚିରଦିନ ଯୁବଶକ୍ତି ଜଗତ୍‍ର ଚିନ୍ତା ଓ କାର୍ଯ୍ୟଧାରାର ପରିବର୍ତ୍ତନ କରି ଆସିଅଛି । ଯେ ଦେଶର ଯୁବକ ନିଜର କର୍ମମାର୍ଗ ଅନୁସରଣ କରିପାରେ ନାହିଁ କିମ୍ବା ଅପରର ମୁଖାପେକ୍ଷୀ ହୋଇ ରହେ, ସେ ଦେଶର ଜଗତ୍ ସଙ୍ଗେ କୌଣସି ଜୀବନ୍ତ ସମ୍ପର୍କ ରହେ ନାହିଁ । ଦେଶ ମାତୃକାର ଧମନୀରେ ଯୁବକର ଶକ୍ତି ମୃତ୍ୟୁ ସଞ୍ଜୀବନୀ ପରି କାର୍ଯ୍ୟକରେ । ଜାତୀୟସ୍ଵାର୍ଥ ରକ୍ଷାପାଇଁ ଯୁବକର ଆତ୍ମତ୍ୟାଗ ସବୁ ଦେଶରେ ସବୁ ସମୟରେ ଲୋଡ଼ା ହୋଇଥାଏ; କିନ୍ତୁ ନିସ୍ତେଜ ଜାତି ଏଥିରେ ମର୍ମବୁଝେ ନାହିଁ ।

 

ଜଗତ୍‍ର ରମଣୀୟତା ଉପଭୋଗ କରିବାପାଇଁ ମନୁଷ୍ୟ ଜୀବନରେ ଯୌବନର ସୃଷ୍ଟି । ଆନନ୍ଦର ଉପକରଣଗୁଡ଼ିକ ଯୁବକ ଦୃଷ୍ଟିରେ ବିଶେଷ ଭାବ-ତରଙ୍ଗରେ ହଠାତ ସେହିପରି ପ୍ରତିବନ୍ଧକ ସବୁ ସୃଷ୍ଟି କରିଦେଲେ ଗୋଟାଏ ବିଦ୍ରୋହ ଜନ୍ମି ସମସ୍ତ ଜୀବନକୁ ମରୁଭୂମିର ଭୀଷଣତାରେ ପୂର୍ଣ୍ଣ କରିଦିଏ ।

 

କର୍ମ-ଜୀବନକୁ ଯୌବନର ପ୍ରେରଣା ଅତ୍ୟଧିକ ଭାବରେ ନିୟନ୍ତ୍ରିତ କରେ । ଜଗତ୍‍ର ସୌନ୍ଦର୍ଯ୍ୟକୁ ସ୍ପଷ୍ଟରୂପେ ପ୍ରକାଶ କରିବାକୁ ଯୌବନ କେବଳ ସମର୍ଥ ହୋଇଥାଏ । ନୈସର୍ଗିକ ଶୋଭାସମ୍ପଦର ମହନୀୟତା ଉପଲବ୍‍ଧି କରି କ୍ଳିଷ୍ଟ ସଂସାରବାସୀ ମନରେ ଭୂସ୍ଵର୍ଗର ଅନିନ୍ଦ୍ୟଭାବ ସଞ୍ଚାର କରାଇବାରେ ଯୁବକର ଗୌରବ । ଯୁବତୀର ଅନ୍ତରକଥା ଜାଣି ତାକୁ ଜୀବନର ସାଥୀ କରିନେବାକୁ ସେ ଯେପରି ସ୍ଵାର୍ଥତ୍ୟାଗର ନିଦର୍ଶନ ଦେଖାଏ, ତାହା କୈଶୋର କିମ୍ବା ବାର୍ଦ୍ଧକ୍ୟ ବ୍ୟକ୍ତିର ବହିର୍ଭୂତ । ନାରୀଜାତିର ରକ୍ଷା ଲାଗି ଯୁବକ ନିଜର ପ୍ରାଣସୁଦ୍ଧା ଅକାତରରେ ଦେଇପାରେ-। ସରସ ପଦାର୍ଥଟିର ସରସତା ବୁଝିବାକୁ ଯୁବକ ସର୍ବଦା ବ୍ୟଗ୍ର ହୋଇପଡ଼େ । ମନୀଷୀମାନେ କହନ୍ତି–ନାରୀସ୍ଵଭାବ କୁଟିଳତାରେ ପୂର୍ଣ୍ଣ । ତା’ର ହୃଦୟର ଭାବ ଅବଧାରଣା କରିବା ପୁରୁଷ ପକ୍ଷରେ ସମ୍ଭବପର ନୁହେଁ । ଜଗତ୍‍ର ଅଧିକାଂଶ ଅହିତ ସକାଶେ ସେମାନେ ନାରୀଜାତିକୁ ଦାୟୀ କରନ୍ତି । ବାସ୍ତବରେ ଅତୀତ ଇତିହାସ ଉଦ୍‌ଘାଟନ କଲେ ଏଥିର ଦୃଷ୍ଟାନ୍ତ ମିଳିପାରେ-। ଆମ୍ଭମାନଙ୍କର ମତରେ ସଂସାରର ଅକଲ୍ୟାଣ ସକାଶେ ନାରୀ ଏକାକୀ କାହିଁକି ଦାୟୀ ହେବ-? ପୁରୁଷ ଯେତେଥର ନାରୀପ୍ରତି ଅମର୍ଯ୍ୟାଦା ଦେଖାଇଚି କିମ୍ବା ତା’ର ସୌନ୍ଦର୍ଯ୍ୟପ୍ରତି ତୀବ୍ର କଟାକ୍ଷ କରି ନିଜର ଲୋଲୁପତା ମେଣ୍ଟାଇବାକୁ ଯାଇଚି, ସେତେ ଥର ଧରାବକ୍ଷ ନର ଶୋଣିତରେ କଳୁଷିତ ହୋଇଅଛି । ଯେଉଁମାନେ ରମଣୀର ସୌନ୍ଦର୍ଯ୍ୟରେ ସ୍ଵର୍ଗର ସୁଷମା ଦେଖିପାରନ୍ତି ନାହିଁ, କେବଳ କାମ ପରିତୃପ୍ତିର ପ୍ରଧାନ ଅବଲମ୍ବନ ବୋଲି ତାକୁ ଗ୍ରହଣ କରନ୍ତି ସେହିଠାରୁ ନାରୀଠାରୁ ପ୍ରକୃତ ପ୍ରେରଣା ପାଆନ୍ତି ନାହିଁ । ଯୁବକ ଯଦି ଶାନ୍ତ ଭାବରେ ନାରୀ ପ୍ରକୃତି ଆଲୋଚନା କରେ, ତାହାହେଲେ ସେ ତା’ଠାରୁ ଯଥେଷ୍ଟ ପାଇପାରେ । ଅନେକ ଉଦ୍‌ଭ୍ରାନ୍ତ ଯୁବକଙ୍କ ଜୀବନ ରମଣୀର ପୂତ ଆକର୍ଷଣରେ ଉନ୍ନତିର ଚରମ ସୋପାନକୁ ବହୁବାର ଆନୀତ ହୋଇଅଛି । ଯୁବତୀର ମୋହ ଯୁବକକୁ ବର୍ତ୍ତୁ-ସ୍ଖଳିତ କରିପାରେ କିନ୍ତୁ ଯେତେବେଳେ ଉଚ୍ଛ୍ଵସିତ ଯୌବନର ନୀରବ ଓ ନିଭୃତ ଭାବନା ଉଭୟ ଯୁବକ ଯୁବତୀର ହୃଦୟ ତନ୍ତ୍ରୀରେ ଖେଳିଯାଇ ଗୋଟାଏ ଅଚ୍ଛେଦ୍ୟ ବନ୍ଧନରେ ଦୁଇଟା ଜୀବନକୁ ମିଳାଇବାକୁ ବସେ, ସେତେବେଳେ ଜଗତ୍ ଓ ଜୀବନର ସାର୍ଥକତା ପ୍ରମାଣିତ ହୁଏ । ବୈଦ୍ୟୁତିକ ଶକ୍ତି ସାହାଯ୍ୟରେ ଜଗତ୍ ଆଜି ଅନେକ ଅଦ୍ଭୁତ ଘଟନା ଦେଖୁଛି । ଯାହା ଦିନେ କଳ୍ପନାର ଅତୀତ ଥିଲା ଓ ଯେଉଁ ବିଦ୍ୟୁତ୍ ପ୍ରାଣସଂହାରକ ମାତ୍ର ଥିଲା, ମନୁଷ୍ୟ ଅକ୍ଳେଶରେ ତା’ରି ସାହାଯ୍ୟରେ ଆଜି ଅନେକ କାର୍ଯ୍ୟ ସମ୍ପାଦନ କରୁଅଛି । ଯୁବକର ଶକ୍ତି ବିଦ୍ୟୁତ୍ ସଙ୍ଗେ ସମାନ କହିଲେ ଚଳେ । ଯୁବକ ବହୁବାର ଜଗତ୍‍ର ଧ୍ଵଂସ ସାଧନ କରିଚି, ରଣାଙ୍ଗନରେ ମୃତ୍ୟୁର କରାଳତା ସୃଷ୍ଟି କରିବାକୁ ଯୁବକର ପ୍ରଥମ ଲୋଡ଼ାହୁଏ; କିନ୍ତୁ ସେହି ଯୁବକର ଶକ୍ତି ଜ୍ଞାନର ଉତ୍କର୍ଷ ଦେଖାଇ ପୃଥିବୀର ବିସ୍ମୟ ସମ୍ପାଦନ କରେ ବୋଲି ଜଗତ୍‍ର ଗୌରବ ରକ୍ଷିତ ହୋଇଅଛି । ମେରୁ ପ୍ରଦକ୍ଷିଣ, ଉତ୍ତୁଙ୍ଗ ପର୍ବତ ଶୃଙ୍ଗ ଆରୋହଣ ଓ ଭୀଷଣ ଜଳଧିବକ୍ଷରେ ବିଚରଣ କରିବା ଆଜି ସଭ୍ୟ ଯୁବକର ପ୍ରାଣର ଆକାଂକ୍ଷା ହେଲାଣି । ସଭ୍ୟତାର ଅଗ୍ରଗତିରେ ଯୁବକ ଅଗ୍ରଦୂତ, ତାକୁ ବାଦ୍ ଦେଲେ ଜଗତ୍‍ରେ ଶୌର୍ଯ୍ୟ କିମ୍ବା ସମ୍ପଦ କିଛି ଦେଖିବାକୁ ମିଳିବ ନାହିଁ ।

Image

 

କହି ପୁଚ୍ଛି ଜାଣେ ଯେ

କାଳନ୍ଦୀ ଚରଣ ପାଣିଗ୍ରାହୀ

 

ବାକ୍ୟ ମନ ହାତଗୋଡ଼ ଲଗାଏ ତ ଯେତୋଟି ଇନ୍ଦ୍ରିୟକୁ ମିଶାଇ ମଣିଷର ସଂଜ୍ଞା ତିଆରି ହୋଇଅଛି, ପୃଥିବୀରେ ସଭ୍ୟ ଅସଭ୍ୟ ସମସ୍ତଙ୍କୁ ଚାହିଁ ମନେହୁଏ, ସେଥିଭିତରୁ ହାତଗୋଡ଼ହିଁ ସବୁଠୁ ବେଶି ବଳୁଆ । ଯାହାର ହାତଗୋଡ଼ ଯେତିକି ବୋଲ କରିପାରେ, ଦୁନିଆରେ ମଣିଷ ପରି ଚାଲି ବୁଲିବାକୁ ପରୁଆ ତା’ର ସେତିକି କମ୍ । ହାତଗୋଡ଼ ପଛକୁ ଦେଖାଯାଏ ନାହିଁ ଜୋର୍ ଏବଂ ସବାଶେଷରେ ବିଦ୍ୟା ବୁଦ୍ଧି ନାମଧେୟ ଇନ୍ଦ୍ରିୟଜାତ ଗୁଣମାନ ବୋଧହୁଏ ଥାର୍ଡ଼କ୍ଳାସରେ ଥାନ ପାଇବ ।

 

ଏ ରୂପ ଶ୍ରେଣୀବିଭାଗର ଯାଥାର୍ଥ୍ୟ ବୁଝିବାପାଇଁ ବିସ୍ତର ଉଦାହରଣ ସମସ୍ତଙ୍କର ସବୁପାଖରେ ପୂରି ରହିଛି । “ଜୋର୍ ଯାହାର ମୁଲକ ତାହାର” କଥାଟା ପଛରେ ଯେ ଅନେକ ଅଭିଜ୍ଞତା ଓ ପର୍ଯ୍ୟବେକ୍ଷଣ ଲୁଚିଅଛି ପୁଣି ପୃଥିବୀର ଅଳ୍ପ କେତୁଟା ସତ୍ୟ ଭିତରୁ ଏ ଯେ ଗୋଟେ ବଡ଼ ସତ୍ୟ, ଏବଂ ଏତକ ପ୍ରମାଣ କରିବାପାଇଁ ଡାରଉଇନଙ୍କଠାରୁ ନିଟ୍‌ସେଙ୍କ ବୈଜ୍ଞାନିକ ଓ ଦାର୍ଶନିକଗଣ ଏବଂ ସେମାନଙ୍କର ବହୁ ଚେଲା ଓ ଟୀକାକାର ଯେ ଅସୁମାରି ଶବ୍ଦ ଲେଖିଯାଇଛନ୍ତି, ସେ କଥା ମନେପକାଇଲେ ଅନାମଧେୟ ଏହି ଓଡ଼ିଆ ପ୍ରବଚନକାରଙ୍କୁ ସାବାସ୍ ନ କହି ଚାରା କାହାର ? ଏହି ପ୍ରବଚନକାରଙ୍କ କଥା ସଙ୍ଗେ ଇଂଲଣ୍ଡର ବିଜ୍ଞାନ ବିଶାରଦ ଡାରଉଇନଙ୍କ Survival of the Fittest ଏବଂ ଜର୍ମାନ ଦାର୍ଶନିକ ନିଟ୍‌ସେଙ୍କର Will-to Power ପୁଣି ଭାରତର ଶ୍ରେଷ୍ଠ ଋଷିଙ୍କର “ନାୟମାତ୍ମା ବଳହୀନେନ ଲଭ୍ୟଃ” କଥାଗୁଡ଼ିକ ତୁଳିଦେଲେ ବରାବର ସମାନ ଓଜନ ହେବନାହିଁ କି ? ଏଇ ଗୋଟେ କଥାକୁହିଁ ଟିକିଏ ଫରକ ବାଟରେ ଅଲଗା ଭାଷାରେ କହିବାର ଭଙ୍ଗି ଛଡ଼ା ଏଗୁଡ଼ିକରେ ଆଉ କ’ଣ ଅଛି ?

 

ଏବେ ମଧ୍ୟ ଆମେ ଦେଖୁଥାଇ, ସାଧାରଣତଃ ଯେଉଁ ଲୋକକୁ ଆଦିମ ଓ ଅନାର୍ଯ୍ୟ କହିଥାନ୍ତି, ତାଙ୍କ ଭିତରୁ ସବୁଠୁ ବଳୁଆ ଲୋକର ଆୟୋଜନ ଅଧିକାର ଯେମିତି ଅଧିକ, ସଭ୍ୟ ଆର୍ଯ୍ୟଙ୍କ ଭିତରେବି ଠିକ୍ ସେଇଆ । ପଶୁ ମାଙ୍କଡ଼ ଭିତରେ ମଧ୍ୟ ବଳୁଆ ମାଙ୍କଡ଼, ବଳୁଆ କୁକୁର ବା ବଳୁଆ ଷଣ୍ଢ ନିଜ ଆହାରବିହାର ପାଇଁ ଦୁର୍ବଳଠାରୁ ବେଶି ଆଦାୟ କରିଥାଏ । ଆର୍ଯ୍ୟ ଅନାର୍ଯ୍ୟ ସବୁ ମଣିଷ ଆପଣାର ବଳ ପରଖପାଇଁ ସୁବିଧା ପାଇଲେ ସବୁ ପ୍ରକାର ଧର୍ମ ଓ ନୀତି ମୁହଁରେ ଉକ୍ତ ରୂପ ଆଚରଣ କରିବାକୁ ଛାଡ଼େ ନାହିଁ ।

 

ଏ ତଥ୍ୟର ଉଦାହରଣ ପାଇଁ ଖାଲି କୁକୁର କୁକୁରୀ, ଷଣ୍ଢ ଗାଈ କିମ୍ବା ପୁରୁଷ ଓ ସ୍ତ୍ରୀର ସମ୍ବନ୍ଧ ଉଲ୍ଲେଖ କଲେ ଯଥେଷ୍ଟ ହେବ ନାହିଁ, ଟିକିଏ ନିରେଖି ଚାହିଁଲେ ବଳୁଆ ବ୍ୟକ୍ତିଠାରୁ ବଳୁଆ ଜାତିର ସ୍ଵାର୍ଥପରତା ଭୀଷଣତର ଉତ୍କଟ ଓ ମାରାତ୍ମକ । ବିଜିତ ଦେଶର ସ୍ତ୍ରୀ ଉପରେ ବିପକ୍ଷ ସୈନ୍ୟମାନେ ଯେଉଁ ଧର୍ଷଣ କରନ୍ତି ତାହା ଆଜି ମଧ୍ୟ ଅସାଧାରଣ ଘଟନା ନୁହେଁ । ଦୁର୍ବଳ ବୋଲି ତାହାର ପୈତୃକ ଚୁଟି କେରାକପାଇଁ କେତେ ପରିହାସ ଅପମାନ ଓ ଝିଙ୍କା ଓଟରା ସହି ଶେଷରେ ସମଗ୍ର ଓଡ଼ିଆ ଜାତିଟା ପିତୃପୁରୁଷଙ୍କ ଶ୍ରାଦ୍ଧ କରି ଲଣ୍ଡା ହେବାକୁ ବାଧ୍ୟ ହୋଇଛି; ଅଥଚ ଶିଖ ଜାତିଟା ସୁସଭ୍ୟ ଇଂରେଜ ସମ୍ରାଟଙ୍କ ଦରବାରରେ ମଧ୍ୟ ଖାଲି ଚୁଟି ନୁହେଁ ତହିଁରେ ପାନିଆ ଖୋସି ଏବଂ ଲମ୍ବା ଦାଢ଼ିରେ ଲୁହାବଳାଲଗା ହାତ ବୁଲାଇ ନିର୍ବିକାର ଚିତ୍ତରେ ବସୁଛି, ସେଥିରେ କାହାରି ଟିକିଏ ଉଁ ଚୁଁ ହେବାକୁ ସାହସ ନାହିଁ ।

 

ହାତଗୋଡ଼ ଯାହାର ବେଶି ବୋଲ କରେ ନାହିଁ, ତାକୁ ପ୍ରାୟ କିସ୍ତିମାତ୍ କରିବାର ଦେଖାଯାଏ ମୁହଁ ଜୋର୍‍ରେ । କିନ୍ତୁ ହାତଗୋଡ଼ ଚାଳକ ପାଖରେ କଥାର ଚାଳକକୁ ଅନେକ ସମୟ ତୁନି ରହିଥିବାର ଦେଖାଯାଏ । ପୃଥିବୀର ନାରୀ ଏବଂ ଶିଶୁଜାତିର ଏହି କାରଣରୁ ମୁହଁ ବେଶି ବୋଲ କରେ ଏବଂ ଭାରତବର୍ଷର ନାରୀ ଏହି କାରଣରୁ ପୁରୁଷ ଆଗରେ ଚୁପ୍ । ଏହି କାରଣରୁହିଁ ମିଲିଟାରିଜିମ୍‌ର ଆସନ ଆଜି ପୃଥିବୀର ଶୀର୍ଷସ୍ଥାନରେ ଏବଂ ଆନ୍ତର୍ଜାତିକ ଲିଗ୍‌ର ରାଜନୈତିକ ବାକ୍‌ସ୍ଫୁର୍ତ୍ତି ଇଟାଲି ଜର୍ମାନୀର ସାମରିକ ଧମକ ପାଖରେ ଏକାବେଳକେ ତୁଚ୍ଛ ଓ ଅର୍ଥହୀନ । ଏହି କାରଣରୁହିଁ ଆମ ଆଖି ଆଗରେ କେତେ କାଳର ଗୋଟେ ପୁରୁଣା ସାମ୍ରାଜ୍ୟ ସ୍ଵାଧୀନତା ହରାଇ ବୈଧବ୍ୟ ଗ୍ରହଣ କଲା, ଆଉ ଗୋଟାକର ଦଶା ତାହାହିଁ ହେବାକୁ ଯାଉଚି ।

 

ଏବିସିନିଆରେ କୁହାଳିଆ ଲୋକ ଥିଲେ, ଚାଇନାରେ ମଧ୍ୟ ଅଛନ୍ତି । କିନ୍ତୁ ଆଧୁନିକ ରୀତିରେ ଗୋଇଠା ଚାପୁଡ଼ା ମାରିବାପାଇଁ ସେ ଦେଶ ଲୋକଙ୍କର ହାତଗୋଡ଼ ଖୁବ୍ ସମର୍ଥ ନୁହେଁ; ସେଥିଲାଗି ତାଙ୍କର ଏହି ଦଶା । ଯେତେ କୁହାଳିଆ ହୁଅ, ଭଲରୂପେ ଯେ ହାତଗୋଡ଼ ଚଳାଇ ଜାଣେ ତାହା ପାଖରେ ସାବଧାନରେ ମୁହଁ ଫିଟାଇବାକୁ ପଡ଼ିବ । ଯୁଦ୍ଧଭୂଇଁରେ ନାନା ଅଦ୍ଭୁତ ଗପ ଭିତରେ ଶୁଣାଯାଏ–ଦିନେ ଦିନେ ମଲା ଖଣ୍ଡିଆ ସୈନ୍ୟସଂଖ୍ୟା ଏତେ ବେଶି ହୋଇପଡ଼େ ଯେ ଡାକ୍ତର ପକ୍ଷରେ ପ୍ରତି ସୈନ୍ୟକୁ ପରୀକ୍ଷା କରି କିଏ ମଲା କିଏ ଜିଅନ୍ତା ବାରିପାରିବା ଅସମ୍ଭବ ହୋଇଉଠେ । ମଲା ଖଣ୍ଡିଆଙ୍କୁ ନିଆରା ନିଆରା ସୁମାରି କରି ସାର୍ଟିଫିକେଟ ଦେଲାବେଳେ ଡାକ୍ତରର ଏ କ୍ଷେତ୍ରରେ ଭୁଲ୍ ହେବାହିଁ ସାଧାରଣ କଥା ଏବଂ ଠିକ୍ ହେବା ବରଂ ଅସାଧାରଣ । ସେଥିପାଇଁ ଏ ରୂପ ମଲା ସାର୍ଟିଫିକେଟ ପାଇସାରିବା ପରେ କେହି କେହି ଜିଅନ୍ତା ସୈନ୍ୟର ହୋସ୍ ଆସିଗଲେ ଏବଂ ସେ ମଲା ଲୋକ ପାଖେ ରଖା ହୋଇଥିବାର ଆପତ୍ତି କଲେ, ଜଗୁଆଳମାନେ ତାହାର ସାକ୍ଷ୍ୟ ଅପେକ୍ଷା ଡାକ୍ତରୀ ସାର୍ଟିଫିକେଟ ବେଶି ମୂଲ୍ୟବାନ୍ ଓ ବିଶ୍ଵାସଯୋଗ୍ୟ ବୋଲି ଜବାବ ଦିଅନ୍ତି । ଅଥଚ ସେହି ସୈନ୍ୟର ହାତଗୋଡ଼ ଯେବେ ଟିକିଏ ଚଳୁଥାନ୍ତା ତେବେ ଜଗୁଆଳ କଥା କ’ଣ ଯେ କେହି ଡାକ୍ତରଙ୍କୁ ମଧ୍ୟ ଆପଣାର ଦେହ ମୁଣ୍ଡ ସମ୍ଭାଳି ପରେ ତାହାକୁ ପରୀକ୍ଷା କରିବାକୁ ହୁଅନ୍ତା ।

 

ଅବଶ୍ୟ ନିତାନ୍ତ ବିକାରଗ୍ରସ୍ତ ନ ହେଲେ ୩୬୫ ଦିନ କୌଣସି ଲୋକ ଖାଲି ହାତଗୋଡ଼ ପ୍ରୟୋଗ କରିବାକୁ ସୁଖ ପାଇବ ନାହିଁ । ଯେଉଁମାନେ ଯୁଦ୍ଧ କରନ୍ତି ତାଙ୍କୁ ମଧ୍ୟ ବହୁକାଳ ବିଶ୍ରାମ କରି ଥରେଅଧେ ଯୁଦ୍ଧଭୂଇଁରେ ଓହ୍ଲାଇବାକୁ ହୋଇଥାଏ । ଇଂଲଣ୍ଡ, ଆମେରିକା ଓ ରୁଷିଆ ପ୍ରଭୃତି କେତୁଟା ଦେଶର ସୈନ୍ୟମାନେ ତ ଗଲା ମହାଯୁଦ୍ଧ ପରଠାରୁ ପ୍ରାୟ କୋଡ଼ିଏବର୍ଷ ହେବ ଖାଲି ଲେଫ୍‌ଟ ରାଇଟ୍ ଛଡ଼ା ଆଉ କିଛି ଉଲ୍ଲେଖ ଯୋଗ୍ୟ କାମ କରିଥିବାର ଶୁଣାନାହିଁ । ସ୍ପେନ ଦେଶରେ ଯେଉଁ ରାଜନୈତିକ ଘରକଜିଆ ଲାଗିଚି ତାହାର ସଲତମାମୀରୁ ଦେଖାଯାଏ, ତହିଁରେ ମରି ଶୋଇଛନ୍ତି ଦଶଲକ୍ଷ ଏବଂ ଖଣ୍ଡିଆ ଓ ଅକର୍ମଣ୍ୟ ହୋଇ ପଡ଼ିଛନ୍ତି ଏହି ସଂଖ୍ୟାର ପ୍ରାୟ ଦୁଇଗୁଣ, ଆମ୍ଭେମାନେ ସ୍ପେନ ଦେଶର ଅନେକ ଦୂରରେ ବେଶ୍ ନିରାପଦରେ ଅଛୁ-। ଆମ ନିଜର କିମ୍ବା କେହି ବନ୍ଧୁ ସ୍ଵଜନର କିଛି କ୍ଷତି ଘଟିନାହିଁ । ତେଣୁ ସ୍ପେନ ବା ସଂଘାଇର ଯୁଦ୍ଧଖବର ପାଇବା, ମଲା ଖଣ୍ଡିଆଙ୍କର ସଂଖ୍ୟା ଜାଣିବା, ଆମପାଇଁ ଖୁବ୍ ସ୍ପନ୍ଦନପୂର୍ଣ୍ଣ ଓ ଉପଭୋଗ୍ୟ ହୋଇପାରେ । ସେମିତି କିଛି ଖବର ନଥିଲେ “କିଛି ନାହିଁ” କହି ଖବରକାଗଜକୁ ତାଚ୍ଛଲ୍ୟ କରିପାରୁ । କିନ୍ତୁ ଯେଉଁମାନେ ଅସଲ ଯୁଦ୍ଧ କରନ୍ତି ଅନ୍ୟକୁ ହାଣନ୍ତି ବା ନିଜେ ହାଣ ଖାନ୍ତି ତାଙ୍କ ଭିତରୁ ଅତି ଅଳ୍ପ ଖବରକାଗଜ ପଢ଼ନ୍ତି ବା ପଢ଼ିଜାଣନ୍ତି । ଯେ ବା ପଢ଼ନ୍ତି, ସ୍ପନ୍ଦନ ଅନୁଭବ କରିବାର କ୍ଷେତ୍ର ତାଙ୍କର ଅତି ସଂକୀର୍ଣ୍ଣ ଓ ନିଘଞ୍ଚ ଏବଂ କୌଣସି ସ୍ପନ୍ଦନର ବଶବର୍ତ୍ତୀ ହୋଇ ଅନ୍ୟ ଅପରିଚିତ ଲୋକକୁ–ଯାହା ସଙ୍ଗେ କେବେହେଲେ ନିଜର ଶତ୍ରୁତା ନାହିଁ କି ନଥିଲା–ଆଖି ବୁଜି ହତ୍ୟା କରନ୍ତି ନାହିଁ । କାରଖାନାର କୁଲି ଯେମିତି କଳ ପାଖେ ଛିଡ଼ା ହୋଇ କାମ କରେ, ଚାଷୀ ଯେମିତି ବିଲରେ ହଳ ବୁଲାଏ, କିରାଣି ଯେମିତି ଅଫିସ୍ ଘରେ ଫାଇଲ୍ ଘାଣ୍ଟେ ତାଙ୍କର ମଣିଷ ମାରିବା କାମ ସେମିତି । ମାତ୍ର ଦେଶପ୍ରେମର ସ୍ପନ୍ଦନ ଖାଲି ଅଳ୍ପ କେତେ ଜଣ ଖବରକାଗଜ ପଢ଼ୁଆଙ୍କୁ ଗ୍ରାସ କରିଥାଏ ।

 

ସୈନ୍ୟ ବିଭାଗରେ ମଧ୍ୟ ଯେଉଁମାନେ ନାମଲେଖାନ୍ତି, ସେମାନେ ସମସ୍ତେହିଁ ଚାକିରି ଓ ଖାତିର ପାଇବାପାଇଁ ତାହା କରନ୍ତି । ଦେଶପାଇଁ ଆତ୍ମବଳି ଦେବାର କାହାର ଉଦ୍ଦେଶ୍ୟ ଥାଏ, ସେ ସମ୍ବନ୍ଧେ ଏ ଯୁଗରେ ଅତି ଅଳ୍ପ ବିବରଣ ପ୍ରକାଶିତ ହୋଇଅଛି । ବରଂ ଯେଉଁମାନେ ଯୁଦ୍ଧଭୂଇଁରେ ଓହ୍ଲାନ୍ତି, ଯେଉଁ ଶ୍ରେଣୀରୁ ସୈନ୍ୟମାନଙ୍କୁ ଏବଂ ସମଗ୍ର ପୃଥିବୀର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଯାହାଙ୍କ ସଂଖ୍ୟା ପନ୍ଦର ପଣରୁ ବେଶି ପଛେ କମ୍ ନୁହେଁ, ସେମାନେ ପ୍ରାୟ ଶାନ୍ତିପ୍ରିୟ ବୋଲି ଅନେକ ବିବରଣୀ ଆଖି ଆଗରେ ପଡ଼େ । ପୃଥିବୀ ଉପରର ଏହି ବହୁ ଏବଂ ଅଧିକାଂଶହିଁ ଯୁଦ୍ଧ ନାଁ ଶୁଣି ଭୟ କରନ୍ତି, ହଣାମରାଠାରୁ ଦୂରରେ ରହିବାକୁ ଲୋଡ଼ନ୍ତି । କେଉଁ ଦେଶର ସ୍ତ୍ରୀ ଆପଣା ବାପାଭାଇ ପିଲାଛୁଆଙ୍କୁ ଘେନି ଦୁଃଖ ଓ ଅଭାବରୁ ଘରଟିରେ ହସଖୁସି କରୁଥିବାବେଳେ ଆକାଶର ଚଡ଼କ ପଡ଼ି ପରକ୍ଷଣରେ କାହାକୁ ହାତଗୋଡ଼ହୀନ ଏବଂ କାହାକୁ ପ୍ରାଣହୀନ ଦେଖି, ଦେଶପାଇଁ ବା ସେମିତି ଗୋଟାଏ କିଛି ବଡ଼ ଆଦର୍ଶ ଯୋଗୁଁ ଏହା ତ୍ୟାଗ କଲା ବୋଲି ତୃପ୍ତି ପାଇବ ? ଦିନଯାକ ପରିଶ୍ରମ ପରେ ଘର ଭିତରେ ଶାନ୍ତିରେ ଶୋଇଥିବାବେଳେ କେଉଁ ପୁରୁଷ ରାତିଅଧରେ ଆପଣା ପୁଅ ଭାର୍ଯ୍ୟା ରକ୍ତରେ ଭାସୁଥିବାର ଦୃଶ୍ୟ ସୁଖକର ମଣିବ ?

 

ଭାରତର ଶତକଡ଼ା ନବେ ଲୋକ ଯେ ଗରିବ ଏବଂ ପୃଥିବୀ ଲୋକ ସଂଖ୍ୟାର ଏହିପରି ବା ଏଥିରୁ କିଛି କମ୍ ଅନୁପାତ ଲୋକ ଯେ ଅଭାବ ନିଅଣ୍ଟ ଭିତରେ ଯୁଗଯୁଗ ଧରି ତୁନି ହୋଇପଡ଼ିଛନ୍ତି, ପୁଣି ଯେତେ ସ୍ଳୋଗାନ ତାଙ୍କ ଆଗେ ଗାଇଲେହେଁ ବନ୍ଧ ପୋଖରୀକୁ ଟେକା ଫିଙ୍ଗିଲା ପରି ତାହା ସେମାନଙ୍କ ଶାନ୍ତି ପ୍ରକୋଷ୍ଠକୁ ବିଚଳିତ କରିବା ଯେ ସହଜ ନୁହେଁ, ଏଥିରୁ ବଳି ତାଙ୍କ ଶାନ୍ତିପ୍ରିୟତାର ବଡ଼ ପ୍ରମାଣ କ’ଣ ଥାଇପାରେ ?

 

ସମାଜତତ୍ତ୍ଵ ଗବେଷଣା କରୁଥିବା କେହି କେହି ମତ ଦିଅନ୍ତି, ପୃଥିବୀରେ ଯେତେ କିଛି ଅଶାନ୍ତି ଓ ଗଣ୍ଡଗୋଳ, ତାହା ଅତି ଅଳ୍ପ ସଂଖ୍ୟକ ଲୋକହିଁ ଘଟାଇ ଥାଆନ୍ତି ଏବଂ ସେ ସମସ୍ତେ ପ୍ରାୟ ଆଦର୍ଶବାଦୀ ଦେଶ ବା ଜାତି ପ୍ରେମର ଦ୍ଵାହି ଦେଇ ଏହି କେତେଜଣ ଆଦର୍ଶବାଦୀହିଁ ପୃଥିବୀରେ ଯେଉଁ ଭୀଷଣ ପୈଶାଚିକ ଘଟନା ରାଶିର କାରଣ ହୋଇଅଛନ୍ତି, ଗୋଟି ଗୋଟି କରି ତାହାକୁ ବଢ଼ି ବସିଲେ ଯେ କେହି ଶୁଣି ତାଜୁବ ହେବ । ଯେତେ ବିକଳ ବୀଭତ୍ସ ନିର୍ମମ ଓ ନିରାଟ ହେଲେ ମଧ୍ୟ ସତଟାକୁ ସଯତ୍ନରେ ଘୋଡ଼ାଇ ରଖିବାପାଇଁ ଆଦର୍ଶବାଦର ସୁନ୍ଦର ସୁକୁମାର ଓ ଚିତ୍ତାକର୍ଷକ ଘୋଡ଼ଣିଟିଏ ବୋଧହୁଏ ଆଉ ଦ୍ଵିତୀୟ ନାହିଁ । ଗଲା ମହାଯୁଦ୍ଧଟାକୁ ସବୁ ଦେଶର ସବୁ ଶ୍ରେଣୀ ଲୋକ ନିନ୍ଦା କରିଛନ୍ତି । ଲେଖକ ଓ ସମ୍ପାଦକମାନେ ଏହି ବର୍ବରତାକୁ ସଭ୍ୟ ମନୁଷ୍ୟ ପରିତ୍ୟାଗ କରିବାପାଇଁ ଶହେ ମୁହଁରେ ଘୋଷିଚନ୍ତି । ସବୁ ଦେଶର ବକ୍ତା ଓ ରାଜନୀତିଜ୍ଞମାନେ ଭବିଷ୍ୟତ୍ ଯୁଦ୍ଧକୁ ଏଡ଼ିବାପାଇଁ ପ୍ରରୋଚନା ଦେଇଛନ୍ତି । ନିରସ୍ତ୍ରୀକରଣର ସଭା ବସି କେତେ ଆଲୋଚନା ହୋଇଯାଇଚି । ତଥାପି ୧୯୧୮ ମସିହା ନଭେମ୍ବର ମାସଠାରୁ ୨୦ ବର୍ଷ ହେଲା ପ୍ରତି ଦେଶର ମୃତ ସୈନିକଙ୍କୁ ସମ୍ମାନ ଦେଖାଇବାକୁ ମହାସମାରୋହରେ ସବୁ ଦେଶରେ ଉତ୍ସବ କରାଯାଉଅଛି ଏବଂ ପ୍ରକାରାନ୍ତରେ ଆଗାମୀ ଯୁଦ୍ଧପାଇଁ ସବୁ ଦେଶର ଲୋକଙ୍କୁ ଉତ୍ସାହ ଦେବାରେ ତ୍ରୁଟି ନାହିଁ । ଧର୍ମ ଓ ନୈତିକତାର ଆଦର୍ଶତଳେ ଦୈନିକ ହଜାରଟା ଠକାମି ପ୍ରତି ଲୋକଙ୍କୁ ଅଙ୍ଗେ ନିଭେଇବାକୁ ପଡ଼ୁଛି ଏବଂ ତାହାକୁ ପ୍ରାଚୀନ ରୀତିତଳେ ରଖିଦେଇ ରକ୍ଷା ପାଇବାକୁ ହୁଏତ ଗୋଟାଏ ବାଟଅଛି । କିନ୍ତୁ ଏ ରୂପ ଉତ୍ସବ ଯେ ପୃଥିବୀ ଉପରେ ସର୍ବଶ୍ରେଷ୍ଠ ସୁସଭ୍ୟ, ସୁଶିକ୍ଷିତ ସୁବିଚାରକ ବୋଲାଉଥିବା ଜାତିମାନଙ୍କର ସୁଚିନ୍ତିତ କାମ ପୁଣି ସରକାରୀ ତାଳ ଡାକ ଢୋଲ ପିଟି ସବୁ ଦେଶରେ ପାଳିତ ହେଉଅଛି, ଏ କାମପାଇଁ କ୍ଷମା ଖୋଜିବାକୁ ଗଲେ ବିଶ୍ଵବ୍ରହ୍ମାଣ୍ଡର କେଉଁ କୋଣରେ ତାହା ମିଳିବ ?

 

ପୃଥିବୀର ଏହି ଅଳ୍ପ ସଂଖ୍ୟକ ଆଦର୍ଶବାଦୀଙ୍କୁ କୁହାଳିଆ ଶ୍ରେଣୀର ଧରା ଯାଇପାରେ । ଏମାନେ ନିଜେ ହାଡ଼ଭଙ୍ଗା କଠିନ କାମ କରିବାକୁ ଯେତେ ପାରଗ ନୁହଁନ୍ତି ଅନ୍ୟକୁ ତାହା କରିବାରେ ଫୁସୁଲାଇ ପାରିବାରେ ବେଶି ତତ୍ପର । ଅତି ବଡ଼ ଧନୀ ଓ ବ୍ୟବସାୟୀ ମାଲିକମାନଙ୍କ ପରି ଏମାନେ ତୁଚ୍ଛା ଘୁଙ୍ଗୁଡ଼ି ପକେଇ ବେଶି ଭୋଜନରେ ମରନ୍ତି ନାହିଁ, କିନ୍ତୁ ଯାହାଙ୍କର କିଛି ନାହିଁ ତାଙ୍କୁ ନିରାହାରରେ ମାରିବାପାଇଁ ଉତ୍ସାହ ଉତ୍ତେଜନା ଦିଅନ୍ତି ଢେର୍ । ନିଜର ମାରିବାକୁ ସୁବିଧା ସାହସନଥିବାରୁ ଅନ୍ୟକୁ ମାରିବାପାଇଁ ତିଆରି କରନ୍ତି । କହି ପୁଚ୍ଛି ଜାଣିବା ଛଡ଼ା ସେମାନେ ଆଉ କିଛି ଜାଣନ୍ତି ନାହିଁ, ଅବଶ୍ୟ ସବୁବେଳେ ଆପଣାର ଦେହକୁ ଓ ଧନସମ୍ପତ୍ତିକୁ ଜଗିରଖି ଚତୁରତା ଗୁଣର ଯଥାର୍ଥରେ ପୁଇ ଚିଙ୍ଗୁଡ଼ି ବିକନ୍ତି ଏହିମାନେ; କାରଣ ଉକ୍ତ ଶ୍ରେଣୀର ସବୁଗୁଡ଼ିକ ପ୍ରାୟ ପଚା ଚିଙ୍ଗୁଡ଼ି କାରବାରବାଲା ।

 

ମଫସଲ ଗାଁରେ ଟାଉଟରଗିରି କରିବାଠାରୁ ଆରମ୍ଭ କରି କୋଟ୍ କଚେରିରେ ଓକିଲାତି ଏବଂ ବ୍ୟବସ୍ଥା ସଭା କିମ୍ବା ପାର୍ଲିଆମେଣ୍ଟରେ ରାଜନୈତିକ ବାକ୍‌ସ୍ଫୁର୍ତ୍ତି କରିବା ପର୍ଯ୍ୟନ୍ତ ଏଇ ପୁଇ ଚିଙ୍ଗୁଡ଼ି ବିକିବା ଲୋକେ ଭର୍ତ୍ତି ହୋଇ ଅଛନ୍ତି । କଥାର ଚାତୁରୀରେ କଠୋର କର୍କଶ ବାସ୍ତବତାକୁ ମଧ୍ୟ ଏକ କୋମଳ ମୁଲାଏମ ଘୋଡ଼ଣି ଭିତରେ ସଜାଇ ଦେଖାଇବାକୁ ଏମାନେ ଅଭ୍ୟସ୍ତ । ଲକ୍ଷ ଲକ୍ଷ ଭଙ୍ଗା କୁଡ଼ିଆର ପ୍ରତିନିଧି ହୋଇ ସରକାରୀ ରାଜଧାନୀଗୁଡ଼ିକର କୋଠାବାଡ଼ି ଚାକଚକ୍ୟ ଠିକ୍ ଯେମିତି ଏକ ନିର୍ଲଜ୍ଜ ଘୋଡ଼ଣିର କାମ କରିଥାଏ, ଏ ସବୁ ହାସଲ କରିବାକୁ କାଇଦା ତାଙ୍କର ବଡ଼ ଅସ୍ତ୍ର । କୌଣସି ବିଷୟରେ ତାଙ୍କର ନିଜର ପାଣ୍ଡିତ୍ୟ ବା ଅଭିଜ୍ଞତା ଦରକାର ନାହିଁ, କାରଣ ସବୁ ବିଷୟରେ ପଣ୍ଡିତ ଓ ଅଭିଜ୍ଞ ଲୋକର ପରାମର୍ଶ ପାଇବା ସବୁବେଳେ ତାଙ୍କ ହାତ ପାଉଣାରେ । ଇତିହାସ, ବିଜ୍ଞାନ, ସାହିତ୍ୟ ଯାହା ଖୋଜନ୍ତୁ ସବୁ ବିଷୟରେ ଶସ୍ତାରେ ତାଙ୍କୁ ପରାମର୍ଶ ମିଳିପାରେ-। ଆଉ ତେବେ କ’ଣ ଦରକାର ତାଙ୍କର । ଚିକିତ୍ସା ବିଜ୍ଞାନ ? ସେଥିପାଇଁ ବଡ଼ବଡ଼ ଚିକିତ୍ସା ବ୍ୟବସାୟୀ ବା କର୍ମଚାରୀଙ୍କର ତ ଅଭାବ ନାହିଁ । ଆଇନକାନୁନ ? ବିଚାରାଳୟରେ ପ୍ରଧାନ ବିଚାରପତି, ଏଡ଼ଭୋକେଟ୍ ଜେନେରାଲ୍ ବା ଲର୍ଡ଼ ଚାନ୍‌ସେଲେର ସେଥିପାଇଁ ନିଯୁକ୍ତ ଅଛନ୍ତି-। ଧର୍ମ, ଦର୍ଶନ ଏପରିକି ରାଜନୀତି ସମ୍ବନ୍ଧେ ମଧ୍ୟ ତାଙ୍କର ଗଭୀର ଜ୍ଞାନ ଅର୍ଜନ କରିବାର କି ଗରଜ ଅଛି ? ଆଉ କ’ଣ ଧନ । ଧନର ପୁଣି କି ଅଭାବ ?

 

ଧନିକମାନଙ୍କର ଧନର ସୁରକ୍ଷା ଯେ ତାଙ୍କର ବଡ଼ କାମ ! –ଖାଲି ଅଶିକ୍ଷିତ ଚୋର ଡକାଏତଙ୍କ ଆକ୍ରମଣରୁ ନୁହେଁ, ଶିକ୍ଷିତ ଭଦ୍ରଲୋକଙ୍କ ଆକ୍ରମଣରୁ ମଧ୍ୟ । ଯଥାର୍ଥରେ ବଡ଼ବଡ଼ ମିଲ୍ ମାଲିକ ବ୍ୟବସାୟୀ ଓ ବ୍ୟାଙ୍କରମାନଙ୍କର ଏଜେଣ୍ଟଗିରି କରନ୍ତି ଏହିମାନେ, ଏବଂ ପୃଥିବୀରେ ପ୍ରାୟ ସବୁ ସ୍ଵାଧୀନ ଦେଶହିଁ ପ୍ରଧାନତଃ ସେହି ଧନିକମାନଙ୍କ ଅଧୀନରେ ରହିଥିବାରୁ ବ୍ୟବସାୟୀଙ୍କ ସ୍ଵାର୍ଥକୁ ଜଗିବାପାଇଁ ପୁଣି ଆଉ ସବୁ ଦେଶରେ ତାଙ୍କର ଚିଜଗୁଡ଼ିକର ଭଲ କାଟତିପାଇଁ ସବୁ ଏହି ସରକାରୀ ଏଜେଣ୍ଟ ଅନ୍ୟ ଦେଶ ଏଜେଣ୍ଟଙ୍କ ସଙ୍ଗେ ସଭା କରନ୍ତି, ଆଲୋଚନା କରନ୍ତି; ତର୍କ କରନ୍ତି ଚୁକ୍ତିପତ୍ର ଲେଖି ତହିଁରେ ଦସ୍ତଖତ କରନ୍ତି ଏବଂ ପରମୁହୂର୍ତ୍ତରେ ଦରକାର ପଡ଼ିଲେ ଗୋଟିଏ ଚୁକ୍ତିରୁ ଚିରି ଅନ୍ୟ ଏକ ଦେଶ ସଙ୍ଗେ ଆଉ ଗୋଟିଏ ଚୁକ୍ତିରେ ନାଁ ଲେଖନ୍ତି । କିମ୍ବା କୌଣସି ଚୁକ୍ତିଦ୍ଵାରା ସିଦ୍ଧାନ୍ତ ସମ୍ଭବ ନ ହେଲେ, ସବୁ ଚୁକ୍ତିକୁ ଦଳି ତା’ ସଙ୍ଗେ ମଣିଷର ମସ୍ତିଷ୍କ ଓ ବିଚାର ବୁଦ୍ଧିକୁ ମଧ୍ୟ ଉତ୍ସର୍ଗ କରନ୍ତି; ଆଦିମ କାଳରୁ ପ୍ରଚଳିତ ଏକମାତ୍ର ଦେହ ଓ ଧନବଳ ଉପରେ । କାରଣ ସେଥିରେ ତାଙ୍କ ନିଜର କିଛି କ୍ଷତି ନାହିଁ, ଧନିକର ଧନହାନି ଓ ନିର୍ଦ୍ଧନର ପ୍ରାଣହାନିହିଁ ସବୁ ଲଢ଼େଇର ଶେଷ ଫଳ ହୋଇଥାଏ । ଯେଉଁମାନେ ଧନ କମାନ୍ତି, ଆଉ ଯେ ଧନ ଜମାନ୍ତି ସେହିମାନେହିଁ ଯୁଦ୍ଧ ଭୂଇଁରେ ସୈନିକ ହୋଇ ମରନ୍ତି କିମ୍ବା ଯୁଦ୍ଧର ସବୁ ଖର୍ଚ୍ଚ ତୁଲାନ୍ତି । ଅଥଚ ଯୁଦ୍ଧ ନ ହେବାର ବିଚିତ୍ର ବ୍ୟବସ୍ଥା ଏହି ସରକାରୀ ଏଜେଣ୍ଟମାନଙ୍କ ମର୍ଜି ଉପରେହିଁ ନିର୍ଭର କରେ ।

 

ଇଂଲଣ୍ଡ, ଆମେରିକା, ଜାପାନ, ଜର୍ମାନୀ ଆଦି ନାମଜାଦା ବ୍ୟବସାୟୀ ଦେଶମାନଙ୍କର ସରକାରଗୁଡ଼ିକ ପୁଣି କହି ପୁଚ୍ଛି ଜାଣିଲା ଏଜେଣ୍ଟମାନଙ୍କ ଦ୍ଵାରାହିଁ ଚଳୁଥିବାର ଦେଖାଯାଏ । ଅବଶ୍ୟ ଜାପାନ, ଜର୍ମାନୀ, ଇଟାଲି, ତୁର୍କି ବା ଚାଇନା ସରକାରର ଚାଳକମାନେ ଖାଲି କହି-ପୁଚ୍ଛି-ଜାଣିଲା ଲୋକ ନୁହନ୍ତି, ଭଲରୂପେ ହାତଗୋଡ଼ ଚଳାଇବା ବିଷୟରେ ମଧ୍ୟ ସେମାନେ ଧୁରନ୍ଧର । ସେଥିପାଇଁ ତାଙ୍କଦ୍ଵାରା ପରର ହାତଗୋଡ଼ ଛିଡ଼ିବାର ଭୟ ଯେମିତି ଅଛି, ଆପଣାର ହାତଗୋଡ଼ ଭାଙ୍ଗିବାର ଆପଦ ମଧ୍ୟ ସେଥିରୁ କମ୍ ନୁହେଁ । ନିଜର ପୁଇଚିଙ୍ଗୁଡ଼ି ବିକିବାପାଇଁ ସେମାନେ ଖାଲି ମୁହଁ ନୁହେଁ ଦେହକୁ ମଧ୍ୟ ବିସର୍ଜନ ଦେଇପାରନ୍ତି, ଅବଶ୍ୟ ସଦ୍ୟଃ ସାହସପାଇଁ ସେମାନେ ସାବାସ୍‍ର ଯୋଗ୍ୟ ହେଲେହେଁ, ପକ୍କା ବ୍ୟବସାୟୀ ହିସାବରେ ତାଙ୍କ ଥାନ ଇଂଲଣ୍ଡ ଓ ଆମେରିକାର ଅନେକ ତଳେ, କାରଣ ଇଂଲଣ୍ଡ ଆମେରିକା ପରି କହି ପୁଚ୍ଛି ଜାଣିବାର କାଇଦାକୁ ପୂରା ହାସଲ କରି ପାରିବାର ଯୋଗ୍ୟତା ସେମାନେ ଅର୍ଜି ନାହାନ୍ତି । କହୁ କହୁ ପଦପଦକେ ହାଣମାର ଓ ଲଢ଼େଇ କଥା ତାଙ୍କ ମୁହଁରୁ ବାହାରି ପଡ଼େ, ଚିଙ୍ଗୁଡ଼ି ବିକିବା କଥା ଏକାବେଳକେ ପାସୋରି ଯାଏଁ, ମଝିରେ ମଝିରେ ଭାରତବର୍ଷର ନାମ ବିଦେଶୀ ପତ୍ରପତ୍ରିକାରେ ଆଜିକାଲି ଦେଖିବାକୁ ମିଳୁଥିଲେହେଁ ଏ ସବୁ ଦେଶ ସଙ୍ଗେ ତାହାର ତୁଳନା ହୋଇ ନ ପାରେ । କାରଣ ତାହାର ବାସ୍ତବସ୍ୱରୂପ ଯାହା ଅଛି, ସେ ଖାଲି ଗୋଟାଏ ଛାୟା ମାତ୍ର । ଏହି ଛାୟା ବା ମରୀଚିକା ଭିତରେ ଯେତିକି ସଭ୍ୟ ପରିଚୟ ସେ ଆଜିଯାକେ ପାଇଛି ତହିଁରେ ଗାଁ ପଧାନଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ କହି ପୁଚ୍ଛି ଜାଣିବାକୁ ଚେଷ୍ଟା କରୁଥିବାର ଏଥିଭିତରେ କେତେକ ପ୍ରମାଣ ମିଳିଚି ।

 

କିନ୍ତୁ ସେ ପ୍ରମାଣ ଭାରତର କବିତା ଦର୍ଶନ ଆଦି ବିଦ୍ୟା ଚର୍ଚ୍ଚାଠାରୁ ବଡ଼ ପ୍ରମାଣ ନୁହେଁ-। ଭାରତର ପୁରୁଣା ତୀର୍ଥ ଓ ମନ୍ଦିର ପରି ତାହାର ଅତୀତ ବିଦ୍ୟାଚର୍ଚ୍ଚାରେ ମଧ୍ୟ କିଛି ବାସ୍ତବତା ଥିଲା । ଏକ୍ଷଣି ପୃଥିବୀ ମାନଚିତ୍ରରେ ଭାରତର ବର୍ତ୍ତମାନ ଛାୟାରେ ଅବୃତ ଥିଲେହେଁ ତାହାର କଥଞ୍ଚିତ ପରିଚୟ ଯେ କବିତା ଓ ନୀତି ଚର୍ଚ୍ଚାରେ ପ୍ରକାଶିତ ହୋଇଅଛି, ଏ କଥା ଅସ୍ଵୀକାର୍ଯ୍ୟ ନୁହେଁ-। ସାହିତ୍ୟ ଓ ବିଜ୍ଞାନ କ୍ଷେତ୍ରରେ ଏ ଯୁଗରେ କେତେଜଣ କୃତୀ ବ୍ୟକ୍ତିଙ୍କର ନାମ ଦେଶର ସୀମା ପର ହୋଇଅଛି । ଅର୍ଥାତ୍ ଆଖିରେ ପଡ଼ିବାଭଳି ବସ୍ତୁ ଭାରତବର୍ଷରେ ଯଦି କିଛି ଥାଏ, ତାହାହେଲେ ପହିଲେ ଏହି ବିଦ୍ୟା ଚର୍ଚ୍ଚାକୁହିଁ ଧରିବାକୁ ହେବ । ହାତଗୋଡ଼ ଚଳାଇବା ସମ୍ବନ୍ଧେ ଶିଶୁଠାରୁ ମଧ୍ୟ ସେ ହୀନ, କହି ପୁଚ୍ଛି ଜାଣିବାକୁ ବାକି ଅଛି ତା’ର ଢେର୍ । ପ୍ରବନ୍ଧର ଆଦ୍ୟରେ ଯେଉଁ ଶ୍ରେଣୀବିଭାଗ କରଯାଇଥିଲା, ସେ ଅନୁସାରେ ଭାରତବର୍ଷର ସ୍ଥାନ ତୃତୀୟ ଶ୍ରେଣୀର-। ତାହାର ମୁହଁ ବା ହାତଗୋଡ଼ର ବ୍ୟବହାର ସବୁଠୁ କମ୍ ।

 

ଭାରତର ସବୁ କିସମର ଦେବତା ଗୋଠରେ ବିଦ୍ୟାର ଦେବତାଙ୍କୁ ଯେମିତି କଳ୍ପନା କରାଯାଇଚି, ସେହି ଆଦର୍ଶ ଓ ଆଭିଜାତ୍ୟକୁ ଏ ଦେଶବାସୀ ଧର୍ମତଃ ମାନି ଚଳି ଆସିଚି । ତେଣୁ ହୁଏତ ସେ କିମାକାର ଗଜାନନ ଅବା ଲମ୍ବୋଦର ସାଜି ମୂଷିକବାହନ ଉପରେ ତିନି ବ୍ରହ୍ମାଣ୍ଡ ବୁଲୁଥିବାର କଳ୍ପନା କରୁଚି, ନଇଲେ ବୀଣାବାଦିନୀ ବାଣୀଙ୍କର ନାରୀତ୍ଵ ପାଖେ ମୁଣ୍ଡ ନୁଆଁଇ ରହୁଚି-। ଯେତେ ବିଦ୍ୟା ବାଗୀଶ ହେଲେହେଁ ତାହାର ଆଦର୍ଶ ଏହିପରି ସ୍ଥାଣୁ ବା ଅଚଳ କିମ୍ବା ଏ ଦେଶର ନାରୀ ପରି ତାହାର ଲକ୍ଷ୍ୟ ଜଣେ ସଚଳ ସବଳ ଆଶ୍ରୟଦାତା ସ୍ଵାମୀ । ବିଦ୍ୟାଚର୍ଚ୍ଚା ଅବସ୍ଥାରେ ରହି ତାହାକୁ ଏହି ରୂପ ଆଦର୍ଶ ଓ ଲକ୍ଷ୍ୟ ଘେନି ଗତି କରିବାକୁ ହେଉଅଛି । କାରଣ ତୁଚ୍ଛା ବିଦ୍ୟାଚର୍ଚ୍ଚାର ଫଳ ସାଧାରଣତଃ ଏହାହିଁ ହୋଇଥିବାର ଦେଖାଯାଏ । ଏହି ଗୋଟିଏ ଦିଗରୁ ବିଚାର କଲେ ଭାରତବର୍ଷ ପୃଥିବୀର ଆଉ ସବୁ ଦେଶ ତୁଳନାରେ ନିହାତି ପଛରେ ନୁହେଁ । ମେଧାବୀ ହିସାବରେ ଏ ଦେଶର ଛାତ୍ର ଅନ୍ୟ କୌଣସି ଦେଶ ଛାତ୍ରଠାରୁ ଅଳ୍ପ ପାଠ ମନେରଖିପାରେ ନାହିଁ, ଆପଣା ଦେଶର ମହତ୍ତ୍ଵ ଓ ମର୍ଯ୍ୟାଦା ଅଳ୍ପ ବୁଝେ ନାହିଁ, ମୂର୍ଖାମି ହିସାବରେ ମଧ୍ୟ ଏ ଦେଶର ସରକାରୀ ବା ବେସରକାରୀ ଚାକିରିଆ ଅନ୍ୟ କୌଣସି ଦେଶର ଚାକିରିଆଠାରୁ କମ୍ ପାଠ ପାସୋରିପାରେ ନାହିଁ; ବେହିଆ ବେଇଜ୍ଜତ ହେବାପାଇଁବି କାହାରିଠାରୁ ସେ କମ୍ ପ୍ରସ୍ତୁତ ନୁହେଁ; ଚାଲାକ ହିସାବରେ ଏ ଦେଶର ଓକିଲ, ଡାକ୍ତର, ବ୍ୟବସ୍ଥା ସଭା ସଭ୍ୟ ବା ଚୋର ଡକାଏତ ଯେମିତି, ବୋକାମିରେ ମଧ୍ୟ କୌଣସି ଦେଶର ପଣ୍ଡିତ ବା ଧନିକଠାରୁ ଏ ଦେଶର ଧନିକ ବା ପଣ୍ଡିତର ଦକ୍ଷତା ଊଣା ନୁହେଁ ।

 

ତଥାପି ପୃଥିବୀର ଆଉ ସବୁ ଦେଶ ସଙ୍ଗେ ଏ ଦେଶ ଯେ ସମାନ କଛ ପକାଇପାରୁନାହିଁ, ତାହାର କାରଣ ଅନ୍ୟ ବାଟନଥିବାରୁ ଏଠା ‘ମୁଖିଆ’ ଲୋକଙ୍କର ମୁଖର ଅଭାବ ବୁଝିବାକୁ ହେବ । କବି, ପଣ୍ଡିତ, ବୈଜ୍ଞାନିକ, ଦାର୍ଶନିକ, ଶିକ୍ଷକ, କଳକାରଖାନା ବା ଜାହାଜ ଏରୋପ୍ଳେନର ଚାଳକ ଏ ଦେଶରେ ଅଭାବ ହେବେ ନାହିଁ । ଏ ଦେଶ ଲୋକେ ପୃଥିବୀରେ ଆଉ କେଉଁ ଦେଶଠାରୁ ଶିଳ୍ପ ବାଣିଜ୍ୟ ଉଦ୍ଭାବନ ଆବିଷ୍କାର ଦିଗରେ ନିହାତି ପଛରେ ପଡ଼ିବେ ନାହିଁ । ଯେଉଁ ଦିଗରେ ଯାହା ଅଭାବ ଥିବ, ତାହାକୁ ପୂରଣ କରିବାକୁ ମଧ୍ୟ ତାଙ୍କୁ ବେଶି ସମୟ ଲାଗିବ ନାହିଁ । ସେ ସବୁ ବିଭାଗରେ ଲୋକଙ୍କୁ ଶିକ୍ଷା ଦେବା କଠିନ ନୁହେଁ, କିମ୍ବା ବାହାରରୁ ଭଡ଼ାଟିଆ ଲୋକ ଆଣି କାମ ଚଳାଇବାକୁ ମଧ୍ୟ ଅସୁବିଧା ନାହିଁ । କିନ୍ତୁ ଏ ଦେଶପାଇଁ ମୁହଁ ଫିଟାଇ କହି ପୁଚ୍ଛି ଜାଣିବାକୁ, ଗାଲୁଆ, ବେହିଆ, ମୂର୍ଖ ବା ମିଛୁଆ ହେବାକୁ ବିଦେଶୀ ଲୋକ ମିଳିବେ ନାହିଁ । ତାହା ଏହି ଦେଶର ଲୋକଙ୍କୁହିଁ ଅଭ୍ୟାସ କରିବାକୁ ପଡ଼ିବ ।

 

 

ଏ କଥାଟା ଜାତି ବିଷୟରେ ଯେମିତି, ବ୍ୟକ୍ତି ସମ୍ବନ୍ଧ ମଧ୍ୟ ସେଇଆ । ପୃଥିବୀର ଆଉ ସବୁ ଦେଶ ସଙ୍ଗେ ଭାରତବର୍ଷର ତୁଳନା କଲେ ଯାହା ଦେଖୁ, ଭାରତର ଆଉ ସବୁ ପ୍ରଦେଶ ସଙ୍ଗେ ଓଡ଼ିଶାର ତୁଳନା କଲେ ମଧ୍ୟ ସେଇତା । ଓଡ଼ିଶାର ଅନ୍ୟ ଅଭାବଯାକ ବୋଧହୁଏ ଗୌଣ ହୋଇପଡ଼ନ୍ତା; ସେ ଯେବେ ମାନ୍ଦ୍ରାଜ, ବଙ୍ଗ, ବିହାର ପ୍ରଭୃତି ପ୍ରଦେଶମାନଙ୍କ ସଙ୍ଗେ ଖାଲି ଟିକିଏ ଚତୁରତାର ସହିତ କହି ପୁଚ୍ଛି ଜାଣନ୍ତା ।

Image

 

ମନ୍ଦିର ବଞ୍ଚାଅ

ଶ୍ରୀ ଗୋପୀନାଥ ମହାନ୍ତି

 

ଗୌରବର ଉଜ୍ଜ୍ଵଳ ଓଡ଼ିଶାର ଅତୀତ ଚାଲିଯାଇଛି, ରହିଯାଇଛି ତା’ର ସ୍ମୃତି, କେତେ କେତେ ଭଙ୍ଗା ମୂର୍ତ୍ତି, ଖୋଳେଇ ଛବି, ଦେଉଳ, କାନ୍ଥ, ପଥର, ଇଟା, ଖପର । ଏ ଦେଶର ମଣିଷ ଚାହାଁନ୍ତି (୧) ଉଭାରେ ଯାହା ଯେଉଁଠି ପଡ଼ି ରହିଛି ସେତକ ଗୋଟେଇପୋଟେଇ ଠିକଣା ବାଟରେ ଠିକଣା ସ୍ଥାନରେ ସଜ୍ଜା ହୋଇ ରହନ୍ତା, ରଖାଯାନ୍ତା ଯେମିତିକି ସେମିତି, ଏଭଳି ବ୍ୟବସ୍ଥା ହୁଅନ୍ତା ଯେ, ସେଗୁଡ଼ିକ ନଷ୍ଟ ହୁଅନ୍ତା ନାହିଁ, ବଦଳନ୍ତା ନାହିଁ, ନୂଆ ଅମଳର କୌଣସି ପ୍ରକାର କାରସାଦି ବୋଳି ହୋଇ ବିକୃତ ହୁଅନ୍ତା ନାହିଁ, ସେ ସବୁ ଜିନିଷ ସଙ୍ଗେ ଯେଉଁ ନୀରବତା ଯେଉଁ ଭାବୁକତା ଅବିଚ୍ଛିନ୍ନଭାବେ ଜଡ଼ିତ ହୋଇ ରହିଛି ତାହା ସେହିପରି ଥାନ୍ତା, ଲୋକେ ଦେଖନ୍ତେ, ଭାବନ୍ତେ, ନୀରବରେ ଏ ସୌନ୍ଦର୍ଯ୍ୟ ଉପଭୋଗ କରନ୍ତେ, ସେ ସମୟକୁ ଅନୁଭବ କରନ୍ତେ, ପ୍ରାଚୀନତାର ସ୍ଵାଭାବିକତା ଗୁମର ଓ ମହଳକୁ ଉପଭୋଗ କରନ୍ତେ । (୨) ପୋତେ ଯେତେ ଏଣେତେଣେ ବିଚ୍ଛୁରିତ, ସେ ସବୁ ଖୋଲା ହୁଅନ୍ତା, ସଜ୍ଜା ହୁଅନ୍ତା, ତା’ ତାତ୍ପର୍ଯ୍ୟକୁ ଲୋକେ ବୁଝନ୍ତେ, ଦେଶର ପ୍ରକୃତ ଇତିହାସକୁ ବୁଝିବାରେ ସାହାଯ୍ୟ କରନ୍ତା । (୩) ଏ ସବୁ ପ୍ରଚାର ହୁଅନ୍ତା, କେଉଁଟା କ’ଣ ତାହା ସାଧାରଣ ଲୋକଙ୍କୁ ବୁଝେଇ ଦିଆ ହୁଅନ୍ତା, ସେମାନେ ଉଦ୍‌ବୁଦ୍ଧ ହୁଅନ୍ତେ, ବାହାର ଲୋକଙ୍କୁ ବୁଝେଇ ଦିଆ ହୁଅନ୍ତା, ସେମାନେ ଏ ଦେଶର ଐତିହ୍ୟକୁ ସମ୍ମାନ କରନ୍ତେ, ଦେଖି ଖୁସି ହେବାକୁ ଆହୁରି ଆହୁରି ସଂଖ୍ୟାରେ ଆସନ୍ତେ । (୪) ଏ ସବୁ ପ୍ରାଚୀନ କୀର୍ତ୍ତି ଭିତରୁ କାଣିଚାଏବି କେହି ଚୋରି କରି ନିଅନ୍ତେ ନାହିଁ । ପେଟ ବିକଳରେ କେତେ ଘର ଢିଙ୍କି କିମ୍ଭୀର ପାଲଟନ୍ତି । ପୂଜା ବିଗ୍ରହ ସୁନା କି ରୁପା ହୋଇଥିଲେ, ତମ୍ବାବି ହୋଇଥିଲେ ଚୋରି ହୋଇ ଚାଲିଯାଏ ତରଳା ହେବାକୁ, ପଥର ହୋଇଥିଲେ ଘୋରି ହେଲା ତଳେ ଚୋର ପିଠିରେ ବନ୍ଧା ହୋଇ ଦେବତା ଓ ବେମାରିଗୁଟା ପାଳୁଥିବା ଚୋର ଦିହେଁ ବୁହାହୋଇ ପଦାକୁ ଯାନ୍ତେ ତା’ପରେ ବିଦେଶକୁ ଚାଲାଣ । ଖବରକାଗଜରୁ ପଢ଼ି ଦେଶର ନାଁ ଡାକଲୋକେ ସପରିବାରେ ମୂର୍ତ୍ତି ଚୋରି ବେଉସାରେ ଲିପ୍ତ, ବେଶ୍ ଦି’ପଇସା ଦେଉଥିବ ବିଦେଶୀ ବେପାରୀ, ତା’ପରେ ଆମର ଇଷ୍ଟଦେବତା କେଉଁ ମଦୁଆର ବୈଠକଖାନା ମଣ୍ଡନ କରୁଥିବେ ।

 

କେନ୍ଦ୍ର ସରକାରଙ୍କର ଗୋଟିଏ ଆର୍କିଓଲୋଜି ବିଭାଗ ରହିଛି, ବେଳେବେଳେ ତାହାରି ତରଫରୁ କିଛି ତତ୍ପରତା ଦେଖୁ, ଅତୀତରେ କିଛି ଅନର୍ଥ ଯେ ନ ଘଟିଛି ନୁହେଁ । ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିରରେ କୁଆଡ଼ୁ ଟେକିଆଣି ପୂର୍ବବଙ୍ଗର କେଉଁ ନାରାୟଣ ମନ୍ଦିରର ଶିଳାଲିପି ମାରି ଦିଆ ହୋଇଥିଲା, ତା’ପରେ ଇତିହାସ ଲେଖା ଯାଇଥିଲା ଏ ମନ୍ଦିରକୁ ପୂର୍ବ ବଙ୍ଗର ଲୋକ ତୋଳେଇଥିଲେ, ସତେ ଯେମିତି ଏଠି ଯେତେ ଯାହା ଦିଶୁଛି ସବୁ ଅନ୍ୟମାନେ କରିଥିଲେ, ଓଡ଼ିଶାର ତ କହିବାକୁ କେହି ନାହିଁ, କାରିଗରି ଉପରେ ଚୂନ ସୁର୍କି ବୋଳି ତାକୁ ଲୁପ୍ତ କରାଯାଉ, କୁଆଡ଼ୁ ତୁଆଡ଼ୁ ଖୋଦିତଲିପି ଆଣି ଏଠି ମରାଯାଉ, ଏହା ମୂର୍ତ୍ତି ଅନ୍ୟ ସ୍ଥାନକୁ ନେଇ ସେଠି ‘ଆବିଷ୍କାର’ କରି ସ୍ଥାନରେ ମୋହର ମରାଯାଉ, ମୂର୍ତ୍ତିଗୁଡ଼ିକ ଉପରେ ଶିଉଳି ଛଡ଼ାଇବା ବାହାନାରେ ପରିଷ୍କାର କରିବା ବାହାନାରେ ଲୁହା ବ୍ରଶ୍‌ରେ ରଗଡ଼ି ତାକ ନାକ ଆଖି ପାଟି ତା’ ଠାଣି ତା’ ଲାଳିତ୍ୟ ସବୁ ଧ୍ଵଂସ କରାଯାଉ, ରଙ୍ଗ ବୋଳାଯାଇ ପବିତ୍ର ଦେଉଳକୁ ବିନୋଦନ କେନ୍ଦ୍ର କରାଯାଉ, କହିବାକୁ ହେବନାହିଁ ।

 

ସେହିପରି ଗୋଟିଏ କରୁଣ କାହାଣୀ–କୋଣାର୍କ ମନ୍ଦିରର ମୂର୍ତ୍ତି ଓ ଭାସ୍କର୍ଯ୍ୟ ଉପରେ ମଠାମଠି, ମୂଲିଆ କାମ କରନ୍ତି । ଶିଳ୍ପୀ ହାତର ସୂକ୍ଷ୍ମ କାରିଗରି ଉପରେ ମଠାମଠି କରନ୍ତି ମୋଟା କାମ କରିବା ଶ୍ରମିକ । ଲୁହା ବୁରୁଶରେ ଘଷନ୍ତି, ତାଙ୍କ ଦାୟିତ୍ଵ ଶିଉଳି ଚଢ଼େଇ ‘ସଫା’ କରିବା, ରଗଡ଼ି ରଗଡ଼ି ଘୋରି ଘୋରି ଦେଉଳ କାରିଗରିର ସୂକ୍ଷ୍ମତା ଯାଏଁ, ସାତଶବର୍ଷର ମୂର୍ତ୍ତି ଚିତ୍ର କାରିଗରି ଦେହରୁ ଛାଲି ଛାଡ଼ି ତଳେ ଗଦା ହୁଏ । ହଠାତ କାହା ମୁଣ୍ଡରୁ ବାହାରିଲା ଯେ ସବୁଯାକ ପଥର କାରିଗରି ଟେରାକୋଶ ପରି ଦିଶିଲାଭଳି, ଇଟା ଦେଉଳ କାରିଗରି ପରି ଦିଶିଲା ଭଳି, ପାତିମାଙ୍କଡ଼ଙ୍କର ପଶ୍ଚାତ୍‍ଭାଗ ପରି ଦିଶିଲାଭଳି ଗୋଟାଏ କେମିକାଲ ରଙ୍ଗ ଚଢ଼ାହେଉ । ହୋଇଗଲା, ଗଡ଼ ବିଜେତାଙ୍କ ପରି ଯେଉଁମାନେ ମନମୁଖୀ ଯାହା କରିଗଲେ, ଦେଶବାସୀଙ୍କର ଖାଲି ଚାହିଁରହିବା କାମ ।

 

ଶୁଣାଯାଉଛି ଅଇଛା ସେ ରଙ୍ଗ ଛଡ଼େଇ ଦିଆହେବ, କାରଣ ଜାଣିବାଶୁଣିବା ପର୍ଯ୍ୟଟକମାନେ କୁଆଡ଼େ ଛିଛାକାର କରୁଛନ୍ତି । କହୁଛନ୍ତି ଗୋଟାଏ ପ୍ଳାଷ୍ଟିକ ଇମଲଶନ ଏଇଥିଲେ ତ ସୁନ୍ଦର ହୋଇଥାନ୍ତା । ତେଣୁ ଭୁଲ୍ ସୁଧୁରା ହେବ; କିନ୍ତୁ ପୁଣି କ’ଣ ଲୁହା ବୁରୁଶ ଲାଗିବ ? ମୂଲିଆପଲ ମୋଟା ପାପୁଲିରେ ଲୁହା ରମ୍ପାରେ ଆମ୍ପୁଡ଼ା ବିଦରା କରିଦେବେ ?

 

ଜାଗତିଆର !

 

ନହେଲେ ଆଉ ଦିଗରସ୍ତ ରଗଡ଼ା ଖାଇଲା ସରିକି କୋଣାର୍କହିଁ ନଥିବ, ଥିବ ଖାଲି ଛବି ବହିରେ, ଆହୁରିତ କଳା ନଷ୍ଟ ହୋଇ ସାରିଥିବ ।

 

ପ୍ରାଚୀନମୂର୍ତ୍ତି ଆଦିର ସଂରକ୍ଷଣ ବିଷୟରେ ଏ ପୃଥିବୀର ଅନ୍ୟାନ୍ୟ ଦେଶରେ ବହୁତ ଗବେଷଣା ହେଲାଣି, ବହୁତ ଉପାୟ ଉଦ୍ଭାବିତ ହେଲାଣି । ଭାରତ ସରକାର ଅନ୍ୟ ଦେଶରେ ବିଶାରଦମାନଙ୍କ ସହାୟତା ଲୋଡ଼ିଲେ ଆପତ୍ତି ଅଛି କି ? ଭାବିବାର କଥା । ଯସ୍ୟ ନାସ୍ତି ସ୍ଵୟଂ ପ୍ରଜ୍ଞା ତା’ ପକ୍ଷରେ ଉଚିତ ହେବ ମିତ୍ରୋକ୍ତିକୁ ଆମନ୍ତ୍ରଣ କରିବା ଓ ଗ୍ରହଣ କରିବା । କୋଣାର୍କ ବେଢ଼ା ପଦାରେ ଅସଂଖ୍ୟ ଭଙ୍ଗା କୁଢ଼ ପଡ଼ିଛି । ୧୯୫୫-୫୬ରେ ସେଠା ସଂସ୍କାରସଂସ୍ଥା ଛାଉଣୀରେ ଠାଏ ଦେଖି ଆସିଥିଲି ପଥରର ଅତି ସୁନ୍ଦର ଟିକି ହାତୀଟିଏ । କଳା ଜିନିଷ ହିସାବରେ ତା’ର ମୂଲ୍ୟ ଅକଳନୀୟ । ଭଙ୍ଗା କୁଢ଼ରେ କେତେ କ’ଣ ଥିବ । ତାକୁ ଘାଣ୍ଟି ତହିଁରୁ ବାଛି ମ୍ୟୁଜିୟମଟିଏ ଗଢ଼ିବାକୁ କେତେ ଦଶନ୍ଧି ଆଉ ଲାଗିବ ? ଜମି ଅଛି, ଘର ତ ତୋଳା ହୋଇନାହିଁ । କେତେ ଯେ ତହିଁରୁ କିଏ ବୋହି ନେବେଣି ତା’ର କ’ଣ କଳନା ଅଛି ? କୋଣାର୍କ ଦେଉଳ ତୋଳିଲାବେଳେ ପ୍ରତି ପଥର ତାଲିକାରେ ଲେଖା ହୋଇ ରହୁଥିଲା । ଭଙ୍ଗା କୁଢ଼ପାଇଁ ସେ ବ୍ୟବସ୍ଥାବି ତ କେହି ଭାବିନାହିଁ ।

 

ଶୁଣାଯାଉଛି କୋଣାର୍କ ଦେଉଳ ବିଜୁଳି ଆଲୁଅରେ ଫ୍ଳଡ଼୍ ଲାଇଟ କରାଯିବ । କଲେ ଟୁରିସ୍‌ଟ ଦେଖିବାକୁ ଆସିବେ, ବିଦେଶୀ ମୁଦ୍ରା ଝଡ଼ିବ, ଏଥିପାଇଁତ ! ଅନ୍ୟପାଖ ଲୋକ ତ ଦେଉଳ ଭିତର ବାହାର ଦେଖିଛନ୍ତି । ଦୂରରୁ ଦେଖି ଆସିବା ଲୋକ ତ ଦିନବେଳେ ବୁଲି ବୁଲି ଦେଖିବେ । ସଞ୍ଜ ହେଲେ ଦେଉଳ ଭିତରକୁ ଯିବା ମନା, ଦେଉଳ ବନ୍ଦ ହେବା କଥା । ଫ୍ଳଡ଼ ଲାଇଟ ଉପଭୋଗ କରିବେ ସେଠି ହୋଟେଲରେ ରହିବା ଲୋକ । ଅର୍ଥାତ୍ ଦେଉଳ ଆଖପାଖରେ ହୋଟେଲମୟ ହେବ । ଲୋକେ ଆସି ରହିବେ, ସେମାନେ ବିଦେଶୀଖାନାବି ଖାଇବେ, ଅମେଧ୍ୟ ଘେନି ପ୍ରାଙ୍ଗଣକୁ ଢୁକିବେ, ସେଠି ମଦ୍ୟପାନ କରିବେ । ସ୍ତ୍ରୀ ପୁରୁଷର ସମ୍ଭୋଗର ଯେଉଁ ଶାସ୍ତ୍ରୀୟ କସରତ୍ ପଦ୍ଧତି ସେଠି ମିଥୁନ ମୂର୍ତ୍ତିମାନଙ୍କରେ ଅଛି, ଅନ୍ୟାନ୍ୟ ମୂର୍ତ୍ତି ଅଛି, ଫ୍ଳଡ଼ ଲାଇଟ ଉହାଡ଼ରେ ଠଣାରେ କନ୍ଦିରେ ନିଶା ଦେଉଳମାନଙ୍କରେ, ଯୁଗ୍ମମୂର୍ତ୍ତିମାନଙ୍କ ପାଖରେ ମଦ୍ୟପାନରେ ଉତ୍ତେଜିତ ହୋଇ ସେଗୁଡ଼ିକ କିଞ୍ଚିତ୍ ଅଭ୍ୟାସ କରିବାକୁ କେହି କେହି ପ୍ରୟାସ କରିବେ । ତାଜମହଲ ବେବିମାନଙ୍କ ପରି କୋଣାର୍କ ବେବିମାନେବି ଜନ୍ମହେବେ । ଏଇଆ କ’ଣ ସେ ପବିତ୍ର ମନ୍ତ୍ରପୂତ ମନ୍ଦିରର ଉଦ୍ଦେଶ୍ୟ ? ପେଟ ବିକଳରେ ଏ ଦେଶ କ’ଣ ହାଡ଼ିଘର ପଶିବ ? ୟା ଅର୍ଥ ନୁହେଁ ତଥାକଥିତ ଅଛବ ଜାତିମାନଙ୍କ ପ୍ରତି ଅସମ୍ମାନ । ୟା ଅର୍ଥ ଧନ ମିଳିବ ବୋଲି ଦେଶର ଇଜ୍ଜତକୁ ଜଳାଞ୍ଜଳି ଦେବା । ଏ ବର୍ଷର ଜାନୁୟାରୀ ପହିଲା, ଗତବର୍ଷ ବାରଣସୀର ଚୌଖମ୍ବାରୁ ପ୍ରକାଶିତ ହୋଇଥାଏ ଗୋଟିଏ ଅତି ଆଶ୍ଚର୍ଯ୍ୟ ଆନନ୍ଦର ପୁସ୍ତକ ।

 

ଦେଉଳ ତୋଳା ହେଲାବେଳେ ଶୁଭ ଦେବାବେଳୁ ଯେ ଦିଅଁ ପ୍ରତିଷ୍ଠା ହେବାଯାକେ କେଉଁ କାମ ବାବଦରେ କାହାକୁ କେତେ ଦିଆଗଲା, କାମର ଓ କେତେକ ଘଟନାର ସଂକ୍ଷିପ୍ତ ବିବରଣୀ ସମେତ ଏ ସବୁ ହେଉଥିଲା ଗୋଟିଏ Abstract of Expenditure ଅର୍ଥାତ୍ ସେତେବେଳକା ଭାଷାରେ ‘ବୟ ଚକଡ଼ା’ ପୋଥିରେ । ନରସିଂହ ଦେବଙ୍କ ରାଜତ୍ଵର (୧୮ ଅଙ୍କରେ ୧୨୫୮ ଖ୍ରୀ. ଅ.)ରେ କୋଣାର୍କ ଦେଉଳର ‘ବୟ କରଣ’ Sudpt of Accounts ତଡ଼ଉ ବିଦ୍ୟାଧର ପଟ୍ଟନାୟକ ସେ ଲେଖାକୁ ସମ୍ପୂର୍ଣ୍ଣ କରି ଧର୍ମକୁ ସାକ୍ଷୀ ରଖି ୧୨ ବର୍ଷ ୧୦ ମାସ ୧୪ ଦିନଯାକର ହିସାବ ଯତ୍ନ ସହକାରେ ଲେଖିଛନ୍ତି ବୋଲି ସାର୍ଟିଫିକେଟ ଦେଇଛନ୍ତି । ଲେଖିଛନ୍ତି “ମୋ ଅଜା ବେଣୁପୁରର ଲଖୁଣ ଚ୍ୟାଉ କରଣ ଅନଙ୍ଗ ଭୀମଦେବଙ୍କ ସଙ୍ଗରେ ଯୁଦ୍ଧକ୍ଷେତ୍ରକୁ ଯାଇ ଯୁଦ୍ଧରେ ମଲେ । ମୋ ବାପା ନିଧି ପଟ୍ଟନାୟକ ନରସିଂହ ଦେବଙ୍କ ସାଙ୍ଗେ ଯୁଦ୍ଧକୁ ଯାଇ ନରସିଂହ ଦେବଙ୍କ ୮ ଅଙ୍କରେ ଗୌଡ଼ ଦେଶରେ ଯୁଦ୍ଧରେ ମଲେ । ମୁଁ ନରସିଂହ ଦେବଙ୍କ ଦାନା ଖାଉ ଖାଉ ମୋ କଳାବାଳ ଧଳାହେଲାଣି । ମତେ ପଦୋନ୍ନତି ଦେଇ ଏ ଦେଉଳର ସାନ ପରିଚ୍ଛା Deputy Supervisor କରାଯାଇଛି । ସେ ଏସ୍ ଚକଡ଼ାରେ ସନ୍ତକ ଦେଲେ ଧାନ ଫୁଲଟିଏ । କିଲା ବୟାଳିଶ ବାଟିର ମାଲିକ ଭଟ୍ଟନାରାୟଣ ଭ୍ରମରବର ସାମନ୍ତ ଦେଉଳର ସୁପରିନ୍‌ଟେଣ୍ଡେଣ୍ଟ ହୋଇ ସେ ହିସାବ ପୋଥିରେ ସେ ଏଥିରେ ଧାନଫୁଲଟିଏ ଅଛି ସନ୍ତକ ଦେଲେ । ଗଡ଼ରୁପାସର ବାଉରିବନ୍ଧୁ ଦଳବେହେରାବି ସନ୍ତକ ଦେଲେ ଓ ତାକୁ ରଖିଲେ । ଗଡ଼ରୁପାସରୁ ମିଳିଥିବା ନକଲ ଅଛି ଯେ ଇଞ୍ଚ ଗଡ଼ର ମଧୁଦାସ କରଣ ଦିବ୍ୟସିଂହ ଦେବ ମହାରାଜାଙ୍କ ୩ ଅଙ୍କରେ (୧୮୫୯)ରେ ତାକୁ ଉତାରି ପଳାଇଲେ । ଦ୍ଵିତୀୟ ନକଲ ଏରବଙ୍କ (ଅୟୁର ବଂଶ) ମଠ ମହନ୍ତଙ୍କଠୁ ମିଳିଥିଲା । ତାକୁ ଯେ ଉତାରି ଅଛନ୍ତି, ତାଙ୍କ ସନ୍ତକବି ଧାନଫୁଲ, ସେ କହିଛନ୍ତି ଯେ ମୁକୁନ୍ଦ ଦେବଙ୍କ ୧୮ ଅଙ୍କରେ (୧୮୯୩) ତାଙ୍କ ଦାବି କିଲା ବୟାଳିଶ ବାଟିର ମାଲିକ ତାକୁ ଉତାରିଥିଲେ ।

 

ବୟ ଚକଡ଼ା ପୋଥିର ଏ ଦୁଇ ନକଲ ଏ ଇଂରାଜୀ ବହିରେ ଅନୂଦିତ ହୋଇଛି । ପୁରୀର ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥଶର୍ମା ଆଠବର୍ଷ ପର୍ଯ୍ୟନ୍ତ କୋଣାର୍କ ଅଞ୍ଚଳରେ ଖୋଜାଖୋଜି କରି ଏ ପୋଥି ଯୋଡ଼ିକ ପାଇଲେ । ଏଥିରେ ଆଲୋଚିତ ଆଉ ଗୋଟିଏ ପୋଥି କୋଣାର୍କର ଦେଉଳର ଶିଳ୍ପକଳା ବିଷୟରେ । ପ୍ରାୟ ୧୭୧୦ ଖ୍ରୀ: ଅରେ ଖୋର୍ଦ୍ଧା ରାଜବଂଶର ପୁରୁଷୋତ୍ତମ କୋଣାର୍କ ଦେଉଳ ସମେତ ଓଡ଼ିଶାର ଚାରୋଟି ବଡ଼ଦେଉଳର ସର୍ଭେ କରାଇଥିଲେ । ସେହି ସମ୍ପର୍କରେ ନାନା ଚିତ୍ର ଓ ଡିଜାଇନ୍ ଥାଇ ୨୩ଟି ତାଳପତ୍ର ଓ ତାହା ସହିତ ‘ଶିଳ୍ପ ସାରିଣୀ’, “ମଣ୍ଡଳ ସର୍ବସ୍ଵ” ଆଦି ନାନା ପୋଥି ଏ ବିଷୟକ ଆଲୋଚନାର ଭିତ୍ତି । ଏଥିରେ ଆଲୋଚିତ ଆଉ ଗୋଟିଏ ପୋଥି କୋଣାର୍କ ଦେଉଳର ‘କର୍ମାଙ୍ଗୀ’ ପୋଥି । ଏଇଟି କୋଣାର୍କର ଅବଧୂତ ମଠରୁ ମିଳିଥିଲା । ଦେଉଳର ଦିଅଁଙ୍କ ଛବି (ଫଟୋ) ବାମଦେବପୁର ମଠରେ ଥିବା ଚମତ୍କାର ତାଳପତ୍ର ପୋଥିରୁ ଉଠାଯାଇଛି । କର୍ମାଙ୍ଗୀ ପୋଥି ଛଡ଼ା କୋଣାର୍କ ଆଉ ବୁରୁଜଙ୍ଗର ଶ୍ରୀ ଜଗନ୍ନାଥ ତ୍ରିପାଠୀଙ୍କଠାରୁ ଓ ପୁରୀ ବାଲିସାହିର ଶ୍ରୀ ବାସୁଦେବ ରଥଙ୍କ ଠାରୁ “ତ୍ରିକାଳ ମହାମାୟା ଅର୍ଚ୍ଚନା ବିଧି” ବୋଲି କୋଣାର୍କର ମହାମାୟା ମନ୍ଦିର ପୂଜା ପଦ୍ଧତି ମଧ୍ୟ ଏ ବହିରେ ଆଲୋଚିତ ହୋଇଛି ।

 

ଏ ବହିର ଲେଖକ ତିନିଜଣ । ଜଣେ ଜର୍ମାନୀର ଶ୍ରୀମତୀ ଆଲିସ୍ ବୋନର, ଆଉ ଜଣେ ପଦ୍ମଶ୍ରୀ ସଦାଶିବ ରଥଶର୍ମା ଓ ଆଉ ଜଣେ ଐତିହାସିକ ଅଧ୍ୟାପକ ରାଜେନ୍ଦ୍ର ପ୍ରସାଦ ଦାସ । ଏ ବହିରୁ ଜଣାପଡ଼ୁଛି ଯେ ୧୨୫୨ ଖ୍ରୀ: ଅରେ ଦେଉଳ କାମ ଶେଷ ହୋଇ ଦେଉଳ ଓ ଦେବତା ପ୍ରତିଷ୍ଠାକାର୍ଯ୍ୟ ଶେଷ ହୋଇଯାଇଥିଲା ଓ ସେହି ଦିନଠାରୁ ୧୬୨୭ ଖ୍ରୀ: ଅ ଯାକେ ଶାସ୍ତ୍ରୀୟ ବିଧି ପ୍ରକାରେ କୋଣାର୍କ ଦେଉଳର ପୂଜା ଚାଲିଥିଲା । ତା’ପରେ ହଠାତ ୧୬୨୭ରେ ଦେଉଳର ପୂର୍ବପଟ କାନ୍ଥରେ ଥିବା ପ୍ରକାଣ୍ଡ ରାଜସିଂହ ମୂର୍ତ୍ତିର ଚାପରେ ସେ ମୂର୍ତ୍ତି ଓ ପୂର୍ବପଟ କାନ୍ଥ ସବୁ ଖସିପଡ଼ିଲା, ସଙ୍ଗେ ସଙ୍ଗେ ଉତ୍ତର ପଟ କାନ୍ଥବି, ପଥର ପଡ଼ି ପୂଜାବିଗ୍ରହଙ୍କର ଯୋଡ଼ିଏ ହାତ ଭାଙ୍ଗିଯିବାରୁ ସେ ଦିଅଁ ସେହିଦିନୁ ଅପୂଜା ରହିଲେ ଓ କ୍ରମେ ଦେଉଳ ଧ୍ଵଂସ ହେଲା । ଦେଉଳର ଅନେକ ମୂର୍ତ୍ତି କେତେ କୁଆଡ଼େ ଗଲାଣି । ଓଡ଼ିଶାର ମରହଟ୍ଟା ଶାସକଙ୍କ କର୍ମଚାରୀ ସିଓ ଭଟ୍ଟ ସାଠେଙ୍କ ସମୟରେ ତାଙ୍କ ଗୁରୁବାବା ବ୍ରହ୍ମଚାରୀ ୧୭୫୯ ରୁ ୬୪ ମଧ୍ୟରେ ଯାଇ ଦେଖିଲାବେଳକୁ ଦେଉଳ ଭାଙ୍ଗିପଡ଼ିଛି ଓ ତା’ ପୂର୍ବରୁ କେଶାମାରୁ ବୋଲି କେହି ଜଣେ ଲୋକ ସୁନା, ପୋଖରାଜ ଖଞ୍ଜା ହୋଇ ନେଳି ମୁଗୁନିର ଚମତ୍କାର ଧ୍ଵଜ ପଦ୍ମଟିକୁ ଲୁଟି ନେଇ ଚାଲିଯାଇ ସାରିଛି ।

 

ଦେଉଳ ହେବାର ଏଇ ସାଢ଼େ ସାତଶହ ବର୍ଷରେ ୧୯୭୨ ସାଲରେ ଇତିହାସରେ ପ୍ରଥମଥର ଏଇ ତିନୋଟି ଲେଖକ କୋଣାର୍କର ରହସ୍ୟ ଉଦ୍‌ଘାଟନ କରିବାକୁ ନାନା ପ୍ରମାଣିକ ତଥ୍ୟ ଆବିଷ୍କାର କଲେ, ଜଗତ୍ ସମକ୍ଷରେ ଉପସ୍ଥାପିତ କଲେ । କୋଣାର୍କ ସହିତ ସେମାନଙ୍କର ଏହି ଅପୂର୍ବ କୀର୍ତ୍ତି ମଧ୍ୟ ଜନସ୍ମୃତିରେ ଅମର ହୋଇ ରହିବ । ଯଦିଚ ଅତି ଆଶ୍ଚର୍ଯ୍ୟର କଥା ଯେ ସେମାନେ ଏତେବଡ଼ କାମ କରି ସୁଦ୍ଧା ଓଡ଼ିଶାରେ ସେ ବିଷୟରେ ଆଲୋଚନାହିଁ ନାହିଁ । ସେମାନଙ୍କୁ ସାଧାରଣରେ ସମ୍ବର୍ଦ୍ଧନା ଦେଇ ସମ୍ମାନିତ କରିବା ଦୂରର କଥା । ଏହି ପୁସ୍ତକ ପଢ଼ିଲେ ଦେଉଳତୋଳା ସମ୍ବନ୍ଧରେ ନାନା କଥା, ଯେପରି କେତେ ପଥର କି କି ପଥର କେଉଁଠୁ ଆସିଲା, କିଏ ଆଣିଲା, କେଉଁଠୁ କେତେ ଶିଳ୍ପୀ ଆସିଲେ, କି କି ଇଞ୍ଜିନିୟର ଯନ୍ତ୍ର ଓ ଉପାୟ ଅବଲମ୍ବନ କରି ପଥରମାନ ଉପରକୁ ଟେକାଗଲା, କିଏ ଟେକିଲେ, ପଥର କେମିତିବାଟରେ ବୁହା ହୋଇ ଆସିଲା, କେମିତି ନାଳ ଖୋଳାହେଲା, ଦେଉଳ ମୁକ୍ତି କେମିତି ମରାଗଲା, କେମିତି ଧରମା କାହାଣୀ କଥା ମିଛ, ଦେଉଳ କେମିତି ଓ କାହିଁକି ଭାଙ୍ଗିଲା, ଶିଳ୍ପୀ କେଉଁଠି ରହୁଥିଲେ, କେମିତି ଚଳୁଥିଲେ, ପୁଣି ସେକାଳର ସମାଜ, ସାମାଜିକ ବ୍ୟବସ୍ଥା, କାରିଗରଙ୍କ ସଂଘ, ବୈଜ୍ଞାନିକଙ୍କ ଉତ୍କର୍ଷ, ସେକାଳ ଲୋକଙ୍କ ଦୈନନ୍ଦିନ ଜୀବନ କାଳାନୁରକ୍ତି ନାନା ବିଷୟରେ ଚମତ୍କାର ଜ୍ଞାନ ଜନ୍ମେ । ସେଇ ପୁସ୍ତକ ସାହାଯ୍ୟରେ ଚିହ୍ନିହେଉଛି ଯେ ପ୍ରଧାନ ଶିଳ୍ପୀ କିଏ କିଏ, କେଉଁ ମୂର୍ତ୍ତି କାହା ହାତର ଓ କେଉଁ ମୂର୍ତ୍ତି ନରସିଂହ ଦେବଙ୍କର, କେଉଁ ମୂର୍ତ୍ତି ଶ୍ରେଷ୍ଠତମ ଶିଳ୍ପୀ ସୂତ୍ରଧର ସଦାଶିବ ସାମନ୍ତରାୟ ମହାପାତ୍ରଙ୍କର ଓ ତାଙ୍କ ସ୍ତ୍ରୀଙ୍କର ପ୍ରତିକୃତି ଇତ୍ୟାଦି । ଆହୁରି ବେଶି ଚମତ୍କାର ଲାଗିବ ଜାଣି ଯେ କୋଣାର୍କ ଆଦୌ ବିଳାସର କି ଚିତ୍ତବିନୋଦନ ପାଇଁ ଉଦ୍ଦିଷ୍ଟ ନୁହେଁ, ନାନା ମନ୍ତ୍ର, ନାନା ଯନ୍ତ୍ର ଅନୁସରଣ କରି ଅତି ଉନ୍ନତ ଦାର୍ଶନିକ ବିଚାରକୁ ରୂପଦେଇ ଦେଉଳର ନକ୍ସା ପ୍ରତ୍ୟେକ ମୂର୍ତ୍ତି, ପ୍ରତ୍ୟେକ ଚିତ୍ର ଉଚ୍ଚତମ କଳା ଆଦର୍ଶରେ ଶାସ୍ତ୍ରୀୟ ନୀତିରେ ତିଆରି କରା ହୋଇଥିଲା । ତା’ ସହିତ ହିନ୍ଦୁ ଧର୍ମର ଅତି ଉନ୍ନତ ଧାରଣା ଓ ଉପାସନାମାନ ସନ୍ନିବିଷ୍ଟ । ସେ ହିନ୍ଦୁମାନଙ୍କର ମହାନ୍ ତୀର୍ଥ, ମହାନ୍ ସାଧନା ପୀଠ, କେତେ ଯାଗ ଯଜ୍ଞ, କେତେ ମନ୍ତ୍ର ପାଠ ହୋଇ ତା’ର ଉତ୍ପତ୍ତି ହୋଇଥିଲା ଓ ଚାରିଶହବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ କେତେ ବିରାଟ୍ ଧର୍ମଚର୍ଚ୍ଚାର କେନ୍ଦ୍ର ହୋଇ ସେ ରହିଥିଲା ।

 

ସେ ବହିଟି ପଢ଼ି, ବହିରୁ ଚିହ୍ନି, ଠାବ କରି; କୋଣାର୍କର ସ୍ରଷ୍ଟା ପରମପୂଜ୍ୟ ନରସିଂହ ଦେବ, ପରମପୂଜ୍ୟ ମହାସୂତ୍ରଧର ସଦାଶିବ ସାମନ୍ତରାୟ ମହାପାତ୍ର, ଶିଳ୍ପୀ କୁଳ ମଉଡ଼ମଣି ଗଦାଧର ମହାପାତ୍ର, ନାରୀ ଶିଳ୍ପୀ ସୁନା ପଥୁରିଆଣି, ଶିଳ୍ପ ପ୍ରେମୀ ସୂତ୍ରଧର-ଜାୟା ଶ୍ରୀମତୀ ମହାପାତ୍ର ଓ କେତେକ ଅନ୍ୟାନ୍ୟ ବରେଣ୍ୟ ଶିଳ୍ପୀଙ୍କ ପ୍ରତିକୃତି ଆଗରେ ଗୋଡ଼ତଳେ ପଡ଼ିବାକୁ ୧୯୬୩ ଜାନୁୟାରୀ ପହିଲାଦିନ ମୁଁ ଯାଇଥିଲି । ମୁଁ ସେ ପବିତ୍ର ମନ୍ଦିର କାନ୍ଥରୁ ପାଇଲି ଗୋଟାଏ ଖାଲି ପଡ଼ିଥିବା ଅଇଁଠା ବିଅର ବୋତଲ । ତାକୁ କାଢ଼ି ଆଣି ପଦାରେ ପକାଇ ଦେଲି । ଭାବିଲି ସ୍ଵାଧୀନ ଭାରତରେ ପୂର୍ବପୁରୁଷଙ୍କ ପବିତ୍ର ସ୍ମୃତିକୁ କେଉଁ ବିଦେଶୀ ତୁଣ୍ଡରେ ଲାଗିଥିବା ଏ ଅଇଁଠା ବିଅର ବୋତଲ ଉପଯୁକ୍ତ ସମ୍ମାନ ଏକା ଫ୍ଳଡ଼ ଲାଇଟ ହେଲେ ପାଖରେ ହୋଟେଲ ହେଲେ ଏଠାରେ ଅନ୍ୟାନ୍ୟ ଅନେକ ପ୍ରକାର ବୀଭତ୍ସ ଲୀଳା ଚାଲିବ ଏଥିରେ କୌଣସି ସନ୍ଦେହ ନାହିଁ ।

 

ମଣିଷ ଦେଉଳକୁ ଯିବ, ଖୋଜିବ ନୀରବତା, ଶାନ୍ତି, ଭାବ ନିମଗ୍ନ ହେବାକୁ ଉପଯୁକ୍ତ ପରିବେଷ୍ଟନୀ, ମାଇକ୍, ରେଡ଼ିଓ, ଭୋଟ୍‍ ପ୍ରଚାର ଭଳି ବକ୍ତୃତା, ଅଶ୍ଳୀଳ ଚିତ୍କାର ଦୋକାନ ବଜାର ହୋହୋ ଘୋଘୋ ଶୁଣିବାକୁ କେହି ଦେଉଳକୁ ଯାଏଁ ନାହିଁ । ଆମର ଭଙ୍ଗା ପ୍ରାଚୀନ ଦେଉଳମାନଙ୍କର ଏବେବି ଆମ ପ୍ରତି ଅବଦାନ ରହିଛି ଅମୂଲ୍ୟ ନୀରବତା ଶାନ୍ତି ପ୍ରାଚୀନତାର ସନ୍ଦେଶ ଓ ତା’ ସହିତ ଆମ ଅତୀତ ହଜାର ହଜାର ବର୍ଷର ପରମ୍ପରା । ଦେଉଳକୁ ଫ୍ଳଡ଼ ଲାଇଟ କରି ଦେଉଳ ଇଲାକାକୁ ବେପାର କେନ୍ଦ୍ର କରି ସେଇ ଅମୂଲ୍ୟ ଆନନ୍ଦକୁ ଧ୍ଵଂସ କରିବା ଛଡ଼ା ଆଉ କିଛି ନୁହେଁ । ଦୁର୍ବୁଦ୍ଧି ଏଠି ସିନା ଘୋଟୁଛି ଜେରୁଜେଲମ୍‌ରେ ଇଉରୋପରେ ପବିତ୍ର ପ୍ରାଚୀନ ଗିର୍ଜାମାନ, ଆରବ ଇଜିପ୍‌ଟରେ ପ୍ରସିଦ୍ଧ ପ୍ରାଚୀନ ମସ୍‌ଜିଦମାନ କେହି କେବେ ଫ୍ଳଡ଼ ଲାଇଟ କରେ ? ଟୁରିଷ୍ଟ ଷ୍ଟେସନ କରେ ? ହୋହୋ ଘୋଘୋରେ ଅପବିତ୍ର କରେ ? ତେବେ କାହିଁକି ଏ ନାହିଁ ନଥିବା ହୀନମ୍ମନ୍ୟତା ? ଗୌଣ ମନୋବୃତ୍ତି ? ଯେଉଁମାନେ ଦେଉଳ ତୋଳିଥିଲେ ସେମାନେ ଲୋଡ଼ିଥିଲେ ଯେ ଦେଉଳ ଚାରିକର ବହୁଦୂରଯାକେ ଏକଦମ ଖାଲି ପଡ଼ିଥାଉ । କୋଣାର୍କକୁ ତ ତୋଳିଥିଲେ ଶାନ୍ତିର ନିଜଧାମ କରି ଲୋକାଳୟଠୁ ବହୁଦୂରରେ, ସମୁଦ୍ରକୂଳରେ ଜାଣି ଜାଣି ଏପରି କରିଥିଲେ ଯେପରି କୁହାଯାଏ, “ସାତଥର ଯିବ ଗଙ୍ଗା, ଥରେ ଯାଇଥିବ ଚନ୍ଦ୍ରଭାଗା ମୁହଁ ପଡ଼ିଯିବ ରଙ୍ଗା” ।

 

ଠିକ୍ ତ ଯାହାର ଶ୍ରଦ୍ଧା ଥିବ ସେ ଯିବ । ଧୀରେ ଧୀରେ କୋଣାର୍କ କଥା ଭାବୁ ଭାବୁ ବାଟ ସରି ଆସୁଥିବ । ମନେ ପଡ଼ୁଛି ଯେପରି ୧୯୩୦ରେ ମୁଁ ପ୍ରଥମେ ଦେଖିଲାବେଳର କୋଣାର୍କ ଅନୁଭୂତି । ଏଇ ଦୂରରୁ ସେ ସେ ଛାଇପରି ଦିଶୁଛି, ତା’ପରେ ବାଲି । ଅତୀତର ସ୍ମୃତି, ଧୀରେ ଧୀରେ କୋଣାର୍କ, ହଠାତ ନୁହ, ବହୁତ ଦିନର, ବହୁତ ଘଣ୍ଟାର ଧ୍ୟାନ, ମନ ଓ ଗ୍ରହଣଫଳରେ କଳା ଆସ୍ଵାଦନ, ଆସୁ ଟୁରିଷ୍ଟ, ସେଇ ପରିବେଶରେ ଦେଖି ଧନ୍ୟ ହେଉ, ତା’ପରେ ଚାଲିଯାଉ । କୋଳାହଳ, କିଣାବିକା, ଘୋଘୋ ଦାଉରୁ କୋଣାର୍କକୁ ରକ୍ଷାକରେ, ରକ୍ଷାକରେ ଲଳିତକଳାର ସୂକ୍ଷ୍ମଦାଢ଼ ଢିପଢ଼ାଲୁକୁ ରଣବିଶାରଦ ଅନାଡ଼ି ମହୁରିଆଙ୍କ ହାତରେ ଲୁହା ବୁରୁଶରେ ରମ୍ପାରୁ ରକ୍ଷାକରେ କଳାଚେତନା ବିଗର୍ହିତ ଜଡ଼ ବୈଜ୍ଞାନିକ ରଙ୍ଗକରାଳିଙ୍କ ହାତରୁ, ରକ୍ଷାକରେ ଲୋକମାନଙ୍କ ହାତରୁ, ଯେଉଁମାନେ ବ୍ୟକ୍ତିଗତ ଲାଭ କିମ୍ବା ସ୍ଵାର୍ଥପାଇଁ ଦେଶର ଗୌରବକୁ ଧନୀ ଲୋକଙ୍କୁ ପଟାଇ ଲଗାଇ ଦେଇପାରନ୍ତି । ଆଜି ହୁଏତ ଶିବାଜୀଙ୍କ ଅମଳର ସନ୍ଥ ରାମ ଦାସ ଥିଲେ ଡାକ ଛାଡ଼ିଥାନ୍ତେ ।

 

ତୀର୍ଥ କ୍ଷେତ୍ରେଂ ମୋତିଲୀଂ

ବ୍ରାହ୍ମଣ ସ୍ଥାନେ ଭ୍ରଷ୍ଟ ଜାଲୀଂ

ସକଳ ପୃଥ୍ଵୀ ଆନ୍ଦୋଳଲୀ

ଧର୍ମ ଗେଲା ଧର୍ମ ଗେଲା !

 

(ସେମାନେ ତୀର୍ଥ କ୍ଷେତ୍ରଗୁଡ଼ିକ ଭାଙ୍ଗି ପକାଇଲେ । ବିଦ୍ଵାନ୍ ପଣ୍ଡିତମାନେ ଯେଉଁଠି ସାଧନା କରୁଥିଲେ ତାକୁ ଭ୍ରଷ୍ଟ କଲେ । ସାରା ସଂସାର ଲୋକଙ୍କ ଭିତରେ ହାଉଜାଉ ପକାଇଦେଲେ । ଧର୍ମଗଲା)

 

“ଦେବ ଧର୍ମ ଗୋ ବ୍ରାହ୍ମଣ

କରାବୟା ସଂରକ୍ଷଣ

ହୃଦୟସ୍ଥ ଜାଲା ନାରାୟଣ

ପ୍ରେରଣ କେଲି”

 

କୋଣାର୍କ ଉପରେ ଆହୁରି ଲୁହା ବୁରୁଶରେ ରାମ୍ପି, ନାନା ଅବର୍ଜିଆ ରଙ୍ଗବୋଳି ଚାରିକରେ ହୋଟେଲମାନ କରେଇ, ଦେଉଳକୁ ଫ୍ଳଡ଼ ଲାଇଟ କରେଇ ପିତୃପୁରୁଷଙ୍କ ଅମୂଲ୍ୟ କଳାକୁ ବିଦେଶୀ ଧନ ଅର୍ଜନପାଇଁ ବେଶ୍ୟାବୃତ୍ତିରେ ଲଗାଇ, ସେ ପୁଣ୍ୟାତିପୁଣ୍ୟ ଅର୍କକ୍ଷେତ୍ରକୁ ଗୋଟାଏ ଜଘନ୍ୟ ଟୁରିଷ୍ଟ ସେଣ୍ଟର କଲେ, ଯେପରି ପ୍ୟାରିସ୍ କି ମଣ୍ଟିକାର୍ଲେ । ବାରମ୍ବାର ମନେ ପଡ଼ୁଥିବ ସେଠି ପ୍ରଥମେ ଭଙ୍ଗା ମନ୍ଦିର ଦେଖୁଥିବା ବାବାଜି “ବାବା ବ୍ରହ୍ମଚାରୀଙ୍କ” ଅଶ୍ରୁରୁଦ୍ଧି ଖେଦୋକ୍ତି ହୃଦୟରେ ଗଭୀର ଦୁଃଖ ଘେନି ଲେଉଟି ଆସିଲି । ଭାବିଲି ଏ ପଥରଗୁଡ଼ିକୁ ସମୁଦ୍ର ନ ଖାଇ ଛାଡ଼ିଦେଲା କାହିଁକି (୧୭୫୯-୧୭୬୪) ।

 

କେତେବେଳେ ପ୍ରକାଶ୍ୟରେ, କେତେବେଳେ ଆଖିବୁଜି ଦେଇ, ନାନା ପ୍ରସିଦ୍ଧ ଦେଉଳ ଚାରିକରେ କୁତ୍ସିତ ଘରଗୁଡ଼ାଏ ହୋଇ ଦେଉଳମାନ ଏହାର ଭିତରେ ପଡ଼ିଗଲାଣି । ତାକୁ ମୁକୁଳିବାକୁ ଏ ରାଜ୍ୟରେ କାହାର ଦାୟିତ୍ଵଥିଲାପରି ଜଣାପଡ଼ୁ ନାହିଁ । ସ୍ଵୟଂ ଲିଙ୍ଗରାଜ ଦେଉଳରେ ଗୋଡ଼ଧୁଆ ପୋଖରୀର ଅସ୍ତିତ୍ଵ ଧାଉଡ଼ିଏ ଘର ଉହାଡ଼ରେ ଯାତ୍ରୀଙ୍କ ଦୃଷ୍ଟିରୁ ଢାଙ୍କି ହୋଇ ପଡ଼ିଲାଣି । ଅନେକ ଜାଣନ୍ତି ନାହିଁ ଯେ ଛୋଟ ବନ୍ଧ ବାଟେ ଗଲେ ଯେ ଚମତ୍କାର ପୋଖରୀଟି ଦିଶିବ ଯାହାର ହୁଡ଼ାଯାକବି ଅନେକ ସାନ ସାନ ଦେଉଳ । ରାଜାରାଣୀ ଦେଉଳକୁ କ୍ରମେ ସେଇ ଅବସ୍ଥା ଘୋଟିଆସିଛି । ବୋଇତାଳ ଦେଉଳ ଉପରର ଘର ମାଡ଼ି ବସିଛି । ଜଗନ୍ନାଥ ମନ୍ଦିର ଘର ଘେର ଭିତରେ ରହିଛି । ଏଣିକି ବୋଧହୁଏ କୋଣାର୍କର କପାଳ ଫାଟିବ । ସେ ହେବ ଟୁରିଷ୍ଟ ସେଣ୍ଟର । ଖଣ୍ଡଗିରି ପାହାଡ଼ ପାଖେ ରାଜସ୍ଥାନୀମାନେ ହୋଟେଲ କଲେଣି । ଧାଇଁ ଆସୁଛି ସେରତରାଜୁ ଧରା ବେପାର, କଳାକୁ ସଂସ୍କୃତକୁ ଗ୍ରାସିବ, କ୍ଷମତା ରାଜନୀତିର ପୃଷ୍ଠପୋଷକ ସେ ପରା । ଆଗେ ଏ ଦେଶର ମୁରବିମାନେ ଡାକ ପକାଉଥିଲେ, ‘କିରେ ୟେ କ’ଣ ହେଉଚି ? ପିଲାଏ ନାହିଁକିରେ ଘରେ ?’

 

କାଲି ସକାଳର ଆମେରିକାର ଯୁବଶକ୍ତିବି ଉଦ୍ଦାମ ହୋଇ ହାତ ଟେକେ–ପବନକୁ ଦୂଷିତ କର ନାହିଁ, ନୀରବତାକୁ ଯନ୍ତ୍ରଯାନ ଶବ୍ଦରେ ଧ୍ଵଂସ କରନାହିଁ, ପ୍ରକୃତିର ସୌନ୍ଦର୍ଯ୍ୟକୁ ନଷ୍ଟ କରନାହିଁ, ଦେଶର ଶାନ୍ତିକୁ ଧ୍ଵଂସ କର ନାହିଁ । ଏଠି ଯେପରିକି ଚେତା ଆସିନାହିଁ । ମନ୍ଦିର ଚାରିକରେ ଅନ୍ତତଃ ଦୁଇ ଫର୍ଲଂ ଯାକେ ଓ କୋଣାର୍କ ଚାରିପଟେ ଅନ୍ତତଃ ଦୁଇ ମାଇଲିଏ ଯାକେ ସବୁ ପଦା କରି ଜାଗା ଏକଦମ ଖୋଲା କରିଦେବା । ଦେଉଳର ପରିବେଶକୁ ଆହୁରି ମନୋରମ କରିବା ଲାଗି ସେଠି ଘାସ ଲନ୍ ଓ ସାନ ସାନ ଫୁଲ ଗଛର ବଗିଚା ଓ ସଡ଼କ କରାଯାଇପାରେ ।

 

ଆଉ ଗୋଟିଏ ଅପଚେଷ୍ଟା ଓ ରୋଗ–ପ୍ରାଚୀନତାକୁ ଧ୍ଵଂସ କରି ତାକୁ ନୂତନର ଆରୋପର ଚେଷ୍ଟା କରିବା, ଯେପରି ନାନା ଦେଉଳ ଚଟାଣରେ ମାର୍ବଲ ପଥର ବିଛାଇବା କାମ । ମାର୍ବଲ ପଥରରେ ଓଦା ଲାଗିଲେ ମଣିଷ କଚଡ଼ା ଖାଇବ, ଖରା ଲାଗିଲେ ତାଉ ଝଲସିବ । ଦେଶରେ ଏତେ ଯଦି ମାର୍ବଲ ପଥର ଦାତା ଅଛନ୍ତି ସେମାନେ ଅଲଗା ମାର୍ବଲ ମନ୍ଦିର ଅନ୍ୟ ସ୍ଥାନରେ ତୋଳି ଆଶା ମେଣ୍ଟାଇପାରନ୍ତେ । ସେଇଠି ମାରିପାରନ୍ତେ ତାଙ୍କ ବାପ ଅଜାଙ୍କ ନାଁ ଫଳକ, ପ୍ରାଚୀନ ମନ୍ଦିରରେ ନିଜ ପିତୃପିତାମହଙ୍କ ନାଁ ମାର୍ବଲ ପଥରରେ ଲେଖାଇ ଚଟାଣରେ ଲଗାଇବା ଗୋଟିଏ ରୋଗ, ଗୋଟିଏ ଅତି ଦୂଷଣୀୟ ପାପକାର୍ଯ୍ୟ, ଯେ ତାକୁ ପ୍ରଶ୍ରୟ ଦିଏ ସେ ବି ପାପଭାକ୍ । ଯେ ଦେଉଳକୁ ଯିବ ସେ ଦେବତାକୁ ଦର୍ଶନ କରିବାକୁ ଯାଇଛି, ବଙ୍ଗଳାରେ, ହିନ୍ଦୀରେ, ଇଂରାଜୀରେ, ଓଡ଼ିଆରେ ମାର୍ବଲ ପଥରରେ ଲେଖା ହୋଇଥିବା କୁଆଡ଼ କୁଆଡ଼ର ମଲା ଲୋକଙ୍କ ନାଁ ଉପରେ ଗୋଇଠା ମାରିବାକୁ ଯାଇନାହିଁ । ସେପରି ସ୍ଥଳେ ପ୍ରଧାନ ଦୁଃଖର କଥା ଏତିକି ହୁଏ ଯେ ଦେଖଣାହାରିମାନେ ନିଜ ନିଜର ପରମ୍ପରାର ପ୍ରତ୍ୟକ୍ଷ ଅନୁଭୂତି ପାଇଥାନ୍ତେ ତହିଁରୁ ବିଚ୍ୟୁତି ହୁଅନ୍ତି । ମୁଁ ଯେତେବେଳେ ଦେଖିବି ଦେଉଳ ବେଢ଼ାର ଚଟାଣରେ ଖଣ୍ଡିଏ ପୁରୁଣା ପଥର, ମୋର ମନେପଡ଼ିବା ସ୍ଵାଭାବିକ ଯେ ଅବିକଳ ମୋରି ପରି, ମୋ ପୂର୍ବର ଶହେ ପୁରୁଷର ଲୋକେ ସେଇ ପଥର ଉପରେ ଠିଆ ହୋଇଥିଲେ ବା ବସିଥିଲେ । ଖାଲି ସେତିକି ନୁହେଁ ଜଗନ୍ନାଥ ମନ୍ଦିର ପରି ଦେଉଳମାନଙ୍କରେ ମନେପଡ଼ିବ ସେଇ ପଥର ଉପରେ ଠିଆ ହୋଇଥିଲେ କେତେବେଳେ ଶଙ୍କରାଚାର୍ଯ୍ୟ, କେତେବେଳେ ଜଗନ୍ନାଥ ଦାସ, କେତେବେଳେ ଶ୍ରୀଚୈତନ୍ୟ କେଉଁଠି କେଉଁ ସନ୍ଥ । ତେଣୁ ଜାଣିବା ଲୋକେ ଦେଉଳରେ ପଶିବା ପୂର୍ବରୁ ଆଗ ସେଇ ପଥରକୁ ଲମ୍ବ ଲମ୍ବ ଗୋଡ଼ ତଳେ ହୋଇ ବାଟ ଚାଲନ୍ତି, ଏ ସଂସାରରେ ସେ ପଥରର ମୂଲ୍ୟ ନାହିଁ । ତାକୁ ତାଡ଼ି ଯେ ମାର୍ବଲ କରାଏ ସେ ମୂର୍ଖ, ସେ ପ୍ରଶ୍ରୟ ଦିଏ ସେ ଅଜ୍ଞାନ ବା ଜ୍ଞାତସାରରେ ପାପାତ୍ମା । ଏ କାର୍ଯ୍ୟକୁ ରୋକିବାକୁ ପଡ଼ିବ ନ ହେଲେ ଲୋକେ ଏ ଦେଶର ସ୍ମୃତିକୁବି ତାଡ଼ି ଫୋପାଡ଼ି ତା’ ଜାଗାରେ ନୂଆ କଳଙ୍କିତ ଇତିହାସ ମାଡ଼ି ଦେବେ, କାହାର ଧନ ଦେଉଳ ସେବାରେ ଲାଗିଲା ତା’ବି ବିଚାର୍ଯ୍ୟ । କଳାବଜାରୀର ଧନ ଦେବଭୋଗ୍ୟ ନୁହେଁ ।

 

ଶୁଣାଯାଉଛି ପୁରୀ ମନ୍ଦିର ବେଢ଼ା ଚଟାଣରେ ମାର୍ବଲ ପଡ଼ିବା ବନ୍ଦକର । ଆଉ ଗୋଟିଏ ବିପଦ ଦେଖାଯାଉଛି ଯେ ପ୍ରାଚୀନ ସ୍ମୃତିର ମାଟି ଉପରେ ଅର୍ବାଚୀନ ଓ ବିଦେଶୀ ସୌଧ ନିର୍ମାଣ କରିବା । ତା’ର ଜ୍ଵଳନ୍ତ ଉଦାହରଣ ଧଉଳିଗିରିରେ ଜାପାନୀ ବୁଦ୍ଧି ଓ ସମୂଳ ସାହାଯ୍ୟ ସହିତ ଏ ଦେଶ ଧନରେ ନିର୍ମିତ “ଶାନ୍ତିସ୍ତୂପ” । ସ୍ତୂପଟି ଅନ୍ୟ କୌଣସି ଢିପ ଉପରେ ତୋଳା ହୋଇଥିଲେ କହିବାକୁ କିଛି ନଥିଲା । ଓଡ଼ିଶାରେ ଅସଂଖ୍ୟ ଅନାମଧେୟ ପର୍ବତ ଅଛି । ନିତାନ୍ତ ଦରକାର ଭାବିଲେ ବଛା ହୋଇ ପାରିଥାନ୍ତା । କିନ୍ତୁ ଦୁର୍ଭାଗ୍ୟକୁ ବଛା ହେଲା ଧଉଳି । ଆଗ ଦେଖିବା ସେ ସ୍ତୂପର ଶିଳ୍ପ । ଓଡ଼ିଶା ଦେଉଳପାଇଁ ପ୍ରସିଦ୍ଧ । ଏ ଦେଉଳମାନଙ୍କ ଗଠନ ଶୈଳୀ ଓ ସୌନ୍ଦର୍ଯ୍ୟ ଅତୁଳନୀୟ । ଏଗୁଡ଼ିକ ଏଭଳି ଗଢ଼ା ହୋଇଛନ୍ତି ଯେ ସତେ ଯେପରି ଦେଉଳ ସବୁ ଏ ମାଟିରୁ ବାହାରିଛନ୍ତି ।

 

ସଂକ୍ଷେପରେ ନିମ୍ନ କେତୋଟି ପ୍ରସ୍ତାବ ମୁଁ ଆଗତ କରୁଛି :–

 

୧.

କୋଣାର୍କ ଦେଉଳର ଶିଳ୍ପ ଭାସ୍କର୍ଯ୍ୟ ଉପରେ ବା ଅନ୍ୟ କେଉଁଠି ଲୁହାବୁରୁଶ୍ ଆଦି କଳିଶ ରମ୍ପା ବ୍ୟବହାର କରାନଯାଉ, ଯାକଲେ ମୂର୍ତ୍ତି ବା କାରୁକାର୍ଯ୍ୟ ତିଳେହେଲେ ଘୋରିହେବ କି ବିଲତ ହେବ ତାହା ନିଷିଦ୍ଧ ।

 

 

୨.

ମନ୍ଦିର ସଂସ୍କାର କାର୍ଯ୍ୟ ଉପଯୁକ୍ତ ବିଶାରଦଙ୍କ ତତ୍ତ୍ଵାବଧାନରେ ଉପଯୁକ୍ତ ଲୋକଙ୍କ ଦ୍ଵାରା ହେଉ । ସାଧାରଣ କୁଲି ମଜୁରିଆଙ୍କ ହାତରେ ଛାଡ଼ି ଦିଆ ନ ଯାଉ ।

 

 

୩.

ସଂସ୍କାର କାର୍ଯ୍ୟପାଇଁ ପୃଥିବୀର ଉନ୍ନତତମ ଜ୍ଞାନ ଆହରଣ କରି ବିନିଯୋଗ କରାଯାଉ, ପ୍ରୟୋଜନ ହେଲେ ବିଦେଶୀ ବନ୍ଧୁ ରାଜ୍ୟମାନଙ୍କରୁ ସାହାଯ୍ୟ ନିଆଯାଉ ।

 

 

୪.

ଶିଳ୍ପର ପ୍ରାଚୀନତାକୁ ଆଧୁନିକ କରିବାକୁ କୌଣସି ପ୍ରୟାସ ନ ହେଉ, ରଙ୍ଗ ବୋଳିବା ଆଦି ନିଷିଦ୍ଧ ହେଉ ।

 

 

୫.

କୋଣାର୍କ ଦେଉଳରେ ଓ ଅନ୍ୟ ଯେ କୌଣସି ଦେଉଳରେ ଫ୍ଳଡ଼ ଲାଇଟିଂ ନହେଉ, ନିଷିଦ୍ଧ ହେଉ ।

 

 

୬.

କୋଣାର୍କ ଦେଉଳ ପାଚିରି ଆହୁରି ଉଚ୍ଚ କରାଯାଉ । ମୂର୍ତ୍ତି ଆଦି ଚୋରିହାରି ସବୁ ପ୍ରକାର ସମ୍ଭାବନା ବନ୍ଦହେଉ ।

 

 

୭.

କୋଣାର୍କର ଭଗ୍ନ କୁଢ଼ରୁ ଯାହା ଶିଳ୍ପ ମିଳୁଛି ଶୀଘ୍ର ବାଛି ତାଲିକା କରି ସେଠି ମ୍ୟୁଜିୟମ କରି ସାଇମ ହେଉ ।

 

 

୮.

କୌଣସି ପ୍ରାଚୀନ କୀର୍ତ୍ତି ଅନ୍ୟ ପାଖରେ କୌଣସି ଅର୍ବାଚୀନ ଶିଳ୍ପ ଗଢ଼ା ନ ହେଉ, କୋଠାବାଡ଼ି ନ ହେଉ, ହୋଟେଲ ଆଦି ନ ହେଉ ।

 

 

୯.

କୋଣାର୍କ ଦେଉଳ ଚାରିପଟେ ଅଧ ମାଇଲିଏ ଭିତରେ ଅନ୍ୟ ସବୁ ଦେଉଳ ଚାରିପଟେ ଦୁଇ ଫର୍ଲଂ ଭିତରେ କୌଣସି ଘରଦ୍ଵାର ନ ରହୁ, ଖାଲି ରାସ୍ତା, ଘାସ, ପାର୍କ ଓ ଫୁଲ ବଗିଚା ଏତିକି ରହୁ । ପ୍ରାଚୀନ କୀର୍ତ୍ତିଗୁଡ଼ିକ ବ୍ୟକ୍ତିଗତ ଦାଉରୁ ମୁକ୍ତ କରାଯାଉ ।

 

 

୧୦.

ଭାରତ ସରକାରଙ୍କ ଆର୍କ୍ୟୋଲଜି ଡିପାର୍ଟମେଣ୍ଟ, ଓଡ଼ିଶା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ, ଆହୁରି ବହୁଗୁଣ ଅଧିକ କରି କାର୍ଯ୍ୟପରିସର ବଢ଼ାନ୍ତୁ, ସ୍ଥାନୀୟ ଶିଳ୍ପୀଙ୍କୁ ତାଲିମ ଓ ନିଯୁକ୍ତି ଦିଅନ୍ତୁ । ଓଡ଼ିଶାର ଜନମତ ସହିତ ସମ୍ପର୍କ ରଖି କାର୍ଯ୍ୟକରନ୍ତୁ ଓ କେଉଁ କ’ଣ କରୁଛନ୍ତି ଓ କରିବେ ତା’ର ତ୍ରୈମାସିକ ବିବରଣୀ ପ୍ରଚାର କରନ୍ତୁ ।

Image

 

ଫୈୟାଜ୍ ଖାଁ

ବାମାଚରଣ ମିତ୍ର

 

ତାନ୍‌ସେନ୍ ପ୍ରଥମେ ଥିଲେ ରାମତନୁ ପାଣ୍ଡେ । ଏକ କ୍ଷୁଦ୍ର ଭୂଖଣ୍ଡର ନବାବଙ୍କ ସେ ଥିଲେ ପରମବନ୍ଧୁ ଓ ସଭାଗାୟକ । ରାମତନୁ ଥିଲେ ହରିଦାସ ବାବାଜିଙ୍କ ଶିଷ୍ୟ । ସଙ୍ଗୀତ ମାଧ୍ୟମରେହିଁ ସେ ଆଧ୍ୟାତ୍ମିକ ଆନନ୍ଦ ପାଇଥିଲେ; ଭଗବାନ୍‍ଙ୍କୁ ପାଇଥିଲେ । ରାମତନୁଙ୍କ ପ୍ରତିଭା ଦିନେ ଆକବର ବାଦ୍‌ଶାହଙ୍କ କର୍ଣ୍ଣରେ ପହଞ୍ଚିଲା । ସେ ନବାବଙ୍କୁ ଆଦେଶ ଦେଲେ ରାମତନୁ ପାଣ୍ଡେଙ୍କୁ ତାଙ୍କ ଦରବାରକୁ ପଠାଇବାକୁ । ଏଥିରେ ନବାବ ବଡ଼ ଚିନ୍ତିତ ହେଲେ, କାରଣ ସେ ଜାଣିଥିଲେ ଆକବର ଯେମିତି ଗୁଣଗ୍ରାହୀ ରାମତନୁଙ୍କ ଗାନ ଶୁଣି ସେ ତାଙ୍କୁ ଆଉ ଛାଡ଼ିବେ ନାହିଁ । ରାମତନୁ ତାଙ୍କୁ ଆଶ୍ଵାସଦେଇ କହିଲେ ସେ ନିଶ୍ଚୟ ଫେରି ଆସିବେ ବାଦ୍‍ଶାହଙ୍କୁ ଗାନ ଶୁଣାଇ । ବାଦ୍‍ଶାହଙ୍କ ଦରବାରରେ ରାମତନୁ ଗାନ କଲେ । ବାଦ୍‍ଶାହ ମୁଗ୍ଧ ହୋଇ ଶୁଣିଲେ । ତା’ପରେ ତାଙ୍କୁ ମହା ମଉଜମଜଲିସ ଭିତରେ ରଖିଲେ; କିନ୍ତୁ ରାମତନୁ ଫେରିଯିବାକୁ ଜିଦ୍ କଲେ । ଆକବର ସେଇଠୁ ନିଜର ଏକ ସଙ୍ଗୀତପ୍ରେମୀ କନ୍ୟାଙ୍କ ସହିତ ରାମତନୁର ପରିଚୟ କରାଇଦେଲେ । ଦୁହେଁ ସଙ୍ଗୀତପ୍ରେମୀ, ସେଥିରେ ପୁଣି ବାଦ୍‍ଶାହ-ନନ୍ଦିନୀ ଅପୂର୍ବ ସୁନ୍ଦରୀ । ରାମତନୁ ବାନ୍ଧିହୋଇ ରହିଲେ । ରହିଲେ ଖାଲି ନୁହେଁ, ମୁସଲମାନ ଧର୍ମ ଗ୍ରହଣ କରି ନାଁ ନେଲେ ମିଆଁ ତାନ୍‌ସେନ୍ । ତାଙ୍କ ପରେ ଫୈୟାଜ୍ ଖାଁଙ୍କ ଭଳି ସଙ୍ଗୀତପ୍ରତିଭା ଭାରତରେ ଆଉ ଜନ୍ମଗ୍ରହଣ କରିନାହାନ୍ତି କହିଲେ ବୋଧହୁଏ ଅତ୍ୟୁକ୍ତି ହେବନାହିଁ । ବଡ଼େ ଗୁଲାମ ଅଲିଖାଁ, କାଲେ ଖାଁ ସାହେବ, ମୌଜୁଦ୍ଦୀନ, ରତନ ଜନକର (ଯାହାଙ୍କ ଏକ ଶିଷ୍ୟ ହେଉଛନ୍ତି କଟକ ଆକାଶବାଣୀର ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷକ ଶ୍ରୀ କ୍ଷିତିଶ ମୈତ୍ର) ପାଲୁସକର, ପଟବର୍ଦ୍ଧନ, ମଲ୍ଲିକାର୍ଜୁନ ମନ୍‌ସୁର୍, ଗହର୍‌ଜାନ୍, ମାଲ୍‌କାଜାନ୍ (ଆଗ୍ରାୱାଲୀ) ରସଲୁନ ବାଈ, ଗିରିଜା ଦେବୀ, ସିଦ୍ଧେଶ୍ଵରୀ ଦେବୀ, ଗଙ୍ଗୁବାଇ ହଂଗଲ୍, ନିସାର ହୁସେନ୍ ଖାଁ, ଜ୍ଞାନ ଗୋସ୍ଵାମୀ, ଗୋପାଲ୍ ବାନାର୍ଜୀ, ଯଦୁନାଥ ଭଟ୍ଟ, ଭୀଷ୍ମଦେବ ଚଟ୍ଟୋପାଧ୍ୟାୟ, ସୁନନ୍ଦା ପଟ୍ଟନାୟକ ଆଦି ଅନୁଭବୀ ଗାୟକଗାୟିକାଙ୍କ ପ୍ରତିଭାରେ ଭାରତ ଉଜ୍ଜ୍ଵଳ । ହେଲେ ଆଫ୍‌ତାବ୍-ଏ-ମୌମିବି ଫୈୟାଜ୍ ଖାଁ ସାହେବଙ୍କ କୀର୍ତ୍ତି ଏମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏ ହେଉଛନ୍ତି ‘ରଙ୍ଗିଲା’ ଘରାନା (School)ର ଗାୟକ । ନାଦିର ଶାହଙ୍କ ଭାରତ ଆକ୍ରମଣ ବେଳର ଦିଲ୍ଲୀର ନବାବ ମହମ୍ମଦ ଶାହା ରଙ୍ଗିଲାଙ୍କ ନାମରେ ଏ ଘରାନା ନାମିତ । ଏ ନବାବ ଏଡ଼େ ସଙ୍ଗୀତପ୍ରେମୀ ଥିଲେ ଯେ ଶତ୍ରୁ ଦୁର୍ଗ ଆକ୍ରମଣ କଲେ ମଧ୍ୟ ସଙ୍ଗୀତଶ୍ରବଣରେ ମଜଗୁଲ ଥାଇ ସୈନ୍ୟଚାଳନା ପାଇଁ ଆଦେଶ ଦେବାକୁ ଭୁଲିଗଲେ । ଫଳରେ ରାଜ୍ୟ ହରାଇଲେ ।

 

ବ୍ୟାସ ଓ ବାଲ୍ମୀକିଙ୍କ ମଧ୍ୟରେ, ଆଧ୍ୟାତ୍ମିକତା ଓ ନୈତିକତା ମଧ୍ୟରେ, ଅଦ୍ଵୈତ ଓ ଦୈତ୍ୟ ମଧ୍ୟରେ, ଐଶ୍ଵର୍ଯ୍ୟ ଓ ମାଧୁର୍ଯ୍ୟ ମଧ୍ୟରେ ଏକ କଥାରେ ଶ୍ରୀକୃଷ୍ଣ ଓ ଶ୍ରୀରାମଙ୍କ ମଧ୍ୟରେ ଯେଉଁ ପାର୍ଥକ୍ୟ, ସେଇ ପାର୍ଥକ୍ୟ ଅଛି ଏକ ପକ୍ଷରେ ତାନ୍‌ସେନ୍ ଓ ଫୈୟାଜ୍ ଖାଁଙ୍କ ଓ ଅନ୍ୟ ପକ୍ଷରେ ଉପରଲିଖିତ ଗାୟକ-ଗାୟିକାଙ୍କ ମଧ୍ୟରେ । ମାଧୁର୍ଯ୍ୟଭାବ ହେଉଛି ଏକ ନିର୍ଦ୍ଦିଷ୍ଟ ସୀମିତ ଭାବ । କିନ୍ତୁ ଐଶ୍ଵର୍ଯ୍ୟଭାବ ହେଉଛି ଏକ ଅନିର୍ଦ୍ଦିଷ୍ଟ ଅସ୍ପଷ୍ଟ ଭାବ–ଯାହାକୁ ବର୍ଣ୍ଣନା କରି ହୁଏନା । ଗୋଲାପଟି ଦେଖିଲେ ବା ଥଣ୍ଡା ପବନ ଦେହରେ ଲାଗିଲେ ଯେଉଁ ଅନୁଭୂତି ହୁଏ ତାହା ନିର୍ଦ୍ଦିଷ୍ଟ ସୀମିତ; କିନ୍ତୁ ଗୋଲାପଫୁଲ ଓ କୁଷ୍ଠରୋଗୀର ଘା, ଥଣ୍ଡା ପବନ ଓ ଦାବାନଳ ଏକହିଁ ଶକ୍ତିର ବିଭିନ୍ନ ପ୍ରକାଶ । ଏ କଥା ଅନୁଭବ କଲେ ଯେଉଁ ଭାବ ଜନ୍ମେ ତାହା ଅସ୍ପଷ୍ଟ ଅସୀମ, ଅବର୍ଣ୍ଣନୀୟ; ଏବଂ ଏହି କାରଣରୁହିଁ ଏହା ଏପରି ଏକ କୋହ ସୃଷ୍ଟି କରେ ଯାହାକୁ କୁହାଯାଇପାରେ ଚିରବିରହ ଅବସ୍ଥା । ପ୍ରଣୟିନୀ ବା ପ୍ରଣୟୀକୁ ଛାତିରେ କୁଣ୍ଢାଇ ଧରିରଖିଥିଲେବି ସେ କୋହ ଯାଏଁ ନାହିଁ–ମନେ ହୁଏ ମିଳନ ସମ୍ପୂର୍ଣ୍ଣ ହେଉ ନାହିଁ । ଶ୍ରୀରାଧା ଏହି ଚିରବିରହ ଅବସ୍ଥାରେହିଁ ରହୁଥିଲେ; ପ୍ରତ୍ୟେକ ଜୀବର ଆତ୍ମା ମଧ୍ୟ । ପ୍ରତ୍ୟେକ ରସ, ପ୍ରତ୍ୟେକ ବସ୍ତୁ, ପ୍ରତ୍ୟେକ ଭାବ, ପ୍ରତ୍ୟେକ ଜୀବ, ପ୍ରତ୍ୟେକ ସୃଷ୍ଟି, ପ୍ରତ୍ୟେକ ପରମାଣୁ ଅନ୍ୟଠାରୁ ଭିନ୍ନ । ଏ ତତ୍ତ୍ଵ ମାଧୁର୍ଯ୍ୟ ତତ୍ତ୍ଵ । ପୁଣି ସବୁ ଏକ, ଏ ତତ୍ତ୍ଵ ଐଶ୍ଵର୍ଯ୍ୟ ତତ୍ତ୍ଵ । ସବୁ ରସ ଓ ଭାବ ଯେଉଁଠି ଏକ ହୋଇ ଯାଆନ୍ତି ସେ ଭାବ ମହାଭାବ । ତେଣୁ ନଅ ପ୍ରକାର ବିଭିନ୍ନ ରସ (ହାସ୍ୟ, ବୀର ଇତ୍ୟାଦି) ସାହିତ୍ୟରେ ଥିଲେହେଁ କୁହାଯାଇଛି–ପ୍ରକୃତରେ ଗୋଟିଏ ମାତ୍ର ରସ ଅଛି, କରୁଣ ରସ । ‘ଏକୋରସଃ କରୁଣ ଏବ ନିମିତ୍ତଭେଦାତ୍’–ଭବଭୂତି । ଦାର୍ଶନିକ ଅଭିନେତା ଚାର୍ଲି ଚାପ୍‌ଲିନ୍ ତାଙ୍କ ଅପୂର୍ବ ଚଳଚିତ୍ରମାନଙ୍କରେ ଏହାହିଁ ଦର୍ଶାଇଛନ୍ତି ଅତ୍ୟନ୍ତ ମର୍ମସ୍ପର୍ଶୀ ଭାବରେ । ସବୁ ବସ୍ତୁ, ଜୀବ, ଭାବ, ରସର ମିଳନସ୍ଥଳୀ ପ୍ରତି ଯେଉଁ ପ୍ରେମ ଓ ତଜ୍ଜନିତ ବେଦନା ବା କୋହ, ଆକୁତି ଜନ୍ମେ ତାହାହିଁ ଚିରବିରହ ଅବସ୍ଥା ।

 

ଫୈୟାଜ୍ ଖାଁ ସାହେବଙ୍କ ସଙ୍ଗୀତ ଏହି କୋହ ସୃଷ୍ଟି କରୁଥିଲା । ତାଙ୍କ ‘ବନ୍ଦେ ନନ୍ଦକୁମାରମ୍’ (କାଫୀ ଠୁଙ୍ଗରୀ) ଅନ୍ତତଃ ରେକର୍ଡ଼ରେ ଯେ ଶୁଣିଛନ୍ତି ସେ ଅନୁଭବ କରିଛନ୍ତି । ଐଶ୍ଵର୍ଯ୍ୟଭାବ ପ୍ରକାଶକ ଥିବା ହେତୁରୁ ତାଙ୍କ ସଙ୍ଗୀତରେ ତେଣୁ କାରୁକାର୍ଯ୍ୟ ବା ଆଳଙ୍କାରିକତା ନଥିଲା । ଯଦିଓ ସେ ଧ୍ରୁପଦ, ଧାମାର, ଖେୟାଲ, ଠୁଙ୍ଗୁରୀ–ଏମିତି କି ଗଜଲ ଓ ଦାଦରାବି ଗାଇଯାଇଚନ୍ତି ଏବଂ ରବୀନ୍ଦ୍ରନାଥଙ୍କ ଭଳି ସବୁଥିରେ ତାଙ୍କର ପ୍ରତିଭାର ଛାପ ରଖିଯାଇଛନ୍ତି, ତଥାପି ସେ ଧାମାର (ଧ୍ରୁପଦ ଗୋଷ୍ଠୀର ଅନ୍ୟ ଏକ ଢଙ୍ଗ) ଗାୟକଭାବେ ପ୍ରସିଦ୍ଧି ଲାଭ କରିଥିଲେ-। ଧ୍ରୁପଦ ଷ୍ଟାଇଲ (ସୁର ବା ରୀତି)ରେ କୌଣସି ପ୍ରକାଶ ଆଳଙ୍କାରିକତା ନିଷିଦ୍ଧ । ଧ୍ୱନି ସବୁ ସିଧାସଳଖ ହେବା ଦରକାର । ଧ୍ରୁପଦ, ଧାମାର, ଖେୟାଲ, ଠୁଙ୍ଗୁରୀ, ଗଜଲ, ଦାଦରା ସମସ୍ତେ ଶାସ୍ତ୍ରୀୟ ସଙ୍ଗୀତ । ହେଲେ ଉପରେ ଯାହା କୁହାହୋଇଥିବା କ୍ରମ ଅନୁସାରେ ଯେତେ ତଳ ଆଡ଼କୁ ଯାଉଥିବ ସେତେ ମାଧୁର୍ଯ୍ୟଭାବ ଓ ଭାବପ୍ରବଣତା ଏବଂ ଇନ୍ଦ୍ରିୟାବେଗ (Sense Apeal) ବେଶି ବେଶି ହେଉଥିବ ଓ ଆଳଙ୍କାରିକତା ବେଶି ବେଶି ପ୍ରକାଶ ପାଉଥିବ । କିନ୍ତୁ ଯତ୍ ସ୍ଵଳ୍ପମ୍, ତତ୍ ଇଷ୍ଟମ୍ । ଅତ୍ୟଧିକ ଅଳଙ୍କାର, ଯମକ, ଆଡ଼ମ୍ବର, ପ୍ରତୀକ, ଉପମା ଆଦିର ପ୍ରୟୋଗ କଳାକୁହିଁ ବଧ କରେ । ଆଧୁନିକ ଗାନରେ ଯେଉଁ ମାତ୍ରାର ଓ ପ୍ରକାରର ଭାବପ୍ରବଣତା ଓ ଆଳଙ୍କାରିକତା ଦେଖାଯାଏ, ଶାସ୍ତ୍ରୀୟ ସଙ୍ଗୀତରେ ସେମିତି ନଥାଏ । ଭଗବାନ୍ ବ୍ୟାସଦେବ ମହାଭାରତର ଲକ୍ଷ୍ୟ ବ୍ରହ୍ମାଙ୍କୁ କହିବାକୁ ଯାଇ କହିଥିଲେ ଯେ ମୁଁ ନାନାପ୍ରକାର ଚରିତ୍ର ବର୍ଣ୍ଣନା କରିବି କିନ୍ତୁ ସମସ୍ତେ ଯେ ଗୋଟିଏ ମାତ୍ର ପରମବସ୍ତୁ ପାଇଁ ବ୍ୟାକୁଳ ସନ୍ଧାନରେ ବ୍ୟାପୃତ (ଜାଣତରେ ବା ଅଜାଣତରେ) ତାହାହିଁ ପ୍ରତିପାଦିତ କରିବି । ସେମିତି ଧ୍ରୁପଦ, ଧାମାର, ଖେୟାଲ, ସୁଙ୍ଗୁରୀ, ଗଜ୍‌ଲ, ଦାଦରା, କାଜ୍‌ରୀ ଆଦି ବିଭିନ୍ନ ଷ୍ଟାଇଲ ବା ସୁରରେ ଗାଇଥିଲେହେଁ ସବୁଥିରେ ଫୈୟାଜ୍ ଖାଁ ସେଇ କୋହ (କରୁଣରସ)ହିଁ ପ୍ରକାଶ କରୁଥିଲେ । ଏ କୋହ ନିର୍ଭର କରେ ନୀତିପାଳନ ଉପରେ ନୁହେଁ, ଗାୟକଙ୍କ ଅନୁଭବ ଉପରେ ।

 

ଥରକର ଗୋଟିଏ ଘଟନା । ଖାଁ ସାହେବଙ୍କୁ ସେତେବେଳେ ଷାଠିଏ ସରିକି ବୟସ । ସେତେବେଳକୁ ସେ ଏତେ ବିଖ୍ୟାତ ଯେ ତାଙ୍କର ଆଫ୍‌ତାବ୍-ଏ-ମୌସିକି (ଯାହାର ଅର୍ଥ ‘ସଙ୍ଗୀତ ସୂର୍ଯ୍ୟ’ ଏବଂ ଯାହାକୁ ୧୯୧୧ ସାଲରେ ମାତ୍ର ତିରିଶବର୍ଷ ବୟସରେ ମହୀଶୂର ରାଜାଙ୍କ ପାଖରୁ ପାଇଥିଲେ । ଏହା ସହିତ ପାଇଥିଲେ ନାନାପ୍ରକାର ବହୁମୂଲ୍ୟ ରତ୍ନଖଚିତ ଗୋଟିଏ ସୁନାବଳା । ଖାଁ ସାହେବ ଏହାକୁ ବାମ ହାତରେ ପିନ୍ଧି ଆସରରେ ଗାଇଥିଲେ । ତାନ ଦେବାବେଳେ ହାତ ଟେକିଲେ ସେଥିରୁ ଚିକ୍‍ଚିକ୍ ଜ୍ୟୋତିଃ ବାହାରି ଅପୂର୍ବ ଶୋଭା ଧାରଣ କରୁଥିଲା । ଥରେ ଲକ୍ଷ୍ନୌର ଏକ ଜଲସାରେ କ୍ଷିତିଶବାବୁ କୌତୂହଳୀ ହୋଇ ଅତି ବିନୟର ସହିତ ଖାଁ ସାହେବଙ୍କୁ ସେଟା କ’ଣ ବୋଲି ପଚାରିବାରୁ ଖାଁ ସାହେବ ତା’ର ଇତିହାସ କହି ହାତରୁ ଖୋଲି ସେଟି ତାଙ୍କୁ ଦେଖାଇ ଦେଇଥିଲେ) ଉପାଧି ମ୍ଳାନ ହୋଇଯାଇଥାଏ । କଲିକତାରେ ଗୋଟିଏ ବଡ଼ ଜଲସା ବସିଥାଏ । ଭାରତର ଶ୍ରେଷ୍ଠ ଗାୟକମାନେ ସେଠାରେ ସମବେତ ହୋଇଥାନ୍ତି । ଜଣେ ଦୁଇଜଣ ଗାଇବା ପରେ ସିଦ୍ଧେଶ୍ଵରୀ ଦେବୀ ଧରିଲେ “ମିଆଁ କି ମଲ୍ଲାର” ରାଗର ଖେୟାଲ ମିଆଁ ବୋଇଲା ମିଆଁ ତାନ୍‌ସେନ୍, ଆକବର ବାଦ୍‌ଶାହଙ୍କ ପୃଥିବୀବ୍ୟାପୀ ଖ୍ୟାତି ସୌଧର ଯିଏ ଅନ୍ୟ ଏକ ପ୍ରଧାନ ସ୍ତମ୍ଭ । ତାନ୍‌ସେନ୍ ତାଙ୍କ କନ୍ୟାର ବାହାଘରବେଳେ ଜୋଇଁଙ୍କୁ ଯୌତୁକ ଦେଇଥିଲେ ଶହେଟି ରାଗ–ଯାହାର ଅର୍ଥ ତାନ୍‌ସେନ୍ ବଞ୍ଚିଥିବା ଯାଏଁ ସେ ସବୁ ରାଗ ଆଉ ଗାଇବେ ନାହିଁ । କମ୍ ବଡ଼ ଯୌତୁକ ନୁହେଁ । ଏଥିରୁ ମିଆଁଙ୍କ ରାଗ ସମ୍ପତ୍ତି କେତେ ଅଗାଧ, କଳନା କରିହୁଏ । ଏହି ଦୌହିତ୍ର ବଂଶର ପ୍ରଖ୍ୟାତ ଗୁଣୀ ହେଲେ ଉଜିର ଖାଁ ସାହେବ । ପୁତ୍ର-ପୌତ୍ର ବଂଶ ସ୍ଥାପନ କଲେ ସେନୀ ଘରାନା ।

 

ମଲ୍ଲାର ରାଗ ହେଉଚି ମେଘ ଓ ବର୍ଷା କାଳର ରାଗ, ଯେମିତି ରାମକେଲୀ, ଗୁନ୍ କେଲୀ, ଲଲତ୍ ପଞ୍ଚମ ଆଦି ସମସ୍ତେ ଭୈରବୀ ରାଗ (ସୂର୍ଯ୍ୟୋଦୟ ବେଳାର ରାଗ) ଗୋଷ୍ଠୀର ହେଲେବି ସୂର୍ଯ୍ୟୋଦୟର ଏବଂ ତା’ ସହିତ ପଦ୍ମଫୁଟିବାର ବିଭିନ୍ନ ଭାବାବସ୍ଥାର ବିଭିନ୍ନ ଭାବ ଫୁଟାଏ, ସେମିତି କେତେକ ମଲ୍ଲାରରେ ପାଇବେ ବତାସ ଓ ଝଡ଼ ତୋଫାନର ସୁମ ସନଭନ, ଆଉ କେତେକରେ ବର୍ଷାର ରୁମୁଝୁମୁ ସଙ୍ଗୀତ, ପୁଣି ଆଉ କେତେକରେ ପାଇବେ ମୟୂର ବା ଦର୍ଦ୍ଦୁର (ବେଙ୍ଗ)ର ପୁଲକ । ଆଉ ଏକ ଶ୍ରେଣୀର ମଲ୍ଲାର ଦିଏ ଭିଜା ଓ ଥଣ୍ଡା ପବନର ମଧୁରତା । ଆଉ କେତେକର ଅନୁଭବ କରିବେ ମେଘର ଘନଘଟା, ବିଜୁଳିର ଚମକ, ଏମିତିକି କରକାପାତ ।

 

ସିଦ୍ଧେଶ୍ଵରୀ ଦେବୀ ଏକ ଅପୂର୍ବ ଗାୟିକା, ଗଳାଟି ଟିକିଏ ମର୍ଦାନା । ତେଣୁ ମଲ୍ଲାର ରାଗ ସେ ଗଳାକୁ ଖୁବ୍ ଖାପିଯାଏ । ତାଙ୍କ ଆଳାପରେ ‘ମେଘ ଯେ ମାଳ ମାଳ ହୋଇ ଗଗନ ପଥେ, ବିରାଜଇ’ର ଶୋଭା ଧାରଣ କଲା । ମନେହେଲା ଯେମିତି କୁଆଡ଼ୁ କୁଆଡ଼ୁ କଳା ଘୁସୁରିଆ ମେଘ ଆସି ଜମା ହେଉଛନ୍ତି ଆକାଶରେ । ଆଳାପ ପରେ ବିଳମ୍ବିତ ଲୟରେ ସେ ଯେତେବେଳେ ଗାଇଲେ ସେତେବେଳେ ପ୍ରକଟିତ ହେଲା ମେଘର ଗୁରୁଗୁରୁ ଗର୍ଜନ ଓ ବିଦ୍ୟୁତ୍‍ର ଝଲକ ମଝିରେ ମଝିରେ । ଦ୍ରୁତ ଲୟରେ ଖାଇଲାବେଳକୁ ବର୍ଷଣ । ଅପୂର୍ବ ସେ ସଙ୍ଗୀତ, ସଭାସ୍ଥ ସମସ୍ତେ ହାୟ ହାୟ କରି ଉଠିଲେ ।

 

ଖାଁ ସାହେବ ବସିଥାନ୍ତି ସିଦ୍ଧେଶ୍ଵରୀ ଦେବୀଙ୍କ ଠାରୁ ଅଳ୍ପ ଦୂରରେ । ସେ ପ୍ରଶଂସା ଜ୍ଞାପନ କଲେ ସତ, ସେଥିରେ ଯେମିତି ପ୍ରାଣ ନଥିଲା, ମନେହେଲା, ସେ ଯେମିତି ମନକଷ୍ଟ ପାଇଛନ୍ତି । କିନ୍ତୁ କେଉଁଥିପାଇଁ ? ଯାହାହେଉ, ତାଙ୍କୁ ଯେତେବେଳେ ଅନୁରୋଧ କରାଗଲା ଗାଇବାକୁ ସେ ଧରିଲେ ସେଇ “ମିଆଁ କି ମଲ୍ଲାର” । ଭଦ୍ର ଓ ଗୁଣୀମାନଙ୍କ ସଙ୍ଗୀତ ସଭାରେ ଏହା ମହା ଅସୌଜନ୍ୟମୂଳକ କଥା, ଜଣେ, ବିଶେଷରେ ଜଣେ ନାରୀ, ଗୋଟିଏ ରାଗରେ ଗାଇବା ପରେ ତାଙ୍କ ପରବର୍ତ୍ତୀ ଗାୟକ ବା ଗାୟିକା ସେହି ରାଗରେ ଗାଇବା ଅଭଦ୍ରତା ବୋଲି ଧରାହୁଏ । ଖାଁ ସାହେବଙ୍କ ଭଳି ଗୁଣୀ, ବିନୟୀ, ଭଦ୍ରଲୋକ ଏପରି କରିବାରୁ ସମସ୍ତେ ଅବାକ ହେଲେ । କେହି କେହି କ୍ଷୁଣ୍ଣ ମଧ୍ୟ ହେଲେ, ସିଦ୍ଧେଶ୍ଵରୀ ଦେବୀଙ୍କ ମୁହଁ କାଳିଆ ପଡ଼ିଗଲା ।

 

କିନ୍ତୁ ଖାଁ ସାହେବ ଦଶମିନିଟ ସରିକି ଆଳାପ କରିବା ପରେ କଥାଟା ଜଣାପଡ଼ିଲା ଯେ ‘ମିଆଁ କି ମଲ୍ଲାର’ର ମର୍ଯ୍ୟାଦାହାନିରେ ସେ କ୍ଷୁଣ୍ଣ ହୋଇ ଏହା କଲେ, ସିଦ୍ଧେଶ୍ଵରୀ ଦେବୀ ଯାହାକଲେ ବା ସବୁ ମଲ୍ଲାରର ଯାହା ପ୍ରକଟିତ ହୁଏ, ତା’ ହେଉଚି ମଲ୍ଲାରର ବହିରଙ୍ଗ । ମିଆଁ ତାନ୍‌ସେନ୍ ମଲ୍ଲାରର ଯେଉଁ ଅପୂର୍ବ ନୂତନ ରୂପ ଦେଲେ ଏବଂ ଯେଉଁଥିପାଇଁ ତାଙ୍କ ନାମ ସହିତ ସେ ରାଗର ନାମଟି ଯୋଡ଼ା ହୋଇ ‘ମିଆଁ କି ମଲ୍ଲାର’ ନାମରେ ପ୍ରସିଦ୍ଧି ଲାଭ କଲା, ସେ ରାଗରେ ପ୍ରକଟିତ ହେଲା ମଲ୍ଲାରର ଖାଲି ମାଧୁର୍ଯ୍ୟ ଭାବଟି ନୁହେଁ, ଐଶ୍ଵର୍ଯ୍ୟ ଭାବ–ସେଇ କୋହ (ତାନ୍‌ସେନ୍‌ଙ୍କ ସୁଯୋଗ୍ୟ ପୁତ୍ର ବିଲାସ୍ ଖାନ ତୋଡ଼ି ରାଗରେ ଯେଉଁ ନୂତନ ରୂପ ଦେଲେ ତାହା ମଧ୍ୟ ‘ବିଲାସ୍ ଶାନୀ ତୋଡ଼ି’ରୂପେ ପରିଚିତ ହୋଇ ରହିଲା) । ମହାକବି କାଳିଦାସ ‘ମେଘଦୂତ’ରେ ନାନାପ୍ରକାର ମେଘର ବର୍ଣ୍ଣନା ଦେଇଛନ୍ତି ଓ ତା’ ସହିତ ନାନା ଦେଶ ଓ ଲୋକର ବର୍ଣ୍ଣନା । କିନ୍ତୁ ସବୁଥିରେ ପ୍ରଚ୍ଛନ୍ନ ଓ ଗଭୀର ଭାବରେ ରହିଚି ‘କଶ୍ଚିନ୍ତ କାନ୍ତା’ ଯୁଗର ଗୁରୁ ବିରହ । ନାନା ଜାତିର ମେଘ, ଦେଶ, ଲୋକ ଦେଖି ଜଣେ ବିରହୀ ଯେପରି ଭାବରେ ବର୍ଣ୍ଣନା ଦେବ, ସେହିପରି ଭାବରେ ବର୍ଣ୍ଣିତ ହୋଇଛି । ମେଘଦୂତ କାବ୍ୟର ଛାନ୍ଦ ମନ୍ଦାକ୍ରାନ୍ତା ଛନ୍ଦ ତ କୋହ ପ୍ରକାଶକ ଛନ୍ଦ, ଏହି ବିରହଭାବ ଯେମିତି ମେଘଦୂତର ଆତ୍ମା, ସେଇ କୋହ ସେମିତି ମିଆଁ କି ମଲ୍ଲାର ରାଗର ଆତ୍ମା ।

 

ଦେଖିବାକୁ ଗଲେ ସାହିତ୍ୟର ବ୍ୟାପକ ଅର୍ଥ ଭିତରେ ସଙ୍ଗୀତ, ନୃତ୍ୟ, ଚିତ୍ରକଳା, ସ୍ଥାପତ୍ୟ ଲିଖିତ ଭାଷା ସବୁ ଅନ୍ତର୍ଭୁକ୍ତ ହେଲେହେଁ ଶାସ୍ତ୍ରୀୟ ସଙ୍ଗୀତହିଁ ଏକମାତ୍ର ମାଧ୍ୟମ ଯିଏ ସେଇ ଅନିର୍ବଚନୀୟ କୋହ ପ୍ରକାଶ କରିପାରେ । ଏହାର କାରଣ ବୋଧହୁଏ ଶାସ୍ତ୍ରୀୟ ସଙ୍ଗୀତରେ ଭାଷା ପ୍ରାଧାନ୍ୟ ନ ପାଇ ଧ୍ୱନି ପ୍ରାଧାନ୍ୟ ପାଏ ବୋଲି । ସ୍ଵାମୀହରା ସ୍ତ୍ରୀ ଯେତେବେଳେ କାନ୍ଦେ ସେତେବେଳେ ସେଥିରେ ଆଉ ଭାଷା ଥାଏ । କେବଳ ଧ୍ୱନିରେ ବୁଝାପଡ଼େ ଶୋକ କେତେ ଗଭୀର । ଭାଷା ଥିଲେବି ଅସ୍ପଷ୍ଟ ବା ଅର୍ଦ୍ଧୋଚ୍ଚାରିତ । ଆଖିରୁ ପାଣି ଝରିବା ଅବସ୍ଥାବି ନ ଥାଏ । ଆକାର, ଅଙ୍ଗଭଙ୍ଗୀ ବା ଭାଷା ମାଧ୍ୟମରେ ଯାହା ପ୍ରକାଶ ପାଏ ତା’ର ଗୋଟିଏ ନିର୍ଦ୍ଦିଷ୍ଟ ସୀମିତ ଅର୍ଥ ଥାଏ । ତେଣୁ ବ୍ୟାପ୍ତି ମଧ୍ୟ ସ୍ପଷ୍ଟ, ନିର୍ଦ୍ଦିଷ୍ଟ ସୀମିତ । ତେବେ ଏ ସୀମାକୁ ଯେଉଁ ଶିଳ୍ପୀ ଯେତେ ବଢ଼ାଇ ପାରିଚି ସିଏ ସେତେ ବଡ଼ ଶିଳ୍ପୀ ।

 

ଖାଁ ସାହେବଙ୍କ ଆଳାପ ଚାଲିଥିଲାବେଳେ ସମସ୍ତେ ଅନୁଭବ କଲେ ଛାତି ଭିତରେ ଏକ ଅପୂର୍ବ ଚାପ, ନିଜକୁ ଅଜାଡ଼ିଦେବାର ବେଦନା । ସେ ଯେତେବେଳେ ବିଳମ୍ବିତ ଲୟରେ ଗାଇଲେ ସେ ବେଦନା ଯେପରି ଠେଲି ଉଠୁଥାଏ ବାହାରକୁ । ସେତେବେଳେ କାହାରି ଆଉ କିନ୍ତୁ କହିବାର ଅବସ୍ଥା ନ ଥାଏ । ସମସ୍ତଙ୍କ ମୁଣ୍ଡ ତଳକୁ ନଇଁପଡ଼ି ଥାଏ ଗଭୀର ବେଦନା ବୋଧରେ । ଦ୍ରୁତ ଲୟରେ ଗାଇବାବେଳକୁ ସମସ୍ତଙ୍କ ଆଖିରେ ପାଣି । ପାଣି ଗଡ଼ିପଡ଼ୁ ନ ଥାଏ, କାଳେ ରସଗ୍ରହଣରେ ବାଧା ହେବ ବୋଲି, ଆଖିବି ଶୁଖିଗଲା । ଗୀତ ଶେଷବେଳକୁ ସମସ୍ତେ ଖାଁ ସାହେବଙ୍କୁ ଅଭିବାଦନ ଦେଇବି ପାରିଲେ ନାହିଁ । ସଭାଟି ଦୀର୍ଘଶ୍ଵାସରେ ଭରିଗଲା । ସଭା ନୀରବ, ସମସ୍ତେ ଧ୍ୟାନସ୍ଥ ।

 

କିଛିକ୍ଷଣ ପରେ ଯାଇ ସମସ୍ତେ ଖାଁ ସାହେବଙ୍କୁ ନୀରବରେ ସଲାମୀ କରି ଅଭିନନ୍ଦନ ଜଣାଇଲେ; ସିଦ୍ଧେଶ୍ଵରୀ ଦେବୀଙ୍କ ଅସୌଜନ୍ୟ କଥା ସମସ୍ତେ ଭୁଲିଗଲେ । ସମସ୍ତେ ଅନୁଭବ କଲେ ‘ମିଆଁ କି ମଲ୍ଲାର’ର ଅନ୍ତରଙ୍ଗ ଭାବଟି ଯେମିତି ସୁପ୍ରତିଷ୍ଠିତ ହେଲା ।

 

ଖାଁ ସାହେବ ଆଉଥରେ ଏପରି ‘ଅସୌଜନ୍ୟ’ ପ୍ରକାଶ କରିଥିଲେ । ଏଥର ପ୍ରେମିକାର ମର୍ଯ୍ୟାଦା ରକ୍ଷାପାଇଁ । ସ୍ଥାନ ଦିଲ୍ଲୀ, ପ୍ରସିଦ୍ଧ ସୁରସିକ ବିରାଟ୍ ଧନୀ ସିଂଜୀଙ୍କ ଘରେ ଜଲସା ବସିଥାଏ । ଖାଁ ସାହେବ ସେତେବେଳେ ମସ୍‌ଗୁଲ । ଶୁଣାଯାଏ, ଏ ଦୁହିଁଙ୍କ ପ୍ରେମ କଦାପି ଭାଷା ମାଧ୍ୟମରେ ପ୍ରକାଶ ପାଇନାହିଁ । ପ୍ରକାଶ ପାଇଛି କେବଳ ରାଗ ଓ ଇଙ୍ଗିତ ମାଧ୍ୟମରେ । ଦୁହେଁହିଁ ଭାରି ସଂଯତ ଓ ଭଦ୍ର । ମାଲ୍‌କା ମଧ୍ୟ ସେ ଜଲସାକୁ ନିମନ୍ତ୍ରିତ ହୋଇଥିଲେ । ସେ ତାଙ୍କ ମା’ଙ୍କ ସହିତ ଆସିଥିଲେ ।

 

ଆଉ ନିମନ୍ତ୍ରିତ ହୋଇଥିଲେ ଗହର୍‌ଜାନ୍ । ସେ ମଧ୍ୟ ଆସିଥାନ୍ତି ତାଙ୍କ ମା’ଙ୍କ ସହିତ । ସେତେବେଳେ ଗହର୍‍ଜାନ୍‍ଙ୍କ ବୟସ ଚାଳିଶ ସରିକି, କିନ୍ତୁ ସେ ଥିଲେ ଅନନ୍ତ ଓ ଚିରଯୌବନ; ଅର୍ଥାତ୍ କାଳଦୃଷ୍ଟିରୁ ତାଙ୍କ ଯୌବନ ଚିର ଏବଂ ବ୍ୟାପ୍ତି ଦୃଷ୍ଟିରୁ ଅନନ୍ତ । ରବୀନ୍ଦ୍ରନାଥଙ୍କ ଭାଷାରେ ସିଏ ଥିଲେ ସେଇ ନାରୀ ଯିଏ ‘ନହମାତା ନହ କନ୍ୟା, ନହବଧୂ’ । ଯାହାଙ୍କ ନାରୀତ୍ଵ କୌଣସି ନିର୍ଦ୍ଦିଷ୍ଟ ରୂପରେ ବା ଉଦ୍ଦେଶ୍ୟରେ ଆବଦ୍ଧ ନୁହେଁ । ସେ ଥିଲେ ମୂର୍ତ୍ତିମତୀ ଆକର୍ଷଣ ଶକ୍ତି, ଅଥଚ ସେ ଆକର୍ଷଣର କୌଣସି ଉଦ୍ଦେଶ୍ୟ ନାହିଁ ବା ଲକ୍ଷ୍ୟ ନାହିଁ । ସେ ପ୍ରବେଶ କରନ୍ତି ସମସ୍ତ ଅଙ୍ଗରେ ଏକ ଅପୂର୍ବ ଲୀଳା ଚପଳତା ଖେଳାଇ । ରୂପ ସଜ୍ଜାରେ, ପ୍ରୌଢ଼ାବସ୍ଥାରେ ମଧ୍ୟ, ଷୋଡ଼ଶୀର ଗର୍ବ ଓ ଗୌରବ । ଗମନଭଙ୍ଗୀରେ ଥିଲା ଅପୂର୍ବ ହିଲ୍ଲୋଳ । ଏ ସବୁ ଯେ ଜାଣିଶୁଣି ଯୋଜନା କରିଅଛନ୍ତି, ତା’ ନୁହେଁ, ଏ ତାଙ୍କ ଦୈବୀଗୁଣ । ସେ ଥିଲେ ‘ଉଷାର ଉଦୟ ସମ ଅନବଗୁଣ୍ଠିତା,’ ଅକୁଣ୍ଠିତା । ତାଙ୍କର କଥାବାର୍ତ୍ତା, ଚାଲିଚଳନରେ କୌଣସି କୁଣ୍ଠା ନଥିଲା । ସଭାରେ ବସିଛନ୍ତି; ପାଖରେ ତାଙ୍କର ବସିଛନ୍ତି ଜଣେ ଗୁଣୀ ଯାହାଙ୍କୁ ସେ ଆଦୌ ଚିହ୍ନନ୍ତି ନାହିଁ ଓ ଆଳାପ ପରିଚୟ ହୋଇନାହିଁ । ବାହାରକୁ ଟିକିଏ ଯିବା ଦରକାର ପଡ଼ିଲା । ଅକୁଣ୍ଠିତ ଚିତ୍ତରେ ଓ ବିନା ଦ୍ଵିଧାରେ ଗହର୍‍ଜାନ୍ ସେ ଭଦ୍ର ଲୋକଙ୍କ କାନ୍ଧରେ ଭରାଦେଇ ଉଠିପଡ଼ିଲେ । ସମସ୍ତେ ଅବାକ । କିନ୍ତୁ ସେ କିଛି ଜାଣନ୍ତି ନାହିଁ । ଏଥିପାଇଁ ସେ ତାଙ୍କର ଗୁରୁଜନମାନଙ୍କଠାରୁ ଅନେକ ତୀବ୍ର ଭର୍ତ୍ସନା ଶୁଣିଛନ୍ତି; ସବୁ ମୁଣ୍ଡପାତି ସ୍ଵୀକାର କରିଛନ୍ତି; କିନ୍ତୁ ସ୍ଵଭାବ ବଦଳାଇ ପାରି ନାହାନ୍ତି । ମରାଳକୁ ଯଦି କୁହାଯାଏ, ‘ତୁ ଆଉ ସେମିତି ଚାଲନା’ ତେବେ ସେ କ’ଣ ସେ କଥା ମାନି ପାରିବ ? ଯଦି ବା ମାନେ ତେବେ କ୍ଷତି କାହାର ? ତାଙ୍କୁ ଦେଖିଲେ ‘ମୁନିଗନ ଧ୍ୟାନ ଭାଙ୍ଗି ଦେୟ ପଦେ ତପସ୍ୟାର ଫଲ’ ଅବସ୍ଥା ହୁଏ । ସେଥିପାଇଁ ତାଙ୍କର ଗୋଟାଏ ବଦନାମ ଥିଲା ଯେ, ସେ ଡାହାଣୀ, ସମସ୍ତଙ୍କର କଳାହରଣ କରି ନିଅନ୍ତି । ସେଥିରେ ପୁଣି ସେ ଥିଲେ ଅସାଧାରଣ ପ୍ରତିଭାବାନ୍ ଗାୟିକା । ଗାନ କରିବାବେଳେ ତାଙ୍କର ଅପୂର୍ବ ମୁଖ-ବିଳାସ, ଭାବଭଙ୍ଗୀ ଶ୍ରୋତାମାନଙ୍କୁ ଅବଶ କରିଦେଉଥିଲା ।

 

ସେ ଜଲସାରେ ପ୍ରଥମେ ଗାଇଲେ ମାଲାକାଜାନ୍ । ପ୍ରେମିକ ଫୈୟାଜ୍ ଖାଁଙ୍କୁ ଥରେମାତ୍ର ତାଙ୍କ ଚାହାଣିରେ ଚାହିଁ ଧରିଲେ ଧାମାର । ଅପୂର୍ବ ଗଳା, ଅପୂର୍ବ ପ୍ରସ୍ତୁତି, ଅପୂର୍ବ ଭଙ୍ଗୀ-। ଆଉ ଦୁଇଟି ଧାମାର ପରେ ମାଲ୍‌କା ଠୁଙ୍ଗୁରୀ ଗାଇଲେ । ସେଥିରେ ପ୍ରକାଶ ପାଇଲା ଯେମିତି ଜ୍ୟୋତିଃ, ସେମିତି ତାବିଶ (ତାପ) ଓ ମିଠାସ୍ (ମିଷ୍ଟତା) ଏହାପରେ ଗୋଟିଏ ଗାଜଲ ଗାଇ ସେ ସଭାର ମିଜାଜ ଖୁସ୍ କରିଦେଲେ । ସେତେବେଳକୁ ବାଜିଥାଏ ରାତି ସାଢ଼େ ଏଗାର-। ଆରମ୍ଭ ହୋଇଥିଲା ସନ୍ଧ୍ୟାବେଳେ ।

 

ଗହର୍‌ଜାନ୍ ବେଶ୍ ଉପଭୋଗ କରୁଥିଲେ । ମାଲ୍‍କାଙ୍କ ମା’ଙ୍କ ମୁହଁ ଗର୍ବରେ ଉଜ୍ଜ୍ଵଳ । କିନ୍ତୁ ଗହର୍‍ଙ୍କ ମା’ଙ୍କ ଆଖି ସେତେବେଳେ ହିଂସା ଓ କ୍ରୋଧରେ ଦପ୍ ଦପ୍ ଜଳୁଥାଏ । ମାତୃତ୍ଵର ଏ ଆଉ ଏକ ରୂପ, ଆଉ ଏକ ବିକାଶ । ସେ ମନେ ମନେ କହୁଥାନ୍ତି, ମୋ ଝିଅ ଗାଆନ୍ତା କି, ପୋଡ଼ାମୁହିଁଙ୍କୁ ଦେଖନ୍ତି ! କିନ୍ତୁ ମୁହଁ ଖୋଲି ଏ କଥା କହିପାରୁ ନଥାନ୍ତି । ସଭାସ୍ଥ ଲୋକେ କିନ୍ତୁ ସେତେବେଳକୁ ଗୋଟାଏ ମଜା ଦେଖିବାକୁ ଇଚ୍ଛା କଲେଣି । କଥାଟା ଫୁସୁରୁଫାସର ହେଉ ହେଉ ପ୍ରକାଶ ପାଇଗଲା । ପ୍ରଥମେ ଗୁରୁଜନମାନେ ଏଥିରେ ରାଜି ହେଉ ନଥିଲେ; କିନ୍ତୁ ସମସ୍ତଙ୍କ ଚାପରେ ରାଜି ହେଲେ । ଗହର୍‍ଜାନ୍‍ଙ୍କୁ ଅନୁରୋଧ କରାଗଲା ଯଥାରୀତି ।

 

ଗହର୍‍ଜାନ୍ ବସିଥିବା ସ୍ଥାନରୁ ଆଗେଇ ଆସିଲେ । ତାଙ୍କ ମା ବାଘୁଣୀ ତା’ ଛୁଆକୁ ଜଗିବା ଭଳି ଥାବା ପକାଇବସିଲେ । ଗହର୍‍ଜାନ୍ ପ୍ରଥମେ ଏକ ଅପୂର୍ବ କାଣ୍ଡ କଲେ; ଏକ ଅଭୂତପୂର୍ବ, ଅଦୃଷ୍ଟପୂର୍ବ, ଅଶ୍ରୁତପୂର୍ବ କାଣ୍ଡ । ଛିଡ଼ା ହୋଇପଡ଼ି ଦରବାରି ରାଗର ‘ତେରାନା’ ଗାଇ ନାଚିଲେ ।

 

‘ତେରାନା’ ବିଷୟରେ ଏଠାରେ ଟିକିଏ କହିବାକୁ ପଡ଼ୁଛି, କାରଣ ତାହାହେଲେ ଯାଇ କାଣ୍ଡଟିର ଅଦ୍ଭୁତତା ହୃଦୟଙ୍ଗମ କରିହେବ । ‘ତେରାନା’ ବା ‘ତେରେନାମ୍’ ଶବ୍ଦଟି ଆସିଛି ‘ହରିଓଁ’ରୁ-। ମୁସଲମାନମାନେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଜନ୍ମଦାତା; କିନ୍ତୁ ତାହା ଆସିଚି ହିନ୍ଦୁ ପଦ୍ଧତିରୁ-। ଖେୟାଲ ଢଙ୍ଗରେ ପ୍ରଥମେ ଆଳାପ, ତା’ପରେ ବିଲମ୍ବିତ ଲୟରେ ଗାନ, ତା’ପରେ ଦ୍ରୁତ ଲୟରେ ଗାନ । ସବାଶେଷରେ କେହି କେହି ‘ତେରାନା’ ଗାଆନ୍ତି । ସାଗରର ମଧ୍ୟଭାଗରେ ନିସ୍ତରଙ୍ଗ ଅବସ୍ଥା ବା ଅତି ସାନ ସାନ ଢେଉ ସହିତ ଆଳାପର ତୁଳନା କରାଯାଇପାରେ-। ଭାବ ସେତେବେଳେ ଗଭୀର, ଥଳକୂଳ ନାହିଁ । ଲୟ ଅଛି କିନ୍ତୁ ତାଳ ନାହିଁ । କୂଳ ଆଡ଼କୁ ଆସିଲେ ଦେଖିବେ ତା’ପରେ ବଡ଼ବଡ଼ ଢେଉ, ଫୁଲି ଫୁଲି ଉଠିଚି ବିଲମ୍ବିତ ଲୟରେ । ତା’ପରେ କୂଳର ନିକଟବର୍ତ୍ତୀ ହେଲେ ଢେଉଗୁଡ଼ିକର ଗତି ଖୁବ୍ ଦ୍ରୁତ, ଭାଙ୍ଗିଭାଙ୍ଗି ପଡ଼ୁଚି । କୂଳର ଅତି ନିକଟରେ ଅତି ସାନ ସାନ ଢେଉ ଟିକିଏ ଉଠି ଭାଙ୍ଗିପଡ଼ୁଚି । କୂଳକୁ ଭଗବାନ୍ ବୋଲି ଭାବନ୍ତୁ-। କୂଳ ପାଇଗଲେ ମୁହଁରେ ଖାଲି ‘ହରିଓଁ, ହରିଓଁ’ ଅତି ଦ୍ରୁତ ଭାବରେ । ଏହି ଅବସ୍ଥାରେ ଏକ ଉଦ୍ଦାମ ଭାଙ୍ଗି ପ୍ରକାଶ ପାଏ ‘ହରିଓଁ’ ରେ । ହିନ୍ଦୁଙ୍କ ଗାନ ଏହି କ୍ରମରେହିଁ ହେଉଥିଲା । ଖେୟାଲ ମଧ୍ୟ ସେଇ କ୍ରମରେ ଗୀତ ହେଲା । ମୁସଲମାନମାନେ ‘ହରିଓଁ’ କଥା ବୁଝି ନ ପାରି ହେଉ ବା ‘ହରି’ ମୁହଁରେ କହିବେ ନାହିଁ ବୋଲି ହେଉ ‘ହରିଓଁ’କୁ କଲେ ‘ତେରେନୋମ୍’ ଏବଂ ତାହାକୁ ରାଗ, ଲୟ ଆଦି ସହିତ ଏକ ସଙ୍ଗୀତରୂପ ଦେଲେ; ଯଥା–ଦ୍ରିମ୍ ତେରେନା, ତେରେ ତେରେନା, ତେରେ ନୋମ୍ ଇତ୍ୟାଦି । ଭାଷା ବିଲ୍‌କୁଲ୍ ନାହିଁ–ଖାଲି ଧ୍ୱନି ।

 

ଗହର୍‍ଜାନ୍ ଏହିପରି ଗୋଟିଏ ତେରେନା ଗାଇଲେ । ତା’ ପୁଣି ଦରବାରି ଭଳି ଏକ ମହା ଐଶ୍ଵର୍ଯ୍ୟଭାବଜ୍ଞାପକ ରାଗର ତେରେନା କଳ୍ପନା କରନ୍ତୁ, ବ୍ରହ୍ମାଙ୍କ ସଭା । ଅବର୍ଣ୍ଣନୀୟ । ତା’ର ରୂପ କ୍ଷଣେ କ୍ଷଣେ ବଦଳେ । ସବୁ ଦେବଦେବୀମାନେ ଆସନ ଗ୍ରହଣ କରିଛନ୍ତି । ଗାୟକ ବିଷ୍ଣୁଙ୍କ ଗୁଣ କୀର୍ତ୍ତନ କରୁଛନ୍ତି ଏବଂ ତେଣୁ ବ୍ରହ୍ମାଣ୍ଡ ସୃଷ୍ଟି ଓ ଲୟ ବର୍ଣ୍ଣନା କରୁଛନ୍ତି । ସେ ଯେଉଁ ରାଗରେ ଏ ଐଶ୍ଵର୍ଯ୍ୟ ବର୍ଣ୍ଣନା କରୁଥିବେ ତାହାରି ଦରବାରି ରାଗ (ସୁନାମଧନ୍ୟ ମଲ୍ଲିକାର୍ଜୁନ ମନସୁର୍ ଥରେ ରାମଦାସୀ ମଲ୍ଲାର ସହିତ ଦରବାରି କାନଡ଼ାର ସ୍ପର୍ଶ ଦେଇ ଏପରି ଅଭୂତଭାବ ସୃଷ୍ଟି କଲେ ଯେ ସମ୍ବାଦପତ୍ରମାନଙ୍କରେ ତାହାର ଭୂୟସୀ ପ୍ରଶଂସା କରା ହୋଇ କୁହାହୋଇଥିଲା ଯେ ଶ୍ରୋତାମାନେ ଆଧ୍ୟାତ୍ମିକ ଆନନ୍ଦର ସ୍ଵାଦୁ ପାଇଥିଲେ; ଅର୍ଥାତ୍ ଦରବାରି କାନଡ଼ା ଓ ମଲ୍ଲାର ଦୁଇଟି ଭିନ୍ନ ଭାବର ରାଗ ହେଲେହେଁ ସେ ଦୁଇ ଭାବର ମିଳନ ବିନ୍ଦୁ ପର୍ଯ୍ୟନ୍ତ ମଲ୍ଲିକାର୍ଜୁନ ମନ୍‌ସୁର୍ ଶ୍ରୋତାମାନଙ୍କୁ ନେଇଯାଇଥିଲେ) । ସେଇ ରାଗର ତେରାନାରେ ଗହର୍‍ଜାନ୍ ନାଚିଲେ । ତେରାନା ସହିତ ନୃତ୍ୟ, ତା’ ପୁଣି ଦରବାରିର ତେରାନା; କିନ୍ତୁ ଗହର୍ ପକ୍ଷରେ ଏହା ସମ୍ଭବ ।

 

ସେଇ ଗୋଟିଏ କାଣ୍ଡରେ ସମସ୍ତଙ୍କ ମୁଣ୍ଡ ବୁଲିଗଲା । ମାଲ୍‌କାଜାନଙ୍କ ମା’ଙ୍କ ମୁହଁ କାଳିଆ ପଡ଼ିଗଲା । ମାଲ୍‌କାଜାନଙ୍କରବି ସେଇ ଅବସ୍ଥା । ତା’ପରେ ଗହର୍‍ଜାନ୍ ଯେତେବେଳେ ସୁଙ୍ଗୁରୀ ଓ ପରେ ପରେ ଗଜଲ ଓ ଦାଦରା ଗାଇଲେ ସେତେବେଳେ ସମସ୍ତେ କାହିଲ୍ । ମାଲ୍‌କାଙ୍କ ମା ଝିଅର ମୁହଁ ଦେଖି ତୀବ୍ର ବ୍ୟଥା ପାଇଲେ । କିନ୍ତୁ ମାଲ୍‍କାଜାନଙ୍କ ମୁହଁରେ ତଥାପି ଗହର୍‍ଙ୍କ ପ୍ରତି ତାରିଫ ଫୁଟି ଉଠୁଥାଏ । କିନ୍ତୁ ତାଙ୍କ ମା ଖାଲି କ୍ରୋଧରେ ଫୁଲୁଥାନ୍ତି । ଫୈୟାଜ୍ ଖାଁ ସାହେବ ଉଦାସ ଭାବରେ ଚାହୁଁଥାନ୍ତି, ମାଲ୍‌କାଙ୍କ ଆଡ଼େ । ମାଲ୍‌କାଙ୍କ ଜୁଲୁସ୍ ଫିକା ପଡ଼ିଯିବାରୁ ସମସ୍ତେ ଦୁଃଖିତ । ମାଲ୍‌କାଙ୍କ ମର୍ଯ୍ୟାଦା ଫେରାଇ ଆଣିବାପାଇଁ ସମସ୍ତେ ଚିନ୍ତିତ । କିନ୍ତୁ ତା’ଠୁ ବେଶି ଦୁଃଖିତ ଏଇଥିପାଇଁ ଯେ ‘ରଙ୍ଗିଲା’ ଘରାନା ଭଳି ଏତେ ଉଚ୍ଚ ଏବଂ ଗମ୍ଭୀର ‘ଘରାନା’ ତା’ ତୁଳନାରେ ଗୋଟାଏ ଅତି ହାଲୁକା ସଙ୍ଗୀତର ବେଗରେ ଭାସିଗଲା ।

 

ସେ ଘରାନାର ମର୍ଯ୍ୟାଦା ବର୍ତ୍ତମାନ ଫୈୟାଜ୍ ଖାଁ ଛଡ଼ା ଆଉ କେହି ଫେରାଇ ଆଣିପାରିବେ ନାହିଁ । ତେଣୁ ସମସ୍ତେ ତାଙ୍କ ଆଡ଼କୁ ଚାହିଁଲେ । କିନ୍ତୁ ସେ କହିଲେ–ଜନାବ, ବର୍ତ୍ତମାନ ଅବସ୍ଥାରେ ଆଉ କିଛି କରିହେବ ନାହିଁ । ତାଙ୍କ ‘ଘରାନା’ର ସୁଉଚ୍ଚ ମର୍ଯ୍ୟାଦା କଥା କହି, ତାଙ୍କର ଭୂୟସୀ ପ୍ରଶଂସା କରି ସମସ୍ତେ ନାନା ଭାବରେ ତାଙ୍କ ଉପରେ ଚାପ ପକାଇଲେ । କିନ୍ତୁ ତାଙ୍କ ମୁହଁରେ ଗୋଟିଏ କଥା–ଜନାନାଙ୍କ ଜଙ୍ଗଲରେ ସେ ଗାଇବେ ନାହିଁ । ଜନାନାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ତାଙ୍କ ଘରାନାର ଆଦତ ନୁହେଁ । ଯାହାହେଉନା ପଛେ ସେ ତାହା କରି ଘରାନାର ମର୍ଯ୍ୟାଦାକୁ ଧୂଳିସାତ୍ କରିପାରିବେ ନାହିଁ । ଜନାନାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ ? ଛି-! ଲୋକେ କ’ଣ କହିବେ । ଏକଜିଦ୍–ସେ ଗାଇବେ ନାହିଁ ।

 

ଏତିକିବେଳେ ତେଜନାରାୟଣଜୀ କହିଲେ, ଭାଇ ଇୟେଭି ତୋ ଜେରା ଖ୍ୟାଲ କରୋ ମାଲ୍‍କା କୈସା ଦୁଃଖ୍ ପାୟି । ଉସକା ଦହନ୍ ଭି ତୋ ସମାଝନା ଚାହିଁ । ମାଲ୍‌କା ପ୍ରାଣରେ କେତେ ଆଘାତ ଲାଗିଚି ଏଟା ତ ବୁଝିବା ଉଚିତ ।

 

ଫୈୟାଜ୍ ଥିଲେ ଖାଣ୍ଟି ମରଦ । ସେଇ ଗୋଟିଏ କଥାରେ ସେ ସିଧା ହୋଇ ବସିଲେ । ପ୍ରେମିକାର ମର୍ଯ୍ୟାଦାପାଇଁ ସେ ନିଜର ଓ ଘରାନାର ମର୍ଯ୍ୟାଦା ତ୍ୟାଗ କରିଦେବେ । କହିଲେ; ଅବ୍ ଯୋ କୁଛ ଭି ହୋ ପରୱା ନ କରୁଙ୍ଗା ! ଅପୂର୍ବ ! ଅପୂର୍ବ !

 

ତା’ପରେ ତାଙ୍କୁ ଆଦବ କାଇଦା ଅନୁସାରେ ଯଥାରୀତି ନିମନ୍ତ୍ରଣ କଲାପରେ ସେ ସିଧା ହୋଇ ବସିଲେ । ଆଖିରେ ତାଙ୍କର ପ୍ରେମର ଅପୂର୍ବ ଆବେଗ । ସମସ୍ତେ ଉତ୍କଣ୍ଠାର ସହିତ ଅନାଇ ରହିଲେ । ଖାଁ ସାହେବ ଚାରିଆଡ଼କୁ ଦୃଷ୍ଟି ବୁଲାଇଆଣି ଦୃଷ୍ଟି ସ୍ଥିର କରି ଧରିଲେ “ମିଆଁ କି ମଲ୍ଲାର”ର ଆଳାପ । ଧାମାରର ଆଳାପ ଆଉ କେଉଁ ରାଗ ବା ସେ ଅବସ୍ଥାରେ ଧରିପାରିଥାନ୍ତେ ! ସେ ଆବେଗ ସେ କାକୁତି ଆଉ କେଉଁ ରାଗରେ ଅବା ପ୍ରକାଶ ପାଇଥାନ୍ତା ! ମୁହୂର୍ତ୍ତକ ଭିତରେ ସୁର ଲାଗିବାମାତ୍ରକେ ଗହର୍‍ଜାନ୍‌ଙ୍କ ସ୍ମୃତି ଧୋଇଗଲା । କ୍ରମେ କ୍ରମେ ସଭାସ୍ଥ ଲୋକେ ଅଧୀର ଭାବରେ ଖାଲି ଛାତି ଆଉଁଶିବାକୁ ଲାଗିଲେ । ସମସ୍ତଙ୍କ ଛାତିରେ କୋହ ଭରିଯାଉଥାଏ । ଇଆଡ଼େ ମେଘର ଘନଘଟାକୁ ଦେଖିବେ ନା ଛାତି ଭିତରର କୋହକୁ ସମ୍ଭାଳିବେ । ମେଘ ଓ କୋହ ଯେମିତି ଏକ, ସେ କୋହ ପୁଣି ଏମିତି ଯେ ସମସ୍ତଙ୍କୁ ଚାହିଁ ଖାଲି କନ୍ଦିବାକୁ ଇଚ୍ଛା । ଏକ ଅପୂର୍ବ ବେଦନା । ଆଳାପ ପରେ ଧାମାର ଆରମ୍ଭ କଲାବେଳକୁ ମାଲ୍‍କା ଓ ମାଲ୍‍କାଙ୍କ ମା ଏବଂ ଗହର୍ ଓ ତାଙ୍କ ମା ପରସ୍ପର ହିଂସା ଭୁଲିଯାଇ ପରସ୍ପରକୁ ମୁଗ୍ଧ ଦୃଷ୍ଟିରେ ଅନାଉଥାନ୍ତି । (ଉତ୍କୃଷ୍ଟ କଳା ହିଂସାକୁବି ଉଠାଇ ନେଇଯାଏ ।) ଗାନ ଶେଷକରି ଫୈୟାଜ୍ ଧୀରେ ଧୀରେ ଉଠିଗଲେ । ସଭା ସ୍ତବ୍ଧ ।

 

କିନ୍ତୁ ଏଇ ଫୈୟାଜ୍ ପୁଣି ମୁସ୍ତରୀ ବାଈଙ୍କ ଗାନ ଶୁଣି ଏତେ ମୁଗ୍ଧ ହୋଇଗଲେ ଯେ ତାଙ୍କୁ ଯେତେବେଳେ ତା’ପରେ ଗାନ କରିବାକୁ କୁହାଗଲା ସେ କୌଣସିମତେ ଗାଇଲେ ନାହିଁ । ଇୟେ କଲିକତାର ଏକ ଜଲସାର କଥା । ୧୯୩୧ ସାଲ, ସଙ୍ଗୀତପାଇଁ ପୁରୁଷାନୁକ୍ରମେ ପ୍ରସିଦ୍ଧ ବିତ୍ତଶାଳୀ ବଡ଼ାଲ ପରିବାରର କଲିକତାସ୍ଥ ବିରାଟ୍ ବାସଗୃହରେ ପାଳିତ ହେଉଥାଏ ‘ଲାଲ୍‌ଚାନ୍ଦ ଉତ୍ସବ’ । (ପ୍ରେମଚାନ୍ଦ ବଡ଼ାଲ ଥିଲେ ପ୍ରସିଦ୍ଧ ଗାୟକ ଏବଂ ତାଙ୍କ ଯୋଗ୍ୟ ପୁତ୍ର ଥିଲେ ଲାଲଚାନ୍ଦ ବଡ଼ାଲ । ଲାଲଚାନ୍ଦଙ୍କ ତିନିପୁଅ ଭିତରୁ ରାଇଚାନ୍ଦ ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ । ଏହାଙ୍କର ଜଣେ ପ୍ରିୟ ଓ ସୁଯୋଗ୍ୟ ଶିଷ୍ୟ ଥିଲେ କେନ୍ଦ୍ରାପଡ଼ାର ବିଖ୍ୟାତ ନରେନ୍ଦ୍ର ବଂଶର ସ୍ଵର୍ଗୀୟ ଗୋକୁଳ ଶ୍ରୀଚନ୍ଦନ, ଯିଏ ସଙ୍ଗୀତପାଇଁ ବହୁ ତ୍ୟାଗ କରିଥିଲେ । ଗୋକୁଳ ଶ୍ରୀଚନ୍ଦନଙ୍କ ପ୍ରିୟ ଶିଷ୍ୟମାନଙ୍କ ଭିତରୁ ଜଣେ ହେଉଛନ୍ତି ବର୍ତ୍ତମାନ ଗାୟକ ଶ୍ରୀ ବାଳକୃଷ୍ଣ ଦାସ କିନ୍ତୁ ଦୁଃଖର କଥା ତାଙ୍କ କଣ୍ଠରୁ ଆଉ ଶାସ୍ତ୍ରୀୟ ସଙ୍ଗୀତ ଶୁଣାଯାଉ ନାହିଁ ।)

 

‘ଲାଲଚାନ୍ଦ ଉତ୍ସବ’ର ବିଶେଷତ୍ଵ ଥିଲା, ଭାରତର ନାନା ସ୍ଥାନ ସନ୍ଧାନ କରି ନୂତନ ଓ ଅପରିଚିତ ପ୍ରତିଭାକୁ ସମ୍ମାନ ଦେବା ଓ ଲୋକଲୋଚନକୁ ଆଣିବା । ଏହି ଅନୁସନ୍ଧାନର ଫଳ ହେଲା ସେ ବର୍ଷ ମୁସ୍ତରୀବାଈ । ତାଙ୍କ ନିବାସ ଥିଲା ଆଗ୍ରା ଜିଲ୍ଲାର ଏକ ନିପଟ ମଫସଲରେ । ସେଇଠି ସେ ଗୀତ ମଫସଲି ଗୁଣୀମାନଙ୍କୁ ଶୁଣାଉଥିଲେ । କେହି ତାଙ୍କୁ ଜାଣି ନଥିଲେ, ‘ଲାଲଚାନ୍ଦ ଉତ୍ସବ’ର ଅନୁସନ୍ଧାନୀ ଦଳରୁ ଜଣେ ତାଙ୍କୁ ବାହାର କରି କଲିକତାର ଗୁଣୀ ସମାଜକୁ ଆଣିଲେ ।

 

ସକାଳେ କେଉଁ ଅଧିବେଶନ ବସିଲା, ସେଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ କବି କାଜି ନଜରୁଲ ଇସ୍‌ଲାମ । ମୁସ୍ତରୀ ବାଈ ଏଇ ଅଧିବେଶନରେ ଧୂମକେତୁ ଭଳି ଉଦୟ ହେଲେ । ତାଙ୍କର ଅଭୂତ ନୈପୁଣ୍ୟ, କଣ୍ଠ ମାଧୁର୍ଯ୍ୟ ଓ ହୃଦୟସ୍ପର୍ଶୀ ଆବେଦନ ଶୁଣି ସମସ୍ତେ ହତବାକ୍ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ–କିଏ ଇୟେ । କବି ନଜରୁଲ ତ ଆଉ ଘରକୁ ଗଲେ ନାହିଁ । ଦିନଯାକ ମୁସ୍ତରୀ ବାଈଙ୍କ ଗାନ ଘରୋଇ ଭାବରେ ଶୁଣିବାପାଇଁ ସେଇଠି ରହିଗଲେ ।

 

ରାତିର ଅଧିବେଶନ ଆରମ୍ଭ ହେଲା । ଏ ଅଧିବେଶନରେ ଥିଲେ କବି ଇସ୍‌ଲାମ, ମଜିନ ଖାଁ, ଜ୍ଞାନ ଗୋସ୍ଵାମୀ । (ସେ ଫୈୟାଜ୍ ଖାଁଙ୍କ ଗୁଣ ମୁଗ୍ଧ ଥିଲେ ଯେ, ବ୍ରାହ୍ମଣ–ଶୁଣାଯାଏ ଚୈତନ୍ୟଙ୍କ ଅଷ୍ଟସଖା ଭିତରୁ ଜଣେ ପ୍ରଧାନ ସଖା ଅଦ୍ଵୈତଙ୍କ ବଂଶଧର ହୋଇ ସୁଦ୍ଧା ଫୈୟାଜ୍‍ଙ୍କ ଗୋଡ଼ ଘଷିଦେଉଥିଲେ) ଇତ୍ୟାଦି । ଆଉ ଥିଲେ ଫୈୟାଜ୍ ଖାଁ ।

 

ମୁସ୍ତରୀ ବାଈ ଗୁଣୀଜନମାନଙ୍କୁ ସଲାମ କରି ଗାନ ଧରିଲେ । ଶ୍ରୋତାମାନେ ମୁଗ୍ଧ ହୋଇଗଲେ କଣ୍ଠମାଧୁର୍ଯ୍ୟରେ । ରାଗର ଚିତ୍ର ବା ତାଳ-ଲୟର ପ୍ରୟୋଗ ଯଥାଯଥ ହେଲା କି ନାହିଁ ସେଥିପ୍ରତି କାହାରି ଦୃଷ୍ଟି ରହିଲା ନାହିଁ । ସମସ୍ତେ ଅନୁଭବ କଲେ ଏକ ଅପାର୍ଥିବ ସୁରବିହାର । ଉତ୍କୃଷ୍ଟ କଳାର ପ୍ରଭାବ ଏହିପରି ।

 

ଉଦ୍ୟୋକ୍ତମାନଙ୍କ ମଧ୍ୟରେ ମହାଭାଳେଣି ପଡ଼ିଲା, ଏହାପରେ କାହାକୁ ଗାଇବାକୁ କୁହାଯିବ । ମୁସ୍ତରୀ ବାଈଙ୍କୁ ଅତିକ୍ରମ କରି କିଏ ଗାଇବାକୁ ସକ୍ଷମ ହେବ ? ସମସ୍ତେ ଏକମତ ହେଲେ ଯେ ଫୈୟାଜ୍ ଖାଁଙ୍କ ଛଡ଼ା ଆଉ କେହି ପାରିବେ ନାହିଁ । ସମସ୍ତେ ତାଙ୍କୁ ଅନୁରୋଧ କଲେ-। ଖାଁ ସାହେବ କିନ୍ତୁ କହିଲେ, ମୋତେ ଆଜି ଏ ଆସରରେ ଗାଇବାକୁ କୁହନ୍ତୁ ନାହିଁ । ଏ ଗାନ ପରେ ମୋର ଗାଇବାର ମିଜାଜ ନାହିଁ । ସତ କହିବାକୁ ଗଲେ, ଏ ଗାନ ପରେ କାହାରି ଆଉ ଗାଇବା ଦରକାର ନାହିଁ, ମୁଁ ଅନ୍ତତଃ ପାରିବି ନାହିଁ । ଆଉ କାହାରି ଇଚ୍ଛାଥିଲେ ଗାଆନ୍ତୁ ।

 

ମୁସ୍ତରୀ ବାଈ ସେତେବେଳକୁ ଖାଁ ସାହେବଙ୍କ ପାଖକୁ ଯାଇ ତାଙ୍କ ପାଦ ଛୁଇଁ କହିଲେ–ଏ ଆପଣ କ’ଣ କହୁଛନ୍ତି; ଆପଣଙ୍କ ପାଖରେ ମୁଁ କି ଛାର !

 

ଖାଁ ସାହେବ କହିଲେ, ସେ ଯାହାହେଉ । ମୋ ହାଲ୍ ତ ଦେଖୁଛ । ତୁମ ଗାନ ଶୁଣୁଶୁଣୁ କାନ୍ଦି କାନ୍ଦି ମୋ ଗଳା ବସିଯାଇଛି । ଗାନ ଗାଇବି କେମିତି ?

 

ଏହାପରେ ଖାଁ ସାହେବଙ୍କୁ କେହି ଅନୁରୋଧ କଲେ ନାହିଁ । ତାଙ୍କ ସମଝ୍‌ଦାରି ଦେଖିବି ସମସ୍ତେ ଚମତ୍କୃତ । ସେ ଆସରରେ ଆଉ କେହିବି ଗାଇବାକୁ ଇଚ୍ଛା କରି ନଥିଲେ; ଏମିତି କି ବାଦ୍ୟଯନ୍ତ୍ର ବଜାଇବାକୁ ଇଚ୍ଛା କରି ନଥିଲେ ।

 

‘ଲାଲଚାନ୍ଦ୍ ଉତ୍ସବ’ରେ ଏହି ଗାନ ହେଉଥିଲାବେଳେ ରବୀନ୍ଦ୍ରନାଥ ସେ ଗାନ ଶୁଣୁଥିଲେ-। କବି ଫୋନ୍ କରି ପଚାରିଲେ, କିଏ ଏହି ଦେବୀ ଯାହାଙ୍କ ଅପୂର୍ବ ସଙ୍ଗୀତ ମୁଁ ଶୁଣିଲି-। ମୋର ଅନୁରୋଧ ଗୋଟିଏ ବିଶେଷ ଅଧିବେଶନର ଆୟୋଜନ କରି ମୋତେ ତାଙ୍କ ଗାନ ଶୁଣାନ୍ତୁ-

 

ଏପରି ଅଧିବେଶନ ଆୟୋଜିତ ହୋଇଥିଲା । ସେ ଅଧିବେଶନରେ ରବୀନ୍ଦ୍ରନାଥଙ୍କ ସହିତ ନଜରୁଲ ଇସ୍‌ଲାମ ମଧ୍ୟ ଥିଲେ । ମୁସ୍ତରୀ ବାଈ ଗୋଟିଏ ଖେୟାଲ ଗାଇବା ପରେ ଦୁଇଟି ରବୀନ୍ଦ୍ର ସଙ୍ଗୀତ ଗାନ କରିଥିଲେ । ଆଶ୍ଚର୍ଯ୍ୟର କଥା, ଇତିମଧ୍ୟରେ ସେ ବଙ୍ଗଳା ଶିଖି ରବୀନ୍ଦ୍ର ସଙ୍ଗୀତ ମଧ୍ୟ ହାସଲ କରିସାରିଥିଲେ । ଅତ୍ୟନ୍ତ ଦୁଃଖର କଥା ଯେ ମୁସ୍ତରୀ ବାଈ ଯକ୍ଷ୍ମା ରୋଗରେ ଅକାଳରେ ପ୍ରାଣତ୍ୟାଗ କଲେ ।

 

ଫୈୟାଜ୍ ଖାଁ ସାହେବଙ୍କ ପ୍ରୟାଣ ହେଲା ନଭେମ୍ବର ୧୯୫୦ରେ । ସେତେବେଳକୁ ତାଙ୍କ ବୟସ ଛଅସ୍ତରି ସରିକି । ପରିଣତ ବୟସ ହେଲେ ମଧ୍ୟ କଣ୍ଠର ଦୃଢ଼ତା ଟିକିଏବି ହ୍ରାସ ପାଇ ନଥିଲା । ଏ ଦେଶ କିନ୍ତୁ ଏମିତି ଯେ, ଏତେବଡ଼ ଗୁଣୀଙ୍କୁ ପ୍ରୟାଣ ସମ୍ବାଦ ଗୋଟାଏ ନଗଣ୍ୟ ସମ୍ବାଦ ଭଳି ସାନ ସାନ ଅକ୍ଷରରେ ସମ୍ବାଦପତ୍ରମାନଙ୍କର ଗୋଟାଏ କୋଣରେ ପ୍ରକାଶ ପାଇଥିଲା-

Image

 

ଦଶହରାର ଚିଠି

ଚିତ୍ତରଞ୍ଜନ ଦାସ

 

ଦଶହରା କହିଲେ ନାନା ଲୋକ ନାନାପ୍ରକାର ବୁଝନ୍ତି । ଏହାକୁ କିଏ ପିଠାପଣା ଓ ନୂଆ ଲୁଗା ବୋଲି ବୁଝେ ପିଲାଏ ଏହାକୁ ଇସ୍କୁଲରୁ ବେଶ୍ କେତେ ଦିନପାଇଁ ଛୁଟି ପାଇବା ବୋଲି ବୁଝନ୍ତି । କଲିକତାର ପ୍ରବାସୀ ଓଡ଼ିଆ ଏହାକୁ ଯେକୌଣସି ଉପାୟରେ ଛୁଟି ମଞ୍ଜୁର କରାଇ ସୁଦୂର ଓଡ଼ିଶାରେ ଥିବା ଆପଣା ଘରେ କେତେଦିନ ମୁହଁମାରି ଆସିବାକୁ ବୁଝନ୍ତି । ଧାର୍ମିକ ଲୋକେ ଏହାକୁ ଦୁର୍ଗାପୂଜା ବୋଲି ବୁଝନ୍ତି । ପଣ୍ଡିତମାନେ ଶାସ୍ତ୍ରର ଘୁମ ଭିତରେ ନାନାପ୍ରକାର ଯୁକ୍ତି ଓ ସ୍ଵକ୍ତି କାଢ଼ି ଦଶହରା-ଉତ୍ସବକୁ ହିନ୍ଦୁ ବା ଭାରତୀୟ ସଂସ୍କୃତିର ଏକ ମୂଲ୍ୟବାନ୍ ସମ୍ପଦ ବୋଲି ପ୍ରମାଣ କରି ଦେଖାଇବାର ଏକ ଉପାଦେୟ ଅବକାଶ ବୋଲି ବୁଝନ୍ତି ।

 

ଆଜିବି ମନେ ପଡ଼ୁଚି, ମୋର ସାହିତ୍ୟିକ ଓ ବିଚାରଗତ ଜୀବନର ଅତି ପିଲାଦିନେ ମୁଁ ଦଶହରା ବିଷୟରେ ଭାରି ସଉକରେ କବିତାଟିଏ ଲେଖିଥିଲି । ସେତେବେଳେ ମୁଁ କଟକ ଜେଲ୍‍ରେ ରାଜନୀତିକ ବନ୍ଦି ହୋଇ ରହିଥାଏ । ସନ ୧୯୪୩ ମସିହା, ବଙ୍ଗ ଦେଶରେ ଦାରୁଣ ଦୁର୍ଭିକ୍ଷ ଲାଗିଥାଏ । ଜେଲ୍‍ ଭିତରେ ସରକାର ଆମକୁ ଆଇନ ମୁତାବକ ଖାଇବାକୁ ଦେଉଥାନ୍ତି । ଘରେ ଯାହା ମିଳୁଥାନ୍ତା ଆମକୁ ତାହାଠାରୁ ଯଥେଷ୍ଟ ଅଧିକ ଭଲ ଭୋଜନ ମିଳୁଥାଏ । କିଶୋର-ବୟସରେ ସେ ଦିନ ମୁଁ ଦଶହରା ବିଷୟକ ମୋର କବିତାଟିକୁ ଭୋକଦ୍ଵାରାହିଁ ଆରମ୍ଭ କରିଥିଲି । ପ୍ରଥମ ଧାଡ଼ିରେ ଲେଖିଥିଲି : ଭୋକର ବାଇଦ ବଜାଇ ଆସୁଛି ଅନ୍ନପୂର୍ଣ୍ଣାର ଉତ୍ସବ ପୂଜା । ଭୋକ କହିଲେ ସେତେବେଳେ ମୁଁ ପେଟର ଭୋକକୁହିଁ ବୁଝୁଥିଲି । ପେଟର ଭୋକ ବିଷୟରେ ମୋ’ ନିଜର କୌଣସି ଅନୁଭୂତି ନଥିଲା । କିଶୋର ମନ ଓ କିଶୋର ହୃଦୟର ତରଳ ଦରଦ କ୍ଷେତ୍ରରେ ଅନ୍ୟ ମଣିଷଙ୍କର ପେଟର ଭୋକ ବିଷୟରେ ମୁଁ ଯେତିକି ଅନୁଭବ କରିପାରୁଥିଲି, ସେତିକି ପୁଞ୍ଜି ମୋର ସେତେବେଳେ ଯଥେଷ୍ଟ ଥିଲା । ଏହି ଘଟନାର ପ୍ରାୟ ପାଞ୍ଚବର୍ଷ ପରେ ମୋର ନାମାଙ୍କିତ ପ୍ରଥମ ଛପାବହି ବାହାରିଲା । ଆଲୋଚିତ କବିତାଟି ମଧ୍ୟ ସେହି ବହିରେ ସ୍ଥାନ ପାଇଥିଲା । ସେ ଦିନ ମୋର ଖୁସି କହିଲେ ନସରେ । ମୋର ବହି ବା ମୋର କବିତା ଛପା ହେଲା, ସେଇଥିଲାଗି । ବହୁ ଅକ୍ଷର ସମ୍ବଳିତ ଏଇ ଛପାଟି ଦେଖି ମୁଁ ସେଦିନ ଅନୁଭବ କଲି, ସତେ ଯେପରି ମୋ’ ଭିତରେ ଥିବା କେଉଁ ଭୋକର ଶତ ଉଦର ଓ ସହସ୍ର ଲାଳସାକୁ ପୂର୍ଣ୍ଣ କରି ସେଦିନ ମୋର ଇଚ୍ଛା ବୃକ୍ଷରେ ଫଳ ଧରିଲା, ମୋର ସ୍ଵପ୍ନ ସରୋବର ଭରିଗଲା । ଯାହା କାମନା କରି ମୁଁ ମୋ’ କବି ମନର ଅଣ୍ଟି ପ୍ରସାରି ସଂସାରର ଦାଣ୍ଡରେ ବାହାରିବି ବୋଲି ସୁଯୋଗ ଖୋଜୁଥିଲି, ସତେ ଯେପରି ସେହି କାମନା ପୂର୍ଣ୍ଣ ହୋଇଗଲା । ଯେଉଁ ମଣିଷମାନଙ୍କର ଭୋକ ବିଷୟରେ ମୁଁ କବିତା ଲେଖିଥିଲି, ଯେଉଁ ଜୀବନଗୁଡ଼ିକର ଭୋକ-ଉପାଖ୍ୟାନ କିଶୋର ବୟସରେ ମୋତେ ଏତେ ସଫଳତା ଆଣି ଦେଇଥିଲା, ସେମାନଙ୍କର ଭୋକ କେତେଦୂର ଗଲା ବା ରହିଲା, ସେତେବେଳେ ସେ କଥା ଭାବିବାର ଧୃତିହିଁ ମୋର ନଥିଲା ।

 

କିଶୋର ବୟସ ଗଲା, ଯୌବନ ଆସିଲା । ମୋର ତାରୁଣ୍ୟରେ କେତେ ପଟବଦଳା କେତେ କାୟାପଲଟ ହେଲା । ଏହି ତାରୁଣ୍ୟ କେତେ ଜାଗାରେ ଠିକିଲା, କେତେ ନୂଆ ନୂଆ କ୍ଷେତ୍ରକୁ ପ୍ରସାରିତ ହୋଇଗଲା, କେତେ ଘରେ ନୀଡ଼ ବାନ୍ଧିଲା, କେତେ ନୂତନ ପ୍ରକାରେ ବ୍ୟାକୁଳ ହେଲା ଓ କେତେ ନୂତନ ପ୍ରକାରେ ପାକଳ ହେଲା । ଭେକ ବିଷୟରେ କବିତା ଲେଖିଦେଲେ ଯେ ଭୋକ ଯାଏଁ ନାହିଁ,–ଭୋକିଲା ପେଟର ଭୋକ ଯାଏଁ ନାହିଁ, କ୍ରମେ ମୁଁ ଏହିକଥା ଅଙ୍ଗେ ନିଭାଇବାକୁ ଆରମ୍ଭ କଲି । ଭୋକର କବିତାକୁ ଛାପା ଅକ୍ଷରରେ ବାହାର କରିପାରିଲେ ଯେ କବି ବା ସାହିତ୍ୟିକର କର୍ତ୍ତବ୍ୟ ସରିଯାଏ ନାହିଁ, ମୁଁ ସେ କଥା ମଧ୍ୟ କ୍ରମେ ବୁଝିବାକୁ ଆରମ୍ଭ କଲି । ଭୋକ କହିଲେ ଆଗେ ମୁଁ କେବଳ ପେଟର ଭୋକକୁହିଁ ବୁଝୁଥିଲି । ସେତିକି ବୁଝିବାକୁ ପୁଣି କଳ୍ପନା ଓ ବ୍ୟଞ୍ଜନାର ନାନା ଯନ୍ତ୍ରପାତି ଧରି ମୋତେ ହୃଦୟକୁ ଠିକ୍ ଭାବରେ ପ୍ରସ୍ତୁତ ରଖିବାକୁ ପଡ଼ୁଥିଲା । କାରଣ ଆପେ ମୁଁ କେବେ ପେଟ ଭୋକର ଆଘାତ ସହି ନଥିଲି । ଏହି ଆଘାତ ସହିବାର କୌଣସି ଆଶଙ୍କା ମଧ୍ୟ ମୋ’ ଜୀବନରେ ନଥିଲା । ବର୍ତ୍ତମାନ ମୋ’ ଜୀବନ କ୍ଷେତ୍ରର ଚତୁର୍ଦ୍ଦିଗକୁ ଅନାଇ ମୁଁ ଦେଖିପାରୁଚି, ମୋର ଅଜାଣତରେ ଅଥଚ ଅତି ସ୍ଵାଭାବିକ ଓ ଅଭିଜ୍ଞତାଲବ୍‍ଧ ଭାବରେ ମୋ’ ଜୀବନରେ ଭୋକର ସଂଜ୍ଞାଟା ମଧ୍ୟ ଦିନକୁଦିନ ପ୍ରସାରିତ ହେବାରେ ଲାଗିଚି । ବଦଳି ଯାଉନାହିଁ, ପ୍ରସାରିତ ହେଉଚି ।

 

ମୁଁ ମଣିଷ, ଅପର ମଣିଷ ଲାଗି ମଧ୍ୟ ମୋ’ ହୃଦୟରେ ଭୋକ ରହିଚି । ସେ କେଉଁଠି ଅଛି, କ’ଣ ଖାଉଚି, କେତେ କମାଉଚି, କେଉଁ ଭାଷାରେ କଥାବାର୍ତ୍ତା କରୁଚି, ବା କେଉଁ ଆଦର୍ଶବାଦ ଲାଗି ଲଢ଼ୁଚି, ସେ କଥା ଅନୁସନ୍ଧାନ କରିବାକୁ ଏହି ଭୋକର ଫୁରୁସତ୍ ନାହିଁ । ମୁଁ ମଣିଷ । ମୋ’ ଭିତରେ ଦୁଃଖ ଅଛି, ସୁଖ ଅଛି, ବାସନା ଓ କାମନାମାନ ଅଛି । ଆଉ ଜଣକ ପାଖରେ ନିଶ୍ଚିତ ହୋଇ ବସି ମୋର କଥାଗୁଡ଼ାକ କହିପାରିବା ଭଳି ଆପଣା ଲୋକ ମୁଁ ଖୋଜି ବୁଲୁଚି । ଆଉ ସମସ୍ତେବି ମଣିଷ । ସେମାନଙ୍କର ଭିତରଟାବି ସେମିତି ହୋଇଥିବ । ସେମାନେବି କ୍ଷଣେ କାନ୍ଦୁଥିବେ, କ୍ଷଣେ ଆଶା କରି ଧାଉଁଥିବେ । କ୍ଷଣେ କୀଟାଣୁକୀଟର ଦୁର୍ଗତି ବହନ କରି କେଉଁ ଆତ୍ମ-ଅବଜ୍ଞାର ଧୂଳି ଭିତରେ ମନ୍ଥିଚକଟି ହେଉଥିବେ; ପୁଣି କ୍ଷଣେ ଆପଣା ଦିବ୍ୟରୂପର କେଉଁ ସିଂହାସନ ଉପରେ ବସିଥିବା ଆପଣା ଆଡ଼କୁ ଅନାଇ ଚକିତବି ହେଉଥିବେ ଓ ସେହି ଚକିତ ହେବାର ପ୍ରେରଣାରେ ପାଞ୍ଚଖୋଜ ଆଗକୁ ଦଉଡ଼ି ଯାଉଥିବେ । ଏହି ମଣିଷଙ୍କ ସହିତ ସମ୍ମିଳିତ ହେବାର ଭୋକ କିଛି କମ୍ ପ୍ରକଳ୍ପ ନୁହେଁ । ଏହି ଭୋକଟା ଆଗ କି ପେଟର ଭୋକଟା ଆଗ ମୁଁ ସେ କଥା କହି ପାରିବି ନାହିଁ, ଭୋକର ରାମାୟଣ ଲେଖାହେଲେ ସେଥିରେ କେଉଁ ଭୋକଟା କାହାର ଅଗ୍ରଜ ବା ଅନୁଜ, ତାହା ନିର୍ଣ୍ଣୟ କରିବା ଆଦୌ ସହଜ ହେବନାହିଁ ।

 

ଏହିପରି ଆହୁରି କେତେକ ଭୋକ ଯେ ଏହି କେତେ ପବର ଭଙ୍ଗୁର ଶରୀରଟା ଭିତରେ ରହିଚି, ମୁଁ ସୁମାରି କରି କ’ଣ କହିବି ? ଏହାରି ଭିତରେ ଶାସ୍ତ୍ରର ଭୋକ ଅଛି, ବିଦ୍ୟାର ଭୋକ ଅଛି, ଦେବାର ଓ ପାଇବାର ଭୋକ ରହିଚି । କେତେପ୍ରକାର ହେବା ଓ ଆପଣାକୁ ବାରବାର ଆବିଷ୍କାର କରିବାର ଭୋକବି ରହିଚି । ଧର୍ମର ଭୋକ ରହିଚି, ଜୀବନର ଭୋକ ରହିଚି । ଏହି ଭୋକଗୁଡ଼ାକୁ ଠୁଳ କରି ମୋ’ରି ଭିତରେ ବହନ କରି ପାରିବାର ପ୍ରଚେଷ୍ଟା ଓ ପଥଝୁଣ୍ଟା, ମୁଁ ଏହାକୁହିଁ ମୋର ଜୀବନ ବୋଲି କହିବି । କିନ୍ତୁ ପେଟର ଭୋକକୁ ଭୁଲିଯାଇ ବା ଏହାର ତୀବ୍ର ଆହ୍ଵାନ ପାଖରୁ ପଳାଇଯିବା ଉଦ୍ଦେଶ୍ୟରେ ଯେ ମୁଁ ଆପଣା ଭୋକକୁ ପ୍ରସାରିତ କରିବାର ପେଖନା ନେଇ ବାହାରିଚି, ସେ କଥା କହିଲେ ମଧ୍ୟ ମୁଁ ଆପଣା ବିଷୟରେ କଦାପି ସତ କଥା କହିବି ନାହିଁ । ମୋ’ ଜୀବନରେ ବରଂ ବିପରୀତହିଁ ଘଟିଚି । ଜେଲ୍ ଭିତରେ ବସି ପୂର୍ଣ୍ଣ ପେଟରେ ଭୋକ ବିଷୟରେ କବିତା ଲେଖିଲାବେଳେ ଭୋକକୁ ମୁଁ ଯେପରି ଦେଖୁଥିଲି, ଆଜି ମୋର ପ୍ରସାରିତ ପିଠି ଉପରେ ମୁଁ ଭୋକକୁ ତା’ଠାରୁ ଅଧିକ ବାସ୍ତବ ଭାବରେ ଦେଖିବାକୁ ପାଉଚି । ମଣିଷ ମଣିଷ ହେବାକୁ ହେଲେ, ତା’ର ପେଟ ପୂରିବା ଉଚିତ, ଭଗବାନ୍‍ଙ୍କଠାରେ ଭୋଗ ଲଗାଇବାକୁ ଧର୍ମ ବୋଲି ମଣିଲେ ଭୋକିଲା ମଣିଷର ଭୋକକୁ ମଧ୍ୟ ଅବନତ ମସ୍ତକରେ ସ୍ଵୀକାର କରିନେବା ଉଚିତ,–ଏହାକୁ ମୁଁ କ୍ରମେ ମୋର ଜୀବନ ଧର୍ମର ଉପଲବ୍‍ଧ ସତ୍ୟ ହିସାବରେ ଦେଖିବାକୁ ଆରମ୍ଭ କରୁଚି । ଯେତେ ଯୁଆଡ଼େ ଯେତେ ସୂକ୍ଷ୍ମ ଦିଗରେ ମୋର ଭୋକଗୁଡ଼ାକ ପ୍ରସାରିତ ହେଲେ ମଧ୍ୟ ପେଟର ଭୋକଟାକୁହିଁ ମୁଁ ସକଳ ସଂପ୍ରସାରଣର ଆଧାରରୂପେ ହୃଦୟଙ୍ଗମ କରି ଶିଖୁଚି । ପେଟର ଭୋକଠାରୁ ପଳାଇଯାଇ ମୁଁ ଅନ୍ୟ କୌଣସି ଭୋକକୁ ଏକ ଆଳ ପରି ଗ୍ରହଣ କରି ନାହିଁ । ମଣିଷ, ଧର୍ମ, ଶାସ୍ତ୍ର, ସାହିତ୍ୟ ଓ ଜୀବନ ଲାଗି ମୋର ଭୋକ ମୋତେ ଆଜି ସଂସାରବ୍ୟାପୀ ହୋଇ ରହିଥିବା ପେଟର ଭୋକ ଆଡ଼କୁ ଫେରାଇ ଆଣିବାରେହିଁ ଅଧିକରୁ ଅଧିକ ସାହାଯ୍ୟ କରିଚି ।

 

କୌଣସି ବଙ୍ଗଳା ପତ୍ରିକାରେ ମୁଁ ଥରେ ସିଦ୍ଧହସ୍ତ ଲେଖକ ଶ୍ରୀ ଅନ୍ନଦା ଶଙ୍କର ରାୟଙ୍କର ଏକ ପ୍ରବନ୍ଧ ପଢ଼ୁଥିଲି । ଶ୍ରୀଯୁକ୍ତ ରାୟ ପ୍ରବନ୍ଧଟିର କବି ବା ଲେଖକକୁ ସମାଜର ଚାରଣ ବା ଲିପିକାର ବୋଲି ବର୍ଣ୍ଣନା କରିଚନ୍ତି । ସ୍ଵାଧୀନତା-ଯୁଗରେ ଅର୍ଥାତ୍ ଭାରତବର୍ଷରେ ସ୍ଵାଧୀନତାର ପ୍ରାପ୍ତି ଲାଗି ସଂଗ୍ରାମ ଚାଲିଥିବାବେଳେ ଶ୍ରୀଯୁକ୍ତ ରାୟ ଜଣେ ଲେଖକ ହିସାବରେ ତଟସ୍ଥ ବୃତ୍ତି ଅବଲମ୍ବନ କରି କେବଳ ଅବଲୋକନ କରିବାକୁହିଁ ଆପଣାର କର୍ତ୍ତବ୍ୟ ବୋଲି ଗ୍ରହଣ କରିଥିଲେ । ଲଢ଼ିବେ ଅନ୍ୟମାନେ, କବି ବା ଲେଖକ ତାହାର ଭାବ ପ୍ରକାଶ ଓ ଶବ୍ଦ ବସାଣର ଚାତୁରୀ ଦେଇ ସେହି ଲଢ଼େଇର ବର୍ଣ୍ଣନା କରିବ । କାରଣ ସେ ନିଜେ ଲଢ଼େଇରେ ପଶିଗଲେ ପୁଣି ବର୍ଣ୍ଣନା କରିବ କିଏ ? ମୋ’ ଭୋକର ପୃଷ୍ଠଭୂମି ଉପରେ ଠିଆ ହୋଇ ମୁଁ ଏହି ଯୁକ୍ତିକୁ ଆଦୌ ବୁଝିପାରେ ନାହିଁ । ସ୍ଵାଧୀନତା–ସଂଗ୍ରାମର ବର୍ଣ୍ଣନା କରିବାକୁ ମୁଁ ସଂଗ୍ରାମ ବାହାରେ ଏକ ନିରାପଦ ମଞ୍ଚା ଉପରେ ଯାଇ ଠିଆହେବି, ଭୋକର ବର୍ଣ୍ଣନା କରିବାକୁ ଯାଇ ମୁଁ ଖାଇପିଇ ପ୍ରକୃତିସ୍ଥ ହୋଇ ରହିଥିବି, ଜୀବନର ଉପଲବ୍‍ଧ ପଥରେ ମୁଁ ଏହାକୁ ଆଦୌ ଏକ ବଳିଷ୍ଠ ପରାମର୍ଶରୂପେ ଗ୍ରହଣ କରିବି ନାହିଁ-। ସାଧାରଣ ବା ଅସାଧାରଣ କୌଣସି ମଣିଷପାଇଁ ନୁହେଁ ଲେଖକ ବା ସାହିତ୍ୟିକ ପାଇଁ ତ ଆଦୌ ନୁହେଁ ।

 

ମଣିଷର ସଂସାରକୁ ମଣିଷର ସଂସାର ପରି ଅନୁଭବ କରିବାର ଭୋକ ନେଇ ଏ ଦେଶରେ କେତେ ନେତା, କେତେ ଦେଶ ସେବକ ଓ କେତେ ଲେଖକଙ୍କ ପାଖକୁ ଗଲେ ଯେ ସେହିପରି ଭୋକିଲା ହୋଇ ବାହୁଡ଼ି ଆସିବାକୁ ପଡ଼େ, ମୁଁ ସେକଥା ଭଲ କରି ଜାଣେ । ଭାରି ଲୋଭ କରି କୌଣସି ନେତାଙ୍କ ସହିତ କଥାବାର୍ତ୍ତା ହୁଅ, ସେ କହିବେ ତାଙ୍କରି ଖୁଆଡ଼ ଭିତରେ ପଶି ତାଙ୍କୁହିଁ ଅଭିଭାବକ ବୋଲି ମାନି ତାଙ୍କରି ବାନା ଧରିବାକୁ ପନ୍ଥା ବୋଲି ଧରି ପାରିଲେ ଆଉ ଭୋକ ରହିବ ନାହିଁ । ଏ ଦେଶରେ ଏପରି ଅଧ୍ୟାପକ ଅନେକ ଅଛନ୍ତି, ଯେଉଁମାନଙ୍କ ପାଖରେ ସରାଗରେ ଘଡ଼ିଏ ବସିବାକୁ ଯାଅ, ଆପଣାର ଦରମା ବା ଦଳବଳ ବଢ଼ିବା ବ୍ୟତୀତ ତାଙ୍କ ଠାରୁ ହୁଏତ ଆଉ କିଛିହେଲେ ଶୁଣିବାକୁ ମିଳିବ ନାହିଁ । ସାହିତ୍ୟିକ ବା ଲେଖକ ପାଖକୁ ଯାଅ, ସେଠାରେ ଶୁଣିବ ଅମୁକ ସଭାରେ ଅମୁକମନ୍ତ୍ରୀଙ୍କୁ ଡକାଇ ଆଣି କିପରି ବାହାଦୁରି ଦିଆଗଲା ଓ ବାହାଦୁରି ନିଆ ମଧ୍ୟ ଗଲା । ଏ ଦେଶରେ ରାଜନୀତି ଚାଲୁଚି, ଅଧ୍ୟାପନା ଚାଲୁଚି, ସାହିତ୍ୟ ଓ ସଂସ୍କୃତି ମଧ୍ୟ ଚାଲୁଚି, ତଥାପି ଯେଉଁମାନେ ଏ ସବୁକୁ ଚଳାଉଚନ୍ତି ବା ଏସବୁର ନାମରେ କେତେ କେତେ ମଣିଷଙ୍କୁ ଚରାଉଚନ୍ତି, ସେମାନଙ୍କ ଭିତରେ ଯେପରି କୌଣସି ଭୋକବି ନାହିଁ । ସେମାନେ ଯେପରି କିଛି ଚାହୁଁ ନାହାନ୍ତି । ସେମାନଙ୍କର ସଭାରେ ଯେପରି ମଣିଷ ଲାଗି କୌଣସି ବ୍ୟାକୁଳତାହିଁ ନାହିଁ ! ବେଳେବେଳେ ବଡ଼ ବିସ୍ମୟର ସହିତ ମୁଁ ଭାବେ, ଏ ଦେଶରେ ମଣିଷକୁ ଦେଖିଲେ ଭୋକ ନ ହେବ ତ ଆଉ କେଉଁ ଦେଶରେ ହେବ ? ଆଖି ବୁଲାଇ ଦେଲେ ତ ଏଠି କଙ୍କାଳମାଳ ସହିତ ଭେଟ ହୋଇଯିବ । କେତେ ପ୍ରକାରେ ହତଶ୍ରୀ ହୋଇ ପଡ଼ିଥିବା ମଣିଷର ଜୀବନ କେତେ ପ୍ରକାର ଅଙ୍କୁଶ ମାରି ଆକୁଳ କରି ଦେବାକୁ ଆସିବ । ତଥାପି ଏ ଦେଶର ରାଜନୀତି, ଏ ଦେଶର ଅଧ୍ୟାପନା ଓ ଏ ଦେଶର ସାହିତ୍ୟ ଯେପରି ମଣିଷ ଠାରୁ ଏପର୍ଯ୍ୟନ୍ତ ଅନେକ ଦୂରରେ ରହିଚି ବୋଲି ମୋର ମନେହୁଏ । ଏବେ ତଥ୍ୟ ସଂଗ୍ରହ କରି କେଉଁ ପଣ୍ଡିତମାନେ କହିଚନ୍ତି ଯେ ଆମ ଦେଶରେ ତେୟାଳିଶ କୋଟି ଲୋକଙ୍କ ମଧ୍ୟରୁ ପଞ୍ଚତିରିଶ କୋଟିରୁ ଅଧିକ ମଣିଷ ଦିନକୁ ମାତ୍ର ଅଠଷଠି ପଇସା ରୋଜଗାର କରନ୍ତି । ଏମାନଙ୍କ ଭିତରେ ପ୍ରାୟ ଦଶକୋଟି ମଣିଷ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ କି ଦିନକୁ ବୟାଳିଶ ପଇସାର ଆୟରେ ବିପଣି ଚଳାଇବାକୁ ବାଧ୍ୟ ହୁଅନ୍ତି । ମଣିଷର ଭୋକ ଥିବା ସାହିତ୍ୟିକ ଓ ଲେଖକ କିପରି ଯେ ଏପରି ଏକ ଦେଶରେ ତଟସ୍ଥ ଓ ନିରାସକ୍ତ ହୋଇ ଚାରଣବୃତ୍ତି କରିବ, ମୁଁ ସେ କଥା କଳ୍ପନା ମଧ୍ୟ କରିପାରେ ନାହିଁ । ମଣିଷର ଭୋକ ଥିବା ଅଧ୍ୟାପକ କିପରି ଅଧ୍ୟାପନାରୂପକ କୁଚ୍ଛ୍ରସାଧନାଦ୍ଵାରା ଏ ଦେଶରେ ପଇସା ଅର୍ଜନ କରି ଘର ତୋଳାଇ ସୁଖରେ ଓ ଶାନ୍ତିରେ ରହି ପାରିବ, ଭାବିଲାବେଳକୁ ହୃଦୟ କମ୍ପିଗଲା ପରି ଲାଗେ । ମଣିଷର ଭୋକ ଥିବା ରାଜନୀତିକ ନେତା କିପରି ଏ ଦେଶରେ ଦଳ ଭିତରେ କଳହ କରିବାରେ ଓ ଦଳ ବାହାରେ ବାହାସ୍ଫୋଟ ମାରିବାରେହିଁ ଆପଣାର କର୍ତ୍ତବ୍ୟ ସାରିଦେବ, ସେହି କଥାଟା ମୋତେ ବଡ଼ ଅସ୍ଵାଭାବିକ ମନେ ହୁଏ । ମଣିଷର ଭୋକ ଥିବା ସମାଜ ସେବକ ସେବାକୁ ଜୀବନ ବ୍ୟବସାୟର ପୁଞ୍ଜି କରି କିପରି ଯେ କ୍ଷମତା ଓ ଲୋକପ୍ରିୟତାର ସୌଧ ତୋଳି ବୁଲିବାରେ ଉତ୍ସାହ ପ୍ରକାଶ କରିବ, ତାହା ମୋତେ ପ୍ରକୃତରେ ବଡ଼ ଅସମ୍ଭବ ବୋଲି ଲାଗେ-। ମୋର ଭୋକ ମୋ’ ଦେଶର ଏତେ ବଡ଼ ଘରଟା ଭିତରେ ମୋତେ ତଥାପି ଘରଛଡ଼ା ଓ ଅଲକ୍ଷଣା କରି ରଖେ । ସଫଳ ରାଜନୀତି, ସଫଳ ସାହିତ୍ୟ ବା ସଫଳ ଅଧ୍ୟାପନାର କୌଣସି ସଭାରେ ବୁଦ୍ଧିମାନ୍ ଲୋକ ପରି ଶାନ୍ତ ଓ ଶ୍ଵସ୍ତ ହୋଇ ବସିବା ଆଉ ମୋ’ ଦେଇ ହୋଇପାରେ ନାହିଁ ।

 

ସେଥିଲାଗି ସାହିତ୍ୟ ଓ ସଂସ୍କୃତିକୁ ମୁଁ କଦାପି ତୁଚ୍ଛା ଅବସର ବିନୋଦନରୂପେ ଦେଖିପାରେ ନାହିଁ । ସଭା ସମିତିରେ ନାନା ଭଳି ବିଳାସ ମଣ୍ଡନ ଭିତରେ ଭୀଷଣ-ଆପ୍ୟାୟନ କରିବାକୁ ମଧ୍ୟ ମୁଁ ସାହିତ୍ୟ ଓ ସଂସ୍କୃତି ବୋଲି ବିଚାରିପାରେ ନାହିଁ । ମୁଁ ଚାହେଁ, ସାହିତ୍ୟ ଓ ସଂସ୍କୃତି ପ୍ରଧାନତଃ ମଣିଷ ସହିତ ସମ୍ମିଳିତ ହେବାର ଭୋକଦ୍ଵାରାହିଁ ଉଜ୍ଜୀବିତ ଓ ଉଦ୍‌ବୋଧିତ ହୋଇ ରହିଥାନ୍ତା କି ! ପୁଣି ଏ ଯୁଗରେ, ବିଶେଷତଃ ଆମ ଦେଶରେ ଯିଏ ମଣିଷ ସହିତ ସମ୍ମିଳିତ ହେବାର ଭୋକ ନେଇ ସାହିତ୍ୟ ଲେଖୁଚି ରାଜନୀତି କରୁଚି ବା ବିଦ୍ୟାଳୟରେ ଅଧ୍ୟାପକ ହେଉଚି, ସିଏ ପେଟର ଭୋକଟାକୁ ଏଡ଼ି ଦେଇ ଏଠି କି ସାହିତ୍ୟ, ରାଜନୀତି ବା ଅଧ୍ୟାପନା କରିପାରିବ ? ଏହି ସମ୍ପର୍କରେ ଫରାସୀ ଲେଖକ ଜା ପଲ୍ ସାର୍‌ତ୍ରଙ୍କର Commitment କଥାଟା ମୋର ଭାରି ମନେ ପଡ଼ି ଯାଉଚି । ସିଏ କହନ୍ତି ପ୍ରତ୍ୟେକ ଲେଖକ ବା ସାହିତ୍ୟିକ ମଣିଷ ଜୀବନର କୌଣସି ନା କୌଣସି କ୍ଷେତ୍ର ଲାଗି ଆପଣାକୁ ଉତ୍ସର୍ଗ କରି ରଖିଥାଏ । କିଏ ଜାତିକୁ ବଡ଼ କରି ଦେଖାଇବ ବୋଲି ସାହିତ୍ୟ ଲେଖେ, କିଏ ଅତୀତକୁ ଅନୁଶୀଳନୀୟ ଆଦର୍ଶ କରି ଦେଖାଇବାକୁ ସାହିତ୍ୟ ଲେଖେ । ଦରବାରରେ ବାହାବାହା ପାଇବାକୁ କିଏ ସାହିତ୍ୟ ଲେଖେ, ପୁଣି କିଏ ଶାସନ ଓ ସତ୍ତାର ସ୍ଵୀକୃତି ପାଇବାକୁ ମଧ୍ୟ ସାହିତ୍ୟ ଲେଖେ । କମ୍ୟୁନିଷ୍ଟମାନେ କମ୍ୟୁନିଷ୍ଟବାଦ ଅର୍ଥାତ୍ କମ୍ୟୁନିଷ୍ଟବାଦର ନାଗରା ପିଟୁଥିବା ଦଳ ଓ ସର୍ଦ୍ଦାରମାନଙ୍କର ପ୍ରଶସ୍ତି ଗାଇ ସାହିତ୍ୟ ଲେଖନ୍ତି । କିଏ ଆପେ ଭୁଲି ଅନ୍ୟକୁ ଭୁଲାଇ ରଖିବାକୁ ମଧ୍ୟ ସାହିତ୍ୟ ଲେଖେ । ସଂସାରର ଦୁଃଖ ଜଞ୍ଜାଳ ଓ ଜୀବନର ଆହ୍ଵାନକୁ ଛାଡ଼ି ପଳାଇ ଯିବାର ପ୍ରରୋଚନା ଦେବା ଲାଗି କେହି ସାହିତ୍ୟ ଲେଖେ, କେହି ଆପଣାର ଖିଆଲଗୁଡ଼ାକୁ ଜାହିର କରିବାକୁ ମଧ୍ୟ ସାହିତ୍ୟ ଲେଖେ । ସାହିତ୍ୟ ସବୁ ଦେଶରେ ଓ ସବୁ ଭାଷାରେ ଲେଖା ହୋଇଚି ଓ ଲେଖା ହେଉଚି । ହିଟ୍‌ଲର-ପ୍ରଶାସିତ ଜର୍ମାନୀରେ ଲେଖାହୋଇଚି, ଋଷିଆ ଓ ଚୀନରେ କମ୍ପ୍ୟୁନିଷ୍ଟ ସରକାରଙ୍କର ଲୋକ ସମ୍ମୋହନ-କାର୍ଯ୍ୟକ୍ରମର ଚରିତାର୍ଥତା ଲାଗି ମଧ୍ୟ ସାହିତ୍ୟ ଲେଖା ଯାଉଚି । ରାଜାମାନଙ୍କର ଦରବାରରେ ଘଡ଼ିକଲାଗି ଜୀବନ ବିସ୍ମରଣ ସୃଷ୍ଟି କରିବା ଲାଗି ସାହିତ୍ୟ ଲେଖା ଯାଉଥିଲା, ଏବେ ଆମର ଆଧୁନିକ ଓ ସମସ୍ୟା ବହୁଳ ଯୁଗରେ ବହ୍ଵାଶୀ ଅଥଚ ଅଳ୍ପ ଧୈର୍ଯ୍ୟ ମଣିଷକୁ ଏକ ଆତ୍ମବିସ୍ମରଣର ମାୟା ଭିତରେ ମଜାଇ ରଖିବାକୁ ମଧ୍ୟ ସାହିତ୍ୟ ଲେଖା ଯାଉଚି । ତେଣୁ ଆମେ ଜାଣୁ ବା ନଜାଣୁ, ମାନୁ ବା ନ ମାନୁ–ସାହିତ୍ୟର କୌଣସି ଏକ ଉତ୍ସର୍ଗ ଭୂମି ଅବଶ୍ୟ ରହିଚି, ପ୍ରତ୍ୟେକ ସାହିତ୍ୟର ଏକ Commitment ଅବଶ୍ୟ ରହିଚି । ଶ୍ରୀଯୁକ୍ତ ସାର୍‌ତ୍ର କହନ୍ତି, ବର୍ତ୍ତମାନର ପୃଥିବୀରେ ଯେଉଁଠି ଅଧେ ମଣିଷ ଭଲ କରି ମୁଠାଏ ଖାଇବାକୁ ପାଆନ୍ତି ନାହିଁ, ଯେଉଁଠାରେ ଶିକ୍ଷା ଅପେକ୍ଷା ଅଶିକ୍ଷାହିଁ ମଣିଷକୁ ଅଧିକତର ଗ୍ରାସ କରି ରହିଚି, ଯେଉଁଠି ଏକ ଅହେତୁକୀ ଆଣବିକ ଯୁଦ୍ଧର ଭୟତଳେ ସକଳ ଜୀବନ ଓ ମନୁଷ୍ୟାକାଂକ୍ଷା ତ୍ରସ୍ତ ସଂକୁଚିତ ହୋଇ ରହିଚି, ସେଠାରେ ସାହିତ୍ୟିକର Commitment ମୂଳତଃ ଏହି ମଣିଷ ଲାଗି ହେବା ଉଚିତ । ମଣିଷକୁ ଅଫିମ ଖୁଆଇ ଭୁଲାଇ ରଖିବା ଲାଗି ନୁହେଁ, ମଣିଷକୁ ପୋଷା ମନାଇବା ଲାଗି ନୁହେଁ । ମାତ୍ର ମଣିଷ ଲାଗି ଅର୍ଥାତ୍ ସବୁ ମଣିଷ ଲାଗି ଏକ ସୁନ୍ଦରତର ସଂସାରରେ ଏକ ଯୋଗ୍ୟତର ଜୀବନ ବଞ୍ଚିବାର ସମ୍ଭାବନା ବିଷୟରେ ମଣିଷକୁ ଅଧିକ ସାହସ ଓ ବିଶ୍ଵାସର ଉଦ୍‌ବୋଧନ ଦେଇ । ମୋ’ ଭାଷାରେ ମୁଁ ଏହିପରି ଏକ ଉତ୍ସର୍ଗ ଆକାଂକ୍ଷାକୁ ମଣିଷ ସହିତ ସମ୍ମିଳିତ ହେବାର ଭୋକ ବୋଲି କହିବି । ଯେଉଁ ସାହିତ୍ୟିକର Commitment ଏହି ସମ୍ମିଳନେଚ୍ଛାକୁ ଅସ୍ଵୀକାର କରି କୌଣସି ଖଣ୍ଡାନୁରକ୍ତିରେ ବ୍ୟସ୍ତ ଓ ଭୋଳ ହୋଇ ରହିଚି, ସେହି ସାହିତ୍ୟିକ ଆଧୁନିକ ଯୁଗରେ କୌଣସି ସାର୍ଥକ ସ୍ପନ୍ଦନ ସମ୍ଭବ କରିପାରିବ ନାହିଁ । ଯେଉଁ ସମାଜରେ ଏପରି ସାହିତ୍ୟିକ ରହିଚନ୍ତି ଓ ସାହିତ୍ୟର ଆତଯାତ କରାଉଚନ୍ତି, ସେହିପରି ସମାଜକୁ ସାର୍‌ତ୍ର ପ୍ରଧାନତଃ ଏକ ରୋଗଗ୍ରସ୍ତ ବିକାର ପ୍ରମତ୍ତ ସମାଜ ବୋଲି କହିଚନ୍ତି ।

 

ଓଡ଼ିଶାରେ ଅଧ୍ୟାପକ, ସାହିତ୍ୟିକ ଓ ରାଜନୀତିକ ନେତାର ଉତ୍ସର୍ଗ କ୍ଷେତ୍ର କେଉଁଠି ? ଆପଣା ଭିତରେ ପ୍ରଧାନତଃ କିଭଳି ଲୋକ ନେଇ ସେ ଅଧ୍ୟାପକ, ସାହିତ୍ୟିକ ବା ରାଜନୀତିକ ନେତା ହୋଇ ବାହାରିଚି ? ସାର୍‌ତ୍ରଙ୍କର ଭାଷାରେ ତା’ର commitment ପ୍ରଧାନତଃ କେଉଁ କ୍ଷେତ୍ରରେ ବା କାହାଲାଗି ? ଉପନିଷଦ୍‍ର ପ୍ରଶ୍ନରେ କହିବାକୁ ଗଲେ ସେ କେଉଁ ଦେବତାର ଆବାହନ କରିବା ଲାଗି ଆପଣାର ହବି ସଜାଡ଼ୁଚି ? ଏହି ଚିଠିରେ ମୁଁ ଅନ୍ତତଃ ଗୋଟିଏ ପ୍ରଶ୍ନର ଉତ୍‍ଥାପନ କରିବାକୁ ଚାହୁଁଚି : ଓଡ଼ିଶାରେ ବର୍ତ୍ତମାନ ସାହିତ୍ୟିକ ଓ ଲେଖକର Commitment କେଉଁଥିଲାଗି ? ଯେତେଥର ମୁଁ ଓଡ଼ିଶା ଆଡ଼କୁ ଅନାଏ, ଆପଣାର ଘର ଆଡ଼କୁ ଅନାଏ, ସବୁଥର ମୋତେ ଓଡ଼ିଶାର ସାହିତ୍ୟ-ମଣ୍ଡଳୀ ଦୁଇଟି ପରିପନ୍ଥୀ ଦଳରେ ବିଭକ୍ତ ହୋଇ ରହିଥିବା ପରି ଦେଖାଯାଆନ୍ତି । ଦଳେ ପଛକୁ ଟାଣନ୍ତି, ପଛ ଆଡ଼କୁ ଇଶାରା କରନ୍ତି, ଅତୀତ ଭିତରେହିଁ ଭବିଷ୍ୟତ୍‍ଲାଗି ସବୁ ପ୍ରଶ୍ନର ଉତ୍ତର ଦିଆଯାଇ ସାରିଚି ବୋଲି କହିବାର ଦୂରଭିଳାଷ ମଧ୍ୟ ଦେଖାଇଥାନ୍ତି । ସେମାନେ ବହ୍ଵାଡ଼ମ୍ବର ସହିତ ଜୟନ୍ତୀ ପାଳନ୍ତି ପୂଜ୍ୟ ପୂଜାର ଧୁମ୍‌ଧାମ୍ କରନ୍ତି–କଳାର ଚତୁରଙ୍ଗ ବଜାଇ ବସାଇ ସାହିତ୍ୟର କ୍ଷେତ୍ରକୁ ଜମକାଣିଆ କରି ରଖିବାକୁ ଚେଷ୍ଟା କରନ୍ତି । ସମାନ୍ତର ଦଳଟି ହେଉଚି ଆଧୁନିକ ଦଳ । ଏମାନେ ପୁରୁଣାକୁ ସର୍ବସ୍ଵ ପୁଟୁଳା କରି ଗ୍ରହଣ କରନ୍ତି ନାହିଁ, ଏତିକି ହେଉଚି ଏମାନଙ୍କ ଭିତରେ ସୁସ୍ଥତାର ସଙ୍କେତ । କିନ୍ତୁ ପୁରୁଣା ସହିତ ଲଢ଼ି ମଞ୍ଚ ଜିଣିବାକୁହିଁ ଏମାନେ ସାହିତ୍ୟିକ Commitment ର ଯାବତୀୟ ପରିସୀମା ବୋଲି ଗ୍ରହଣ କରି ପକାନ୍ତି । ତେଣୁ ଆଧୁନିକ ସାହିତ୍ୟିକ ଅର୍ଥାତ୍ ଆଧୁନିକ ସମାଜ ଓ ମଣିଷଗୋଷ୍ଠୀର ସାହିତ୍ୟିକ ହିସାବରେ ଆପଣାକୁ ସଜ କରିବା ଲାଗି ସେମାନଙ୍କ ପାଖରେ ଆଉ ବାରୁଦ ନଥାଏ, ଧୈର୍ଯ୍ୟ ବା ଶକ୍ତି ମଧ୍ୟ ନଥାଏ । ଫଳତଃ ଆଧୁନିକତା କହିଲେ ଏମାନେ Technique ବା ରଚନା କୌଶଳର ନବୀନତାକୁହିଁ ବୁଝନ୍ତି । ଆଉ କେଉଁ ଦେଶରେ କେଉଁଠି କବିତା ଲେଖିବାର ନୂଆ କୌଶଳ ପ୍ରୟୋଗ କରାଗଲାଣି, ଓଡ଼ିଶାରେ ମୁଁ ତାହାରି ପ୍ରଥମ ପ୍ରବେଶ କରାଇବି, ବା ନୂଆ ଶୈଳୀରେ ମୁଁ ଗୋଟାଏ ଉପନ୍ୟାସ ବା ଗୋଟାଏ ଡିଟେକ୍‍ଟିଭ୍ କାହାଣୀ ଲେଖିବି, ଆଧୁନିକତାର ଉତ୍ସାହ ଆଜି ଏତିକିରେ ସରିଗଲା ପରି ମନେ ହେଉଚି । ତେଣୁ ଓଡ଼ିଶାର ସାହିତ୍ୟ ଦାଣ୍ଡରେ ଆଜି ଶୈଳୀ ନେଇ ଝଗଡ଼ା ଲାଗୁଚି, Technique ନେଇ ବାଡ଼ିଆପିଟା ଲାଗୁଚି । ତେଣୁ ମଣିଷ ହିସାବରେ ମଣିଷ ପ୍ରତି ଆମ ଭିତରେ ରହିଥିବା ଭୋକର ବିଳାପକୁ ବୁଝି ସେହି ଅନୁସାରେ ନିଜ ଧର୍ମର Commitment ନିରୂପଣ କରିବା ଲାଗି ଆମର ଆଉ ବେଳ କାହିଁ ?

 

ଆଉ ଗୋଟାଏ ଦୃଷ୍ଟିରୁ ମଧ୍ୟ ଓଡ଼ିଶାର ସାହିତ୍ୟିକ-କ୍ଷେତ୍ରରେ ଦଳ ବିଭାଗର ବିଚାର କରାଯାଇପାରେ । ଗୋଟାଏ ହେଉଚି, ସଫଳ ବା ସନ୍ତୁଷ୍ଟ ଦଳ । ଦ୍ଵିତୀୟଟି ଅର୍ବାଚୀନ ଅସନ୍ତୁଷ୍ଟ ଦଳ । ପ୍ରଥମଟି ହେଉଚି ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ଗୁରୁଜନମାନଙ୍କର ଦଳ । ଆପଣାର ତାରୁଣ୍ୟ ଥିଲାବେଳେ ଏମାନେ କେତେଦୂର ତା’ର ଆହ୍ଵାନର ସମ୍ମୁଖୀନ ହୋଇଥିଲେ, ମୁଁ ସେକଥା କହି ପାରିବି ନାହିଁ । କିନ୍ତୁ ବର୍ତ୍ତମାନ ଏମାନେ କୁଳବୃଦ୍ଧ ଓ ସ୍ଵୀକୃତି ପରିପୁଷ୍ଟ । ସାହିତ୍ୟିକ ମେଳା ମଉଛବରେ ଏହିମାନେ ପୁରୋଧା ହୁଅନ୍ତି, ସାହିତ୍ୟ ସଭାରେ ଏଇମାନେ ସଭାପତି ହୁଅନ୍ତି, ସାହିତ୍ୟର ମୁକ୍ତିମଣ୍ଡପରେ ଏହିମାନେହିଁ ପଣ୍ଡିତ ହୋଇ ବସିବାର ଡାକରା ପାଆନ୍ତି, ଏହିମାନେ ପୁରସ୍କୃତ ହୁଅନ୍ତି, ଏକାଠି ବସି ଏହିମାନେହିଁ ସାହିତ୍ୟକ୍ଷେତ୍ରରେ ପୁରସ୍କାରର ବିଚାର ବିବେଚନା କରନ୍ତି । ଭଗବାନ୍‍ଙ୍କ କୃପାରୁ କେବଳ ମାନବର ନୁହେଁ, ଅର୍ଥ ଧନରେ ମଧ୍ୟ ଏମାନେ ବେଶ୍ ପ୍ରତିଷ୍ଠା ଅର୍ଜନ କରିପାରିଚନ୍ତି । ଅର୍ବାଚୀନ ଅର୍ଥାତ୍ ଅଳ୍ପ ବୟସ୍କ ଦଳର ଅସନ୍ତୁଷ୍ଟ ହେବାରେ ଅନେକ କାରଣ ରହିଚି । କାରଣ ସନ୍ତୁଷ୍ଟମାନଙ୍କର ଯାହା ଅଛି, ଏମାନଙ୍କ ପାଖରେ ତାହା ନାହିଁ ଓ ଏହି ଅଭାବଜନିତ ଦାରିଦ୍ର୍ୟ ଏମାନଙ୍କୁ ପୀଡ଼ିତ କରି ରଖିଚି । ସଭାରେ ସଭାପତି ହେବା ତ ଦୂରର କଥା, ସଭା ସମିତିକୁ ଏମାନେ ପ୍ରଧାନତଃ ଚାଲି ଚାଲି ଯାଆନ୍ତି । ଭାଷଣ ଦେବାଲାଗି ଏମାନଙ୍କୁ କେହି ଅନୁରୋଧ କରିବେ ନାହିଁ ଜାଣିଥିବାରୁ ଏମାନେ ସଭାରେ କଳହ କରି ଆପଣା ଲାଗି ଭାଷଣ ଦେବାର ଅଧିକାର ହାସଲ କରନ୍ତି । ଏମାନଙ୍କର ଅସଲ ଭୋକକୁ ମଣିଷର ଭୋକ ବୋଲି କହିବାରେ ଅନେକ ପ୍ରମାଦ ରହିଚି । କାରଣ କାଲି ଏମାନେ ମଧ୍ୟ ପ୍ରବୀଣ ହେବେ, ବୟସର ଅଧିକାରରେ ଏମାନେ ମଧ୍ୟ ସ୍ଵୀକାର ପାଇବେ । ହୁଏତ ଏମାନେ ମଧ୍ୟ ପୁରସ୍କାର-ବିବେଚନା କରିବାର ସଭାରେ ବସି କାଲି କେବଳ ଆପଣା ବ୍ୟତୀତ ଆଉ କାହାରି ରଚନାକୁ ଯୋଗ୍ୟ ବୋଲି କହିବା ଲାଗି ଏକ ସ୍ଵଭାବଗତ କୁଣ୍ଠା ଓ କୃପଣତା ଅନୁଭବ କରିବେ । ଏମାନଙ୍କ ଭିତରେ ମଣିଷର ଭୋକ ରହିଥିଲେ ଏପରି ହୁଅନ୍ତା ନାହିଁ । ମଣିଷର ସୁନ୍ଦରତର ସମ୍ଭାବନା ଲାଗି ଏମାନଙ୍କର Commitment ଉଦ୍ଦିଷ୍ଟ ହୋଇଥିଲେ ଏପରି କଦାପି ହୁଅନ୍ତା ନାହିଁ ।

 

ଦେଶରେ ଦୁରବସ୍ଥା ଦେଖି ଅନଶନଦ୍ଵାରା ଜୀବନ ତ୍ୟାଗ କରିବା ଲାଗି ଆପଣାର ଏକ କବିତାରେ ପଣ୍ଡିତ ଗୋପବନ୍ଧୁ ଥରେ ଇଚ୍ଛା ପ୍ରକଟ କରିଥିଲେ । ମୁଁ ପ୍ରଧାନତଃ ଭୋକୀ, ତେଣୁ ଅନଶନ କରି ଜୀବନ ତେଜିବାରେ ମୋର କୌଣସି ଉତ୍ସାହ ନାହିଁ । ମୋ ଦେଶରୁ ମୁଁ ପଳାଇଯିବାକୁ ଚାହେଁ ନାହିଁ । ମୋର ସାହିତ୍ୟ ଲାଳସା ମୋତେ ମଣିଷ ଠାରୁ ହୁଡ଼ାଇ ଉଡ଼ାଇ ନେଇଯିବାର କୌଣସି ଫିକର ଦେଖାଏ ନାହିଁ । ମୋତେ ବରଂ ଅଧିକରୁ ଅଧିକ ଏଇଠି ଜଡ଼ାଇ ହୋଇ ରହିବାର ଉତ୍‌ପ୍ରେରଣା ଦିଏ । ଗୋପବନ୍ଧୁଙ୍କର ଜୀବନରେ ମଧ୍ୟ ଆମେ ପଳାଇ ଯିବାର କୌଣସି ଫିକର ଦେଖିବାକୁ ପାଇବା ନାହିଁ । ତାଙ୍କର ସାହିତ୍ୟ ଆଉ ଯାହା ହୋଇଥାଉ ପଛକେ, ପଳାୟନବାଦୀ ଆଦୌ ନୁହେଁ । ଗୋପବନ୍ଧୁ-ସାହିତ୍ୟ ବା ଗୋପବନ୍ଧୁ-ଜୀବନର ଉତ୍ସର୍ଗ ଭୂମି ବା Commitment ଯେତେଦୂର ବ୍ୟାପକ ଓ ପ୍ରଶସ୍ତ ଥିଲା, ଓଡ଼ିଶାର କୌଣସି ସାହିତ୍ୟିକ ସମ୍ଭବତଃ ସେହି ବ୍ୟାପକତାର ସ୍ପର୍ଦ୍ଧାହିଁ କରିପାରିବେ ନାହିଁ । ଗୋପବନ୍ଧୁଙ୍କର ସାହିତ୍ୟ ଓ ଜୀବନଗତ ଭୋକକୁ ବୁଝିପାରିଲେ ଆମକୁ ଦୂର ଦେଶ ଫ୍ରାନ୍‍ସର ସାହିତ୍ୟିକ ସାର୍‌ତ୍ରଙ୍କର ପ୍ରେରଣା ଲାଗି ଆଦୌ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

 

ଓଡ଼ିଶାରେ ସାହିତ୍ୟର Commitment କେଉଁଠି ? ଯୁଗର ଅନ୍ୟାୟ, ସମାଜର ଅନ୍ୟାୟ ଓ ମଣିଷ ପ୍ରତି ମଣିଷର ଅନ୍ୟାୟର ସମକ୍ଷରେ ସାହିତ୍ୟିକ ଆପଣାକୁ କିପରି ଭୂମିକାରେ ଅବତୀର୍ଣ୍ଣ କରାଇବ ? ସେ ଅନ୍ୟାୟକୁ ଅନ୍ୟାୟ ବୋଲି କହିବ ନା କେଉଁ ସ୍ଵୀକାର ଛତ୍ରତଳେ ଠିଆ ହୋଇ ପାରିବାର ଲାଳସାରେ ସେ ଚୁପ୍ ହୋଇ ରହିଯିବ ? ବାଜସନେୟ ସଂହିତାରେ ଭଗବାନ୍‍ଙ୍କୁ ମନ୍ୟୁ ବୋଲି ସମ୍ବୋଧନ କରାଯାଇଚି । ମନ୍ୟୁର ଅର୍ଥ ଅନ୍ୟାୟଦ୍ରୋହୀ । ମନ୍ୟୁରସି ମନ୍ୟୁଂ ମୟି ଧେହି–ତୁମେ ମନ୍ୟୁ, ଅର୍ଥାତ୍ ଅନ୍ୟାୟଦ୍ରୋହୀ, ମୋତେ ମଧ୍ୟ ତୁମେ ଅନ୍ୟାୟଦ୍ରୋହୀ କର । ଅନ୍ୟାୟଦ୍ରୋହୀ ହେବାକୁ ହେଲେ ସାହିତ୍ୟିକକୁ କେବଳ ଟେକ୍‌ନିକ୍‌ରେ ଭ୍ରମିଗଲେ ଚଳିବ ନାହିଁ, କେବଳ ଏ ଦଳର ଚାରଣଗିରି କରି ସେ ଦଳର କୁତ୍ସା ଗାଇଲେ ହେବ ନାହିଁ । ଆପଣା ଲାଗି ସତ୍ତା ଓ ସମ୍ପନ୍ନତା କମାଇବା ଲାଗି ସାହିତ୍ୟକୁ ଏକ କୌଶଳ ପରି ବ୍ୟବହାର କଲେ ଏହି ଅନ୍ୟାୟଦ୍ରୋହିତା ସମ୍ଭବ ହେବ ନାହିଁ । ମୁଁ ତ କହିବି, କେବଳ ଆପଣାର ଭୋକ ବଢ଼ାଇଲେ ଓ ପେଟର ଭୋକକୁ ସବୁ ଭୋକର ଆଧାର କରି ଗ୍ରହଣ କରିପାରିଲେ ଏହା ହୋଇ ପାରିବ ।

Image